ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ନେତୃତ୍ବରେ ବୃନ୍ଦାବନ ମହୋତ୍ସବ

ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ନେତୃତ୍ବରେ ବୃନ୍ଦାବନ ମହୋତ୍ସବ

ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ବୃନ୍ଦାବନ ଗୁରୁକୁଳ ତରଫରୁ ପ୍ରମୁଖ ଭାରତୀୟ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ୮ମ ବୃନ୍ଦାବନ ମହୋତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ଭାରତର ସର୍ବଶ୍ରେଷ୍ଠ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ଦ୍ଵାରା ପ୍ରତିଷ୍ଠିତ ଭୁବନେଶ୍ୱର କଳିଙ୍ଗନଗର, ଘାଟିକିଆସ୍ଥିତ ବୃନ୍ଦାବନ ଗୁରୁକୁଳ ଆୟୋଜନରେ ଅନୁଷ୍ଠିତ ଏହି ମହୋତ୍ସବରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ । ବୃନ୍ଦାବନ ଗୁରୁକୁଳର ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରଖ୍ୟାତ ବଂଶୀ ବାଦକ ପଦ୍ମବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସଙ୍ଗୀତ ମହୋତ୍ସବରେ ମାନ୍ୟବର ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଆମର ଧର୍ମଶାସ୍ତ୍ର ସାମବେଦରେ ସୁନ୍ଦର ସଂଗୀତ ଗାନ କଥା କୁହାଯାଇଛି । 

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ ଦେବ , ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ପରିଚାଳକ ଶ୍ରୀ ଚନ୍ଦ୍ର ଶେଖର ଶର୍ମା , ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ଏବଂ ସଚିବ ଶ୍ରୀ ପ୍ରବୋଧ ରଥଙ୍କ ଉପସ୍ଥିତ ଥିବା ବେଳେ ବୃନ୍ଦାବନ ଗୁରୁକୁଳ, କଳିଙ୍ଗ ନଗରର ସଭାପତି ଅନିକେତ ମହାରଣା ଓ ସମ୍ପାଦକ ଶ୍ରୀ ଦିଗବିଜୟ ସିଂ ଚୌହାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡଃ ନାଜିଆ ଆଲାମ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ବୃନ୍ଦାବନ ଗୁରୁକୁଳ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଯୋଗଦେଇଥିବା ବୃନ୍ଦାବନ ଗୁରୁକୂଳର ଶିକ୍ଷାନବୀଶମାନେ ଚିତ୍ତାକର୍ଷକ ବଂଶୀ ବାଦନ କରିଥିଲେ । ପରେ ପରେ ଭାରତୀୟ ଶାସ୍ତ୍ରୀୟ ସରୋଦ ବାଦକ ପଦ୍ମବିଭୂଷଣ ଉସ୍ତାଦ ଅମଜାଦ ଅଲୀ ଖାନ୍ ସରୋଦ ବାଦନ କରିଥିବା ବେଳେ ଶାସ୍ତ୍ରୀୟ ସଂଗୀତ ବିଶାରଦ ପଦ୍ମଶ୍ରୀ ମାଳିନୀ ଅଓ୍ୱସ୍ତି ଶାସ୍ତ୍ରୀୟ କଣ୍ଠ ସଂଗୀତ ପରିବେଷଣ କରିଥିଲେ । ପ୍ରତିବର୍ଷ ବର୍ଷ ହୋଲିରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ଚଳିତ ବର୍ଷ ସରୋଦ ବାଦକ ପଦ୍ମବିଭୂଷଣ ଉସ୍ତାଦ ଅମଜାଦ ଅଲୀ ଖାନଙ୍କ ଦ୍ୱାରା ସରୋଦ ବାଦନ ଏବଂ ପଦ୍ମଶ୍ରୀ ମାଲିନୀ ଅଓ୍ୱସ୍ତିଙ୍କ ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଆଧାରିତ ଏବଂ ହୋଲି ଉତ୍ସବ ଉପରେ ପର୍ଯ୍ୟବସିତ ଭକ୍ତି ରସାତ୍ମକ ଶାସ୍ତ୍ରୀୟ କଣ୍ଠ ସଂଗୀତ ପରିବେଷଣ ଦର୍ଶକମାନଙ୍କୁ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରିଥିଲା । ତତ୍ ସହିତ ଶାସ୍ତ୍ରୀୟ ତବଲା ବାଦକ ପଣ୍ଡିତ ଅରବିନ୍ଦ କୁମାର ଆଜାଦ ଏବଂ ଅନ୍ୟ ଶାସ୍ତ୍ରୀୟ ସଂଗୀତ ବାଦକମାନଙ୍କ ଦ୍ୱାରା ଯନ୍ତ୍ରସଂଗୀତ ପରିବେଷଣ ଦର୍ଶକମାନଙ୍କୁ ମନ୍ତ୍ର ମୁଗ୍ଧ କରିବା ସହ ରବୀନ୍ଦ୍ର ମଣ୍ଡପରେ ଏକ ଦିବ୍ୟ ପରିବେଶ ସୃଷ୍ଟି କରିଥିଲା ।