ଜିଡିପି : ଢୋଲପିଟା ଅର୍ଥନୀତି

ଜିଡିପି : ଢୋଲପିଟା ଅର୍ଥନୀତି

ଆଜିକାଲି ଗୋଟିଏ ଅଦ୍ଭୁତ ଜିନିଷ ଦେଖିବାକୁ ମିଳୁଛି । ଖବରକାଗଜମାନେ  ହେଡଲାଇନ୍ କରି କୁହନ୍ତି ଯେ ଜିଡିପି ବୃଦ୍ଧିର ବେଗ ବଢିଗଲେ ତାହା ଭଲ  ଓ ଏବେ ବେଗ କମିଗଲେ ମଧ୍ୟ ତାକୁ ଭଲ ବୋଲି କହୁଛନ୍ତି ।  ଜିଡିପି ଦର  ବଢିବା ବେଳେ ତାହାକୁ ଭଲ ବୋଲି କହିବା କଥାଟି ବୁଝି ହେଉଛି । କିନ୍ତୁ ଜିଡିପି ଦର କମିଗଲେ ତାହାକୁ କେମିତି ଭଲ ବୋଲି କୁହାଯିବ  କିମ୍ବା ଏକ ସ୍ବାଗତଯୋଗ୍ୟ ଖବର ବୋଲି କୁହାଯିବ ? ଗତ ଏକ ତାରିଖ ଦିନ ଯେତେବେଳେ ଗତ ବର୍ଷର ଜିଡିପି ଦର ପ୍ରକାଶ ପାଇଲା ଆମେ ସମସ୍ତେ ଦେଖିଲେ ପୂର୍ବ ବର୍ଷ ଠାରୁ ତାହା କମିଛି । ପୂର୍ବ ବର୍ଷ ବା ୨୦୨୧-୨୨ରେ ତାହା ୯.୧% ବେଗରେ ବଢିଥିଲା । ୨୦୨୨-୨୩ରେ ତାହା ୭.୨% ବେଗରେ ବଢ଼ିଛି । ତେଣୁ ଏହା କମିଛି । କିନ୍ତୁ ଗୋଟିଏ ଓଡ଼ିଆ ଖବରକାଗଜ ଏହି ଖବରର ଶିରୋନାମା ଦେଇ କହିଲା 'ଆଶାଠୁ ଅଧିକ ବେଗରେ ଦୌଡିଲା ଭାରତ' । ଆଉ ଗୋଟିଏ ଖବରକାଗଜ ଶିରୋନାମା କଲା 'ଭାରତର ଅଭିବୃଦ୍ଧି ବିଶ୍ବରେ ସର୍ବାଧିକ' । ତେଣୁ ଜିଡିପି ବୃଦ୍ଧି ଦର କମୁ କି ବଢୁ  ତାକୁ ନେଇ ଢୋଲ ପିଟା ଚାଲିଛି । ସାଧାରଣ ପାଠକ ଅସମଞ୍ଜସ୍ୟରେ ରହୁଛି ଓ କିଛି ବୁଝି ନ ପାରି ଭାବୁଛି କିଛି ଗୋଟାଏ ଭଲ ହେଉଛି ନିଶ୍ଚୟ । ଆଉ କେତେକ ବୁଝି ନ ପାରି କହୁଛନ୍ତି 'ଜିଡିପିରୁ ଆମକୁ କ'ଣ ମିଳିବ ? ମୋ ଘର ମୁଁ କେମିତି ଚଳାଉଛି ସେକଥା ମୁଁ ଜାଣେ । ମୋତେ ଜିଡିପିରୁ କ'ଣ ମିଳିବ ?'

 

ଯଦି ଏହି ମୋଟ ଜିଡିପି ପିଠାର ଆକାର ବଢିଛି ତେବେ ସେଥିରେ କାହାର ଭାଗ ବଢ଼ିଛି ଓ କାହାର ଭାଗ କମିଛି ? ନା ସବୁ ଆର୍ଥିକ ବର୍ଗ ପାଇଁ ଏହା ଉଣା ଅଧିକେ ସମାନ ଭାବରେ ବଢିଛି ? ଏହି ଜିଡିପି  ବଢିବାର ମୂଳ କାରଣ କ'? ଗତ ବର୍ଷ ପାଇଁ ଜିଡିପି ଦର କେତେ ବଢିବାର ଆଶା ଥିଲା ଓ ତାହା ଆଶାକୁ ଅଧିକ କାହିଁକି ବଢିଲା ? ଭାରତର ଜିଡିପି ବୃଦ୍ଧି ଦର ସର୍ବାଧିକ ହେବାରେ ସତରେ ଆମେ କେତେ ଖୁସି ହେବା ଉଚିତ୍ ? ଚାଲନ୍ତୁ ଦେଖିବା ଏହି ସରକାରଙ୍କ ସମର୍ଥନକାରୀ ମିଡ଼ିଆସମୂହ  କ'ଣ କହୁଛନ୍ତି ଓ କଣ ଲୁଚାଉଛନ୍ତି ।

 

 

ଜିଡିପିକୁ ଇଁରାଜୀରେ ଗ୍ରସ୍ ଡୋମେଷ୍ଟିକ୍‌ ପ୍ରଡକ୍ଟ କୁହାଯାଏ । ଏହାକୁ ଓଡିଆରେ‌ ସକଳ ଘରୋଇ ଉତ୍ପାଦ କୁହାଯାଏ । ଗତ ବର୍ଷର ଗୋଟିଏ ସମୟ ଠାରୁ ଏବର୍ଷ ସେହି ସମୟ ମଧ୍ୟରେ ଜିଡିପି ଯେତେ ପ୍ରତିଶତ ବଢ଼ିଥାଏ ତାକୁ ଜିଡିପି ବୃଦ୍ଧି ଦର, ଅଭିବୃଦ୍ଧି ଦର‌ କିମ୍ବା ବିକାଶ ଦର‌ କୁହାଯାଏ । ଉଦାହରଣ ସ୍ୱରୂପ ମାର୍ଚ୍ଚ ମାସର ଜିଡିପି ବୃଦ୍ଧି ଦର ୫% ବୋଲି କହିବା ଅର୍ଥ ନୁହେଁ ଯେ ଏହା ଫେବୃଆରୀ ମାସ ଠାରୁ ୫% ଅଧିକ ହୋଇଛି ‌। ଏହାର ପ୍ରକୃତ ଅର୍ଥ ହେଉଛି ତାହା ପୂର୍ବ ବର୍ଷ ମାର୍ଚ୍ଚ ମାସ ଠାରୁ ୫% ଅଧିକ ହୋଇଛି ।

 

ଦେଶର ଜିଡିପିର ଅର୍ଥ ନୁହେଁ ଦେଶର ମୋଟ ଆୟ କିମ୍ବା ଦେଶର ମୋଟ ସମ୍ପତ୍ତି । ମୁଣ୍ଡପିଛା ଜିଡିପିର ଅର୍ଥ ନୁହେଁ ମୁଣ୍ଡପିଛା ଆୟ।  ଜିଡିପି କହିଲେ ଗୋଟିଏ ସମୟର ମୋଟ ଆର୍ଥିକ କାର୍ଯ୍ୟକଳାପକୁ ବୁଝାଯାଏ । ମାନେ ମୋଟ ଧନ୍ଦାପାଣି ।  ଦେଶରେ ମୋଟ ଆର୍ଥିକ କାର୍ଯ୍ୟକଳାପ ବା ଜିଡିପି ଯଦି ବଢିଲା ତେବେ ସ୍ବାଭାବିକ ଭାବେ ଆମେ  ଆଶା କରିପାରିବା ଯେ ଦେଶରେ ଉତ୍ପାଦନ ନିଶ୍ଚୟ ବଢିଥିବ ଓ ସେଥିଯୋଗୁଁ ଦେଶରେ ରୋଜଗାର ବି ବଢିଥିବ । କିନ୍ତୁ ପ୍ରକୃତରେ ତାହା ହେଉଛି କି ? ଛାଡ଼ନ୍ତୁ, ତାହା ଆଉ ଗୋଟିଏ ବିଷୟ ଯାହା ପରେ ଆଲୋଚନା କରିବା । କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ  ଦେଶରେ ମୋଟ ଉତ୍ପାଦନ ବୃଦ୍ଧି ଓ ରୋଜଗାର ସୃଷ୍ଟି ବଢ଼ିବାକୁ ହେଲେ ଦେଶର ଜିଡିପି ବଢିବା ନିଶ୍ଚୟ ଦରକାର ।

 

ଜିଡିପି ମାପିବା ହେଉଛି ଏକ ବହୁତ ଜଟିଳ କାମ । ସେ କାମ କରିବା ପାଇଁ ଆର୍ଥିକ ବିଶେଷଜ୍ଞ ଓ ପରିସଂଖ୍ୟାନ ବିଶେଷଜ୍ଞମାନେ ରହିଛନ୍ତି । ଦେଶର ଅର୍ଥନୀତିରେ  ବିଭିନ୍ନ କ୍ଷେତ୍ର ରହିଛି । ପ୍ରତ୍ୟେକ କ୍ଷେତ୍ରର ବୃଦ୍ଧି ଦର ଭିନ୍ନ ଭିନ୍ନ ହୋଇଥାଏ । ସେଗୁଡିକୁ ଅଲଗା ଅଲଗା ହିସାବ କରିସାରିବା ପରେ ଯେଉଁ ମୋଟ ହାରାହାରି  ଦର ବାହାର କରାଯାଏ ତାହାକୁ ଜିଡିପି ବୃଦ୍ଧି ଦର କୁହାଯାଏ । ଗତ ବର୍ଷ କେଉଁ କ୍ଷେତ୍ରର ବୃଦ୍ଧି ଦର କେତେ ହୋଇଛି ଓ ତାହାର ଅର୍ଥନିତୀ ଉପରେ କ'ଣ ପ୍ରଭାବ ରହିଛି, ଚାଲନ୍ତୁ ସେ ବିଷୟରେ ଗୋଟିଏ ଛୋଟ ଆଲୋଚନା କରିବା ।

 

ତାହା ପୂର୍ବରୁ ବୁଝି ନେବା GVA 'ଣ  ? GVA ପୂର୍ଣ୍ଣ ନାମ ହେଲା Gross Value Added. ଅର୍ଥାତ୍ ଆଗରୁ ଯେତେ ଥିଲା ସେଥିରେ କେତେ ମିଶିଲା + ଟ୍ୟାକ୍ସ୍ - ସବସିଡି । ତେବେ ଏହା ଏକ ଟେକ୍ନିକାଲ ବିଷୟ । ଏହା ଭିତରକୁ ନଯାଇ ମଧ୍ୟ ଆମେ ଆଗକୁ ଯାହା ଆଲୋଚନା କରିବା ତାହା ବୁଝିବାରେ କୈାଣସି ଅସୁବିଧା ହେବ ନାହିଁ ।

 

ଦୋକାନ ବଜାର, ହୋଟେଲ, ପରିବହନ, ଯୋଗାଯୋଗ ଓ ବୋର୍ଡକାଷ୍ଟିଂ ସମ୍ବନ୍ଧୀୟ କ୍ଷେତ୍ର ମିଶି ହେଉଛନ୍ତି ମୋଟ GVAର ପ୍ରାୟ ୨୦ ପ୍ରତିଶତ ।  ଗତବର୍ଷ ଏଥିରେ ପୂର୍ବବର୍ଷ ଅପେକ୍ଷା ୧୪% ବୃଦ୍ଧି ଘଟିଛି । ଅର୍ଥାତ୍ ଦେଶର ମୋଟ GVAର ୨୦% ଅଂଶରେ ୧୪% ବୃଦ୍ଧି ଦେଖା ଦେଇଛି । ଏହା ବହୁତ ଭଲ କଥା । କିନ୍ତୁ ଆମକୁ ବୁଝିବାକୁ ପଡିବ ଯେ କୋଭିଡ ମହାମାରୀ ଯୋଗୁଁ ପୂର୍ବ ବର୍ଷ ଗୁଡ଼ିକରେ  ଏହି ସବୁ କ୍ଷେତ୍ରରେ ବ୍ୟବସାୟ ବେଶୀ ବାଧାପ୍ରାପ୍ତ ହୋଇଥିଲା।  ମହାମାରୀ ସମୟରେ ଏସବୁରେ କାରୋବାର ସମ୍ପୂର୍ଣ୍ଣ ଶୂନ୍ୟ ହୋଇ ଯାଇଥିଲା। ତେଣୁ ସେହି ଶୂନ୍ୟ ଅବସ୍ଥାରୁ ଏବେ ଏହି କ୍ଷେତ୍ରଟି ମହାମାରୀର ପୂର୍ବ ଅବସ୍ଥାକୁ ଫେରି ଆସିଛନ୍ତି ।

 

ସେହିପରି ଆର୍ଥିକ କ୍ଷେତ୍ର, ରିଅଲ ଇଷ୍ଟେଟ ଓ ବୃତ୍ତିଗତ ସେବା କ୍ଷେତ୍ରର GVA ହେଉଛି ମୋଟ GVAର ପ୍ରାୟ ୨୨.୫% । ଏଥିରେ ବୃଦ୍ଧି ହୋଇଛି ୭.୧% । ଅର୍ଥାତ୍ ମୋଟ GVAର ବୃଦ୍ଧି ଦର ଯାହା ହୋଇଛି, ତାହା ଭିତରୁ ଏହି କ୍ଷେତ୍ରର ବୃଦ୍ଧି ମଧ୍ୟ ସେତିକି ହୋଇଛି । ସରକାରୀ ପ୍ରଶାସନ, ପ୍ରତିରକ୍ଷା ଓ ଅନ୍ୟାନ୍ୟ ସରକାରୀ ସେବା କ୍ଷେତ୍ରର GVA ରେ ମଧ୍ୟ ପ୍ରାୟ ସେତିକି ବା ୭.୨% ବୃଦ୍ଧି ହୋଇଛି । ତେଣୁ ଏହା ମଧ୍ୟ ମୋଟ ବୃଦ୍ଧି ତାଳରେ ବଢ଼ିଛି ।

 

ତାହେଲେ ଅର୍ଥନୀତିର ଗୋଟିଏ ଅଂଶର GVAରେ ୧୪% ବୃଦ୍ଧି ହୋଇଥିବା ସତ୍ତ୍ଵେ ମୋଟ GVA ବୃଦ୍ଧି କାହିଁକି ୭% ରହିଲା ? ନିଶ୍ଚୟ ଆଉ କେଉଁ ଅଂଶରେ GVA ବୃଦ୍ଧି ଦର କମ୍ ରହିଛି । କମ୍ ବୃଦ୍ଧି ହୋଇଥିବା କ୍ଷେତ୍ର ମଧ୍ୟରୁ ଗୋଟିଏ ହେଲା କୃଷି, ମତ୍ସ୍ୟଚାଷ, ଜଙ୍ଗଲ କ୍ଷେତ୍ର । ଏହି କ୍ଷେତ୍ରଟି ମୋଟ GVA ର ୧୫.୧% ଓ ଏଥିରେ ବୃଦ୍ଧି ହୋଇଛି ୪% । ଏହି କ୍ଷେତ୍ରରେ ଦେଶର ବ୍ୟାପକ ଲୋକ କାମ କରୁଥାନ୍ତି । ଏଥିରେ ଶ୍ରମର ମୂଲ୍ୟ କମ୍ ରହିଥାଏ ଓ ଏହି କ୍ଷେତ୍ରରେ ବଳକା ଶ୍ରମିକ ରହିଥାନ୍ତି । ଅନ୍ୟ ସବୁ କ୍ଷେତ୍ରରେ ଯଥେଷ୍ଟ ରୋଜଗାର ସୃଷ୍ଟି  ହେଉ ନ ଥିବାରୁ ଅଧିକାଂଶ ଶ୍ରମିକ ଏହି ପାରମ୍ପରିକ କ୍ଷେତ୍ରରେ ରହିଥାନ୍ତି । ଏହି ବଳକା ଶ୍ରମିକ ରହିବା ଦ୍ବାରା ଏହି କ୍ଷେତ୍ରରେ ଉତ୍ପାଦନ ଯେ ବଢିଯାଏ ତାହା ନୁହେଁ । ଯେମିତି ଗୋଟିଏ କୃଷକ ପରିବାରର ୪ ଜଣ ସଦସ୍ୟ ଥିଲେ ତାର ଜମିରୁ ଯେତିକି ଉତ୍ପାଦନ ହୁଏ , ୫ ଜଣ ସଦସ୍ୟ ରହିଲେ ତାହାର ଜମିର ଉତ୍ପାଦନ ବଢ଼ି ଯାଏ ନାହିଁ ।

 

ତେଣୁ ଆବଶ୍ୟକ ହେଉଛି ଏହି ବଳକା ଶ୍ରମିକଙ୍କ ପାଇଁ ଶିଳ୍ପ ଉତ୍ପାଦନ ବା ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ଅଧିକ ରୋଜଗାର ସୃଷ୍ଟି କରିବା ।‌ କେବଳ ଏହି ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ଅଧିକ ପାରିଶ୍ରମିକ ଥିବା ଓ ଭଲ ଗୁଣବତ୍ତା ଥିବା ଅପେକ୍ଷାକୃତ ସ୍ଥାୟୀ ରୋଜଗାର ସୃଷ୍ଟି ହୋଇପାରିବ । ପୁଣି ଏହି କ୍ଷେତ୍ରରେ ଅଭିବୃଦ୍ଧି ଅନ୍ୟ କ୍ଷେତ୍ରର ଅଭିବୃଦ୍ଧିକୁ ମଧ୍ୟ ସାହାଯ୍ୟ କରିଥାଏ । ଇତିହାସ କହୁଛି ପୃଥିବୀର କୈାଣସି ବି ଦେଶ କୃଷି କ୍ଷେତ୍ରରୁ ବ୍ୟାପକ ଭାବେ ଶ୍ରମିକ ଆଣି ଯେପର୍ଯ୍ୟନ୍ତ ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ନ ପୁରାଇଛି ସେ ପର୍ଯ୍ୟନ୍ତ ସେ ଦେଶ ଗରିବ ହୋଇ ରହିଛି ।

 

ତେବେ ଗତବର୍ଷ ମୋଟ ଅଭିବୃଦ୍ଧି ଦର ୭.୨% ହୋଇଥିବା ବେଳେ, ଏହି ମହତ୍ତ୍ୱପୂର୍ଣ୍ଣ ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ଅଭିବୃଦ୍ଧି ଦର କେତେ ହୋଇଛି ?

 

ଗତ ବର୍ଷ ଏହି କ୍ଷେତ୍ରର GVA ରେ ଯେଉଁ ବୃଦ୍ଧି ହୋଇଛି ତାହା ଅତି ନୈରାଶ୍ୟଜନକ ଅଟେ । ଏହି କ୍ଷେତ୍ରଟି ମୋଟ GVAର ପ୍ରାୟ ୧୭% ଓ ଗତ ବର୍ଷ ଏଥିରେ ବୃଦ୍ଧି ହୋଇଛି ମାତ୍ର ୧.୩% । ଏହାର ପୂର୍ବ ବର୍ଷ ବା ୨୦୨୧-୨୨ରେ ଏଥିରେ ବୃଦ୍ଧି ହୋଇଥିଲା ୧୧.୧% । ଅବଶ୍ୟ ପୂର୍ବ ବର୍ଷ ଏହି ଦୁଇ ଅଙ୍କ ବିଶିଷ୍ଟ ବୃଦ୍ଧି ହେବାର କାରଣ ଥିଲା ଯେ ତାହାର  ପୂର୍ବ ଦୁଇବର୍ଷ କୋଭିଡ୍ ମହାମାରୀ ଯୋଗୁଁ ଏଥିରେ ବୃଦ୍ଧି ମାଇନସ୍ କୁ ଚାଲି ଯାଇଥିଲା । ତେଣୁ ପୂର୍ବ ବର୍ଷ ଏହା ସେହି ମାଇନସ୍ ପରିସ୍ଥିତିରୁ ହିଁ ୧୧.୧% ଉପରକୁ ଉଠିଥିଲା । ଏପରିକି କୋଭିଡ ଆସିବା ପୂର୍ବରୁ ବା ୨୦୧୯-୨୦ରେ ମଧ୍ୟ ଏହି ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ GVA ବୃଦ୍ଧି ଦର ମାଇନସ୍ ୩% ହୋଇଥିଲା । ଏହି କ୍ଷେତ୍ରରେ ଭାରତର ନୈରାଶ୍ୟର କାହାଣୀ ଏତିକିରେ ସରିନାହିଁ । ଗତବର୍ଷ ଯେଉଁ ମାତ୍ର ୧.୩% ବୃଦ୍ଧି ହୋଇଛି  ତାହା ହେଉଛି ୧୯୯୭-୯୮ ଠାରୁ ଏପର୍ଯ୍ୟନ୍ତ ହୋଇଥିବା ବୃଦ୍ଧି ଦର ମଧ୍ୟରେ ଦ୍ବିତୀୟ ସର୍ବନିମ୍ନ ।

 

ଏହା ଜାଣିବା ପରେ ଆପଣ ଖବରକାଗଜଗୁଡିକର ହେଡଲାଇନ୍ ପଢି ଖୁସି ହେବେ କି ? କିନ୍ତୁ ଢୋଲ ତ ପିଟା ଚାଲିଛି । ପ୍ରଥମେ ମେକ୍ ଇନ୍ ଇଣ୍ଡିଆ ପାଇଁ ଢୋଲ ପିଟା ଯାଉଥିଲା ଓ ଏବେ ଭାରତକୁ ଫାଷ୍ଟେଷ୍ଟ ଗ୍ରୋଇଁ ଦେଶ ବା ବିଶ୍ବରେ ସବୁଠାରୁ ଅଧିକ ବେଗରେ ଅଭିବୃଦ୍ଧି କରୁଥିବା ଦେଶ ବୋଲି କହି ଢୋଲ ପିଟା ଚାଲିଛି । ଓଡ଼ିଆ ଖବରକାଗଜଗୁଡିକର ମୂଖ୍ୟ ପୃଷ୍ଠା ଦାୟିତ୍ଵରେ ଥିବା ସହ ସମ୍ପାଦକମାନଙ୍କ ପାଖରେ ଖବରର ଭିତରକୁ ଯିବା ପାଇଁ ସମୟ ନାହିଁ । ସେମାନେ ମୁଖ୍ୟତଃ ବିଜେପି ସପକ୍ଷବାଦୀ ସମ୍ବାଦ ସରବରାହ ସଂସ୍ଥା ANI ଠାରୁ ଖବର ଆଣି ଓ ତାହାର ହେଡଲାଇନକୁ ଆକର୍ଷଣୀୟ କରି ଖବର ଛାପନ୍ତି । ପରବର୍ତ୍ତୀ ଦିନ ମାନଙ୍କରେ ଶ୍ରୀଯୁକ୍ତ ଖାରବେଳ ସ୍ବାଇଁଙ୍କ ଭଳି ବିଜେପିର ବିଚକ୍ଷଣମାନେ ସମ୍ପାଦକୀୟ ପୃଷ୍ଠାରେ ଆହୁରି ଢୋଲ ପିଟିବେ । ଆପଣ ଜାଣିଛନ୍ତି ? ନିକଟରେ ମିଡ୍-ଡେ ପତ୍ରିକାରେ ଗୋଟିଏ ସ୍ତମ୍ଭ ପ୍ରକାଶ ପାଇଥିଲା ଯେଉଁଥିରେ ସ୍ତମ୍ବକାର ଏଜାଜ୍ ଆଶ୍ରଫ ଅନୁସନ୍ଧାନ କରି ଲେଖିଛନ୍ତି, ୨୦୧୪ ମଇ ମାସରେ ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରଠାରୁ ୩୦୦୦ ଦିନ ମଧ୍ୟରେ, ମାତ୍ର ତିନୋଟି ମୂଖ୍ୟ ଜାତୀୟ ସମ୍ବାଦପତ୍ରରେ, ଆରଏସଏସ କିମ୍ବା ବିଜେପିର ନେତାଙ୍କ ଦ୍ୱାରା ଲିଖିତ ୬୪୦ଟି ସ୍ତମ୍ଭ ପ୍ରକାଶ ପାଇଛି । ଅର୍ଥାତ୍ ପ୍ରାୟ ୫ ଦିନରେ ଥରେ ଏହି ତିନୋଟି ମୂଖ୍ୟ ସମ୍ବାଦପତ୍ର ମଧ୍ୟରୁ କେଉଁ ଗୋଟିକରେ ହେଲେ ମଧ୍ୟ ବିଜେପି କିମ୍ବା ଆରଏସଏସ ନେତାଙ୍କ ଲେଖା ଆପଣ ପଢିବାକୁ ପାଇଥିବେ ।

 

ତେବେ ସବୁଠାରୁ ଅଧିକ ଓ ଭଲ ରୋଜଗାର ସୃଷ୍ଟି କରୁଥିବା ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ଆଶାନୁରୂପ ବୃଦ୍ଧି ହାସଲ କରି ନପାରିବା କେବଳ ବର୍ତ୍ତମାନ ସମୟର ଟ୍ରାଜେଡି ନୁହେଁ ।  ନବେ ଦଶକର ପ୍ରାରମ୍ଭରେ ନୂଆ ଅର୍ଥନିତୀ ଲାଗୁ ହେବା ଦିନଠାରୁ ଦେଶରେ ଯେଉଁ ଦୁଇଟି କ୍ଷେତ୍ରରେ ବେଶି ଅଭିବୃଦ୍ଧି ଦେଖା ଯାଉଛି ସେସବୁ ହେଲେ ରିଅଲ୍ ଇଷ୍ଟେଟ ଓ ଆର୍ଥିକ କ୍ଷେତ୍ର । ଏହା ମ୍ୟାନୁଫାକ୍ଚରିଂ କ୍ଷେତ୍ରରେ ଦେଖା ଯାଇ ନାହିଁ ଓ ଆମ ରପ୍ତାନିରେ ମଧ୍ୟ ଏହି କ୍ଷେତ୍ରର‌ ଯୋଗଦାନ ପ୍ରାୟ ‌ନାହିଁ କହିଲେ ଚଳେ । 

 

ଲେଖାଟି ନିଶ୍ଚୟ ଦୀର୍ଘ ହେଉଛି । କିନ୍ତୁ  ହେଡଲାଇନ୍   ବାହାରେ ବି ବହୁତ କଥା ରହିଛି । ଖୁସିର କଥା ଯେ  'ସମତା'ର ସମ୍ପାଦକ ଏହି ହେଡଲାଇନ୍ ବାହାର କଥାକୁ  ସ୍ଥାନ ଦେଉଛନ୍ତି । ତା ଛଡା, ଅର୍ଥନିତୀ ବିଷୟରେ ପାଠକଙ୍କୁ ଶେଷ ପର୍ଯ୍ୟନ୍ତ ସାଥିରେ ଧରି ରଖିବାକୁ ଚେଷ୍ଟା କରୁଥିବା କୈାଣସି ଲେଖାକୁ ଓଡ଼ିଶାର ଆଉ କେଉଁ ପତ୍ରିକା ଯେ ସ୍ଥାନ ଦେଉଛି ଯେ ?

 

ଆଶାଠୁ ଅଧିକ କାହିଁକି ?

 

ଯାହା ମୁଁ ଆଗରୁ ଲେଖିଛି, ଓଡ଼ିଶାର ଗୋଟିଏ ଖବରକାଗଜ ଲେଖିଛି ଆଶାଠୁ ଅଧିକ ବେଗରେ ଦୈଡିଲା ଭାରତ । ଏକଥା ସତ ଯେ ଗତ ଡ଼ିସେମ୍ବର ମାସରେ ରିଜର୍ଭ ବ୍ୟାଙ୍କ ତରଫରୁ ଅନୁମାନ କରା ଯାଇଥିଲା ଯେ ୨୦୨୨-୨୩ ପାଇଁ ଅଭିବୃଦ୍ଧି ଦର ୬.୮% ହେବ ।  ଏବେ ତାହା ୭.୨% ହୋଇଛି ବୋଲି ଜଣା ପଡ଼ିଲା । ସେହିପରି ରିଜର୍ଭ ବ୍ୟାଙ୍କର ଅନୁମାନ ଥିଲା ଯେ ଗତ ଜାନୁଆରୀ- ମାର୍ଚ୍ଚ ତିନିମାସରେ ଅଭିବୃଦ୍ଧି ଦର ୪.୨% ହେବ । ତାହା ଏବେ ୬.୧% ହୋଇଛି ବୋଲି ଜଣା ପଡ଼ିଲା । ଏଠାରେ ଲକ୍ଷ କରନ୍ତୁ ଯେ ଏହି ଶେଷ ତିନିମାସରେ  ଅନୁମାନ ଠାରୁ  ଅଧିକ ଅଭିବୃଦ୍ଧି ହେବା ଯୋଗୁଁ ସମଗ୍ର ୨୦୨୨-୨୩ ର ଅଭିବୃଦ୍ଧି ଆଶାଠାରୁ ଅଧିକ ହୋଇଗଲା । ତେବେ ଶେଷ ତିନିମାସର ଅଭିବୃଦ୍ଧି କାହିଁକି ଏତେ ବୃଦ୍ଧି ପାଇଲା ? ତାହା ହେଉଛି ଏକ ରୋଚକ ବିଡମ୍ବନା ।

 

ଚାରୋଟି ବିଷୟ ଉପରେ ନିର୍ଭର କରି  ଜିଡିପି ବୃଦ୍ଧି କିମ୍ବା ହ୍ରାସ ପାଏ ।

 

(୧) ଆଭ୍ୟନ୍ତରୀଣ ନିଜସ୍ଵ ବ୍ୟୟ ( ଯାହା ଆମେ ଓ ଆପଣ ବ୍ୟୟ କରୁ ।)

 

(୨) ଘରୋଇ ପୁଞ୍ଜି ନିବେଶ ।

 

(୩) ସରକାରୀ ବ୍ୟୟ ।

 

(୪) ବୈଦେଶିକ ବାଣିଜ୍ୟ ବ୍ୟବଧାନ ( ଆମଦାନୀ ଓ ରତ୍ପାନୀ ମଧ୍ୟରେ ବ୍ୟବଧାନ । )

 

ଏହି ୪ଟି ବିଷୟକୁ ଆମେ ପରବର୍ତ୍ତୀ ଭାଗରେ ଆଲୋଚନା କରିବା । କିନ୍ତୁ ଏଠାରେ ଚତୁର୍ଥ ବିନ୍ଦୁ ପ୍ରତି ଟିକିଏ ଦୃଷ୍ଟି ଦେଲେ ଆମେ ଜାଣି ପାରିବା ଯେ ଗତ ବର୍ଷର ଚତୁର୍ଥ ତିନିମାସରେ ଅଭିବୃଦ୍ଧି କାହିଁକି ଆଶାଠାରୁ ଅଧିକ ହେଲା, ଯାହା ଫଳରେ କି ପୁରା ବର୍ଷର ଅଭିବୃଦ୍ଧି ଦର ଆଶାଠୁ ଅଧିକ ହୋଇଗଲା।

 

ଆମ ଦେଶରେ ଆମେ ରପ୍ତାନୀ ଅପେକ୍ଷା ଆମଦାନୀ ବେଶି କରୁ । ତେଣୁ ଆମେ ସବୁବେଳେ ଚାହିଁବା ଯେ ବିଦେଶରୁ ଆମଦାନୀ ବଢିବା ତୁଳନାରେ ବିଦେଶକୁ  ରପ୍ତାନୀ ଅଧିକ ବଢୁ । ଏହା ଦ୍ବାରା ଆମଦାନୀ ଓ ରତ୍ପାନୀ ମଧ୍ୟରେ ବ୍ୟବଧାନ କମିବ । ଏହା ଦ୍ବାରା ମଧ୍ୟ (ପୂର୍ବ ବର୍ଣିତ ଚତୁର୍ଥ ବିନ୍ଦୁ ଅନୁସାରେ) ଜିଡିପି ବଢିବ ବା ଅଭିବୃଦ୍ଧି ଦର ବଢିବ । କିନ୍ତୁ ଦେଖା ଯାଇଛି ଯେ, ଆଲୋଚ୍ୟ ତିନିମାସରେ ରପ୍ତାନୀ ସିନା ୪% ବଢ଼ିଛି, ତା ସାଙ୍ଗକୁ ଆମଦାନୀ  ୪.୧% କମିଛି । ଏହା ଦ୍ବାରା  ବାଣିଜ୍ୟ ବ୍ୟବଧାନରେ   ନାଟକୀୟ ଭାବରେ ୬୧% ହ୍ରାସ ପାଇଛି । ପୂର୍ବବର୍ଷ ୨୦୨୧-୨୨ର ଶେଷ ତିନିମାସରେ  ଏହି ବ୍ୟବଧାନ ୨୬.୩ ବିଲିଅନ ଡଲାର ଥିବା ବେଳେ ପରବର୍ଷ ୨୦୨୨-୨୩ ର  ସମାନ ତିନିମାସରେ ତାହା ୧୦.୧ ବିଲିଅନ୍ ଡଲାରକୁ ଖସି ଆସିଛି । ତେଣୁ ଏହି ବାଣିଜ୍ୟ ବ୍ୟବଧାନରେ  ୧୬.୨ ବିଲିଅନ୍ ଡଲାରର ହ୍ରାସ ହୋଇଛି। ଏହି ହ୍ରାସ  ଗତବର୍ଷର ଶେଷ ତ୍ରୈମାସିକରେ ଅଭିବୃଦ୍ଧି ବଢ଼ାଇବାର‌ ମୂଖ୍ୟ କାରଣ ହୋଇଛି । ପୁଣି ଶେଷ ତିନି ମାସରେ ଏହି ଭଳି ଭାବେ ହୋଇଥିବା ଜିଡିପି ବୃଦ୍ଧି ପୁରା ବର୍ଷର ଜିଡିପି ବୃଦ୍ଧିରେ ସହାୟକ ହୋଇଛି ।

 

 

କିନ୍ତୁ ଏହି ଆମଦାନୀ କମିବାର କାରଣ ନୁହେଁ ଯେ ବିଦେଶୀ ସାମଗ୍ରୀ ଉପରେ ଆମର ନିର୍ଭରଶୀଳତା କମିଛି। ଏହାର କାରଣ ନୁହେଁ ଯେ ପୂର୍ବରୁ ଆମେ ଯେଉଁସବୁ ଜିନିଷ ବିଦେଶରୁ ଆମଦାନୀ କରୁଥିଲୁ ଗତବର୍ଷର ଶେଷ ତିନିମାସରେ ସେସବୁ ଆମ ଦେଶରେ ବନେଇବା ଆରମ୍ଭ କରିଦେଲୁ । ଏହାର ପ୍ରକୃତ କାରଣ ହେଉଛି ଦେଶରେ ଚାହିଦା ବା ଡିମାଣ୍ଡ କମିଛି । ଏହା ଅର୍ଥନିତୀ ପାଇଁ ଏକ ଭଲ ଲକ୍ଷଣ ନୁହେଁ । ପୁଣି ଆମେ ଆମଦାନୀ କରୁଥିବା ଅନେକ ଗୁଡ଼ିଏ ସାମଗ୍ରୀ ଆମେ ଉତ୍ପାଦନ କରୁଥିବା ଜିନିଷର ଅଂଶ ରୁପେ ବ୍ୟବହାର ହୁଏ ।  ତେଣୁ ଆପଣ କହି ପାରିବେ ଯେ ଦେଶରେ ଚାହିଦା କମିବା ଭଳି ପ୍ରତିକୁଳ କାରଣରୁ ଦେଶର ଜିଡିପି ବୃଦ୍ଧି ପାଇଛି । ତେଣୁ ଏହି ବିଡମ୍ବନା ଯୋଗୁଁ ଆମେ ଢୋଲ ପିଟିବା କି ? ଆମଦାନୀ କମିବାର ଆଉ ଏକ କାରଣ ହେଉଛି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି ।

 

ବିଶ୍ବରେ ସବୁଠାରୁ ଅଧିକ ବିକାଶ ଦର 

 

ଏହି କିଛି ବର୍ଷ ହେଲା ଆପଣ ଢେର ଶୁଣୁଥିବେ ଯେ ଭାରତର ଅର୍ଥନିତୀ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନିତୀ ହୋଇଗଲା । ଏହାର କାରଣ ହେଉଛି ଭାରତ ହେଉଛି ବିଶ୍ଵର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । ତେଣୁ ମୋଟ ଅର୍ଥନିତୀର ଆକାର ନିଶ୍ଚୟ ବଡ଼ ହେବ । ଏହି କାରଣରୁ ଭାରତ ଜି-୨୦ ଦେଶ ସମୂହର ସଦସ୍ୟ ରହିଛି । କିନ୍ତୁ ଏହି ଜି-୨୦ ର ସଦସ୍ୟ ହୋଇଥିବା ୨୦ଟି ଦେଶ ଗୁଡିକ ମଧ୍ୟରେ ଭାରତର ମୁଣ୍ଡ ପିଛା ଜିଡିପି ଓ ମୁଣ୍ଡ ପିଛା ଆୟ ସବୁଠାରୁ କମ୍ । ତେଣୁ ଏଭଳି କଥାରେ ଢୋଲ ପିଟିବା ବୃଥା ଅଟେ । ଅସଲ ତୁଳନା ତ ମୁଣ୍ଡ ପିଛା ହିସାବ କଲେ ଜଣା ପଡ଼ିବ ନା ? ବିଡମ୍ବନା ଦେଖନ୍ତୁ, ଯେତେବେଳେ ଆମେ ପଞ୍ଚମ ବୃହତ୍ତମ ଅର୍ଥନିତୀ ହୋଇଗଲୁ ବୋଲି ଢୋଲ ପିଟୁଛୁ , ସେତିକିବେଳେ ବଙ୍ଗଳାଦେଶର ମୁଣ୍ଡପିଛା ଆୟ ଭାରତର ମୁଣ୍ଡପିଛା ଆୟକୁ ଅତିକ୍ରମ କରି ଯାଇଛି ।

 

ଦ୍ବିତୀୟ କଥା, ଯେଉଁଥିରେ ଏବେ ବେଶି ଢୋଲ ପିଟା ଚାଲିଛି, ହେଲା ୨୦୨୨-୨୩ରେ  ଭାରତର ଅଭିବୃଦ୍ଧି ଦର ହେଉଛି ବିଶ୍ବରେ ସର୍ବାଧିକ ।  ଏପରି କାହିଁକି ନହେବ ଆପଣ କହୁ ନାହାନ୍ତି ? କୋଭିଡ ମହାମାରୀ ବର୍ଷ ୨୦୨୦-୨୧ରେ ଆମ ଅଭିବୃଦ୍ଧି ଦର ମାଇନସ୍ ୫.୮କୁ ଯାଇଥିଲା । ଏହା ବିଶ୍ବର ଅନେକ ବିକାଶଶୀଳ ଓ ବିକଶିତ ଦେଶଗୁଡ଼ିକ ମଧ୍ୟରେ ସବୁଠାରୁ ବେଶୀ ଗର୍ତ୍ତ ମଧ୍ୟକୁ ଯାଇଥିଲା । ଏବେ ୭.୨% ଅଭିବୃଦ୍ଧି ଦର ‌ହାସଲ କରିବା ଫଳରେ ଆମେ ଗର୍ତ୍ତ ମଧ୍ୟରୁ ଉପରକୁ ଉଠୁଛୁ ବୋଲି ବାହାରକୁ ମୁଣ୍ଡ ଦେଖାଯିବା ଆରମ୍ଭ ହୋଇଛି ।

 

ଅର୍ଥନୀତିଜ୍ଞ ଅନିନ୍ଦୋ ଚଟ୍ଟୋପାଧ୍ୟାୟ ହିସାବ କରି ଲେଖିଛନ୍ତି, ୨୦୧୩-୧୪ ଠାରୁ ୨୦୧୯-୨୦ ମଧ୍ୟରେ ଆମ ଦେଶର ବାର୍ଷିକ ହାରାହାରି ଅଭିବୃଦ୍ଧି ଦର ଥିଲା ୬.୮% । ୨୦୨୦-୨୧ ବର୍ଷକୁ ଛାଡି ଦିଅନ୍ତୁ । କାରଣ କୋଭିଡ ମହାମାରୀ ଯୋଗୁଁ ଆର୍ଥିକ ଦୃଷ୍ଟିରୁ ତାହା ଏକ ଅସ୍ବାଭାବିକ ବର୍ଷ ଥିଲା । ପରବର୍ତ୍ତୀ ଦୁଇ ବର୍ଷରେ ଆମ ଅଭିବୃଦ୍ଧି ଦର ହାରାହାରି ୮.୧% ରହିଛି । ଆମେ ଯଦି ଏଣିକି ଏହି ୮.୧% ଅଭିବୃଦ୍ଧି ଦର ଜାରି ରଖିବା ତାହେଲେ ଆମକୁ କୋଭିଡ ପୂର୍ବ ହାରାହାରି ୬.୮%ରେ ପହଞ୍ଚି ବାକୁ ହେଲେ ୨୦୩୦-୩୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ତା ମାନେ ଆହୁରି ୭ ବର୍ଷ ଅପେକ୍ଷା କରିବାକୁ ହେବ । ତା ସହିତ ଆପଣଙ୍କୁ ଏକଥା ମଧ୍ୟ ଲକ୍ଷ କରିବାକୁ ହେବ ଯେ ମୋଦୀ ଶାସନ କାଳରେ , ପ୍ରତ୍ୟେକ ବର୍ଷର ଅଭିବୃଦ୍ଧି ଦର ତା ପୂର୍ବ ବର୍ଷର ଅଭିବୃଦ୍ଧି ଦର ଠାରୁ କମ୍ ହୋଇ ଆସିଛି । ଆସନ୍ତା ୭ ବର୍ଷ ଧରି ହାରାହାରି ୮.୧% ଅଭିବୃଦ୍ଧି ଦର ହାସଲ କରିବା କଥା ଛାଡ଼ନ୍ତୁ, ଆମ ରିଜର୍ଭ ବ୍ୟାଙ୍କ ଆଶା ରଖିଛନ୍ତି ଚଳିତ ବର୍ଷ ୨୦୨୩-୨୪ ପାଇଁ ଅଭିବୃଦ୍ଧି ଦର ୬.୫% ରହିବ । ବିଶ୍ବ ବ୍ୟାଙ୍କ ଆଶା ରଖିଥିଲେ ଏହା ୬.୩% ରହିବ । ୨୦୨୨-୨୩ ପାଇଁ ଆମ ଗଣମାଧ୍ୟମ ଢୋଲ ପିଟୁଥିବା ବେଳେ ବିଶ୍ଵ ବ୍ୟାଙ୍କ ତାହାର ପୂର୍ବାନୁମାନ ୬.୩%ରୁ  ୬.୧%କୁ କମାଇ ସାରିଲାଣି ।

 

ଏ ତ ଗଲା ମୋଟ ଜିଡିପି ଓ ତାହାର ବୃଦ୍ଧି ଦର କଥା । ଜିଡିଟି ପିଠାର ଆକାର ପ୍ରତିବର୍ଷ ବଢେ ଓ ଗତବର୍ଷ ମଧ୍ୟ ବଢିଛି । କିନ୍ତୁ ସେହି ପିଠାରେ ଆମ ଭାଗ ବଢୁଛି କି ?

 

ସେ ବିଷୟରେ ପରବର୍ତ୍ତୀ ଭାଗରେ ।‌