ଆଦାନୀ ପ୍ରେମରେ ଏଲଆଇସିର ମରଣ !!
ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ପରେ ବଜାର ଅର୍ଥନୀତି ବିଷୟରେ ଖବର ରଖୁଥିବା ନିରପେକ୍ଷ ବିଶେଷଜ୍ଞମାନେ ଗୋଟେ କଥା କହିଥିଲେ ଯେ, ଆଦାନୀ ସହିତ ଭାରତୀୟ ଜୀବନ ବୀମାର ଭାଗ୍ୟ ମଧ୍ୟ ଜଡିତ । ସେତେବେଳେ ବିଭିନ୍ନ ତଥ୍ୟ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଗଲା ଯେ ଜୀବନବୀମାର ସେମିତି ବେଶୀ କିଛି ପୁଞ୍ଜି ଆଦାନୀ କାରବାରରେ ଲାଗିନି । ଗତ ମାସେ ଭିତରେ ଆଦାନୀର ବଜାର ମୂଲ୍ୟରେ ଯେଉଁ ଅବନତି ଆସିଛି, ତାର ସିଧାସଳଖ ପ୍ରଭାବ ଜୀବନବୀମା ନିଗମ ବା ଏଲଆଇସି ଉପରେ ପଡିଛି । ଗତ ଶୁକ୍ରବାର ବଜାର ବନ୍ଦ ହେଲା ବେଳକୁ ଜୀବନବୀମା ନିଗମର ନିଜସ୍ଵ ଶେୟାର ମୂଲ୍ୟ ଖସିବା ଆରମ୍ଭ କରି ଚିନ୍ତାଜନକ ସ୍ତରକୁ ଆସିଯାଇଛି । ଗୋଳମାଳିଆ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଭାରତ ସରକାର ଏଲଆଇସିର କ୍ଷତି ପାଇଁ ଏବେ କି ଉତ୍ତର ଦେବେ ?
ସଂସଦରେ ଉତ୍ତର ରଖି ଭାରତ ସରକାର କହିଥିଲେ ଯେ ଆଦାନୀର ବିଭିନ୍ନ କମ୍ପାନୀରେ ଏଲଆଇସିର ୩୦, ୧୨୭ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି । ଏହି ପୁଞ୍ଜି ସାଧାରଣ ଭାରତୀୟଙ୍କର ପୁଞ୍ଜି । ଏହାର ସଦୁପଯୋଗ କରିବା ଏଲଆଇସିର ଏବଂ ଭାରତ ସରକାରଙ୍କର ନୈତିକ ଦାୟିତ୍ଵ । ସରକାର ଏହି ପୁଞ୍ଜିକୁ ବୁଡିଜ ଯାଉଥିବା ଏକ କମ୍ପାନୀ ହାତରେ ଛାଡିଦେବା ପଛରେ କି ଉଦ୍ଦେଶ୍ୟ ରହିଛି, ତାହା ହିଁ ଆଜିର ବଡ ପ୍ରଶ୍ନ ।
ଏଲଆଇସି ଆଦାନୀ ସମୂହ ପାଖରେ ଯେତେ ଟଙ୍କାର ପୁଞ୍ଜି ବିନିଯୋଗ କରିଥିଲା, ବର୍ତ୍ତମାନ ତାର ମୂଲ୍ୟ କିନା ମୂଲ୍ୟଠାରୁ ମଧ୍ୟ କମ ରହିଛି । ଜାନୁଆରୀ ୨୭ ତାରିଖ ବେଳକୁ ଏଲଆଇସିର ପୁଞ୍ଜି ମୂଲ୍ୟ ୫୬,୧୪୨ କୋଟି ଟଙ୍କା ଥିବା ବେଳେ ସମ୍ପ୍ରତି ଏହା ୩୦ ହଜାର କୋଟି ତଳକୁ ଖସି ଆସିଛି ।
ଲୋକଙ୍କ ଅର୍ଥରେ ଆଦାନୀର ବୁଡି ଯାଉଥିବା ଡଙ୍ଗାକୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଏଲଆଇସି ଏବଂ ଦେଶର ଜାତୀୟକରଣ ବ୍ୟାଙ୍କଗୁଡିକୁ ମରଣ ମୁହଁ କୁ ଠେଲି ଦେଉଛନ୍ତି ।
ଆଦାନୀ ସମ୍ପର୍କରେ କେନ୍ଦ୍ର ସରକାର ସଂସଦରେ ଆଲୋଚନା କରିବାକୁ ପ୍ରସ୍ତୁତ ନୁହନ୍ତି ।
ଏ ସଙ୍କ୍ରାନ୍ତରେ ସେବି କିମ୍ବା ଆନ୍ୟାନ୍ୟ ସଂସ୍ଥା ତଦନ୍ତ କରୁନାହାନ୍ତି ।
ସୁପ୍ରିମକୋର୍ଟ ଏହାର ତଦନ୍ତ କରାଯିବ ବୋଲି କହିଥିଲେ ମଧ୍ୟ, ସେ ସମ୍ପର୍କରେ ସେମିତି କିଛି ଖାସ ଅଗ୍ରଗତି ହୋଇନାହିଁ ।
ମାସେରୁ ଅଧିକ ସମୟ ହେଲାଣି ଆଦାନୀ ବଜାରରେ ନିଜର ସ୍ଥିତି ସୁଧାରି ପାରୁନି ।
କେବଳ ମିଛ ଏବଂ ଭ୍ରମ ଭିତରେ ଆମର ଅର୍ଥବ୍ୟବସ୍ଥା ଅନ୍ଧାରରୁ ଅନ୍ଧାରକୁ ମାଡି ଚାଲିଛି ।