ସ୍ୱାଧୀନତା

ସ୍ୱାଧୀନତା

ସିଧା ପ୍ରସାରଣ ଚାଲିଛି
ସମୟ ସହ ଅସମୟର 
ଭୀଷଣ ପାଟିତୁଣ୍ଡ
ପ୍ରବଳ ଭିଡ
ବର୍ତ୍ତମାନର ସମସ୍ତ ପୃଷ୍ଠାଗୁଡ଼ିକୁ 
ଅବରୋଧ କରିବା ପାଇଁ,

ଟିପ ଚିହ୍ନ ମାଗିଲେ
ଦଶଆଂଗୁଠି କାଟିଦେଇଦେଲି
ଯେତେ ଜମାଥିଲା ଖାତା ବହି ଅତୀତ
ସିନ୍ଦୁକରୁ ବିକିଭାଂଗି ସାରିଦେଲି
ସିଲେଇ କରିଦେଇଛି ଭବିଷ୍ୟତର ଓଠ ଏବେ
କେବଳ ରହିଯାଇଛି
ଗୋଟେ ଦରମଲା 
ଉଧାର ଆଣିଥିବା ହୃଦୟ 
ଆଉ ହୃଦୟ ଭର୍ତ୍ତି
କାଳାନ୍ତର ହେବାର ଭୟ
କିଏ ଦାବିଦାର ହେବ କହୁନ!

ମତେ ଡାକୁଛି
ଆ ଏକାଠି କଷିବା 
ଉଜ୍ଜ୍ୱଳ ଦୁର୍ଦ୍ଦିନର କ୍ଷେତ୍ରଫଳ
ଏବଂ ମୋ ମଇଳା ଖଣ୍ଡିଆ ଦେହକୁ 
ଛୁଇଁ ଗତିବାନ ଆଲୋକ ରେଖାର
ପ୍ରତିକ୍ରିୟାର ସଂବେଗ 

ନିଆଁକୁ ଡେଇଁବାକୁ 
ବଳକା ସ୍ୱପ୍ନମାନେ ପ୍ରସ୍ତୁତ ହେଲେଣି 
ଅମଂଗ ପାଗ ଓ
ଅସ୍ଥିର ଭୋକ 
ଦେଇହେବ କାହାକୁ ବିଚାର କର

ଚାରିଆଡେ ଶୁଖିଲା ପାଣି
ଥଣ୍ଟେ ତୋ ଭାଗରେ 
ଧରିବୁ ତ ଧର,
ଧରି ନପାରିଲେ 
ତତଲା ଶୋଷ ପିଇ ଯା’

ଆଉ ରହିଲା ପବନ
ଭରି ଦେ 
ଭୂତାଣୁ ଆକ୍ରାନ୍ତ ଫୁସଫୁସ
ପାରୁପର୍ଯ୍ୟନ୍ତ,

ଆ ହାତ ଧରି ପାର ହେବା 
ଗ୍ରୀଷ୍ମର ଅବହେଳିତ ଆକାଶ 
ନୀରବ ସମୁଦ୍ରରେ ବୁଡ଼ି ରହିଥିବା ଭୂମି 
ସବୁଜ ଉପତ୍ୟକାର ଅବକ୍ଷୟ,

ଆ ଈଶ୍ୱର ଗଢିବା

ଏବକାର ତାଜା ଖବର ଜଣାଇଲା 
ମୋ ମରାମତି ସନ୍ଦର୍ଭରେ କୁଆଡେ
ବିତର୍କ ଚାଲିଛି 
ଖରିଦାର ଖୋଜା ବି ଚାଲିଛି

ଡାକୁଥା’ ରେ ବାୟା!
ଏଇଲେ ମୁଦିଲି କାନ ଆଖି 
କୋଳରେ ନିଆଁ ପୂରେଇ 
ମୁଁ ଛିଡା ହୋଇଛି ମୁଣ୍ଡ ନୁଆଁଇ
ଫୁଲମାଳ ଗାଡିଏ ମୋ ସାମ୍ନାରେ।