ବିଧାନସଭାରେ ବିଚିତ୍ର ପରିସ୍ଥିତି
ନବକିଶୋର ଦାସଙ୍କ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏକ ବିବୃତି ରଖି ହତ୍ୟାକାଣ୍ଡ ନେଇ କ୍ରାଇମ୍ବ୍ରାଂଚର ତଦନ୍ତ କିପରି କରାଯାଉଛି ଓ ତଦନ୍ତକୁ ମୁକ୍ତ ଓ ନିରପେକ୍ଷ ଭାବେ କରିବା ପାଇଁ ହାଇକୋର୍ଟର ଆଦେଶ ବଳରେ ଜଣେ ପୂର୍ବତନ ଜଜ୍ଙ୍କ ଦ୍ୱାରା ଏହାର ତଦାରଖ କରାଯାଉଛି ତାହା ଦର୍ଶାଇବା ସହିତ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କାର୍ଯ୍ୟକୁ ଶେଷ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ଯଦିଓ ଏହି ବକ୍ତବ୍ୟରେ ହତ୍ୟାକାଣ୍ଡ ଘଟଣାକୁ ନେଇ ବିରୋଧୀ ଦଳମାନେ ଓ ବିଶେଷ ଭାବେ ବିଜେପି ଯେଉଁ ରାଜନୀତି କରୁଛି ତାହାକୁ ନିନ୍ଦା କରିଥିଲେ । ଏପରି ଏକ ସମ୍ବେଦନଶୀଳ ମାମଲାର ତଦନ୍ତ ପ୍ରକ୍ରିୟାକୁ ରାଜନୈତିକ କରଣ କରାନଯିବାକୁ ସେ ଅନୁରୋଧ କରିଥିଲେ ।
ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଏହି ହତ୍ୟା ମାମଲାରେ ଏକ ପ୍ରସ୍ତାବ ଜରିଆରେ ଆଲୋଚନା ନିମନ୍ତେ ବାଚସ୍ପତି ରାଜି ହୋଇଥିଲେ । ସାଧାରଣତଃ ଏପରି ଏକ ସମ୍ବେଦନଶୀଳ ଘଟଣାରେ ତଦନ୍ତ ଚାଲିଥିବା ସମୟରେ ବିଧାନସଭାରେ ଆଲୋଚନା ପାଇଁ ସରକାରୀ ଦଳ ସହଜରେ ରାଜି ହୁଅନ୍ତି ନାହିଁ । ସରକାରୀ ଦଳ ନଚାହିଁଲେ ବାଚସ୍ପତି ପ୍ରସ୍ତାବ ଆକାରରେ ଆଲୋଚନା ପାଇଁ ଅନୁମତି ଦେଇପାରି ନଥାନ୍ତେ । ବିଧାନସଭାରେ ଶାସକ ଦଳର ବିପୁଳ ସଂଖ୍ୟାଗରିଷ୍ଠତା ରହିଛି ଓ କ୍ଷମତାରେ ଥିବା ଦଳ ଗତ ୫ଟି ନିର୍ବାଚନରେ କ୍ରମାଗତ ବିଜୟ ହାସଲ କରି ୨୩ବର୍ଷ ହେଲା କ୍ଷମତାରେ ଅଛନ୍ତି । ପ୍ରସ୍ତାବ ଆଲୋଚନା ସମୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହି ହତ୍ୟାକାଣ୍ଡ ପଛରେ ରହିଥିବା ଷଡ଼ଯନ୍ତ୍ର ବିଷୟରେ ତାଙ୍କ ସୂତ୍ରରୁ ମିଳିଥିବା ତଥ୍ୟକୁ ଉପସ୍ଥାପିତ କରିଥିଲେ ।
ପୂର୍ବରୁ ବିଧାନସଭା ବାହାରେ ସେ ଏହି ତଥ୍ୟ ଦେଇଥିଲେ ମଧ୍ୟ ବିଧାନସଭା ଭିତରେ ସେହି ତଥ୍ୟଗୁଡିକ ପୁନର୍ବାର ଉଲ୍ଲେଖ କରିଥିଲେ । ଏଥିରେ କୁହାଗଲା ଯେ ହତ୍ୟାକାଣ୍ଡର ଚାରିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସରେ ୫-ଟି ସଚିବ, ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଓ ପଶ୍ଚିମ ଓଡ଼ିଶାର ଜଣେ ବଡ଼ ବିଜେଡି ନେତା ସୁଶାନ୍ତ ସିଂହଙ୍କ ଭିତରେ ଏକ ବୈଠକ ହୋଇଥିଲା । ସେହି ବୈଠକରେ ନବକିଶୋର ଦାସଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିବା ଶ୍ରୀ ମିଶ୍ର ଉଲ୍ଲେଖ କରିଥିଲେ । ଶାସକ ଦଳର ସଦସ୍ୟମାନେ ଏହାର ପ୍ରତିବାଦ କରିଥିଲେ ମଧ୍ୟ ଏହିସବୁ ଅଭିଯୋଗଗୁଡିକ ବିବରଣୀରୁ ବାଦ୍ ଦିଆଯାଇନଥିଲା । ଯେଉଁ ତିନିଜଣଙ୍କ ବିରୋଧରେ ବିରୋଧୀ ଦଳ ନେତା ଅଭିଯୋଗ କରିଥିଲେ ସେମାନଙ୍କ ଭିତରୁ ୫-ଟି ସଚିବ ଗୃହର ସଦସ୍ୟ ନଥିବା ସମୟରେ ଅନ୍ୟ ଦୁଇଜଣ ଯଥା ପ୍ରଣବ ପ୍ରକାଶ ଦାସ ଓ ସୁଶାନ୍ତ ସିଂହ ବିଧାନସଭାର ସଦସ୍ୟ ଅଛନ୍ତି । ସେମାନଙ୍କ ବିରୋଧରେ ବିରୋଧୀ ଦଳ ନେତାଙ୍କ ଏପରି ଗୁରୁତର ଅଭିଯୋଗ ଉପରେ ସେମାନେ ପ୍ରତିବାଦ କରିବା ସହିତ ଏହିସବୁ ଅଭିଯୋଗଗୁଡିକ ବିବରଣୀରୁ ବାଦ୍ ଦେବା ପାଇଁ ଜିଦ୍ କରିବା କଥା । କେବଳ ସେତିକି ନୁହେଁ, ଏହି ଅଭିଯୋଗ ସଂପୂର୍ଣ୍ଣ ଭିତିହୀନ ଓ ବିରୋଧୀ ଦଳ ନେତା ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି କହି ସେମାନଙ୍କ ପ୍ରତିବାଦ ଓ ସ୍ପଷ୍ଟୀକରଣ ସଂଗେ ସଂଗେ ପ୍ରଦାନ କରିବାର ଆବଶ୍ୟକତା ଥିଲା ।
ବିଧାନସଭାର ନିୟମ ଅନୁସାରେ ଏହା କରିବା ସେମାନଙ୍କର ନ୍ୟାୟପୂର୍ଣ୍ଣ ଅଧିକାର । କିନ୍ତୁ ଆଶ୍ଚର୍ଯ୍ୟର କଥା, ବିଧାନସଭାର ଆଲୋଚନାରେ ଏହି ଦୁଇଜଣ ସଦସ୍ୟ ଉପସ୍ଥିତ ରହିଲେ ନାହିଁ ବା ସେମାନଙ୍କ ପ୍ରତିବାଦ ବା ସ୍ପଷ୍ଟୀକରଣ ସଂଗେ ସଂଗେ ପ୍ରଦାନ କଲେ ନାହିଁ । ସରକାରୀ ଦଳ ସଦସ୍ୟମାନେ ଯାହାକିଛି କହିଲେ ମଧ୍ୟ ଅଭିଯୁକ୍ତ ହୋଇଥିବା ଦୁଇ ଶାସକ ଦଳର ବିଧାୟକ ଏଥିରେ ନିରବ ରହିବା ସମସ୍ତଙ୍କୁ ବିସ୍ମିତ କରିଛି । ବିରୋଧୀ ଦଳ ନେତାଙ୍କ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ହୋଇଥିବା କୁହାଯିବା ଘଟଣାକୁ ସରକାରୀ ଦଳ କିପରି ଗ୍ରହଣ କଲେ ତାହାହିଁ ଆଶ୍ଚର୍ଯ୍ୟଜନକ । ଏପରିକି ବାଚସ୍ପତି ମଧ୍ୟ ଏ ସଂପର୍କରେ କୌଣସି ହସ୍ତକ୍ଷେପ କଲେ ନାହିଁ ।
ନିକଟରେ ପାର୍ଲାମେଂଟରେ ଆଦାନୀ ବ୍ୟାପାରରେ ରାହୁଲ ଗାନ୍ଧି ଯେପରି ଭାବରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆଦାନୀଙ୍କ ସଂପର୍କକୁ ନେଇ ଗୁରୁତର ଅଭିଯୋଗ ଆଣିଥିଲେ ସେଗୁଡିକ ବାଚସ୍ପତି ତର୍ଜମା କରି ବିବରଣୀରୁ ବାଦ୍ ଦେଇଥିଲେ । ସେହିପରି ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଆଦାନୀ ଓ ମୋଦିଙ୍କ ସଂପର୍କକୁ ନେଇ ଯାହାସବୁ କହିଥିଲେ ତାହାକୁ ରାଜ୍ୟସଭା ଅଧ୍ୟକ୍ଷ ବିବରଣୀରୁ ବାଦ୍ ଦେଇଥିଲେ । ହିଣ୍ଡେନ୍ବର୍ଗ ରିପୋର୍ଟରେ ଆଦାନୀ ବ୍ୟାପାରରେ ଯାହାସବୁ କୁହାଯାଇଥିଲା, ସେ ସଂକ୍ରାନ୍ତରେ ବିରୋଧୀ ଦଳ ସଦସ୍ୟମାନେ ଯେତେଯାହା କହିଲେ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତର ଦେବା ସମୟରେ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରିଥିଲେ । କେବଳ ସେତିକି ନୁହେଁ, କ୍ରାଇମ୍ବ୍ରାଂଚ ତଦନ୍ତରେ ନବକିଶୋର ଦାସଙ୍କ ହତ୍ୟା ମାମଲାରେ ଝାରସୁଗୁଡ଼ା ଡାକ୍ତରଖାନାରେ ହୋଇଥିବା ଇସିଜି ରିପୋର୍ଟ ଓ ତାଙ୍କର ଆପୋଲରେ ହୋଇଥିବା ପୋଷ୍ଟମଟମ୍ ରିପୋର୍ଟ ସାର୍ବଜନୀନ କରିବା ପାଇଁ ବିରୋଧୀ ଦଳ ନେତାଙ୍କ ଦାବିକୁ ପରୋକ୍ଷରେ କଂଗ୍ରେସ ଦଳ ନେତା, ଯିଏକି ଜଣେ ଆଇନ୍ ବିଶାରଦ ଶ୍ରୀ ନରସିଂହ ମିଶ୍ର ସମର୍ଥନ କରିଥିଲେ । ଯଦିଓ ତଦନ୍ତ ପ୍ରକ୍ରିୟାରେ ଯେଉଁ ଅଗ୍ରଗତି ହୁଏ ଏବଂ ଶେଷରେ ଯେଉଁ ଚାର୍ଜସିଟ୍ ଦାଖଲ ହୁଏ ତାହାକୁ ସାର୍ବଜନୀନ କରାଯାଏ ନାହିଁ । କେବଳ ଅଭିଯୁକ୍ତ ଆସାମୀ ଓ ଏତଲାକାରୀ ଏହି ତଥ୍ୟ ପାଇଥାନ୍ତି ।
ସୁପ୍ରିମକୋର୍ଟ କେତେକ ମାମଲାରେ ଏହା ସ୍ପଷ୍ଟ କରିଥିଲେ ମଧ୍ୟ ବିଧାନସଭାରେ ଏହି ଦାବି କରାଯାଇଥିଲା । ଯଦିଓ ଆଲୋଚନାର ଉତର ଦେଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ତଦନ୍ତ ଠିକ୍ ବାଟରେ ଚାଲିଛି ଓ ଗୋପାଳ ଦାସଙ୍କୁ ମାନସିକ ରୋଗୀ ବୋଲି ସରକାରଙ୍କ ପକ୍ଷରୁ କୌଣସି ଠାରେ କୁହାଯାଇନଥିବା ଉଲ୍ଲେଖ କରିଥିଲେ । କିନ୍ତୁ ଯଦି ତାଙ୍କ ଉତରକୁ ଭଲ ଭାବରେ ଦେଖାଯାଏ, ତେବେ ସେଥିରେ ବିରୋଧୀ ପକ୍ଷ ଉଠାଇଥିବା ଅଭିଯୋଗଗୁଡିକୁ ଠିକ୍ ଭାବରେ ଖଣ୍ଡନ କରାଗଲା ନାହିଁ କିମ୍ବା ବିରୋଧୀ ପକ୍ଷଙ୍କୁ ଯେପରି ପାଲଟା ଆକ୍ରମଣ କରିବା କଥା ତାହା ମଧ୍ୟ କରାଗଲା ନାହିଁ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ବିବୃତିରେ ବିରୋଧୀ ପକ୍ଷଙ୍କୁ ଯେପରି କଟାକ୍ଷ ରହିଥିଲା, ତାହା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବକ୍ତବ୍ୟରେ ନଥିଲା । ଫଳରେ ବିଧାନସଭାରେ ଆଲୋଚନା ପରଦିନ ନବକିଶୋର ଦାସଙ୍କ ହତ୍ୟା ରହସ୍ୟ ସଂକ୍ରାନ୍ତରେ ବିରୋଧୀ ଦଳ ନେତାମାନଙ୍କ ବକ୍ତବ୍ୟ ଅଧିକ ଭାବରେ ସାଧାରଣରେ ଆଲୋଚିତ ହେଲା ।
ମୋ-୮୦୧୮୦୯୪୪୫୫