ଓଡିଶାର ବାବୁ ରାଜନୀତି

ଓଡିଶାର ବାବୁ ରାଜନୀତି

ଓଡ଼ିଶାକୁ ନେତା ନୁହନ୍ତି, ବାବୁମାନେ ଚଲାନ୍ତି । ସାଧାରଣ ଲୋକଙ୍କର ଏହା ଦୃଢ ବିଶ୍ଵାସ । ନେତାଙ୍କ ତୁଳନାରେ ବାବୁମାନଙ୍କର ପତିଆରା ରାଜନୀତିରେ କେବଳ ଅଧିକ ନୁହେଁ, ଅନେକ ସମୟରେ ସେମାନେ ହିଁ ଆମ ବ୍ୟବସ୍ଥାର ଅସଲ ନିୟାମକ ବୋଲି ଲୋକେ ଗ୍ରହଣ କରି ନେଉଛନ୍ତି । ଗୋଟେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ସବୁଠୁ ବିପଜ୍ଜନକ । ଶାସନରେ ଥିବା ଲୋକେ ନିରଙ୍କୁଶ କ୍ଷମତା ପାଇଁ ଲାଳାୟିତ ହେବା ସ୍ଵାଭାବିକ । ହେଲେ ଗଣତାନ୍ତ୍ରିକ ସମାଜର ଅଙ୍କୁଶ ବାବୁମାନଙ୍କୁ ସବୁବେଳେ ନିଜ ସୀମାରେ ରହିବାକୁ ବାଧ୍ୟ କରିଥାଏ । ଓଡିଶାରେ ଏହାର ବ୍ୟତିକ୍ରମ ଘଟୁଛି ଓ ଘଟି ଚାଲିଛି । ଲୋକେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ତୁଳନାରେ ବାବୁମାନଙ୍କ ଶାସନକୁ ଅଧିକ ଗ୍ରହଣୀୟ ବୋଲି ଭାବୁଛନ୍ତି । ସବୁଠୁ ବଡ କଥା ହେଉଛି, ରାଜ୍ୟର ରାଜନୈତିକ ନେତୃତ୍ଵ ଏତେ ଦୁର୍ବଳ ଓ ଅସହାୟ ଯେ ସେଠି ଅମଲାତନ୍ତ୍ର ଆଗରେ ରାଜନୀତି ଗୋଡ ଭାଙ୍ଗି ଠିଆ ହେବାକୁ ବାଧ୍ୟ ହେଉଛି । ଶାସନ ମୁଖ୍ୟମନ୍ତ୍ରୀଙ୍କ ନାମରେ ଚାଲିଛି , ହେଲେ ଅସଲ କ୍ଷମତାର ଚାବିକାଠି ବାବୁମାନଙ୍କ (ସ୍ପଷ୍ଟ ଭାବରେ କହିଲେ ଜଣେ ବାବୁଙ୍କ ହାତରେ) ହାତରେ ରହିଛି । ବାବୁଙ୍କ ଦୁଆରରେ ସବୁ ରାଜନେତା ଗୋଡ ଭାଙ୍ଗି ଠିଆ ହେବାକୁ ନିଜର ଗୌରବ ବୋଲି ଭାବୁଛନ୍ତି ।  ରାଜନୈତିକ ନେତୃତ୍ବର ଏ ଦୁର୍ବଳତା ଓ ଅସହାୟତାର କାରଣ କଣ ? କାହିଁକି ରାଜନୀତିର ନିୟନ୍ତ୍ରଣ ଡୋର ନେତାଙ୍କ ବଦଳରେ ବାବୁଙ୍କ ହାତକୁ ଚାଲିଯାଇଛି ।

ରାଜନୈତିକ ପଶାପାଲିରେ ବାବୁ ବନାମ ନେତାଙ୍କ ଏ ଯେଉଁ ଖେଳ, ସେ ବିଷୟରେ ଆଜି ଅଧିକ ଚର୍ଚ୍ଚା ବଢିଛି କାରଣ ଏକଦା ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ବାବୁ ଭାବରେ ପରିଚିତ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ନବୀନ ପଟ୍ଟନାୟକଙ୍କର ଗତ ୨୧ ବର୍ଷର ଶାସନରେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ବାବୁଙ୍କର ପ୍ରଭାବ ପ୍ରବଳ ରହିଆସିଛି । ମାର୍ଚ୍ଚ,୨୦୦୦ରେ ନବୀନ ବାବୁ ଓଡିଶା ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମେ ଶପଥ ନେବା ବେଳକୁ ସେ ଥିଲେ ରାଜନୀତିରେ ନୂଆ । ତେଣୁ ତାଙ୍କୁ ମନ୍ତ୍ରଣା ଦେବାକୁ ଏକ ଶକ୍ତିଶାଳୀ ବାବୁତନ୍ତ୍ର ସେତେବେଳେ ତିଆରି କରାଯାଇଥିଲା । ଏ ବାବୁତନ୍ତ୍ର କ୍ଷମତା ଓ ଲୋକଙ୍କ ଭିତରେ ଏକ ଦୁର୍ଗ ଭଳିଆ କାମ କରୁଥିଲା । ନବୀନ ଶାସନରେ ବାବୁତନ୍ତ୍ରର ଦୁର୍ଗକୁ ଅଭେଦ୍ୟ ଏବଂ ସକଳ କ୍ଷମତାର କେନ୍ଦ୍ର କରିବାରେ ପୂର୍ବତନ ପ୍ରଶାସକ ପ୍ୟାରୀମୋହନ ମହାପାତ୍ରଙ୍କର ବିଶେଷ ଭୂମିକା ରହିଥିଲା ।

ପ୍ୟାରୀ ବାବୁ ପୂର୍ବରୁ ବିଜୁ ପଟ୍ଟନାୟକଙ୍କର ସଚିବ ଭାବରେ ମୁଖ୍ୟମନ୍ତ୍ରୀ ଦପ୍ତରକୁ ନିଜ ହାତମୁଠାରେ ରଖିଥିବାର ଚର୍ଚ୍ଚା ସେତେବେଳେ ହେଉଥିଲା । ତେବେ ରାଜନୀତିରେ ବିଜୁ ପଟ୍ଟନାୟକଙ୍କର ଯେଉଁ ପ୍ରଭାବ ରହିଥିଲା ତାକୁ ଅତିକ୍ରମ କରିବା ପ୍ୟାରୀ ବାବୁଙ୍କ ପକ୍ଷରେ ସମ୍ଭବ ନଥିଲା । ବିଜୁଙ୍କ ଶାସନରେ ପ୍ୟାରୀ ବାବୁ ପ୍ରଭାବଶାଳୀ ଅମଲା ଥିଲେ ହେଁ ରାଜନୀତିରେ ତାଙ୍କର ଚାଣକ୍ୟଗିରି ସେତେବେଳେ କାମ ଦେଇନଥିଲା । ନବୀନ ବାବୁଙ୍କ ଶାସନରେ ପ୍ରଥମ ୧୨ ବର୍ଷ ପ୍ୟାରୀ ବାବୁ ଇ ଥିଲେ “ସୁପର ଚିଫ ମିନିଷ୍ଟର” । ସତରେ ବିଜେଡି ଭିତରେ ଓ ନବୀନ ପଟ୍ଟନାୟକଙ୍କ ଉପରେ ତାଙ୍କର ପ୍ରଭାବ ଥିଲା କି ନା, ତା ଏକ ରହସ୍ୟ । ହେଲେ ଜନମାନସରେ ପ୍ୟାରୀ ବାବୁ ଥିଲେ କ୍ଷମତା ରାଜନୀତିର ଚତୁର ଚାଣକ୍ୟ । ପ୍ୟାରୀ ବାବୁଙ୍କ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କୁଆଡେ ତାଙ୍କ ନିଷ୍ପତ୍ତିକୁ ସବୁବେଳେ ଅପେକ୍ଷା କରୁଥିବାର କୁହାଯାଉଥିଲା ।

ମଇ ୨୦୧୨ରେ ନବୀନ ପଟ୍ଟନାୟକ ଲଣ୍ଡନ ଯାଇଥିବା ବେଳେ ତାଙ୍କୁ ବିତାଡିତ କରିବା ପାଇଁ ବିଜେଡିରେ ଏକ ବିଦ୍ରୋହ ରଚନା କରିଥିବାର ଅଭିଯୋଗରେ ପ୍ୟାରୀ ବାବୁ ସବୁଦିନ ପାଇଁ କ୍ଷମତା ହରାଇଲେ । ପ୍ୟାରୀ ବାବୁଙ୍କ ପରେ ଆଜିର ଚର୍ଚ୍ଚିତ ବିଜୟ ପଟ୍ଟନାୟକ ଥିଲେ ନବୀନ ବାବୁଙ୍କ ପ୍ରଶାସନିକ ଏବଂ ରାଜନୈତିକ ଆଖି-କାନ । ବିଜୟ ବାବୁ ମୁଖ୍ୟ ସଚିବ ଥିବା ବେଳେ ସେ ହିଁ ପ୍ୟାରୀଙ୍କର ରାଜନୈତିକ ବିପର୍ଯୟ ପାଇଁ ଯୋଜନା ପ୍ରସ୍ତୁତ କରିଥିବାର ଆଲୋଚନା ହୁଏ ।

ଘଟଣାକ୍ରମେ ଏବେ ନବୀନଙ୍କର ସବୁ କ୍ଷମତା ଓ ବିଜେଡ଼ିର ସବୁ ରାଜନୈତିକ ଶକ୍ତି ତାଙ୍କର ସଚିବ ଭିକେ ପାଣ୍ଡିୟାନଙ୍କ ହାତରେ ଠୁଳ ହୋଇଥିବା କଥା ଅଛପା ନାହିଁ । ଅନ୍ୟ ଅମଲାମାନଙ୍କ ପରି ଭିକେ ପାଣ୍ଡିଆନ ନିଜକୁ ଆଊ ରାଜନୀତିଠୁ ସତର୍କ ଦୂରତାରେ ରଖୁନାହାନ୍ତି । ଶାସକ ବିଜେଡି ଦଳ ଓ ଓଡିଶା ସରକାର ଭିତରେ ସୀମାରେଖା ଏବେ ଲିଭିସାରିଛି ।

ରାଜନୀତିରେ ବାବୁମାନଙ୍କର ପତିଆରା ଓ ପ୍ରତିଷ୍ଠା ରହିଥିବା ବେଳେ ନିର୍ବାଚନ ରାଜନୀତିରେ କିନ୍ତୁ ବାବୁମାନେ ଲୋକଙ୍କ ଦ୍ଵାରା କେବେହେଲେ ଗ୍ରହଣୀୟ ହୋଇନାହାନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେଡ଼ିର ଦୁଇ ପ୍ରଭାବଶାଳୀ ବାବୁ ପୂର୍ବତନ ମୁମ୍ବାଇ ପୁଲିସ କମିଶନର ଅରୂପ ପଟ୍ଟନାୟକ ଓ ପୂର୍ବତନ ମୁଖ୍ୟଯନ୍ତ୍ରୀ ନଳିନୀ ମହାନ୍ତି ନିର୍ବାଚନ ହାରି ଯାଇଥିଲେ । ଚୌକି ଉପରେ ବସି ରାଜନୀତିର ଗୋଟିଚାଳନା କରିବା ଏବଂ ଲୋକଙ୍କ ରାଜନୀତିରେ ଅଂଶୀଦାର ହେବା ଏକକଥା ନୁହେଁ । ତେଣୁ ବାବୁମାନେ ରାଜନୀତିକୁ ଆସିଲେ ରାଜ୍ୟ ରାଜନୀତିରେ ଯେ ଖୁବ ଗୋଟେ ବଡ ପରିବର୍ତ୍ତନ ଆସିବା, ସେ ଆଶା କରିବା ଦୁରାଶା ମାତ୍ର ।