ବାବାସାହେବଙ୍କ ଉତ୍ତରାଧିକାର ; ରାଜନୈତିକ ନବପର୍ବ
ସମ୍ପ୍ରତି ସ୍ୱାଧୀନତା ପରବର୍ତ୍ତୀ ଭାରତ ଇତିହାସକୁ ନେଇ ଯେଉଁ ଚର୍ଚ୍ଚା ଓ ଅପଚର୍ଚ୍ଚା ଆରମ୍ଭ ହୋଇଛି ସେଥିରେ ସତ୍ୟ ତଥା ତଥ୍ୟ ଅପେକ୍ଷା ରାଜନୈତିକ ଅଭିସନ୍ଧିର ପ୍ରାବଲ୍ୟ ଅଧିକ । ଅନ୍ତତଃ ତିନୋଟି ବିନ୍ଦୁକୁ ନେଇ ଏହି ଚର୍ଚ୍ଚା ଏବେ ଗତିଶୀଳ । ଏହି ଚର୍ଚ୍ଚାର କେନ୍ଦ୍ରରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସହ ଜଡିତ ଓ ନବଭାରତ ନିର୍ମାଣରେ ଅତୁଳନୀୟ ଯୋଗଦାନ କରିଥିବା ବହୁନାୟକଙ୍କ ନାମ ଜଡିତ । ଯେତେବେଳେ ବି ଭାରତରେ ହିନ୍ଦୁତ୍ୱବାଦୀ ଶକ୍ତିମାନେ କ୍ଷମତା ଦଖଲ କରିଛନ୍ତି ସେତେବେଳେ ଏ ପ୍ରକାର ଚର୍ଚ୍ଚା ଏକ ସାଧାରଣ ଘଟଣା । ସ୍ୱାଧୀନତା ପରବର୍ତ୍ତୀ ସମୟରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ସହ ସମ୍ପୃକ୍ତି ଅଭିଯୋଗରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରସଂଘବାହ ଏମ୍.ଏସ୍ ଗୋଲ୍ୱାଲ୍କରଙ୍କୁ ଗିରଫ କରାଯାଇଥିବାରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ପ୍ରତି ସଂଘ ପରିବାରର ପ୍ରଚଣ୍ଡ କ୍ରୋଧ ଓ ଘୃଣା ରହିଛି । ବୈଚାରିକ ସ୍ତରରେ ନେହେରୁଙ୍କର ତୁଙ୍ଗ ସମାଜବାଦୀ ଓ ଧର୍ମ ନିରପେକ୍ଷ ନେତୃତ୍ୱ ଯୋଗୁଁ ଭାରତରେ ପ୍ରତିକ୍ରିୟାଶୀଳ ହିନ୍ଦୁତ୍ୱ ଶକ୍ତିର ବିଜୟ ସମ୍ଭବ ନଥିଲା । ଏପରିକି ଜାତୀୟ ସ୍ତରରେ ସାଧାରଣ ଗ୍ରହଣୀୟତା ମଧ୍ୟ ଏମାନଙ୍କର ନଥିଲା । ନେହେରୁଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ତାଙ୍କର ପ୍ରତିପକ୍ଷ ଥିଲେ ସମାଜବାଦୀ ଓ ସାମ୍ୟବାଦୀମାନେ । ତେଣୁ ମୋଟାମୋଟି ଭାରତୀୟ ରାଜନୀତିର ଶାସକ ଓ ବିରୋଧୀ ସମାଜବାଦୀ ଆଦର୍ଶରେ ବିଶ୍ୱାସ କରୁଥିଲେ । ସେଠି ଉଗ୍ର ସାମ୍ପ୍ରଦାୟିକତାର କୌଣସି ଭୂମିକା ନଥିଲା । ସ୍ୱାଧୀନତା ପରେ ମୁସ୍ଲିମ୍ ଲିଗ୍ ଓ ଆର୍ଏସ୍ଏସ୍ ଭଳି ସଙ୍ଗଠନ ଦେଶରେ ଅପ୍ରାସଙ୍ଗିକ ହୋଇପଡିଥିଲେ । ଏପରିକି ଆର୍ଏସ୍ଏସ୍ର ବୈଚାରିକ ପିତୃ ସଙ୍ଗଠନ ହିନ୍ଦୁ ମହାସଭା ମଧ୍ୟ ଲୋକଙ୍କ ଦ୍ୱାରା ସ୍ୱୀକୃତ ହୋଇନଥିଲା । ଅଶୀ ଦଶକ ପର୍ଯ୍ୟନ୍ତ ଭାରତର ରାଜନୀତିରେ ଦକ୍ଷିଣପନ୍ଥୀ ଶକ୍ତିମାନଙ୍କର କୌଣସି ସତ୍ତା ନଥିଲା କହିଲେ ଚଳେ । ଐତିହାସିକ ସତ୍ୟ ହେଉଛି ଇତିହାସର ଏହି ପର୍ଯ୍ୟାୟରେ ଯେଉଁମାନେ ଗୁରୁତ୍ୱପୂର୍ଣ୍ଣ ବିରୋଧୀର ଭୂମିକା ନେଉଥିଲେ, ସେମାନଙ୍କର ଦୂର୍ବଳତା ଯୋଗୁଁ କଂଗ୍ରେସର ବିକଳ୍ପ ଭାବରେ ଦକ୍ଷିଣପନ୍ଥୀ ଶକ୍ତିଗୁଡିକ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କଲେ । ଯାହାର ଅନ୍ତିମ ପରିଣତି ହେଉଛି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପିର ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ । ରାଜନୈତିକ ଧର୍ମନିରପେକ୍ଷ ଶକ୍ତିମାନଙ୍କ କଫିନ୍ ଉପରେ ଏହାକୁ ଶେଷ କଣ୍ଟା ବୋଲି କୁହାଯାଇପାରେ ।
କ୍ଷମତା ହାସଲ ଓ ସବୁପ୍ରକାର ରାଜନୈତିକ ସୁଯୋଗ ରହିଥିବା ସତ୍ତ୍ୱେ ସଂଘ ପରିବାର ହାତରେ ଇତିହାସର କୌଣସି ବଡ ଅନୁଭବ ନାହିଁ । ଜାତୀୟ ସ୍ତରକୁ ପ୍ରଭାବିତ କଲା ଭଳି ନେତୃତ୍ୱ ବା ବିଚାର ସଂଘ ପରିବାର ଭିତରେ ନଥିବାରୁ ଏବେ ଇତିହାସ ପାଠକୁ ବିକୃତ କରି ସଂଘର କଟ୍ଟର ବିରୋଧୀ ଥିବା ବହୁ ନେତାଙ୍କୁ ସଂଘ ଏବେ ନିଜର ଆଦର୍ଶ ବୋଲି ଉପସ୍ଥାପିତ କରିବାର ପ୍ରୟାସ କରୁଛି । ସେହି କ୍ରମରେ ଭାରତୀୟ ଦଳିତ ଆନ୍ଦୋଳନର ମହାନାୟକ ତଥା ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କୁ ସଂଘ ନିଜ ଏଜେଣ୍ଡା ସହିତ ସମ୍ପୃକ୍ତ କରିବାର ଉଦ୍ୟମ କରୁଛି । ବାବା ସାହେବ୍ଙ୍କୁ ବର୍ତ୍ତମାନ ସମୟର ଉଦାରପନ୍ଥୀ ଅର୍ଥନୀତିର ଜନକ ବୋଲି କେତେଜଣ ଦଳିତ ବୁଦ୍ଧିଜୀବୀ ଦାବି କରୁଛନ୍ତି । ତାଙ୍କ ମତରେ ଆମ୍ବେଦକର କୁଆଡେ କର୍ପୋରେଟ୍ ସମାଜବାଦର ପ୍ରବର୍ତ୍ତକ ଥିଲେ । ଯେଉଁମାନେ ଆମ୍ବେଦକରଙ୍କୁ ଭଲ ଭାବରେ ପଢ଼ିଛନ୍ତି ସେମାନେ ଏପ୍ରକାର ଯୁକ୍ତି ଶୁଣି ହସିବା ଛଡା ଅଲଗା କିଛି ଉପାୟ ନାହିଁ । ଶ୍ରମଜୀବୀର ଅଧିକାର ଓ ଜାତିବାଦ ବିରୋଧରେ ସାମାଜିକ ନ୍ୟାୟକୁ ରାଜନୈତିକ ଅସ୍ତ୍ର ରୂପେ ବ୍ୟବହାର କରୁଥିବା ବାବା ସାହେବ୍ଙ୍କ ପ୍ରତି ଏହା ସବୁଠୁ ବଡ ଅପମାନ । ଆଉ ଏକ ଘଟଣାକ୍ରମରେ ବାବା ସାହେବ୍ଙ୍କର ଉତ୍ତରାଧିକାରଙ୍କୁ ହାତେଇବା ଲାଗି ଏବେ ଦେଶର ସବୁ ପ୍ରମୁଖ ରାଜନୈତିକ ଦଳ ଚକ୍ରାନ୍ତ ଆରମ୍ଭ କରିଛନ୍ତି । ସଂଘ ପରିବାର ଓ ବିଜେପି (ଯେଉଁମାନେ ଗୋଟିଏ ସମୟରେ ଆମ୍ବେଦକରଙ୍କୁ କଟୁ ସମାଲୋଚନା କରୁଥିଲେ ଓ ମିଛ ଦେବତା ବୋଲି ନିନ୍ଦା କରୁଥିଲେ) ଏବେ ଆମ୍ବେଦକରଙ୍କ ଉତ୍ତରାଧିକାରକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଆମ୍ବେଦକରଙ୍କ ବିଚାରକୁ ନେଇ ଗଢ଼ି ଉଠିଥିବା ବହୁଜନ ସମାଜପାର୍ଟି ଗତ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ବିଫଳ ହେବା ପରଠୁ ସଂଘ ପରିବାର ଭିତରେ ଏ ପ୍ରକାର ଆଗ୍ରହ ଢ଼େର ବଢ଼ି ଯାଇଛି । ସଂଘ ପରିବାରର ମୁଖିଆମାନେ ଜାଣନ୍ତି ଯେ ହେଡ୍ଗେୱାର୍ କିମ୍ବା ଗୋଲ୍ୱାଲ୍କରଙ୍କ ବ୍ରାହ୍ମଣବାଦୀ ବିଚାରଧାରାକୁ ନେଇ ଦେଶର ଦଳିତ ଭୋଟବ୍ୟାଙ୍କ ଅକ୍ତିଆର କରି ହେବନାହିଁ । ତେଣୁ ବାବା ସାହେବ୍ ଏବେ ବହୁଜନ ରାଜନୀତିରୁ ବ୍ରାହ୍ମଣବାଦ ରାଜନୀତିର ଶିବିରରେ ପୂଜା ପାଇବା ଆରମ୍ଭ କରିଛନ୍ତି । ଏପରିକି ବାବା ସାହେବ୍ଙ୍କୁ ସଂଘ ନିଜର ପରାବର୍ତ୍ତନ ବା ଧର୍ମ ପରିବର୍ତ୍ତନ ରାଜନୀତି ସହ ମଧ୍ୟ ଯୋଡିବାକୁ ପଛ ଘୁଞ୍ଚା ଦେଉନାହିଁ । ତେବେ ଧର୍ମ ପରିବର୍ତ୍ତନ ସମ୍ପର୍କରେ ବାବା ସାହେବଙ୍କର ମତ କଣ ଥିଲା ସେ ବିଷୟରେ ଚର୍ଚ୍ଚା ନିହାତି ହେବା ଜରୁରୀ ।
I tell you all very specifically; religion is for man and not man for religion. To get human treatment, convert yourselves.
CONVERT -For getting organized.
CONVERT -For becoming strong.
CONVERT -For securing equality.
CONVERT -For getting liberty.
CONVERT -For that your domestic life may be happy.
୧୯୩୬ ମସିହା ମଇ ୩୦ ଓ ୩୧ ତାରିଖ ଦିନ ନାସିକ ଠାରେ ଅନୁଷ୍ଠିତ ହୋଇଥିବା ମାହାର ମହାସଭାରେ ବାବା ସାହେବ ଆମ୍ବେଦକରଙ୍କର ପ୍ରସିଦ୍ଧ ମରାଠି ଅଭିଭାଷଣର ଏହା ହେଉଛି ଅନ୍ତିମ ଉଚ୍ଚାରଣ । ବାବା ସାହେବଙ୍କ ଦୃଷ୍ଟିରେ ଧର୍ମାନ୍ତରୀକରଣ ହେଉଛି ଭାରତୀୟ ଜାତି ବ୍ୟବସ୍ଥା ବିରୁଦ୍ଧରେ ଏକ ସଶକ୍ତ ସମାଧାନ । ମୁକ୍ତି, ସାମାଜିକ ନ୍ୟାୟ ଓ ସମତା ପାଇଁ ଦଳିତଙ୍କୁ ହିନ୍ଦୁ ଧର୍ମର ଗଣ୍ଡିରୁ ମୁକୁଳିବାକୁ ପଡିବ ଓ ଏଥିପାଇଁ ଧର୍ମାନ୍ତରୀକରଣ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ବାବା ସାହେବ ଯୁକ୍ତି କରିଥିଲେ । ବାବା ସାହେବ୍ଙ୍କର ଏହି ଯୁକ୍ତିକୁ ସଂଘ ପରିବାରର ବଡପଣ୍ଡାମାନେ ଯେ ପଢ଼ି ନାହାନ୍ତି ତାହା ନୁହେଁ । ସବୁ ପଢ଼ା ଯାଇଥିବା ତଥ୍ୟକୁ ଭୁଲ୍ ଭାବରେ ଅପାଠରେ ପରିଣତ କରିବା ସଂଘ ପରିବାରର ପୁରୁଣା କୌଶଳ । ସେହି କୌଶଳର ଅଂଶବିଶେଷ ଭାବରେ ଏବେ ଶହୀଦ୍ ଭଗତ ସିଂ, ନେତାଜୀ ସୁବାଷ ଚନ୍ଦ୍ର ବୋଷ୍ ଓ ବାବା ସାହେବ୍ ଆମ୍ବେଦ୍କରଙ୍କୁ ସଂଘ ନିଜର ବିଚାର ପରିସରକୁ ଆଣିବା ପାଇଁ ହାସ୍ୟାସ୍ପଦ ଉଦ୍ୟମ କରୁଛନ୍ତି । ଏପରିକି ଯେଉଁ ଗାନ୍ଧିଙ୍କ ରକ୍ତରେ ପ୍ରତିକ୍ରିୟାଶାଳୀ ଶକ୍ତିମାନେ ମିଠା ବାଣ୍ଟି ଉତ୍ସବ ପାଳିଥିଲେ ସେମାନେ ଆଜି ଗାନ୍ଧିଙ୍କୁ ନିଜର ଆଦର୍ଶ ଭାବରେ ଗ୍ରହଣ କରିବାକୁ ଲଜ୍ଜିତ ହେଉନାହାନ୍ତି । ଗାନ୍ଧି, ସୁବାଷ, ଭଗତ୍ ସିଂ ଓ ଆମ୍ବେଦ୍କରଙ୍କ ବିଚାର ସହ ସଂଖ୍ୟାଗରିଷ୍ଠ ସାମ୍ପ୍ରଦାୟିକତାର ଦୂର ଦୂର ପର୍ଯ୍ୟନ୍ତ ସମ୍ପର୍କ ନାହିଁ । ତଥାପି ଏମାନଙ୍କୁ ଜୋର୍ଜବରଦସ୍ତି ନିଜର ସଂକୀର୍ଣ୍ଣ ବିଚାରଗଣ୍ଡିରେ କାଟିକୁଟି ପୁରେଇବା ପାଇଁ ସଂଘ ପରିବାର ଓ ବିଜେପି ହାସ୍ୟାସ୍ପଦ ଉଦ୍ୟମ କରିଛନ୍ତି ।