ନାଟକ ଓ ସତ୍ୟର ସନ୍ଧାନ
ଯାହା ପରମ୍ପରାଗତ ଶବ୍ଦ,କାବ୍ୟ, ଗୀତ, ନୃତ୍ୟ, ରୀତି-ନୀତି, ତର୍କ-ବିତର୍କ ଓ ବୁଦ୍ଧିମତାରେ କେଉଁଠି ହଜିଯାଇଥାଏ । ‘କେହି ଆସିବ ଆଉ ମୁକ୍ତି ଦେବ ।’ଏହି ଆଶା ଓ ଆଶଂକାର ସମ୍ଭାବନାରେ ସେ ଅନାଇ ବସିଥାଏ । କେହି ଅପେକ୍ଷାରେ ନେତ୍ରହୀନ ହୋଇଯାଏ ତ କେହି ଚିତ୍କାର କରି କରି କଥାଶକ୍ତି ହରାଇଥାଏ । କିନ୍ତୁ ଅପେକ୍ଷାର ଅନ୍ତ ନ ଥାଏ । ଆଶା ଓ ଆଶଂକାର ଅନ୍ତ ଘଟି ନଥାଏ । ସମ୍ଭାବନାଟିଏ କାଳେ କାଳେ ଉଂକି ମାରୁଥାଏ । ପ୍ରତୀକ୍ଷା ତ ଜୀବନର ଏକ ଅଂଗ । ଜୀବନର ଅନିବାର୍ଯ୍ୟ ଅଂଗ ।ଆଜିର ସମକାଳୀନ ରଂଗମଂଚ ମାନବ ଜୀବନର ଗଭୀର ଅନୁଶୀଳନ କରିବା ସହିତ ଆନ୍ତରିକ ସଂଘର୍ଷ ଓ ସାଂସାରିକ ସମ୍ବନ୍ଧର ଅସହାୟତାକୁ ଫୁଟାଇବାରେ ଭୟ କରୁନି । ଯେଉଁ ସମ୍ପର୍କକୁ ଉଜାଗର କରାଯିବାର ଆବଶ୍ୟକତାକୁ କେବେ ଅନୁଭବ କରାଯାଇ ନଥିଲା ସେହି ଆବଶ୍ୟକତାକୁ ଅପରିହାର୍ଯ୍ୟ ମଣିଛି ଆଜିର ରଂଗମଂଚ ।
ଆଜିର ରଂଗବଂଚ ସ୍ପଷ୍ଟ, ସ୍ୱଚ୍ଛ, ନିର୍ଭୀକ ଓ ସାହସୀ ହୋଇପାରିଛି । ସେ ନିଜର କଥା କହିବାରେ ଛଳ କରୁନି । ଲଜ୍ଜାବୋଧ କିମ୍ବା ସଂକୋଚ ନାହିଁ । ଆଜିର ରଂଗମଂଚ ନିଜ ଚରିତ୍ରକୁ ଅଭିନେତାର ଚରିତ୍ରକୁ ଗଭୀର ଭାବେ ଅନୁଶୀଳନ କରିବା ସହ ଅନୁଧ୍ୟାନ କରୁଛି ।
ପାଶ୍ଚାତ୍ୟ ଦେଶ ରଂଗମଂଚକୁ ଥିଏଟର କହିଥାଏ । ଯାହା ନାଟକ (ଯାତ୍ରା) ପରି ବ୍ୟାପକ ଭାବେ ନିଜକୁ ବିସ୍ତାରିତ କରିଥାଏ ।
ପ୍ରାଚୀନ ବିଦ୍ୱାନମାନେ ସମାଜରେ ମଣିଷ ଜୀବନରେ ରଂଗମଂଚର ପ୍ରାଧାନ୍ୟକୁ ସ୍ୱୀକାର କରିଛନ୍ତି । ରଂଗମଂଚ ମଣିଷ ଜୀବନର ଚରମ ଆବଶ୍ୟକତା । ଏହି ସତ୍ୟକୁ ଯଦିଓ ଆମେ ସାର୍ବଜନୀନ କରିପାରିନାହୁଁ । ଫଳରେ ଆମ ନାଟକ ସର୍ବାଦୃତି ଲାଭ କରିବାରେ ବିଫଳ ହୋଇଛି । ରଂଗମଂଚ ଅତିରିକ୍ତ ସାରା ବିଶ୍ୱରେ ଏପରି ସରଳ କୌଣସି ମାଧ୍ୟମ ନାହିଁ ଯାହା ମଣିଷ ଜୀବନରେ ଶୀଘ୍ରାତିଶୀଘ୍ର ପ୍ରଭାବ ପକାଇପାରିବ । ରଂଗମଂଚ ମାନବ ଜୀବନର ପ୍ରତ୍ୟେକ ସୋପାନରେ କିଛି ନା କିଛି ପ୍ରଭାବ ପକାଇଥାଏ । ସତ୍ୟ ଓ ଯଥାର୍ଥତା ମଧ୍ୟରେ ଫରକ ନିର୍ଦ୍ଧାରଣ କରିପାରିଥାଏ ଥିଏଟର । ପରମ୍ପରା ପରିଚାଳିତ ଋଢୀବାଦକୁ ଅସ୍ୱୀକାର କରେ, ଭାଙ୍ଗିଥାଏ ନାଟକ । ସମସ୍ୟାର ସମାଧାନ ପ୍ରସ୍ତୁତ କରିଥାଏ ନାଟକ । ନାଟକରେ ମଣିଷ ଆସ୍ଥା ଜରିଆରେ ପାହଡ଼ା ହଲାଇ ଦେଇପାରିବା ସହିତ ଆଶଂକା ଜରିଆରେ ମଧ୍ୟ ସେହି ପାହାଡ଼କୁ ହଲାଇ ଦେଇପାରିଥାଏ ।
ରଂଗମଂଚ ସେହି ସତ୍ୟକୁ ଖୋଜିଥାଏ; ଯାହା କାଳକ୍ରମେ ସ୍ମୃତିବିସ୍ମୃତ ହୋଇଯାଇଥାଏ । ସତ୍ୟର ସନ୍ଧାନ କରିଥାଏ ନାଟକ । ଯାହା ପରମ୍ପରାଗତ ଶବ୍ଦ,କାବ୍ୟ, ଗୀତ, ନୃତ୍ୟ, ରୀତି-ନୀତି, ତର୍କ-ବିତର୍କ ଓ ବୁଦ୍ଧିମତାରେ କେଉଁଠି ହଜିଯାଇଥାଏ । ‘କେହି ଆସିବ ଆଉ ମୁକ୍ତି ଦେବ ।’ଏହି ଆଶା ଓ ଆଶଂକାର ସମ୍ଭାବନାରେ ସେ ଅନାଇ ବସିଥାଏ । କେହି ଅପେକ୍ଷାରେ ନେତ୍ରହୀନ ହୋଇଯାଏ ତ କେହି ଚିତ୍କାର କରି କରି କଥାଶକ୍ତି ହରାଇଥାଏ । କିନ୍ତୁ ଅପେକ୍ଷାର ଅନ୍ତ ନ ଥାଏ । ଆଶା ଓ ଆଶଂକାର ଅନ୍ତ ଘଟି ନଥାଏ । ସମ୍ଭାବନାଟିଏ କାଳେ କାଳେ ଉଂକି ମାରୁଥାଏ । ପ୍ରତୀକ୍ଷା ତ ଜୀବନର ଏକ ଅଂଗ । ଜୀବନର ଅନିବାର୍ଯ୍ୟ ଅଂଗ ।
ଜର୍ମାନର ପ୍ରତ୍ୟେକ ନାଗରିକାର ନାଗରିକତା ଥିଏଟରରୁ ହିଁ ଆରମ୍ଭ ହୋଇଥାଏ ।
ହଂଗେରୀର ପ୍ରତ୍ୟେକ ନାଗରିକ ଜଣେ ଜଣେ ଅଭିନେତା ।
ୟୁଗୋସ୍ଲୋଭିଆ ଆପଣଙ୍କୁ ଆହ୍ୱାନ କରେ କି ନାଗରିକ ଓ ଅଭିନେତା ମଧ୍ୟରେ ପାର୍ଥକ୍ୟ ବାରିବାକୁ ।
ବୁଲ୍ଗେରିଆରେ ଏପରି ଜଣେ ନାଗରିକ ମିଳିବ ନାହିଁ; ଯେ କି ଜୀବନରେ ଥରେ ବି କେବେ ନାଟକ କରି ନଥିବ ।
୧୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବର୍ଲିନ୍ ସହରରେ ୨୦ରୁ ଊର୍ଦ୍ଧ୍ୱ ନିୟମିତ ଥିଏଟର ହାଉସ ଅଛି ।
ପୋଲାଣ୍ଡର ସମସ୍ତ ନାଟ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ରୁପେ ସରକାରୀ ।
ଗ୍ରୀସରେ ଲୋକମାନେ ଚର୍ଚ୍ଚକୁ ଯିବା ପରି ଥିଏଟରକୁ ଯାଆନ୍ତି । ଏହା ସେମାନଙ୍କ ଜୀବନର ଅବିଚ୍ଛେଦ୍ୟ ଅଂଗ ।
ଥିଏଟର ଅପରୁପ, ସୌନ୍ଦର୍ଯ୍ୟର ଗନ୍ତାଘର । ଏହା ସରଳ ଓ ଜଟିଳ ।ଏହା ଏକ ପାରସ୍ପରିକ ବ୍ୟବସ୍ଥା ଅଟେ । ଏହା ଏକ ସମସ୍ୟା ବିଷୟରେ ଲୋକଙ୍କ ଚିନ୍ତାଧାରାକୁ ବଦଳାଇପାରେ । ସମାଜରେ ସମସ୍ୟା ଥିଏଟରର ରୂପ ଏବଂ ଉଦ୍ଦେଶ୍ୟକୁ ପ୍ରଭାବିତ କରିଥାଏ ।
ନାଟକ ଏକ ସୁସ୍ଥ ସମାଜ ଗଠନରେ ସବୁଠାରୁ ବଡ ପ୍ରଭାବୀ ହୋଇଥାଏ । ଦଶର୍କ ଭାବେ ନିଜ ନିଜ ଜୀବନ ଯାତ୍ରାର କିଛି ଅଂଶ ଥିଏଟର ଅନୁଭବ କରାଇଥାଏ ।
ଥିଏଟରରେ ଆମେ ଯାହାବି ଦେଖିଥାଉ, ସଂଗୀତ, ନୃତ୍ୟ, ସମ୍ପର୍କ ତାହା ଆମ ଭିତରେ ଛୁପି ରହିଥିବା ଜୀବନ କାହାଣୀ ସହିତ ପୁଣି ଥରେ ପରିଚିତ କରାଇଥାଏ । ଆମକୁ ଏକୁଟିଆ ରହିବାକୁ ଦିଏନି । ସମ୍ପର୍କ ଯୋଡ଼ିଥାଏ ଭାଂଗିବାକୁ ଦିଏନି । ଥିଏଟର ହେଉଛି ଏକ କଳା । ଏହା ବୌଦ୍ଧିକ, ଭାବପ୍ରବଣ ଏବଂ ଆଧ୍ୟାତ୍ମିକ ସମେତ ବିଭିନ୍ନ ସ୍ତରର ଦର୍ଶକଙ୍କ ସହିତ ସିଧାସଳଖ ଏବଂ ତୁରନ୍ତ ସଂଯୋଗ କରିପାରିଥାଏ ।
ବେଳେବେଳେ ଲାଗେ ଥିଏଟର ଛାତ୍ର ଏବଂ ଶିକ୍ଷକମାନଙ୍କୁ ମଧ୍ୟ ଭୟଭୀତ କରେ । ବେଳେବେଳେ ସେମାନେ ଅନୁଭବ କରନ୍ତି ଯେ ବାର୍ତ୍ତାଗୁଡିକ ବହୁତ ଗଭୀର, ମଞ୍ଚରେ କ’ଣ ଘଟୁଛି ବୁଝିବା ପାଇଁ ସେମାନଙ୍କୁ ଏକ ପ୍ରକାର ସ୍ୱତନ୍ତ୍ର ତାଲିମ ଆବଶ୍ୟକ । ଏହାକୁ ବୁଝିବାକୁ କିଛି ସ୍ୱତନ୍ତ୍ର ଭାଷା ରହିଛି । କିନ୍ତୁ ଥିଏଟରରେ କୌଣସି କଥା ଗୁପ୍ତ ନଥାଏ । ଅନେକ ରହସ୍ୟ ଥାଇ ବି ରହସ୍ୟାବୃତ୍ତ ହୋଇନଥାଏ । ଏହା ମାନସିକ ଜଟିଳତାକୁ ସୁକ୍ଷ୍ମତାରେ ରୂପାନ୍ତରିତ କରିଥାଏ । କିଛି ଚିନ୍ତା କରିବାକୁ ବାଧ୍ୟ କରି ବୋଧଗମ୍ୟ କରାଇପାରିଥାଏ ।