ଫେବୃଆରୀ ୧୦ରୁ ଆରମ୍ଭ ହେବ ଉନବିଂଶ ଧଉଳି-କଳିଙ୍ଗ ମହୋତ୍ସବ

Dhauli-kalinga-festival to begin on Feb 10th

ଫେବୃଆରୀ ୧୦ରୁ ଆରମ୍ଭ ହେବ ଉନବିଂଶ ଧଉଳି-କଳିଙ୍ଗ ମହୋତ୍ସବ

ଓଡିଶା ସରକାର, ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନର ବିଶ୍ଵ ବ୍ୟାପି ପ୍ରଚାର, ପ୍ରସାର ଓ ବିକାଶ ଉଦ୍ଦେଶ୍ୟ ନେଇ କାର୍ଯ୍ୟରତ । ଓଡିଶାକୁ ବିଶ୍ଵ ମାନଚିତ୍ରରେ ଏକ ପ୍ରମୁଖ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟା କରି ଆସୁଅଛନ୍ତି । ବିଶେଷ କରି ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳିର ବିକାଶ, ଜାତୀୟ ଐତିହର ସୁରକ୍ଷା, ପର୍ଯାବରଣ ପର୍ଯ୍ୟଟନର ପ୍ରସାର କରି ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଓଡିଶାମୁଖୀ କରିବା ସରକାରଙ୍କର ଲକ୍ଷ୍ୟ ।

ପ୍ରତି ବର୍ଷ ଫେବୃୟାରୀ ମାସରେ ଏହି ମହୋତ୍ସବ ବିଶ୍ଵ ପ୍ରସିଦ୍ଧ ଧଉଳି ପାହାଡର ପାଦ ଦେଶରେ ଅନୁଷ୍ଠିତ ହୋଇଥାଏ ।  ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ ସାକ୍ଷୀ କରି  ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରିଥାନ୍ତି । ଧଉଳି- କଳିଙ୍ଗ ମହୋତ୍ସବରେ ନୃତ୍ୟ ଶିଳ୍ପୀମାନେ  ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ଲୋକ ନୃତ୍ୟ ଏବଂ ଦେଶ ବିଦେଶର ସମର କଳା ପ୍ରଦର୍ଶିତ କରି ଶାନ୍ତି ଓ ମୈତ୍ରୀର ବାର୍ତ୍ତା  ପ୍ରେରଣ କରିଥାଏ ।  ଏହି ଉତ୍ସବର ଆଉ ଏକ ପ୍ରମୁଖ ଲକ୍ଷ ହେଲା ଦେଶର ଯୁବକ ସମାଜ  ବିଶେଷ କରି ଛାତ୍ର ଓ ଛାତ୍ରୀ ମାନଙ୍କୁ  ଭାରତୀୟ ସଂସ୍କୃତିର ମହାନ ଗୌରବୋଜ୍ଜ୍ଵଳ ଐତିହ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନ  କରାଇବା ।

ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡିଶା ଡ୍ୟାନ୍ସ ଏକାଡେମି ତରଫରୁ ବୁଦ୍ଧ ସମ୍ମାନଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ, ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପାଇଥିବା କୃତବିଦ୍ୟ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଦାନ କରା ଯାଉଅଛି।

 ବୁଦ୍ଧ ସମ୍ମାନ :

ଏହି ସମ୍ମାନଟି ଦୀର୍ଘ ୧୫ ବର୍ଷ ଧରି ଧଉଳି-କଳିଙ୍ଗ ମହୋତ୍ସବ ମଞ୍ଚରେ ପ୍ରଦାନ କରା ଯାଉଅଛି ।  ପ୍ରତି ବର୍ଷ ଜଣେ  ପ୍ରଥିତ ଯଶା ଶିଳ୍ପୀ ଓ କଳାକାରଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ସହ ସମ୍ମାନ ସ୍ୱରୂପ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ । ଏହି ସମ୍ମାନ ଓଡିଶା ଡ୍ୟାନ୍ସ ଏକାଡେମୀ, ଭୁବନେଶ୍ଵର ଦ୍ଵାରା ପ୍ରଦତ୍ତ।  ଚଳିତ ବର୍ଷର ସମ୍ମାନ ପାଉଛନ୍ତି ପ୍ରଖ୍ୟାତ ଓଡିଶୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶ୍ରୀମତୀ ଶ୍ୟାମାମଣି ଦେବୀ  

 ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ :

 ଓଡିଶା ଡ୍ୟାନ୍ସ ଏକାଡ଼େମୀର ପ୍ରତିଷ୍ଠାତା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଉ ଏକ ପ୍ରତିଷ୍ଠିତ ସମ୍ମାନ ଏକାଡେମୀ ଦ୍ଵାରା ୨୦୧୬ ମସିହାରୁ ଓଡିଶୀ ନୃତ୍ୟ, ସଙ୍ଗୀତ, ନାଟକ, ଯନ୍ତ୍ର ସଙ୍ଗୀତ ଓ ଓଡିଶୀ ନୃତ୍ୟ ସହ ଯୋଡିହୋଇ ରହିଥିବା  ଅନ୍ୟାନ୍ୟ ସୃଜନାତ୍ମକ କ୍ଷେତ୍ରରେ ବିଶିଷ୍ଟ ଶିଳ୍ପୀ ତଥା ଓଡିଶୀ ନୃତ୍ୟକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରିବାରେ ଗୁରୁ ଦାଇତ୍ଵ ନିଭାଇଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରଦାନ କରା ଯାଉଛି ।

ଚଳିତ ବର୍ଷ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପାଉଥିବା ବ୍ୟକ୍ତି ବିଶେଷ ମାନେ ହେଲେ ଯଥାକ୍ରମେ ଗୁରୁ ଶ୍ରୀ ବଙ୍କିମ ସେଠି, ଖ୍ୟାତି ସମ୍ପନ୍ନ ଓଡିଶୀ କଣ୍ଠଶିଳ୍ପୀ ଓ ସଂଯୋଜକ; ଗୁରୁ ଶ୍ରୀ ନିରଞ୍ଜନ ରାଉତ, ପ୍ରଥିତଯଶା ଓଡିଶୀ ନୃତ୍ୟଗୁରୁ; ଗୁରୁ ଶ୍ରୀ ସଚ୍ଚିଦାନନ୍ଦ ଦାସ, ବିଶିଷ୍ଟ ମର୍ଦ୍ଦଳ ଗୁରୁ  ଏବଂ ଗୁରୁ ଶ୍ରୀ ସଦାଶିବ ପ୍ରଧାନ, ପ୍ରତିଷ୍ଠିତ ଛଉ ନୃତ୍ୟଗୁରୁ ଓ ଗବେଷକ । ଏହି ପୁରସ୍କାର ସହ ପ୍ରତ୍ୟେକଙ୍କୁ ସମ୍ମାନ ସ୍ୱରୂପ ୨୫,୦୦୦ ଟଙ୍କା, ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥାଏ ।