ଜୟନାରାୟଣଙ୍କ ଅଭିଯୋଗ ବିଷ୍ଫୋରକ ନା ବିପଜ୍ଜନକ ?

ଜୟନାରାୟଣଙ୍କ ଅଭିଯୋଗ ବିଷ୍ଫୋରକ ନା ବିପଜ୍ଜନକ ?

ନବ ଦାସଙ୍କ ହତ୍ୟା ପୂର୍ବରୁ ରାଜ୍ୟର ଫାଇଭ ଟି ସଚିବ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଟେଲିଫୋନ ରେକର୍ଡ ଯାଞ୍ଚ କରାଯାଉ ବୋଲି ବିଧାନସଭା ବାହାରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଦାବୀ କରିଛନ୍ତି । ସ୍ଵାଭାବିକ ଭାବରେ ଜୟନାରାୟଣଙ୍କର ଏହି ବକ୍ତବ୍ୟକୁ ବିଷ୍ଫୋରକ ବୋଲି ଗଣମାଧ୍ୟମରେ କୁହାଯାଇଛି । ତେବେ ବାସ୍ତବତାର ତର୍ଜମା କଲେ, ଏ ବକ୍ତବ୍ୟ ବିଷ୍ଫୋରକ ନୁହଁ, ବରଂ ପିଲାଳିଆ ବୋଲି କୁହାଯାଇପାରିବ । ରାଜନୀତି କରିବା ଲାଗି କିଛି ବି କାହା ନାଁ ରେ ଅଭିଯୋଗ କରିବା ଅନ୍ତତଃ ବିରୋଧୀ ଦଳ ନେତାଙ୍କ କାମ ନୁହେଁ । ବିରୋଧୀଦଳ ନେତାଙ୍କର ଏକ ନିର୍ଦ୍ଦିଷ୍ଟ ସାମ୍ବିଧାନିକ ଦାୟିତ୍ଵ ରହିଛି । ସେ ଯାହା ଅଭିଯୋଗ କରିବେ ତାର ଅନ୍ତତଃ ବିଶ୍ୱାସଯୋଗ୍ୟ ଆଧାର ରହିଥିବା ଦରକାର । ନବ ଦାସଙ୍କର ହତ୍ୟା ସହିତ ଜଣେ ବରିଷ୍ଠ  ଆଇଏଏସ ଅଧିକାରୀ ଏବଂ ଜଣେ ସାଥି ବିଧାୟକଙ୍କ ନାଁରେ ଏତେ ବଡ ଅଭିଯୋଗ ଆଣିବା ପୂର୍ବରୁ, ଏହାର ଆଧାର ସମ୍ପର୍କରେ କିଛି ଟା ବିଶ୍ୱାସଯୋଗ୍ୟ ତଥ୍ୟ ରହିବା ଜରୁରୀ ।

ଏ ସମ୍ପର୍କରେ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ପଚାରିବା ଦରକାର –

୧. ନବ ଦାସ କିମ୍ବା ପ୍ରଣବ ପ୍ରକାଶ ଦାସଙ୍କ ଭିତରେ ସେମିତି କିଛି ମନୋମାଳିନ୍ୟ କେବେ ଦେଖିବାକୁ ମିଳିଥିଲା କି ?

୨. ଫାଇଭ ଟି ସଚିବଙ୍କୁ ଏକ ହତ୍ୟାକାଣ୍ଡର ଅଭିଯୁକ୍ତ ବୋଲି କହିବା ଏକ ଅପରାଧ ନୁହେଁ କି ?

୩. ଏ ପ୍ରକାର ଅଭିଯୋଗ ଆଣିବା ପଛରେ ବିରୋଧୀ ଦଳ ନେତାଙ୍କ ନୈତିକ ଅଧିକାର ରହିଛି କି?

୪. ରାଜନୈତିକ ସ୍ଵାର୍ଥ ଯୋଗୁଁ ନବ ଦାସଙ୍କ ପରିବାର ନିଜ ମୁରବୀଙ୍କ ହତ୍ୟାକାରୀ ସମର୍ଥନରେ ବାହାରିଛନ୍ତି ବୋଲି କହିବା ହାସ୍ୟାସ୍ପଦ ନୁହେଁ କି ?

୫. ବିରୋଧୀ ଦଳ ସିବିଆଇ ତଦନ୍ତ ଲାଗି ଆଇନଗତ ଭାବେ ପଦକ୍ଷେପ ନେଇପାରିବେ । ହାଇକୋର୍ଟ ଏ ପ୍ରସଙ୍ଗରେ ସ୍ପଷ୍ଟ ରାୟ ଦେଇ ସାରିଛନ୍ତି । ଜୟନାରାୟଣ ଯଦି ହାଇକୋର୍ଟଙ୍କ ରାୟ ସହିତ ଏକମତ ନୁହନ୍ତି, ସେ ସୁପ୍ରିମ କୋର୍ଟ ଯାଉନାହାନ୍ତି କାହିଁକି ?

୬. ସିବିଆଇ ତଦନ୍ତରେ ଇତିଶ୍ରୀ ହତ୍ୟା ମାମଲାର ଫଳାଫଳ କଣ ହେଲା, ସେ କଥା ରାଜ୍ୟବାସୀ ଦେଖିନାହାନ୍ତି କି ?

୭. ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ କଣ ସବୁ କାରଣ ରହିଛି, ତାର ବିଧିବଦ୍ଧ ଉତ୍ତର ପୁଲିସ ଇ ରଖିବ । ବିରୋଧୀଦଳ ବା ସାମ୍ବାଦିକ ଏ ପ୍ରସଙ୍ଗରେ ଯାହା କହିବେ ତାହା କେବଳ କଳ୍ପନା ମାତ୍ର । ପୁଲିସ ଉପରେ ସନ୍ଦେହ କରି ରାଜ୍ୟର ସବୁ ମାମଲା ସିବିଆଇକୁ ଦେଇ ହେବ କି ?  

ଏସବୁ ପ୍ରଶ୍ନର ଉତ୍ତର କାହା ପାଖରେ ନାଇଁ । ଗୋଟେ ରାଜନୈତିକ ହତ୍ୟାକାଣ୍ଡକୁ ନେଇ ରାଜନୀତି ହେବା ସ୍ଵାଭାବିକ । ହେଲେ ସେଥିରେ କାହାକୁ ବି ହତ୍ୟାକାରୀ ବୋଲି ଆଙ୍ଗୁଠି ଦେଖାଇବା ଏକ ବିପଜ୍ଜନକ ରାଜନୀତି । ଯେଉଁ ରାଜନୀତି ଜୟନାରାୟଣ କରୁଛନ୍ତି, ସେଥିରେ ସେ ନିଜର ରାଜନୈତିକ ବ୍ୟକ୍ତିତ୍ବକୁ ଖର୍ବ କରି ଚାଲିଛନ୍ତି ।