ମଣିପୁର, ମୌନବ୍ରତ ଓ ମନ କି ବାତ୍
ଆମ ଘରେ ଗୋଟିଏ ଛୋଟ ଫିଲିପ୍ସ ରେଡିଓ ଅଛି। କିଣା ହୋଇଥିଲା ବାପାଙ୍କ ଚାକିରୀର ପ୍ରଥମ ମାସର ଦରମାରେ, ମାନେ ମୋ ଜନ୍ମ ପୂର୍ବରୁ। ୟା ଭିତରେ ସେ ବାପା ବୋଉଙ୍କ ସହ କେନ୍ଦ୍ରାପଡା, ମାଲକାନଗିରି, କୋରାପୁଟ, କଟକ, କୋରବା ସବୁ ଜାଗାକୁ ପ୍ରତି ଟ୍ରାନ୍ସଫର ସହ ବୁଲିଛି। ଛୋଟବେଳେ ସେଥିରୁ ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରସାରିତ ଓଡ଼ିଆ ଗୀତ ଆଉ ଗୀତିନାଟ୍ୟ ଏବେବି ଗୋଟିଏ ସୁନ୍ଦର ସ୍ମୃତି। ପ୍ରତିଦିନ ଖବର ଶୁଣି ଅପଡେଟ୍ ରହିବାର ଅଭ୍ୟାସ ବି ସେଇ ରେଡ଼ିଓରୁ ପଡିଥିଲା। ୧୯୮୮- ୯୦ ସତିଗୁଡା, ମାଲକାନଗିରିରେ ଥିବା ସମୟରେ ଯେତେ ଉଚ୍ଚା ବାଉଁଶରେ ଆଣ୍ଟିନା ବାନ୍ଧିଲେ ବି ଟିଭି ଚାଲେନି। ସେତେବେଳେ ଦୁନିଆର ସମାଚାର ସହ ଅପଡେଟ୍ ରହିବାର ଏହି ରେଡ଼ିଓ ହିଁ ସବୁଠାରୁ ବଡ ସାଧନ ଥିଲା। ଏମିତିକି ୧୯୯୯ ମସିହା ବାତ୍ୟା ସମୟରେ ମଧ୍ୟ ଆମେ ମୁଣ୍ଡଳି, କଟକରେ ଥିବା ସମୟରେ, ସେଇ ଫିଲିପ୍ସ ରେଡ଼ିଓ କମ୍ ସାହାଯ୍ୟ କରିନଥିଲା। ସମୟ ସହ ରେଡ଼ିଓଟି କ୍ରମଶଃ ତା'ର କାର୍ଯ୍ୟଦକ୍ଷତା ହରାଇଲା। ଯେତେ ଯାହା ଉପାୟ କଲେ ବି ଆଉ ଚାଲିଲାନି। ତା' ପରେ ପୁଣି ମନୋରଞ୍ଜନ ଏବଂ ଖବର ପାଇଁ ଏତେ ସାଧନ ସବୁ ଆସିଲା ଯେ, ତା' କାମ ନକରି ପାରିବା ପଣଟି ବି ଆଉ ବାଧିଲାନି। ତା' ପଛକୁ ଅଲଗା ରେଡ଼ିଓ ବି କିଣା ଗଲା। ହେଲେ ସେଇ ଫିଲିପ୍ସ ରେଡିଓଟିକୁ କବାଡି ବାଲା କୁ ଦେଇଦେବା କିମ୍ବା ଫୋପାଡି ଦେବା ପାଇଁ ଆଜି ଯାଏଁ କାହାର ସତ୍ତ ବଳିନି। କିମ୍ବା ଆମ ଭିତରୁ କେହି କେବେ ଫୋପାଡିବାକୁ ଚାହିଁ ମଧ୍ୟ ନାହାନ୍ତି। ସେ ଖାଲି ଗୋଟିଏ ଅଚଳ ରେଡ଼ିଓ ନୁହେଁ, ଅସରନ୍ତି ସ୍ମୃତି ଆଉ ସମୟର ସାଥୀ ମଧ୍ୟ। କେବେ ଅଜାଣତରେ ବି ହାତ ଯାଏନି ତାକୁ ଫୋପାଡ଼ି ଦେବା ପାଇଁ। ହେଲେ ଗତ ରବିବାର ମୁଁ କିଛି ଅଦ୍ଭୁତ ଦୃଶ୍ୟ ଦେଖିଲି। ମଣିପୁରର ଅନେକ ସ୍ଥାନରେ ଲୋକ ଏକାଠି ହୋଇ, ନାରାବାଜି କରି ରାସ୍ତାରେ କଚାଡି କଚାଡି ତାଙ୍କ ରେଡ଼ିଓ ସବୁକୁ ଭାଙ୍ଗି ଦେଉଥିଲେ। ରାସ୍ତାରେ ପଡି ଛିନ-ଛତର ହୋଇଗଲା ପରେ ସେଇ ରେଡ଼ିଓ ଖଣ୍ଡ ଗୁଡିକୁ ଗୋଡରେ କୁଦି କୁଦି ଆହୁରି ଚୁନା କରୁଥିଲେ। କିଛି ଜାଗାରେ ରେଡ଼ିଓ ଗୁଡିକୁ ନିଆଁ ଲଗାଉଥିଲେ। ମୋର ଝଟ କିନା ଆମ ଫିଲିପ୍ସ ରେଡ଼ିଓ କଥା ମନେ ପଡିଗଲା। ଦେହ ଶିତେଇ ଉଠିଲା। ମୁଁ ଭାବି ପାରୁ ନଥାଏ, କେତେ କଷ୍ଟ ହେଲେ ଗୋଟିଏ ଗୋଟିଏ ଟଙ୍କା ଯୋଡି ଘର ପାଇଁ ରେଡ଼ିଓ କି କିଣା ଯାଇଥିବା ଅନ୍ୟ ଚିଜକୁ ଏମିତି ମଣିଷ ନିଜ ହାତରେ ରାସ୍ତାରେ କଚାଡି ଭାଙ୍ଗି ପାରିବ? କେତେ ଯନ୍ତ୍ରଣା ହେଲେ ମଣିଷ ନିଜ କଷ୍ଟ ଉପାର୍ଜିତ ଜିନିଷକୁ ନିଆଁ ଲଗାଇ ପାରିବ? କେତେ ପରିମାଣର ଦୁଃଖ ଦରକାର ମଣିଷ ନିଜ ହାତରେ ତିଆରି ଥିବା ଘରଦ୍ବାରା ଛାଡି ପଳେଇବା ପାଇଁ?
ଆମେ ସମସ୍ତେ ଜାଣିଛେ, ପାଖାପାଖି ଗତ ୫୦ଦିନ ହେଲାଣି ମଣିପୁର ରାଜ୍ୟରେ ହି°ସା ଏବଂ ଗଣ୍ଡଗୋଳର ବାତାବରଣ ଲାଗି ରହିଛି। ଏ ହି°ସାର କାରଣ, ଏହା ପଛରେ କ'ଣ କାହାଣୀ, କିଏ ଏମିତି ଗଣ୍ଡଗୋଳ ଆରମ୍ଭ କଲା, କ'ଣ ସବୁ ରହିଛି ଏହା ପଛର କଥା, କାହା କାହା ଭିତରେ ଗଣ୍ଡଗୋଳ, କେମିତି ସେଠି ଇଣ୍ଟରନେଟ୍ ସେବା ବନ୍ଦ ଅଛି, କେମିତି ସେଠି ସେନା ଛାଉଣୀ ହୋଇଛି ଏସବୁ ବିଷୟରେ ଆପଣ ଏହା ଭିତରେ ଅନେକ ରିପୋର୍ଟ ପଢି ସାରିବେଣି। ତେଣୁ ସେ ସବୁ କଥାର ପୁନରାବୃତ୍ତି ମୁଁ ଜରୁରୀ ଭାବୁନି। ଯଦିଓ ଆମ ଦେଶର ମୁଖ୍ୟ ମିଡିଆ ବା ଖବର ପ୍ରଦାନକାରୀ ସ°ସ୍ଥା ମାନେ ମଣିପୁର ହି°ସାକୁ ନେଇ ଅପେକ୍ଷାକୃତ ଚୁପ୍ ଅଛନ୍ତି ଏବଂ ଭାରି ମାପିଚୁପି ଖବର ପ୍ରଚାର କରୁଛନ୍ତି। ତଥାପି କିଛି ଅନ୍ତର୍ଜାତୀୟ ସ°ସ୍ଥା ଏବଂ ସ୍ବାଧୀନ ଘରୋଇ ଡିଜିଟାଲ ଚ୍ୟାନେଲ୍ ସେଠିକାର ଖବର ଜଣାଇବା ପାଇଁ ଲଗାତାର ଚେଷ୍ଟା କରୁଛନ୍ତି। ଲେଖାଟି ଲେଖା ଯିବା ସୁଦ୍ଧା ଅତି କମରେ ୧୦୦ଜଣ ଲୋକ ପ୍ରାଣ ହରାଇ ସାରିଥିବା ବେଳେ ୫୦୦୦୦ରୁ ଅଧିକ ଲୋକ ବିସ୍ଥାପିତ ହୋଇ ସାରିଲେଣି। ଅନେକ ଲୋକ ନିଜ ପରିଜନଙ୍କ ଅତାପତା ମଧ୍ୟ ପାଉ ନାହାନ୍ତି!
ଯେତେବେଳେ ପ୍ରଥମେ ମଣିପୁରରେ ହି°ସା ଆରମ୍ଭ ହେଲା, ସେଇଟି କର୍ଣ୍ଣାଟକର ବିଧାନସଭା ନିର୍ବାଚନ ସମୟର କଥା। ଏପଟେ ମଣିପୁର ଠୁ ଆରମ୍ଭ କରି ତା'ର ଜନତା ନିଆଁରେ ଜଳୁଥିବା ବେଳେ ଆମ ଦେଶର ପ୍ରଧାନମନ୍ତ୍ରୀ କର୍ଣ୍ଣାଟକରେ ନିଜ ଉପରେ ପୁଷ୍ପ ବର୍ଷା ହେବାର ଫଟୋ ସେୟାର କରୁଥା'ନ୍ତି। ସେତେବେଳକୁ ପୁଣି ଦୀଲ୍ଲିର ଜନ୍ତରମନ୍ତରରେ ଦେଶର ବିଶ୍ବସ୍ତରୀୟ ମହିଳା କୁସ୍ତି ଖେଳାଳି ମାନେ ନିଜ ଉପରେ ଯୌନନିର୍ଯାତନାକୁ ନେଇ ଧାରଣାରେ ବସିଥା'ନ୍ତି। ତଥାପି ଆମ ଦେଶର ପ୍ରଧାନମନ୍ତ୍ରୀ ନିଜ ଦଳ ପ୍ରତି ନିଜର କର୍ତ୍ତବ୍ୟକୁ ନଭୁଲି ନିର୍ବାଚନ ପ୍ରଚାରରେ ଅଟଳ ଓ ଅବିଚଳିତ ଭାବରେ ଲାଗି ଥା'ନ୍ତି। ସତରେ ତାଙ୍କଠୁ ଦଳ ପ୍ରତି ଏବଂ ନିଜ ଛବି ପ୍ରତି ଏଇ ନିଷ୍ଠାପର ଗୁଣଟି ଶିକ୍ଷଣୀୟ ନିହାତି! ନିର୍ବାଚନ ପ୍ରଚାର ପାଇଁ ନିର୍ଦ୍ଧାରିତ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂରଣ କରାଗଲା। ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତ୍ୟେକ ସଭା, ରାଲି, ସେଲ୍ଫିର ଫଟୋ ଏବଂ କଥା ତାଙ୍କ ଟ୍ବିଟର ଆକାଉଣ୍ଟରେ ଅପଡେଟ୍ କଲେ। ହେଲେ ମଣିପୁର ବିଧାନସଭା ସମୟରେ ସେଇ ରାଜ୍ୟର ଭାର ନିଜ କାନ୍ଧ ଉପରକୁ ନେଇଥିବା ସତ୍ତ୍ୱେ ପଦଟିଏ ଲେଖି ମଣିପୁରରେ ଶାନ୍ତି-ଶୃଙ୍ଖଳା ପାଇଁ ଆହ୍ୱାନ କରି ପାରିଲେ ନାହିଁ!
କର୍ଣ୍ଣାଟକ ନିର୍ବାଚନ ସରେ, ଫଳାଫଳ ଘୋଷଣା ହେଲା। ପ୍ରଧାନମନ୍ତ୍ରୀ ବିଜୟୀ ବିପକ୍ଷ ଦଳକୁ ଶୁଭେଚ୍ଛା ଜଣାଇ ଟ୍ବିଟ୍ କଲେ କିନ୍ତୁ ତାଙ୍କ ଦଳର ସରକାର ଥିବା ମଣିପୁର ହି°ସାକୁ ନିନ୍ଦା କରି କିମ୍ବା ହି°ସା ପ୍ରପୀଡିତ ଜନତାଙ୍କ ପାଇଁ ସମବେଦନା ଜଣାଇ କିମ୍ବା ଶାନ୍ତିର ଅପିଲ୍ କରି ପଦେ ମଧ୍ୟ ଲେଖିଲେ ନାହିଁ! ଏହାପରେ ପ୍ରଧାନମନ୍ତ୍ରୀ ଜାପାନ - ପାପୁଆ ନିୟୁଗିନି- ଅଷ୍ଟ୍ରେଲିଆ ଗସ୍ତରେ ଗଲେ। ଆମ ଦେଶର ମିଡିଆ ସେତେବେଳେ କେଉଁ ଦେଶର ରାଷ୍ଟ୍ରମୁଖ୍ୟ ତାଙ୍କୁ ଆଲିଙ୍ଗନ କଲେ, କିଏ ପାଦ ଛୁଇଁଲେ ଆଉ କିଏ ସଭାର ଆୟୋଜନ କଲେ ସେଇ ଚର୍ଚ୍ଚା ଛଡା ମଣିପୁର ହି°ସା ଉପରେ ଆମ ପ୍ରଧାନମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ସେ ବିଷୟରେ ପଦେ ହେଲେ କହିଲେ ନାହିଁ। ଜାପାନରେ ବସି ୟୁକ୍ରେନର ରାଷ୍ଟ୍ରପତିଙ୍କୁ ଯୁଦ୍ଧ ବଦଳରେ ଶାନ୍ତି ପ୍ରତିଷ୍ଠା କରିବା ଉପରେ ପରାମର୍ଶ ଦେଲେ, ହେଲେ ନିଜ ଦେଶ ଭିତରେ ଜଳୁଥିବା ରାଜ୍ୟ, ମରୁଥିବା ମଣିଷଙ୍କ ପାଇଁ ପଦିଏ ଟ୍ବିଟ୍ ମଧ୍ୟ କଲେ ନାହିଁ। ପାପୁଆ ନିୟୁଗିନି ଏବଂ ଫିଜିରୁ ସେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରହଣ କଲେ, ଫଟୋ ସେୟାର କରି ଟ୍ବିଟ୍ କଲେ। ଅଥଚ ମଣିପୁରରୁ ପଳାୟନ କରୁଥିବା ହଜାର ହଜାର ନାଗରିକଙ୍କୁ, ଦମ୍ଭଧରି ନିଜ ଭିଟାମାଟିରେ ଛିଡା ହେବା ପରି ପଦିଏ ବି ସାନ୍ତ୍ବନା ଦେଲେ ନାହିଁ। ଅଷ୍ଟ୍ରେଲିଆରେ ବିଶାଳ ଭାରତୀୟ ମୂଳର ଜନ ସମାବେଶରେ ଆହ୍ୱାନ ଦେଇ, ହ୍ୟାରିସ୍ ପାର୍କରେ ଚଟକାଜର ଚାଟ୍ ଆଉ ଜୟପୁରର ଜଲେବି ବିଷୟରେ ଗପି ପାରିଲେ, ତାଙ୍କ ବନ୍ଧୁ ଅଷ୍ଟ୍ରେଲିୟ ପ୍ରଧାନମନ୍ତ୍ରୀଙ୍କୁ ନେଇ ଚାଟ୍ ଚଖେଇବା ପାଇଁ ଆହ୍ୱାନ କରିପାରିଲେ, ଅଥଚ ମଣିପୁରରେ ଶାନ୍ତିଶୃଙ୍ଖଳା ରଖିବା ପାଇଁ ଅପିଲ୍ କରିଲେ ନାହିଁ। ବିଦେଶରୁ ଫେରି ଇତିହାସର ଗର୍ଭରୁ ସେଙ୍ଗୋଲ ଖୋଜି, ଦେଶର ୬୨.୨୪% ମତଦାତାଙ୍କ ଜନ ପ୍ରତିନିଧିଙ୍କ ବିରୋଧ ଓ ଅନୁପସ୍ଥିତି ସତ୍ତ୍ୱେ ନୂତନ ସ°ସଦ ଭବନର ଉଦଘାଟନ କଲେ। ଗଣତନ୍ତ୍ର ଉପରେ ସାରଗର୍ଭକ ଭାଷଣ ଦେଲେ। ଅଥଚ ସେଇ ରାଜଧାନୀର ରାସ୍ତା ଉପରେ ଯୌନନିର୍ଯାତନାକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ମହିଳା ଖେଳାଳିଙ୍କୁ ପୁଲିସ ଦ୍ବାରା ଟଣାଓଟରା, ଭିଡି ନେବା କିମ୍ବା ମଣିପୁର ହି°ସାରେ ସେଇଦିନ ପ୍ରାଣ ହରାଇଥିବା ୪୦ ଜଣଙ୍କ ମୃତ୍ୟୁ ଯେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ କଳଙ୍କ ସେ ବିଷୟରେ ପଦେ ହେଲେ ଉଲ୍ଲେଖ କଲେ ନାହିଁ! ୟା ପରେ କେନ୍ଦ୍ର ଗୃହମନ୍ତ୍ରୀ ମଣିପୁର ଗସ୍ତରେ ଗଲେ, ସେତେବେଳକୁ ମାସେ ସମୟ ବିତିବାକୁ ବସିଲାଣି। ସେଠି ସେ ଜନତା ଓ ବିଭିନ୍ନ ସ°ଗଠନକୁ ଶାନ୍ତି ଶୃଙ୍ଖଳା ରଖିବା ପାଇଁ ଆହ୍ୱାନ କଲେ। ହେଲେ ନା' ସେଠି ଗୋଷ୍ଠୀ କନ୍ଦଳ କମିଲା, ନା' ହି°ସା, ନା' ନିଆଁ। ମଣିଷଙ୍କୁ ଆମ୍ବୁଲାନ୍ସ ଭିତରେ ଜାଳି ଦେବା ଠାରୁ ଆରମ୍ଭ କରି ପ୍ରାଣ ବିକଳରେ ଘରଦ୍ବାର ଛାଡି ପଳାୟନ କରୁଥିବା ଲୋକଙ୍କ ଦୁର୍ଦ୍ଦଶା ସେମତି ଜାରି ରହିଲା।
ଏଇ ଗତ ସପ୍ତାହେ କି ଦଶ ଦିନ ତଳେ 'ଟିଆ' ନାମକ ୯ ବର୍ଷର ମଣିପୁରୀ ଝିଅଟେ ଏକ ଭିଡିଓ କ୍ଲିପ୍ ମାଧ୍ୟମରେ ଆମ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରିଥିଲା, ମଣିପୁରକୁ ନେଇ ତାଙ୍କ ନିରବତା ଭାଙ୍ଗିବା ପାଇଁ। କିଛି ନହେଲେ ପଦେ କହିଦେବା ପାଇଁ ଯେ, ଏ ବିଷୟରେ ସେ ସମ୍ପୂର୍ଣ୍ଣ ଅବଗତ ଆଉ ଖୁବ ଶୀଘ୍ର ସବୁ ଠିକ୍ ହୋଇଯିବ। ତା' ଶିଶୁ ସୁଲଭ ସରଳ ବିଶ୍ୱାସ ଆଉ ଛଳଛଳ ଆଖିରେ ସେ ଦେଶର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲା। ମଣିପୁରର ହି°ସା, ହତ୍ୟା, ଅଗ୍ନିକାଣ୍ଡ ଆଉ ବିସ୍ଥାପିତ ଜନତାଙ୍କ ବିକଳ କାନ୍ଦଣା ରୋକିବା ପାଇଁ। କାହିଁକି କି ନା' ଆମ ସମସ୍ତଙ୍କ ପରି ଟିଆ ବି ଦେଖିଛି, କେମିତି ଦୁଇ ମାସ ତଳେ କାଥଓ୍ବା, ଜମ୍ମୁ ଓ କଶ୍ମୀରର ତୃତୀୟ ଶ୍ରେଣୀର ଝିଅଟିଏ ଆମ ଦେଶର ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି ଭିଡିଓ ବନେଇବା ପରେ କେମିତି ତା' ଅଞ୍ଚଳର ସ୍କୁଲ୍ ଗୃହକୁ ସଜାଡି, ନୂଆ କରି ବନାଇ ଦିଆ ଯାଇଥିଲା। ସେଇ ଛୋଟ ଝିଅଟିର ଅନୁରୋଧ ଭିଡିଓ ପରେ, ପ୍ରଧାନମନ୍ତ୍ରୀଙ୍କୁ ତା' ଦ୍ବାରା ଧନ୍ୟବାଦ ଜଣାଇ କରା ଯାଇଥିବା ପରବର୍ତ୍ତୀ ଭିଡିଓକୁ ମଧ୍ୟ ନ୍ୟାସନାଲ୍ ଗଣମାଧ୍ୟମ, ବିଭିନ୍ନ ରାଜନୈତିକ ବ୍ୟକ୍ତିତ୍ବଙ୍କ ଦ୍ଵାରା ଗର୍ବରେ ଖୁବ୍ ସେୟାର କରା ଯାଇଥିଲା (ଏବେ ବି ଏସବୁ ସୋସିଆଲ ମିଡ଼ିଆରେ ଉପଲବ୍ଧ)। ଆହୁରି ମଧ୍ୟ ଟିଆ ନିଶ୍ଚୟ ଦେଖିଥିବ ଯେ ଗୋଟିଏ ଛ' ବର୍ଷର ଝିଅ ପ୍ରଧାନମନ୍ତ୍ରୀଙ୍କୁ ସ୍କୁଲ ଗୁଡିକ ଦ୍ବାରା ଦିଆଯାଉଥିବା ହୋମଓ୍ବାର୍କର ବୋଝକୁ କମ୍ କରିବା ପାଇଁ ଅନୁରୋଧ କରିଥିବା ଭିଡିଓଟି କେମିତି ଦୁଇ ବର୍ଷ ତଳେ ଭାଇରାଲ୍ ହୋଇଥିଲା। ଆଉ ଏ ଭିଡିଓ ଦ୍ବାରା ପ୍ରଭାବିତ ହୋଇ ଖୁସିରେ ଜମ୍ମୁ ଓ କଶ୍ମୀରର ଲ୍ୟୁଟେନାଣ୍ଟ ଗଭର୍ନର ମନୋଜ ସିହ୍ନା ଭିଡିଓଟି ସେୟାର କରିବା ସହ ୪୮ ଘଣ୍ଟା ମଧ୍ୟରେ ଛୋଟ ଶିଶୁ ମାନଙ୍କ ଅନଲାଇନ୍ କ୍ଲାସର ଅବଧି କମ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ଛଡା ଟିଆ ନିଶ୍ଚୟ ଦେଖିଥିବ, କର୍ଣ୍ଣାଟକା ନିର୍ବାଚନ ପ୍ରଚାର ସମୟର ବ୍ୟସ୍ତତା ଭିତରେ ମଧ୍ୟ କେମିତି ଆମ ପ୍ରଧାନମନ୍ତ୍ରୀ ଛୋଟ ଛୋଟ ସ୍କୁଲ୍ ପିଲାଙ୍କ ସହ ତା'ର ବାଡ ଏପଟେ ରହି ସସ୍ନେହ କିଛି ସମୟ ବିତାଇଥିଲେ, ମଜା କରୁଥିଲେ, ଖେଳ ବତାଉଥିଲେ। ପିଲାଙ୍କୁ ଏତେ ସ୍ନେହ କରୁଥିବା ଦେଶର ପ୍ରଧାନମନ୍ତ୍ରୀ ବା ତା' ଅପିଲ୍ ଶୁଣିବେନି କେମିତି? ଟିଆର ଦୃଢ ବିଶ୍ବାସ ଥିବ ଯେ, ତା' ପ୍ରିୟ ପ୍ରଧାନମନ୍ତ୍ରୀ ତା' ପରି କୁନି କୁନି ପିଲାଙ୍କ ପାଇଁ ଗୋଟିଏ ସୁରକ୍ଷିତ, ସୁନ୍ଦର, ଶାନ୍ତ ମଣିପୁର ଗଢିଦେବେ ନିହାତି। ଟିଆର ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରା ଭିଡିଓ ଦେଖି କିଛି ଲୋକ ଅବଶ୍ୟ ଆରୋପ ଲଗାଇଛନ୍ତି, ଶିଶୁଟିକୁ ରାଜନୀତି ପାଇଁ ବ୍ୟବହାର କରା ଯାଇଛି! ଅବଶ୍ୟ ଏଇ ଲୋକ ମାନଙ୍କ ଲଜିକ୍ ଆଉ ପ୍ରଶ୍ନ ପଚାରିବା ମନୋବୃତ୍ତି ମଧ୍ୟ କେବଳ ଟିଆ କିମ୍ବା ତା' ପରି ଅଗଣିତ ନିଷ୍ପପ ମଣିଷଙ୍କ ପ୍ରଶ୍ନରେ ହିଁ ଜାଗୃତ ହୁଏ। ନହେଲେ ସେମାନେ ପ୍ରଦୀପ କୁରୁଲକର ପରି ୫୯ ବର୍ଷୀୟ DRDO Director R&D ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସ°ଘର ଆକ୍ଟିଭ ମେମ୍ବର (ସ°ଘ ପକ୍ଷରୁ ଯଦିଓ ମନା କରାଯାଇଛି) , ହନିଟ୍ରାପରେ ଫସି ଦେଶର ଗୁପ୍ତ ସାମରିକ ତଥ୍ୟ ପ୍ରଦାନ କରି ଦେଲା ବେଳେ ହେଉ କିମ୍ବା ସୁନ୍ଦରମ୍ ତିଓ୍ବାରୀ ପରି ଯୁବକ ଗର୍ବରେ "ବଜରଙ୍ଗ ଦଳ, ପନ୍ନା ଜିଲ୍ଲା, ସହ ସ°ଯୋଯକ" ଲେଖି ୨୧ କିଲୋଗ୍ରାମର ଗଞ୍ଜେଇ ଚାଲାଣ କଲାବେଳେ ସତନା ରେଳ ଷ୍ଟେସନରୁ ଧରାପଡିବା ଘଟଣା ହେଉ; ମନୋଜ ମୁନ୍ତସିର୍ ପରି ବିନା ଆପୋଏଣ୍ଟମେଣ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟୁଥିବା ଲୋକଟେ ହନୁମାନଙ୍କ ଦେବତା ହେବାକୁ ନକାରି ଦେଉ କିମ୍ବା କର୍ଣ୍ଣାଟକାର ସିଭମୋଗାର ତିର୍ଥହଲ୍ଲି ଅଞ୍ଚଳର ABVPର ଅଧ୍ୟକ୍ଷ ଫେସବୁକରେ ଝିଅ ମାନଙ୍କ ସହ ବନ୍ଧୁତା କରି ସେମାନଙ୍କ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରି ଗିରଫ ହେବା କଥା ହେଉ; ଦିଲ୍ଲୀରେ UP Bhawanରେ ଜଣେ ଅଭିନେତ୍ରୀଙ୍କୁ ଉତ୍ତରପ୍ରଦେଶର ଜଣେ ଭାଜପା ନେତାଙ୍କ ଦ୍ବାରା ରେପ୍ ହେଉ କିମ୍ବା ଉତ୍ତରପ୍ରଦେଶରେ ଜଣେ ନାବାଳିକାର ଭାଜପା ନେତାଙ୍କ ଦ୍ବାରା ଗ୍ୟାଙ୍ଗ୍ ରେପ୍ ହେଉ; ଅଷ୍ଟ୍ରେଲିଆରେ ଭାଜପାର କର୍ମକର୍ତ୍ତା ବାଲେଶ୍ ଧନକର୍ ଦ୍ବାରା ୫ ଜଣ କୋରିଆନ୍ ମହିଳାଙ୍କ ରେପ୍ କେସ୍ ରେ ଧରାଯିବା ମାମଲା ହେଉ କିମ୍ବା ସଞ୍ଜୟ ସୋନି ନାମକ ଜଣେ ହିନ୍ଦୁତ୍ବବାଦୀ ସୋସିଆଲ ମିଡ଼ିଆ ଚ୍ୟାନେଲ (@cyber_huntss) ଚଲାଉଥିବା ଯୁବକର ଅନେକ ହିନ୍ଦୁ ମହିଳାଙ୍କ ପ୍ରାଇଭେଟ ଡାଟା ବିକ୍ରି ମାମଲାରେ ଗୋଟିଏ ଅନଲାଇନ୍ ବ୍ୟବସାୟୀ ସ°ସ୍ଥାକୁ ବ୍ଲାକମେଲ୍ କରିବା ମାମଲାରେ ଗିରଫ ହେବା ହେଉ ଏ ସବୁ ମାମଲାରେ ବିଲକୁଲ୍ ଚୁପ୍ ରହନ୍ତି ଏବଂ ସେମାନଙ୍କ ରାଷ୍ଟ୍ରନିର୍ମାଣର ବିଚାରଧାରା ବିଲକୁଲ୍ ଆହତ ହୁଏନି (ଉପରୋକ୍ତ ପ୍ରତ୍ୟେକ ମାମଲାକୁ ନେଇ ସବିଶେଷ ବିବରଣୀ ଆପଣ ଟିକେ ସର୍ଚ୍ଚ କଲେ ପାଇଯିବେ)। ହେଲେ ଏସବୁ କଥାକୁ ନେଇ ପ୍ରଶ୍ନ କଲେ ଏମାନଙ୍କୁ ରାଜନୀତି ମହମହ ବାସେ। କିନ୍ତୁ ମୁଁ ଜାଣେ, ପିଲାଙ୍କୁ ଏତେ ସ୍ନେହ କରୁଥିବା ଆମ ପ୍ରଧାନମନ୍ତ୍ରୀ, ଯିଏ ଜାପାନ ଗଲେ ବି ମା' କାଖରେ ଥିବା ଛୁଆ ମାନଙ୍କୁ ଗେହ୍ଲା କରି ପକାନ୍ତି, ସେ ଟିଆର ଭିଡିଓକୁ କଦାପି ରାଜନୀତିକରଣ କରାଯାଇଛି ବୋଲି ଭାବିବେନି। କାରଣ ଏଇ ଛ' ମାସ ତଳେ ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ଟିଆ ଠାରୁ ବି ଦୁଇ ବର୍ଷ ଛୋଟ, ସାତ ବର୍ଷର ଜଣେ ଗୁଜରାଟୀ ଝିଅ ଯେତେବେଳେ ବେକରେ ଭାଜପାର ଗାମୁଛା ପକାଇ, ପ୍ରଧାନମନ୍ତ୍ରୀଙ୍କ ସାମନାରେ ଠିଆ ହୋଇ, ଭାଜପାର ଗୁଣଗାନ କରୁଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ଠିକ୍ ତା' ପାଖରେ ବସି ଶୁଣୁଥିଲେ ଏବଂ ତା' ପିଠି ଥାପୁଡାଇ ସାବାସୀ ଦେଇଥିଲେ। ବିଭିନ୍ନ ନ୍ୟାସନାଲ୍ ମିଡ଼ିଆରେ ଏଇ ଖବର ଗର୍ବରେ ପ୍ରଚାର ହେବା ସହ ଏବେ ମଧ୍ୟ ସୋସିଆଲ ମିଡିଆରେ ଏ ଭିଡିଓ ଉପଲବ୍ଧ। ଆଉ ଏଇ ଥରର ମନକୀ ବାତ୍ ୧୦୨ ଏପିସୋଡ୍ ପରେ, ୧୮ ଜୁନରେ ଖୋଦ୍ ପ୍ରଧାନମନ୍ତ୍ରୀ ଅରୁଣାଚଳ ପ୍ରଦେଶର ପିଲାମାନଙ୍କ ଦ୍ବାରା ଅର୍ଗାନିକ୍ ଫାର୍ମି° ଉପରେ ପ୍ରସ୍ତୁତ ନୁକ୍କଡ ନାଟକ ଉପରେ ଟ୍ବିଟ୍ କରିଛନ୍ତି। ତେଣୁ ଟିଆ ପରି ଝିଅର ଭିଡିଓକୁ ରାଜନୀତି ଭାବିବା କେବେବି ଆମ ପ୍ରଧାନମନ୍ତ୍ରୀଙ୍କ ସ୍ବଭାବ ହୋଇ ପାରିବ ନାହିଁ।
ଅବଶ୍ୟ ଲେଖାଟି ଲେଖା ହେଲା ବେଳକୁ ନା' ଟିଆର ଭିଡିଓ, ନା' ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଅପେକ୍ଷା କରିଥିବା ଦଶଟି ବିପକ୍ଷ ଦଳର ନେତା, ନା' ଦିଲ୍ଲୀରେ ଉଭୟ ମୈତୈୟୀ ଓ କୁକି ସମୁଦାୟର ଛାତ୍ରଙ୍କ ଦ୍ବାରା ବିକ୍ଷୋଭ ପ୍ରଦର୍ଶନ, ନା' ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଦେଖା ପାଇବା ପାଇଁ ଅପେକ୍ଷା କରିଥିବା ଶହ ଶହ ମଣିପୁରୀ ମା', ନା' ମଣିପୁରର ସେବାନିବୃତ୍ତ ସେନା ଅଧିକାରୀଙ୍କ ଟ୍ବିଟ୍, ନା' ଦେଶର ବୁଦ୍ଧିଜୀବୀଙ୍କ ପ୍ରଶ୍ନ; କାହାର ଜଣଙ୍କର ମଧ୍ୟ ଉତ୍ତର ରଖି ନାହାନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ। ମୋର ଏବେ ବି ମନେଅଛି ୦୪/୦୧/୨୦୨୨ରେ ମଣିପୁରରେ ପ୍ରଧାନମନ୍ତ୍ରୀ ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରି କହିଥିଲେ, ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ଅନେକ ଥର ସାଧାରଣ ନାଗରିକ ଭାବରେ ମଣିପୁର ଯାଇଛନ୍ତି। ତେଣୁ ସେଠିକା ଲୋକଙ୍କ ମୂଳ ସମସ୍ୟାକୁ ସେ ଖୁବ୍ ଭଲରେ ହୃଦୟଙ୍ଗମ କରି ପାରନ୍ତି। ସେ ଆହୁରି ମଧ୍ୟ ଯୋଡିଥିଲେ ଯେ, ତାଙ୍କ ପୂର୍ବରୁ ଅନେକ ପ୍ରଧାନମନ୍ତ୍ରୀ ମଣିପୁର ପରି ଦୂର ଜାଗାକୁ କିଏ ଯିବ ଭାବି ସବୁବେଳେ ବୈମାତୃକ ମନୋଭାବ ଓ ବ୍ୟବହାର ରଖୁଥିଲେ। କିନ୍ତୁ ସେ ମଣିପୁରର ଜିମ୍ମେଦାରୀ ନିଜ କାନ୍ଧ ଉପରକୁ ନେଉଛନ୍ତି। ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ତେଣୁ ଜନତା ଡବଲ ଇଞ୍ଜିନ ସରକାର ବାଛିଥିଲେ। କିନ୍ତୁ ଆଜିକୁ ୫୦ ଦିନ ହେଲାଣି ସାଧାରଣ ଜନତା ତ ଛାଡ ସେଠାକାର ସରକାରୀ ଦଳର ନେତା ମାନଙ୍କ ଘରକୁ ବି ନିଆଁ ଲଗାଇ ଦିଆ ଯାଉଛି (ଅବଶ୍ୟ ଉଭୟ ଭାଜପା କାର୍ଯ୍ୟାଳୟ ଏବଂ ମନ୍ତ୍ରୀଙ୍କ ଘର ଆକ୍ରମଣ ସମୟରେ ସେଠି ମଣିଷଙ୍କ ଚିହ୍ନବର୍ଣ୍ଣ ନଥିବା ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି କରିଛି)। ଏହି ୫୦ ଦିନର ହି°ସା ଭିତରେ ୧୦୦ ଜଣ ପ୍ରାଣ ହରାଇ ସାରିଲେଣି (ସରକାରୀ ହିସାବ ଅନୁଯାୟୀ), ୫୦୦୦୦ ଲୋକ ବିସ୍ଥାପିତ ହୋଇ ସାରିଲେଣି, ୧୧୦୦୦ ଲୋକ କେବଳ ନାଗାଲ୍ୟାଣ୍ଡରେ ଶରଣ ନେଇଛନ୍ତି, ୭୦୦୦୦ ସରିକି ସେନାର ଛାଉଣୀ ସାଜିଛି ମଣିପୁର! ଏଇ ଭିତରେ ୨ ଥର ବିଦେଶ ଗସ୍ତ ପାଇଁ ସମୟ ବାହାର କରି ପାରିଥିବା ଆମ ପ୍ରଧାନମନ୍ତ୍ରୀ, ନିଜ ଦେଶରେ ହି°ସାରେ ଜଳୁଥିବା ମଣିପୁର ଯିବା ତ ଦୂରର କଥା ସେଠି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆହ୍ୱାନ କରି ଟ୍ବିଟ୍ ମଧ୍ୟ କରି ନାହାନ୍ତି! କେବଳ ଦୁଇଟି ବିଦେଶ ଗସ୍ତ ନୁହେଁ ଏଇ ଭିତରେ ଆମ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ "ମନକୀ ବାତ୍"ର ୨ଟି ଏପିସୋଡର ପ୍ରସାରଣ ସରିଲାଣି। ଏଇ ଏବେ ଏବେ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମନକୀ ବାତର ୧୦୨ତମ ଏପିସୋଡର ପ୍ରସାରଣ ସରିଛି। ଗତ ୧୮ ତାରିଖ ଯାଏଁ ମୁଁ ଗୋଟିଏ ମଧ୍ୟ ଏପିସୋଡ୍ ଶୁଣିନଥିଲି କିନ୍ତୁ ୧୮ ତାରିଖ ସ°ନ୍ଧ୍ୟାରେ ମଣିପୁର ଜନତାଙ୍କ "ରେଡିଓ ପ୍ରୋଟେଷ୍ଟ" ଦେଖିଲା ପରେ, ସେହି ଏପିସୋଡ୍ ଟି ଶୁଣିବା ପାଇଁ ବାଧ୍ୟ ହେଲି। ୧୦୦ ତମ ଏପିସୋଡ୍ ପର୍ଯ୍ୟନ୍ତ ମୋର ଆଦୌ ଧାରଣା ବି ନଥିଲା ଯେ ଏହା ପ୍ରତି ମାସର ଶେଷ ରବିବାର ପ୍ରସାରିତ ହୁଏ। ବହୁ ଦିନ ଯାଏଁ ମୋର ଧାରଣା ଥିଲା, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ପ୍ରଧାନମନ୍ତ୍ରୀ ଦେଶର ସାଧାରଣ ଜନତାଙ୍କ ମନ କଥା ଶୁଣନ୍ତି! କିନ୍ତୁ ଏଇ ୧୦୨ତମ ଏପିସୋଡ୍ ଶୁଣିଲା ପରେ ନିଶ୍ଚିତ ହେଲି ଯେ ଏଥିରେ ସାଧାରଣ ଜନତାଙ୍କ ମନକଥାର ଉଲ୍ଲେଖ ନଥାଏ। କିନ୍ତୁ ୧୦୧ତମ ଛାଡ ଯେତେବେଳେ ଏହା ଭିତରେ ଆହୁରି ୨୨ ଦିନ ବିତି ଯିବା ପରେ ମଧ୍ୟ ତାଙ୍କରି ଦେଶର ଗୋଟିଏ ରାଜ୍ୟ ଲଗାତାର ଜଳୁଛି, ସେତେବେଳେ କ'ଣ ତାଙ୍କ ମନ ଭିତରେ ମଣିପୁରକୁ ନେଇ ସାମାନ୍ୟ ଟିକେ ତରଙ୍ଗ ବି ଉଠୁନି? କେବଳ ମଣିପୁର ହି°ସା ନୁହେଁ ୧୦୨ତମ ମନକୀ ବାତରେ ଏଇ ୨ ଜୁନ୍ ୨୦୨୩ ବାହାନଗା ରେଳ ଦୁର୍ଘଟଣା କିମ୍ବା ପୁରୋଲା ହି°ସାଗ୍ରସ୍ତ ଲୋକଙ୍କ ପାଇଁ କିମ୍ବା ଗତ ତିନି ମାସ ହେବ ଯୌନ ନିର୍ଯାତନା ବିରୋଧରେ ବିକ୍ଷୋଭରେ ବସିଥିବା ଆମ ମହିଳା କୁସ୍ତି ଖେଳାଳିଙ୍କୁ ସାନ୍ତ୍ବନା ଦେଲା ପରି ପଦିଏ ବି କହି ନାହାନ୍ତି!
୧ଜୁନରୁ ୧୯ଜୁନ ଭିତରେ ପ୍ରଧାନମନ୍ତ୍ରୀଙ୍କ ଅଫିସିଆଲ୍ ଟ୍ବିଟର ଆକାଣ୍ଟରୁ ସମୁଦାୟ ୧୨୪ଥର ଟ୍ବିଟ୍ କରା ଯାଇଛି, ଆଉ ମନକୀ ବାତର ୧୦୨ ତମ ଏପିସୋଡ୍ ପରେ ୧୬ଥର, କିନ୍ତୁ କୌଣସି ଗୋଟିଏ ବି ଥର ଦେଶର ପ୍ରଧାନମନ୍ତ୍ରୀ ମଣିପୁର ହି°ସାକୁ ନେଇ ଅବଗତ ଥିବା କିମ୍ବା ଦୁଃଖିତ ବୋଲି ମଧ୍ୟ କହିନାହାନ୍ତି! ଆଜି ମଧ୍ୟ ଲକ୍ଷ ଲକ୍ଷ ମଣିପୁର ଜନତା ପ୍ରଧାନମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗି ଶାନ୍ତି ଅପିଲ୍ ପାଇଁ ଅପେକ୍ଷା କରିଛନ୍ତି। ଆଜି ମଧ୍ୟ ଦିଲ୍ଲୀରେ ମଣିପୁରର ଶହ ଶହ ମା' ନିଜ ରାଜ୍ୟ ଓ ତାଙ୍କ ସନ୍ତାନଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ମୌନବ୍ରତ ଭାଙ୍ଗିବା ପାଇଁ ଅନୁରୋଧ କରି ଧାରଣାରେ ବସିଛନ୍ତି। ଆଜି ମଧ୍ୟ ହଜାର ହଜାର କୁକି ଏବଂ ମୈତୈ ଲୋକଙ୍କ ଗୋଟିଏ ଅନୁରୋଧ, ତାଙ୍କ ରାଜ୍ୟକୁ ଉପତ୍ୟକା ଏବଂ ପର୍ବତାଞ୍ଚଳରେ ବଣ୍ଟା ଯିବାପାଇଁ କରା ଯାଉଥିବା ଷଡ଼ଯନ୍ତ୍ର ବିରୋଧରେ ପ୍ରଧାନମନ୍ତ୍ରୀ ତାଙ୍କର ମୌନବ୍ରତ ଭାଙ୍ଗନ୍ତୁ। ଆଜି ବ୍ରିଟେନରେ ବସବାସ କରୁଥିବା ମଣିପୁର ନିବାସୀ ସେଠିକାର ପ୍ରଧାନମନ୍ତ୍ରୀ ରିସି ସୁନକଙ୍କ ଆଗରେ ପ୍ରଦର୍ଶନ କରୁଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ଉପରେ ମୌନବ୍ରତ ଭାଙ୍ଗିବା ପାଇଁ ଅପିଲ୍ କରାଯାଉ। ଆଜି ଆମେରିକାର ୧୦୦ ଜଣିଆ ମେମ୍ବର ବିଶିଷ୍ଟ ସିନେଟର ୭୦ ଜଣ ମେମ୍ବର ସେଠିକାର ରାଷ୍ଟ୍ରପତିଙ୍କୁ ଅପିଲ୍ କରୁଛନ୍ତି ଯେ ଭାରତରେ ଚାଲିଥିବା ତମାମ ହି°ସା କାଣ୍ଡ ଓ ପ୍ରେସ୍ ସ୍ବାଧୀନତା ଉପରେ ପ୍ରଶ୍ନ କରାଯାଉ!
କେଜାଣି ବିଧାନସଭା ନିର୍ବାଚନ ଆଉ ଲୋକସଭା ନିର୍ବାଚନ ଭିତରେ ଭାରତର ମାନଚିତ୍ରରେ ମଣିପୁରର ଅବସ୍ଥିତି ପ୍ରଧାନମନ୍ତ୍ରୀଙ୍କ ପାଇଁ ମାନେ ରଖେ ନା ନାହିଁ? ହେଲେ ଆଜି ଟିଆ ପରି ଅଗଣିତ ଶିଶୁ ପ୍ରଧାନମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗିବା ପାଇଁ ଅପେକ୍ଷା କରିଛନ୍ତି। ଭଗବାନ କରନ୍ତୁ, ଟିଆର ବିଶ୍ୱାସର ମର୍ଯ୍ୟାଦା ରହୁ….. ମୌନବ୍ରତ ଭାଙ୍ଗୁ, ରେଡିଓ ନୁହେଁ!