ବଡଖବର କିଏ, ଧର୍ମ ନା ମଣିଷର ସଙ୍କଟ ??
media religion breaking news
ମଣିଷ ନୁହେଁ, ଆମ ସମୟରେ ଧର୍ମ ଓ ଈଶ୍ଵର ହେଉଛନ୍ତି ସବୁଠୁ ବଡ ଖବର । ଆଜି ଆପଣ ଖବର ସଞ୍ଚାରର ଯେ କୌଣସି ମାଧ୍ୟମ – ସେ ଟେଲିଭିଜନ ହେଉ କି ଖବର କାଗଜ ଅବା ସୋସିଆଲ ମିଡିଆ, ସବୁଠି କେବଳ ଧର୍ମକୁ ନେଇ ଚର୍ଚ୍ଚା । ସବୁ ଖବରରେ ମଣିଷ ତୁଳନାରେ ଈଶ୍ଵରଙ୍କର ସମସ୍ଯା ଓ ସଙ୍କଟ ଅଧିକ । ଏହାର ଏକ ଛୋଟ ଉଦାହରଣ ଭାବେ ଆପଣ କେବଳ ଓଡିଆ ଖବର କାଗଜ ଓ ଟେଲିଭିଜନର ବିଶ୍ଳେଷଣ କରନ୍ତୁ । ଆପଣ ଦେଖିବେ, ଆମ ରାଜ୍ୟର ସବୁଠୁ ବଡ ଖବର ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ତାଙ୍କ ମନ୍ଦିରରେ ସବୁଠୁ ବେଶୀ ଖବର । କେବେ ସେଠି ରୋଷ ଶାଳାରେ ପଶି କିଏ ଚୁଲି ଭାଙ୍ଗିଦେଲାଣି । ପୁଣି କେବେ ରୋଷେଇ ବନ୍ଦ ହୋଇ ମହାପ୍ରଭୁ ଖାଡା ଓପାସ । ଏବେ ଆଉ ଗୋଟେ ଚର୍ଚ୍ଚା ଚାଲିଛି, ମନ୍ଦିର ବାହାରେ ନୂଆ କିଛି ନିର୍ମାଣ ହେବା କଥା କି ନୁହଁ । ଏମିତି ବର୍ଷ ସାରା କେବଳ ଭଗବାନ ଇ ଆମ ଖବରର କେନ୍ଦ୍ରରେ ରହି ଆସିଛନ୍ତି । ସାମାଜିକ ଜୀବନରେ ଧର୍ମ ଓ ଆଧ୍ୟାତ୍ମିକତାର ଭୂମିକାକୁ ଅସ୍ଵୀକାର କରା ଯାଇପାରିବ ନାହିଁ, ହେଲେ ସାମାଜିକ ଜୀବନର ସବୁ ଖବର ଯଦି ଧର୍ମ ଓ ଈଶ୍ଵରକୈନ୍ଦ୍ରିକ ହୋଇଯିବ, ସେଠି ମାନବୀୟ ସଙ୍କଟ ଆଉ ବିଶେଷ ଖବର ହୋଇ ରହିବ ନାଇଁ । ଏ ପ୍ରକାର ଧର୍ମପ୍ରବଣ ଖବର ମଣିଷର ଅସ୍ତିତ୍ଵକୁ ବିପନ୍ନ କରିବା ପାଇଁ ମାର୍ଗ ପ୍ରଶସ୍ତ କରିଦିଏ ।
ଆମେ ଆଜି ଏମିତି ଗୋଟେ ସମୟରେ ପହଞ୍ଚିଛୁ, ଯେଉଁଠି ବାରମ୍ବାର କୁହା ଯାଉଛି ଯେ ମଣିଷ ଭଲରେ ଅଛି, ହେଲେ ତାର ଧର୍ମ ସଙ୍କଟରେ ପଡିଛି । ତେଣୁ ଧର୍ମ ରକ୍ଷା ଲାଗି ଗୋଟେ ରାଜନୈତିକ ପରିବେଶ ଗଣମାଧ୍ୟମ ଜରିଆରେ ଆମେ ତିଆରି କରୁଛୁ । ଯେଉଁମାନେ ଶାସନ କ୍ଷମତାରେ ଅଛନ୍ତି ସେମାନେ ଏ ପ୍ରକାର ଖବରକୁ ଏକ ପ୍ରକାର ଉତ୍ପାଦନ ଓ ବିତରଣ କରି ଚାଲିଛନ୍ତି । ଆଜିର ଭାରତରେ ଦରଦାମ ବଢିବା ଓ ଅର୍ଥନୀତିରେ ଦୁର୍ଗତି ଆସିବା ବଡ ଖବର ନୁହେଁ । ଦୁର୍ନୀତି ସାରା ଦେଶରୁ ସରି ଯାଇଛି ବୋଲି ଆମେ ଆଖିରେ ଅନ୍ଧପୁଟୁଳି ବାନ୍ଧି ବିଶ୍ଵାସ କରି ନେଇଛୁ । ଆଗରୁ ଦୁର୍ନୀତି ଅଭିଯୋଗ ଆସିଲେ ଲୋକେ ବନ୍ଧା ହେଉଥିଲେ । ଗଣମାଧ୍ୟମରେ ସେମାନଙ୍କୁ ବଦନାମ କରା ଯାଉଥିଲା । ଏବେ ଦୁର୍ନୀତି ଅଭିଯୋଗ କେବଳ “ବିରୋଧୀଙ୍କ ଷଡଯନ୍ତ୍ର” ହୋଇ ରହି ଯାଇଛି । ବୋଫର୍ସ କମାଣ କିଣା ଦୁର୍ନୀତି ଅଭିଯୋଗରେ ରାଜୀବ ଗାନ୍ଧୀଙ୍କ ପରି ଲୋକପ୍ରିୟ ନେତାଙ୍କ ପତିଆରା ଧୂଳିସାତ ହୋଇ ଯାଇଥିଲା । ବୋଫର୍ସ କମାଣ କିଣାରେ ଦୁର୍ନୀତି ହୋଇଛି ବୋଲି କିଛି ପ୍ରମାଣ ଆଇନ ଅଦାଲତରେ କେହି ଦେଇ ନଥିଲେ । ଲୋକେ ସେତେବେଳର ଖବର କାଗଜକୁ ବିଶ୍ଵାସ କରି କଂଗ୍ରେସକୁ ଦୁର୍ନୀତିଗ୍ରସ୍ତ ବୋଲି ମାନିନେଲେ । ସେତେବେଳେ ଗଣମାଧ୍ୟମର ଚେହେରା ଓ ଚରିତ୍ର ଥିଲା ସେୟା । ଆଜିର ଗଣମାଧ୍ୟମ ଦୁର୍ନୀତି ହୋଇଛି ବୋଲି କହିଲେ, ତାକୁ ଲୁଚେଇବାର ପ୍ରଥମ ଦାୟିତ୍ଵ ନିର୍ଲଜ ଭାବେ ନିର୍ବାହ କରୁଛି ।
ଅବିକା ଲୋକଙ୍କ ମୌଳିକ ସମସ୍ଯା ଓ ସଙ୍କଟ ବିଷୟରେ ଚର୍ଚ୍ଚା କରିବାର କୌଣସି ସୁଯୋଗ ଆଉ ନାଇଁ । ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଖବର ହେଉଛି – ମୁସଲମାନ ଛାତ୍ରୀ ହିଜାବ ପିନ୍ଧି ସ୍କୁଲକୁ ଆସିପାରିବେ କି ନାଇଁ । ମସଜିଦ ଉପରେ ମାଇକ ଲାଗିପାରିବ ନାହିଁ । ନବରାତ୍ରୀ ସମୟରେ ମାଛ ଓ ମାଂସ ଦୋକାନ ଖୋଲା ଯାଇପାରିବ ନାଇଁ । ତୁଳସୀ ଦାସଙ୍କ “ରାମଚରିତ ମାନସ”ରେ ନାରୀ ଓ ଶୂଦ୍ରଙ୍କ ଅଧିକାର କଣ ? ଏମିତି ଉରୁଣା କଥାରେ ଆମର ସମୟ ବିଟୁଛି ।
ଆମେ ଓଡିଆମାନେ ଓ ଆମ ପରି ବଙ୍ଗାଳୀ ଏବଂ ଅନ୍ୟ ପୂର୍ବ ଭାରତୀୟଙ୍କ ପାଇଁ ନବରାତ୍ରୀ କେବେ ବି ଶାକାହାରୀ ଉତ୍ସବ ନଥିଲା । ଆଶ୍ଵିନ ଏବଂ ଚୈତ୍ର ମାସରେ ନବରାତ୍ରୀ ମୂଳତଃ ଏକ ଶାକ୍ତ ଉତ୍ସବ ଏବଂ ଏହି ଉତ୍ସବରେ ପଶୁ ବଳି ଏକ ସାଧାରଣ ପରମ୍ପରା । ଆମ ଦେବୀ ମନ୍ଦିର ଗୁଡିକରେ ଆମିଷ ଭୋଗର ପ୍ରାଚୀନ ପରମ୍ପରା ରହି ଆସିଛି । ହଠାତ ଏବେ ନବରାତ୍ରୀ ଏକ ନିରାମିଷ ପାର୍ବଣ ବୋଲି ଖବର ବ୍ୟାପକ ହେଉଛି କାହିଁକି ? ପର୍ବ ପାଳିବା ଏକ ବ୍ୟକ୍ତିଗତ ପସନ୍ଦର କଥା । ସେଥିରେ ସରକାରଙ୍କ ଏତେ ଉତ୍ସାହ କାହିଁକି ?
କୋଭିଡ ଏବଂ ଯୁଦ୍ଧଗ୍ରସ୍ତ ପୃଥିବୀର ସମସ୍ଯା ଅନେକ । ହେଲେ ସେ ସବୁ ସମସ୍ୟାକୁ ପଛକୁ ଠେଲି ଦେଇ ଆମେ ଧର୍ମକୁ ନେଇ ଏତେ ମାତିବା ପଛରେ କି କାରଣ ରହିଛି ? ଓଡିଶାରେ ବର୍ଷ ବର୍ଷ ଧରି ପୁରୀ ମନ୍ଦିର ସବୁଠୁ ବଡ ଖବର ହୋଇ ରହିବା ପଛରେ ସେମିତି କିଛି ଆଧ୍ୟାତ୍ମିକ କାରଣ ନାହିଁ । ମନ୍ଦିର ଏବଂ ମହାପ୍ରଭୁଙ୍କୁ ରାଜନୀତି ତଥା ଖବରର ସବୁଠୁ ବଡ “ବିକ୍ରୀଯୋଗ୍ୟ ଉପାଦାନ” ବୋଲି ଏଠି ବିଚାର କରାଯାଉଛି । ମନ୍ଦିର ଉପରେ ସବୁ ଟେଲିଭିଜନ କ୍ୟାମେରାର ଆଖି କେନ୍ଦ୍ରୀଭୂତ ହୋଇ ରହିଥିବା ବେଳେ ସାଧାରଣ ଓଡିଆର ଦୁଃଖ ଓ ଦୁର୍ଦ୍ଦିନ ଅନ୍ଧାରରେ ପଡି ରହୁଛି । ଗତ କିଛି ବର୍ଷରେ ଓଡିଶାର ଗଣମାଧ୍ୟମ ଗୋଟିଏ ବି ବଡ ରାଜନୈତିକ ପ୍ରସଙ୍ଗ ବା ଦୁର୍ନୀତିର ପର୍ଦ୍ଦାଫାଶ କରିନାହାନ୍ତି । ତାଙ୍କୁ ପାରିବାରିକ କଳହ, ଧାର୍ମିକ ସମସ୍ଯା ଓ ଛୋଟମୋଟ ଅପରାଧର କାହାଣୀରୁ ଭିଟାମିନ ମିଳିଯାଉଛି । ସେତିକିରେ ସେମାନେ ସନ୍ତୁଷ୍ଟ ଓ ସେମାନଙ୍କ ସନ୍ତୁଷ୍ଟ ହେବାର ଷଡଯନ୍ତ୍ରରେ ଆମେ ରାଜ୍ୟବାସୀ ବିଭ୍ରାନ୍ତ ।