ରେଖା ନାନୀ, ଭଲ ଅଛ?

ରେଖା ନାନୀ, ଭଲ ଅଛ?

ରେଖା ନାନୀ, ଭଲ ଅଛ?
ଜାଣ, ମୁଁ ଏବେ ପନ୍ଦର ଦିନକୁ ଥରେ
ପାର୍ଲର ଯାଏ ହେୟାର କଲର ପାଇଁ...
ତୁମେ ବି କଣ ବୁଢ଼ୀ ହେଲଣି?
ରେଖା ନାନୀମାନେ କଣ ବୁଢ଼ୀ ହୁଅନ୍ତି?
କେମିତି ଅଛି ତମ ବାହାଡ଼ା ଦାନ୍ତଟା?
ଯିଏ ଭିଡ଼ ଭିତରେ ବି ସ୍ୱତନ୍ତ୍ର ଥିଲା
ଠିକ ତୁମ ପରି!

ଦର ଆଉଜା କବାଟ ଠେଲି 
ଭିତରକୁ ପଶି ଆସିଥିଲି
ବାହାରେ ଖୁବ ଖରା ଥିଲା ହେଲେ
ଭିତରେ ତୁମେ ଓଦା ସର ସର..
ଝାଳରେ? ନା ଗାଧେଇଥିଲ ସେଇ କ୍ଷଣି?
ଅପସରି ଯାଉଥିବା ପୁରୁଷ ପିଠିକୁ ଚାହିଁ ପଚାରିଥିଲି
-"କିଏ ନାନୀ? କଣ କରୁଥିଲା?"
ତୁମେ ମୁରୁକି ହସି ମତେ ଠେଲି ଦେଲ
ତୁମ ହାତ ମୋ ଛାତିରେ ବାଜିଲା
-"ବୋକୀଟା କି ରେ!"
ମୁଁ ସେଦିନ ସ୍ୱପ୍ନରେ ତୁମକୁ ଚୁମା ଦେଇଥିଲି।

ତୁମ ଓଠରେ ସିଗାରେଟ ଖୁବ ମାନୁଥିଲା।
ଆଖି ତରାଟୀ କହୁଥିଲ
-"ଖବରଦାର, ବୋଉକୁ ଯଦି କହୁ.."
ତୁମ ଅଧା କଥାରୁ ବାକି ଅଧକ ଝରି ପଡ଼ୁଥିଲା।
ଅଧା ସିଗାରେଟ ବଢ଼େଇ -"ଟାଣିବୁ?"
ମୋର ସାହସ ନଥିଲା
ମୁଁ ଖାଲି ତୁମ ପାଖରେ ଗୁଞ୍ଜି ହେଇ ବାସ୍ନା ନେଉଥିଲି।

ତୁମକୁ କେହି ଅନେଇଲେ
ତୁମେ ବି ସିଧା ଅନଉଥିଲ।
ମୁଁ ତୁମକୁ କେବେ କୁଜା ହବାର ଦେଖିନଥିଲି।
ପାଖ ଘର ଖୁଡ଼ି ଆଉ ଭାଉଜ ଓଠ ବଙ୍କଉଥିଲେ
-"ଝିଅ ପିଲାଟା କେମିତି ଛାତି ଉଞ୍ଚେଇ
ଦୁମ ଦୁମ ଚାଲୁଛି! ଛିଆ ଲୋ.. ୟାକୁ କିଏ ବାହା ହବ!"

ଅଥଚ ତୁମେ ବାହା ହେଲ!
ମନା କରୁଥିଲ, ହାତରେ ଲଣ୍ଡନ ଇଉନିଭରସିଟିର
କାଗଜ ବି ଥିଲା
ମାଉସୀ କହିଲେ -"ଏଠି କଣ କମ ବଦନାମୀ!
ମୁଁ ବେକରେ ଦଉଡ଼ି ଦଉଛି, ତା ପରେ
ଯୁଆଡ଼େ ଯିବୁ ଯା।"
ତୁମେ ବି ଡର!
ତାଙ୍କ ହାତରେ ଦଉଡ଼ି ନଥିଲା
ହେଲେ ତୁମ ହାତରେ ତ କାଗଜ ଥିଲା, ଇଉନିଭରସିଟିର,
ତାହେଲେ?

ଛ ମାସ ପରେ ଫେରିଥିଲ
ହାତରେ ଶୁଟକେଶ, କଜଳ ଟିକେ ଲେଶି ହେଇଥିଲା
ନା ସେଇଟା ଆଖି ତଳର ଅନ୍ଧାର ଥିଲା?
-"ସ୍ୱାମୀ! କୋଉ ସ୍ୱାମୀ!
ବିଛଣାରେ ଅକ୍ଷମ, 
ଯେତେ ଜୋର ଖାଲି ଗାଲ ଫଟେଇବାରେ...
ଜଙ୍ଘରେ ଚେଙ୍କା ଦାଗ ଦେଖିବ? ଶାଢ଼ୀ ଉଠେଇବି?"
ମଉସା ଫାଙ୍କା ଦୃଷ୍ଟିରେ ଅନେଇଥିଲେ..
ଘର ବି ତ ବନ୍ଧା ପଡ଼ିଛି!
ଏଥର ଦଉଡ଼ି ନୁହଁ, 
ମାଉସୀ ସତକୁ ସତ ଫିନାଇଲ ବୋତଲ ଉଠେଇଲେ!
ପିଇବା ଯାଏଁ କଥା ଗଲାନି,
ତୁମେ ବାହାରି ଗଲ।

କୁଆଡ଼େ ଗଲ?
ଘରକୁ? କୋଉଟା ତୁମ ଘର?
ସହିଲ? ନା ରହିଲ?
ତୁମେ ମୋ ପିଲାବେଳର ପରମ ଆଶ୍ଚର୍ଯ୍ୟ ଥିଲ,
ଯୌବନର ସ୍ୱପ୍ନ ସୁନ୍ଦରୀ..
ମୁଁ ଏବେ ବୁଢ଼ୀ ହେଲିଣି
ପ୍ରତି ପନ୍ଦର ଦିନରେ ଥରେ ପାର୍ଲର ଯାଉଛି
ହେୟାର କଲର ପାଇଁ।
ତୁମେ କେମିତି ଅଛ?
ଭଲ ଅଛ ରେଖା ନାନୀ?