ଚର୍ଚ୍ଚାରେ "ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ"
୨୦୨୩, ମାର୍ଚ୍ଚ ୨୦ -୨୨ ମଧ୍ୟରେ ଦେଶର ଶାସକ ଦଳ ଭାଜପାର ଅନେକ ମେମ୍ବର ସଗର୍ବେ Wall Street Journal (WSJ)ରେ ପ୍ରକାଶିତ ଗୋଟିଏ ଲେଖାର ଲିଙ୍କ୍ ନିଜ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ। ଲେଖାଟିର ଶୀର୍ଷକ ଥିଲା "India's BJP is the world's most important party" ଅର୍ଥାତ, 'ଭାରତର ଭାରତୀୟ ଜନତା ପାର୍ଟି ବିଶ୍ବର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ/ ଶକ୍ତିଶାଳୀ ରାଜନୈତିକ ଦଳ'। ଲେଖାଟିରେ ଭାରତୀୟ ଜନତା ପାର୍ଟି, ତା'ର ନେତୃତ୍ୱ ଏବଂ କାର୍ଯ୍ୟପ୍ରଣାଳୀର ପ୍ରଶଂସା ଛପା ଯାଇଥିଲା। କେମିତି ଗତ ୮-୯ ବର୍ଷ ମଧ୍ୟରେ ଭାଜପା ନିଜର କାର୍ଯ୍ୟଶୈଳୀ ଦ୍ବାରା ନିଜର ସ୍ଥିତିକୁ ଦୃଢ଼ କରି ପାରିଛି ତାହା ନିଖୁଣ ଭାବରେ ବର୍ଣ୍ଣନା କରା ଯାଇଥିଲା। ଏବଂ ଅନ୍ୟ ସବୁଥର ପରି ଭାଜପାର କର୍ମକର୍ତ୍ତା ଓ ପ୍ରଚାର ଦାୟିତ୍ୱରେ ଥିବା ସଦସ୍ୟମାନେ ତେଣୁ ଏହି ଲେଖାର ଲିଙ୍କକୁ ଗର୍ବରେ ନିଜ ନିଜ ହୋମ୍ ପେଜରେ ସେୟାର କରିଥିଲେ।
ହେଲେ ଏଠି ଅନେକ ପ୍ରଶ୍ନ କରି ପାରନ୍ତି, ମାର୍ଚ୍ଚ ମାସର କଥା ମୁଁ ଏବେ କାହିଁକି ଉଲ୍ଲେଖ କରୁଛି! ଅବଶ୍ୟ ଏଇ ସପ୍ତାହେ ଭିତରେ ଆପଣମାନେ ଅନେକ ଥର ଓ୍ବାର୍ଲ୍ଡ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ବା WSJର ନାଁ ଶୁଣି ସାରିବେଣି। ସପ୍ତାହର ପ୍ରଥମ ଅର୍ଦ୍ଧରେ ପ୍ରଶଂସା ତ ଦ୍ବିତୀୟାର୍ଦ୍ଧରେ ସମାଲୋଚନା। କେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ WSJର ହୋଇଥିବା ଆଲୋଚନା ପାଇଁ ତ କେତେବେଳେ ଆମେରିକାର ରାଷ୍ଟ୍ରପତି ଭବନ ହ୍ବାଇଟ୍ ହାଉସରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ WSJ ସାମ୍ବାଦିକଙ୍କ ଦ୍ବାରା ପଚରା ଯାଇଥିବା ପ୍ରଶ୍ନକୁ ନେଇ ତ ପୁଣି ଆଉ କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ସାରି ଫେରିବା ପରେ WSJରେ ଛପା ଯାଇଥିବା ଆଲେଖ୍ୟ ପାଇଁ! ସେଇଥିପାଇଁ ଆଜି ମୋର WSJରେ ମାର୍ଚ୍ଚ ମାସରେ ଛପା ଯାଇଥିବା ଲେଖା ଏବଂ ତାକୁ ଗର୍ବରେ ସେୟାର କରିବା କଥା ମନେ ପଡି ଯାଇଛି!
୨୦ ଜୁନ, ୨୦୨୩ରେ ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, WSJ ସମ୍ବାଦିକଙ୍କୁ ସାକ୍ଷାତକାର ଦେଇଥିବା ଏବଂ ସେହି ସାକ୍ଷାତକାର ଭାରତର ବିଭିନ୍ନ ଅଗ୍ରଣୀ ଖବରକାଗଜରେ ପ୍ରକାଶ ପାଇବା ବିଷୟରେ ପ୍ରାୟ ସମସ୍ତେ ଶୁଣିଥିବେ। ଯଦିଓ ଏହାକୁ ସାକ୍ଷାତକାର କୁହାଗଲା କିନ୍ତୁ WSJ ଦେଖିଲେ ମଧ୍ୟ ଆପଣ ଜାଣି ପାରିବେ ଯେ ଏଥିରେ ପାରମ୍ପରିକ ଶୈଳୀରେ ସାମ୍ବାଦିକଙ୍କ ପଚରା ଯାଇଥିବା ପ୍ରଶ୍ନ ଏବଂ ମୋଦିଙ୍କ ଉତ୍ତର ଛପି ନଥିଲା। ବର° ସମ୍ପୂର୍ଣ୍ଣ ଲେଖାଟି ଗୋଟିଏ ଆଲୋଚନା ବା ମୋଦି କେଉଁ ବିଷୟରେ କ'ଣ କହିଲେ ସେଇ ଧାରାରେ ଛପିଥିଲା। ସାକ୍ଷାତକାରଟି ଛାପିଲା ବେଳେ ଆରମ୍ଭରୁ WSJ ଉଲ୍ଲେଖ କରିଛି ଯେ, ଯଦିଓ ଭାଷଣ ଦେବାକୁ ଭାରତୀୟ ପ୍ରଧାନମନ୍ତ୍ରୀ ଖୁବ୍ ପସନ୍ଦ କରନ୍ତି ଏବଂ ଅନେକ ସଭାରେ ଯୋଗ ଦିଅନ୍ତି, କିନ୍ତୁ ଗତ ନ' ବର୍ଷ ମଧ୍ୟରେ ସେ ପ୍ରେସ୍ ବା ସାମ୍ବାଦିକ ସମ୍ମିଳନୀରେ ଉତ୍ତର ଦେବାକୁ କେବେ ପସନ୍ଦ କରି ନାହାନ୍ତି। କୌଣସି ଖବରପ୍ରଦାନକାରୀ ସ°ସ୍ଥାକୁ ଉତ୍ତର ଦେବା ତାଙ୍କର ଏଇଟି ପ୍ରଥମ। ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଭାରତ- ଆମେରିକା ଦ୍ବିପାକ୍ଷିକ ସୁଦୃଢ ସମ୍ବନ୍ଧ ଛଡା ଆହୁରି ଅନେକ କଥା ଉପରେ ନିଜର ମତ ରଖିଥିଲେ। ସେଥିରେ ପ୍ରଧାନମନ୍ତ୍ରୀ ଭାରତର ମିଳିତ ଜାତିସଂଘରେ ସ୍ଥାୟୀ ସଦସ୍ୟତା ପାଇବା ଉପରେ ଜୋର୍ ଦେଇଥିଲେ। ଆହୁରି ମଧ୍ୟ ସେ କହିଥିଲେ ଯେ, ବିଶ୍ବରେ ଭାରତ ଏକ ସ୍ବତନ୍ତ୍ର ତଥା ଦମଦାର ସ୍ଥାନ ଅଧିକାର କରିବାର ହକ୍ ରଖେ। ଏହା ପାଇଁ କୌଣସି ବୈଦେଶିକ ଶକ୍ତି ଉପରେ ଆମର ବିଶେଷ ନିର୍ଭର କରିବା ଆବଶ୍ୟକ ନାହିଁ। ଆମେ ସେଇ ସ୍ବତନ୍ତ୍ର ସ୍ଥାନ ପାଇଁ ସତତ ଚେଷ୍ଟାରତ। ଆହୁରି ମଧ୍ୟ ୟୁକ୍ରେନ-ଋଷିଆ ଯୁଦ୍ଧ ଉପରେ କହିବା ସମୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଭାରତ ଏହି ଯୁଦ୍ଧକୁ କେବଳ ତଟସ୍ଥ ହୋଇ ଚାହିଁ ରହି ନାହିଁ। ଉଭୟ ଦେଶ ମଧ୍ୟରେ ଯେଉଁ ଦେଶ, ଶାନ୍ତି ଓ ମୈତ୍ରୀର ରାସ୍ତାରେ ଚାଲିବ, ଭାରତ ତା' ସପକ୍ଷରେ ରହିବ। ସେହିପରି ଚୀନ୍-ଭାରତ ସୀମା ବିବାଦ ଉପରେ ଶ୍ରୀ ମୋଦି କହିଛନ୍ତି ଯେ, ଦ୍ବିପାକ୍ଷିକ ଆଲୋଚନା ପାଇଁ ପ୍ରଥମେ ଭାରତ-ଚୀନ ସୀମାରେ ଦୀର୍ଘମିଆଦୀ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରହିବା ଜରୁରୀ। ମାର୍ଚ୍ଚ ମାସର ଲେଖା ପରି WSJର ଏହି ସାକ୍ଷାତକାରଟି ମଧ୍ୟ ଖୁବ୍ share କରାଗଲା, ଛପାଗଲା, ଆଉ ତା' ଉପରେ ଆଲୋଚନା ହେଲା। ଆଉ ଏହି ସବୁ ଆଲୋଚନା ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯାଇ ଆମେରିକାରେ ପହଞ୍ଚିଲେ।
ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର ସମ୍ପୂର୍ଣ୍ଣ ବିବରଣୀ ତ ଭାରତର ମୁଖ୍ୟ ଧାରାର ମିଡିଆ ଏବଂ ସୋସିଆଲ ମିଡିଆର ଅନେକ ପ୍ଲାଟଫର୍ମରେ ପ୍ରଚାର କରାଗଲା। ଏମିତିକି ଇଣ୍ଡିଆ ଟୁଡେ ଚ୍ୟାନେଲର ଧାରାବିବରଣୀ ବା ଲାଇଭ୍ ପ୍ରସାରଣ ମଧ୍ୟ ମୁଁ ଲକ୍ଷ୍ୟ କରିଛି (ଅନ୍ୟ କେହି ଚ୍ୟାନେଲ ବି କରିଥିବେ ମୁଁ ଦେଖିନି)। ଆମ ଦେଶର so called mainstream media ବା ପ୍ରମୁଖ ନ୍ୟୁଜ୍ ଚ୍ୟାନେଲର ସାମ୍ବାଦିକ ଆମେରିକାରେ ପହଞ୍ଚି ସେଉଠୁ ରିପୋର୍ଟି° କରିବା ମଧ୍ୟ ଆପଣ ଲକ୍ଷ୍ୟ କରିଥିବେ। ହେଲେ ଏ ସବୁ ସଭା, ଭାଷଣ, ଯୋଗ ସମାରୋହ, ଡିନର୍/ ରାତ୍ରିଭୋଜନ ସହ ଆଉ ଗୋଟିଏ କଥା ଯାହା ଆଲୋଚନାର ମୁଖ୍ୟ ବିଷୟବସ୍ତୁ ହୋଇଗଲା, ତାହା ହେଉଛି ହ୍ବାଇଟ୍-ହାଉସର ପ୍ରେସ୍ କନ୍ଫରେନ୍ସ ବା ସାମ୍ବାଦିକ ସମ୍ମିଳନୀ।
ହ୍ବାଇଟ୍-ହାଉସର ପରମ୍ପରା ଅନୁସାରେ ସେଠାକୁ ଆସୁଥିବା ପ୍ରତ୍ୟେକ ବୈଦେଶିକ ଅତିଥି, କାର୍ଯ୍ୟକ୍ରମ ଶେଷରେ ଗୋଟିଏ ଔପଚାରିକ ସାମ୍ବାଦିକ ସମ୍ମିଳନୀ କରନ୍ତି। ଏଥିରେ ଉଭୟ ଦେଶର ପ୍ରତିନିଧି ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି। ସୂଚନା ଅନୁସାରେ ଯଦିଓ ପ୍ରଥମେ ଭାରତୀୟ ଅଧିକାରୀ ମାନେ ଏହି ସାମ୍ବାଦିକ ସମ୍ମିଳନୀ ପାଇଁ ଅରାଜି ହୋଇଥିଲେ (୨୭ଜୁନ୍ ୨୦୨୩ରେ ଦ ହିନ୍ଦୁରେ ପ୍ରକାଶିତ ଏକ ଖବର ଅନୁସାରେ), କିନ୍ତୁ ଯେତେବେଳେ ଏହା ହ୍ବାଇଟ୍ ହାଉସର ଅନିବାର୍ଯ୍ୟ ନିୟମ ଓ ପରମ୍ପରା ବୋଲି ଜଣାଗଲା, ସେତେବେଳେ ପ୍ରଧାନମନ୍ତ୍ରୀ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ ବୋଲି ସମ୍ମତି ଦେଇଥିଲେ। ଏଥିପାଇଁ କେବଳ ଦୁଇଜଣ ସାମ୍ବାଦିକଙ୍କୁ ପ୍ରଶ୍ନ ପଚାରିବା ପାଇଁ ଅନୁମତି ଦିଆଗଲା। ସେଥିରୁ ଜଣେ ଭାରତୀୟ ଏବଂ ଅନ୍ୟ ଜଣେ ଆମେରିକୀୟ ସାମ୍ବାଦିକ। ଯେଉଁ ଆମେରିକୀୟ ସାମ୍ବାଦିକଙ୍କୁ ପ୍ରଶ୍ନ ପଚରାଯିବା ପାଇଁ ବଛାଗଲା ସେ ସେହି WSJର ସାମ୍ବାଦିକ ଥିଲେ, ଯେଉଁ ସ°ସ୍ଥା ଗତ ମାର୍ଚ୍ଚ ମାସରେ ଭାଜପାକୁ ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଜନୈତିକ ଦଳର ଆଖ୍ୟା ଦେଇଥିଲା ଏବଂ ଯିଏ ୨୦ ଜୁନରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାର ଛାପିଥିଲା। ଏହି ପ୍ରେସ୍ କନ୍ଫରେନ୍ସରେ WSJର ହ୍ବାଇଟ୍-ହାଉସ ପ୍ରତିନିଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିଲେ। ୨୨ ଜୁନର ଏହି ପ୍ରେସ୍ କନ୍ଫରେନ୍ସରେ WSJ ପ୍ରତିନିଧିଙ୍କ ପ୍ରଶ୍ନ ଥିଲା: “India has long prided itself as the world’s largest democracy, but there are many human rights groups who say that your government has discriminated against religious minorities and sought to silence its critics. As you stand here in the East Room of the White House, where so many world leaders have made commitments to protecting democracy, what steps are you and your government willing to take to improve the rights of Muslims and other minorities in your country and to uphold free speech?” (ବର୍ଷ ବର୍ଷ ଧରି ଭାରତ, ବିଶ୍ବର ସର୍ବବୃହତ୍ ଗଣତନ୍ତ୍ର ଭାବରେ ଗର୍ବିତ ଅନୁଭବ କରି ଆସୁଥିବା ବେଳେ, ଅନେକ ମାନବାଧିକାର ହିତରେ କାମ କରୁଥିବା ପତିଷ୍ଠାନ ମାନେ ସମାଲୋଚନା କରୁଛନ୍ତି ଯେ ବର୍ତ୍ତମାନ ଆପଣଙ୍କ ଦଳର ସରକାର ଭାରତରେ ସ°ଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ଭେଦଭାବ, ଅସହିଷ୍ଣୁତା ପୂର୍ଣ୍ଣ ବ୍ୟବହାର ଏବଂ ସରକାରଙ୍କ ସମାଲୋଚନା କରୁଥିବା ଶକ୍ତି ମାନଙ୍କୁ ଚୁପ୍ କରାଇଦେବା ପାଇଁ ଚେଷ୍ଟା କରୁଛି। ଆଜି ଯେତେବେଳେ ଆପଣ ହ୍ବାଇଟ୍-ହାଉସର ଇଷ୍ଟ ରୁମରେ ଛିଡା ହୋଇଛନ୍ତି, ଯେଉଁଠି ବିଶ୍ବର ଅନେକ ନେତା ବା ଲିଡର ଗଣତନ୍ତ୍ରକୁ ସର୍ବଦା ଅକ୍ଷୁଣ୍ଣ ରଖିବା ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି, ସେଠି ଆପଣଙ୍କ ସରକାର ଭାରତରେ ମୁସଲମାନ ସମ୍ପ୍ରଦାୟର ମାନବ ଅଧିକାରର ଏବଂ ବାକ୍ ସ୍ବାଧୀନତା (freedom of speech/ press freedom) ଅଧିକାରର ସୁରକ୍ଷା ପାଇଁ କ'ଣ ପଦକ୍ଷେପ ନେବେ ବୋଲି ନିଶ୍ଚିତ କରିଛନ୍ତି?)
ସାମ୍ବାଦିକଙ୍କ ପ୍ରଶ୍ନର ପ୍ରଥମ ଧାଡି ଉପରେ ପ୍ରଧାନମନ୍ତ୍ରୀ ଆଶ୍ଚର୍ଯ୍ୟ ପ୍ରକଟ କରି କହିଲେ- ଭାରତକୁ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି ଦାବି କରାଯାଏନି, ଏହା ଗଣତାନ୍ତ୍ରିକ ରାଷ୍ଟ୍ର ଅଟେ (କିନ୍ତୁ ପ୍ରଶ୍ନରେ ଭାରତର ଗଣତାନ୍ତ୍ରିକ ରାଷ୍ଟ୍ର ହେବା ଉପରେ ପ୍ରଶ୍ନ ଚିହ୍ନ ନଥିଲା)। ଏହା ପରର ଉତ୍ତର ହୁଏତ ସେଇ ପରିସ୍ଥିତି, ବିଶ୍ବ ଆଗରେ ଆମ ଦେଶର ସମ୍ମାନ ଏବଂ ଡିପ୍ଲୋମାଟିକ୍ ଦୃଷ୍ଟିକୋଣରୁ ସର୍ବୋତ୍ତମ ଥିଲା, "ଭାରତ ଏବଂ ଆମେରିକା ଉଭୟଙ୍କର DNA ରେ ଗଣତନ୍ତ୍ର ଅଛି, ଗଣତନ୍ତ୍ର ଆମର ଆତ୍ମାର ଅ°ଶ, ଏହା ରକ୍ତ ହୋଇ ଆମ ଶିରାପ୍ରଶିରାରେ ପ୍ରବାହିତ ହୁଏ। ଆମେ ଏହି ଗଣତନ୍ତ୍ରକୁ ବଞ୍ଚୁ, ଯାହା ଆମର ପୂର୍ବପୁରୁଷ ମାନେ ସମ୍ବିଧାନ ଆକାରରେ ଆମ ପାଇଁ ଲେଖି ଯାଇଛନ୍ତି (କିନ୍ତୁ ଆଶ୍ଚର୍ଯ୍ୟକର ଭାବରେ ଭାରତ ଭିତରେ ପ୍ରଧାନମନ୍ତ୍ରୀଙ୍କ ଦଳର ସଭ୍ୟମାନେ ପ୍ରତିଦିନ ସେଇ ସମ୍ବିଧାନ ଲେଖିଥିବା ପୂର୍ବପୁରୁଷଙ୍କ ଉପରେ ଯାବତୀୟ ଆରୋପ, ଲାଞ୍ଛନା ଲଗାଇ ଅପମାନିତ କରନ୍ତି; ଯେଉଁ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଆଗରେ ପ୍ରତି ବିଦେଶ ଗସ୍ତରେ ନତମସ୍ତକ ହୋଇ ଆମ ପ୍ରଧାନମନ୍ତ୍ରୀ ପ୍ରଣାମ କରନ୍ତି ସେଇ ମହାତ୍ମା ଗାନ୍ଧୀଙ୍କ ପ୍ରତିଛବି ଉପରେ ଗୁଳି ଚଲାଇ ପ୍ରଧାନମନ୍ତ୍ରୀଙ୍କ ଦଳର ସା°ସଦ ତାଙ୍କ ହତ୍ୟାକାରୀର ଜୟ ଜୟକାର କରନ୍ତି ଏବଂ ତାଙ୍କର କିଛି ସମର୍ଥକ ଗାନ୍ଧିଜୀଙ୍କ ନାଁ ରେ ଦେଶରେ ଶାନ୍ତି ପୁରସ୍କାର ରହିବା କଥା ନୁହେଁ ବୋଲି ଦାବି କରନ୍ତି)। ଆମ ଦେଶର ଗଣତନ୍ତ୍ରରେ ଭେଦଭାବର ପ୍ରଶ୍ନ ହିଁ ନାହିଁ। ଆଉ ଏହା ଆମ ଦଳର ସରକାର ତା'ର କାର୍ଯ୍ୟ ଦ୍ବାରା ପ୍ରମାଣିତ କରିଛି। ଆମ ଦେଶରେ ସମସ୍ତ ସରକାରୀ ସାମାଜିକ ସୁରକ୍ଷା ଏବଂ ଉନ୍ନୟନମୂଳକ ଯୋଜନାର ଲାଭ ପ୍ରତ୍ୟେକ ନାଗରିକ ପାଇଁ ଉପଲବ୍ଧ ଅଛି। ଏହା କୌଣସି ଜାତି, ଧର୍ମ, ବର୍ଣ୍ଣ କିମ୍ବା ଲିଙ୍ଗଗତ ଭେଦ ଦେଖେ ନାହିଁ। ଆମେ ଭାରତରେ "ସବକା ସାଥ, ସବକା ବିକାଶ"ରେ ବିଶ୍ୱାସ ରଖୁ।"
ଅନ୍ୟ ଯେକୌଣସି ସାମ୍ବାଦିକ ସମ୍ମିଳନୀ ପରି ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ନ୍ୟୁଜ୍ ଚ୍ୟାନେଲ୍ ଏବଂ ଖବରକାଗଜରେ ଏହାର ବିବରଣୀ, ଆଲୋଚନା, ସମାଲୋଚନା, ଭାବାର୍ଥ ପ୍ରକାଶ ପାଇବା ସ୍ବାଭାବିକ କଥା। କିନ୍ତୁ ଆମ ଦେଶରେ ଆଉ ଗୋଟିଏ ବିଶେଷ ବାତାବରଣ ମଧ୍ୟ ସୃଷ୍ଟି ହୋଇଥିଲା। ଭାରତୀୟ ଜନତା ପାର୍ଟିର ଆଇଟି ସେଲରୁ ଆରମ୍ଭ କରି ଅନ୍ୟ କିଛି ସମର୍ଥକ ତୁରନ୍ତ WSJର ସାମ୍ବାଦିକଙ୍କ ଉପରେ ପର୍ସନାଲ୍ ଆଟାକ୍ ଏବଂ ସୋସିଆଲ ମିଡିଆରେ ଟ୍ରୋଲ୍ କରିବା ଆରମ୍ଭ କରିଦେଇଥିଲେ। ସାଙ୍ଗେସାଙ୍ଗେ ତାଙ୍କ ଧର୍ମ ଏବଂ ତାଙ୍କ ମା' ପାକିସ୍ତାନୀ ବୋଲି ସେ ପ୍ରଧାନମନ୍ତ୍ରୀଙ୍କୁ 'ଏଜେଣ୍ଡା' ପ୍ରଶ୍ନ ପଚାରିଛନ୍ତି ଏବଂ ଏମିତି ଆହୁରି ଅନେକ ଅପପ୍ରଚାର କରି ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରାଗଲା। ୨୮ ଜୁନ୍, ୨୦୨୩ରେ Zee Newsର ଡିଜିଟାଲ ପେଜରେ ପ୍ରକାଶ ପାଇଥିବା ଗୋଟିଏ ଖବରରେ ଲେଖା ଯାଇଛି ଯେ ଉକ୍ତ ସାମ୍ବାଦିକଙ୍କୁ ଅନଲାଇନ୍ ଟ୍ରୋଲି° ଏବଂ ଟ୍ବିଟରରେ ହାରାସମେଣ୍ଟର ସାମନା କରିବାକୁ ପଡୁଛି। ଏ ଭିତରେ ଆପଣମାନେ ମଧ୍ୟ ଜାଣି ସାରିବେଣି ଯେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିବା WSJର ସେହି ସାମ୍ବାଦିକଙ୍କ ନାଁ ହେଉଛି ସବ୍ରିନା ସିଦ୍ଦିକି। WSJରେ ତାଙ୍କ ପ୍ରୋଫାଇଲରେ ଲେଖା ଅଛି ଯେ ସେ ୨୦୧୯ରୁ WSJର ହ୍ବାଇଟ୍-ହାଉସ୍ ସମ୍ବାଦଦାତା ଏବଂ Biden Precidencyକୁ କଭର କରନ୍ତି। ଏହା ପୂର୍ବରୁ ସେ The Guardian ପାଇଁ ହ୍ବାଇଟ୍-ହାଉସ୍ ସମ୍ବାଦଦାତା ଥିଲେ ଏବଂ ୨୦୧୬ର ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ କଭର କରିଥିଲେ। ତାଙ୍କ ବାପା ଭାରତୀୟ ମୂଳର। ୨୨ଜୁନରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ପରେ ତାଙ୍କୁ କିଛି ଭାରତୀୟଙ୍କ ଦ୍ବାରା ଏତେ ମାତ୍ରାରେ ଟ୍ରୋଲ୍ ଏବଂ ହାରାସ୍ କରାଯାଇଥିଲା ଯେ, ସେ ବାଧ୍ୟ ହୋଇ ନିଜ ଫେସବୁକରେ କିଛି ବର୍ଷ ତଳର ଗୋଟିଏ ପୋଷ୍ଟକୁ ରିସେୟାର କରିଥିଲେ, ଯେଉଁଥିରେ ସେ ନିଜ ବାପାଙ୍କ ସହ ଭାରତୀୟ କ୍ରିକେଟ ଟିମର ଜର୍ସି ପିନ୍ଧି ବସି ମ୍ୟାଚ୍ ଦେଖିବା ସହ, ଭାରତୀୟ ଟିମର ବିଜୟ କାମନା କରୁଛନ୍ତି। ହ୍ବାଇଟ୍-ହାଉସ୍ ପ୍ରେସ୍ କନ୍ଫରେନ୍ସ ପରେ ଭାଜପା ସମର୍ଥକଙ୍କ ଦ୍ବାରା ସବ୍ରିନା ସିଦ୍ଦିକିଙ୍କ ପ୍ରତି ପରିବେଷଣ କରାଯାଇଥିବା ଆଚରଣ ଏବଂ ବ୍ୟବହାର ହୁଏତ ସେମାନଙ୍କ ପାଇଁ ଦଳ ପ୍ରତି ନିଜର ବିଶ୍ବସନୀୟତା ସାବ୍ୟସ୍ତ କରିବାର ଗୋଟିଏ ପକୃଷ୍ଟ ମାଧ୍ୟମ। କିନ୍ତୁ ନିଜର ଏହି ଆଚରଣ ଦ୍ବାରା ଯେ ସେମାନେ ସବ୍ରିନା ଏବଂ ତାଙ୍କ ପରି ବିଶ୍ବର ଅନେକଙ୍କ ମନରେ ବର୍ତ୍ତମାନ ଭାରତକୁ ନେଇ ସୃଷ୍ଟି ହୋଇଥିବା ଧାରଣା ତଥା ସବ୍ରିନାଙ୍କ ପ୍ରଶ୍ନକୁ ଏକଦମ୍ ଠିକ୍ ସାବ୍ୟସ୍ତ କରୁଛନ୍ତି ତାହା ବୁଝିପାରୁ ନାହାନ୍ତି କିମ୍ବା ଆମ ଦେଶ ଭାରତ ପ୍ରତି ସେମାନଙ୍କର ସେତିକି ସମ୍ବେଦନଶୀଳତା ନାହିଁ। ଖାଲି ସବ୍ରିନା ସିଦ୍ଦିକି ନୁହନ୍ତି, ଭାଜପା ସମର୍ଥକ ଏବଂ କିଛି ସା°ସଦଙ୍କ ଦ୍ବାରା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ମଧ୍ୟ ସମାଲୋଚନା ତଥା ଭର୍ତ୍ସନାର ଶିକାର ହୋଇଛନ୍ତି। ଓବାମାଙ୍କ ବର୍ତ୍ତମାନ ଭାରତୀୟ ସମାଜରେ ଧାର୍ମିକ ଅସହିଷ୍ଣୁତା ଏବଂ ସ°ଖ୍ୟାଲଘୁଙ୍କ ସୁରକ୍ଷା ପ୍ରତି ଧ୍ୟାନ ନଦିଆଗଲେ ତାହା ଭାରତୀୟ ସମାଜରେ ଆହୁରି ବିଭାଜନ ସୃଷ୍ଟି କରିବା ସହ ଉଭୟ ମୁସଲମାନ ଭାରତୀୟ ଏବଂ ହିନ୍ଦୁ ଭାରତୀୟଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ, ଏହି ଟିପ୍ପଣୀକୁ ସମାଲୋଚନା କରିବାକୁ ଯାଇ ଉତ୍ତରରେ ସେ ରାଷ୍ଟ୍ରପତି ଥିବା ସମୟରେ ମୁସଲମାନ ରାଷ୍ଟ୍ର ଉପରେ ବୋମା ଆକ୍ରମଣ କରାଇଥିବା ଆରୋପ ଲଗାଯାଇଛି। ସେ WSJର ସାମ୍ବାଦିକ ସବ୍ରିନା ହୁଅନ୍ତୁ କିମ୍ବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା, ଉଭୟଙ୍କ ଉପରେ ହେଉଥିବା ଏ ପ୍ରକାର ଟିକ୍କା-ଟିପ୍ପଣୀ କେବଳ ସେହି ମୁଷ୍ଟିମେୟ ଲୋକଙ୍କର ଶାସକ ଦଳ ପ୍ରତି ବିଶ୍ବସନୀୟତା ପ୍ରମାଣିତ କରୁନି ବର° ସେ ଦୁଇଜଣ ଏବଂ ବିଶ୍ବରେ ଉଠିଥିବା ଆମ ପାଇଁ ପ୍ରଶ୍ନ ଏବଂ ଆରୋପକୁ ମଧ୍ୟ ସତ ପ୍ରମାଣିତ କରୁଛି ଏବଂ ହ୍ବାଇଟ୍-ହାଉସରେ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଦିଆଯାଇଥିବା ଉତ୍ତର କେବଳ ଡିପ୍ଲୋମାଟିକ୍ କାରଣରୁ ଥିଲା ବୋଲି ଜଣେଇ ଦେଉଛି।
ହେଲେ ଅନଲାଇନ୍ ବା ସୋସିଆଲ ମିଡ଼ିଆରେ WSJକୁ ନେଇ ସମାଲୋଚନା, ଆରୋପ, ଅପପ୍ରଚାର କେବଳ ସବ୍ରିନାଙ୍କ ଧର୍ମୀୟ ବିଶ୍ୱାସ ପାଖରେ ଅଟକି ନାହିଁ। WSJକୁ ନେଇ ଅପଚର୍ଚ୍ଚା ପୁଣି ସଦାନନ୍ଦ ଧୁମେଙ୍କ ଲିଖିତ ଆର୍ଟିକଲ୍ "Can America Rely on Modi’s India?" କୁ ନେଇ ଉଠିଥିଲା। ସଦାନନ୍ଦ ଧୁମେ ଭାରତ ଏବଂ ଦକ୍ଷିଣ ଏସିଆର ରାଜନୈତିକ, ଅର୍ଥନୀତି ଏବଂ ବୈଦେଶିକନୀତି ବିଶେଷଜ୍ଞ ଅଟନ୍ତି। ଏଥର ଯଦିଓ ଲେଖକଙ୍କର ଧର୍ମକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇନଥିଲା କିନ୍ତୁ WSJର ଜର୍ଜ ସୋରସଙ୍କ ଦ୍ବାରା ଫଣ୍ଡି° ହେଉଥିବାରୁ ଏପ୍ରକାର ଭାରତ ବିରୋଧୀ ଲେଖାମାନ ପ୍ରକାଶ କରୁଛି ବୋଲି ଟ୍ବିଟରରେ ଦାବି କରା ଯାଇଥିଲା। ଅବଶ୍ୟ ସଦାନନ୍ଦ ଧୁମେଙ୍କ ଦ୍ବାରା ଏହାର ଠୋସ୍ ଉତ୍ତର ଏବଂ WSJ କୌଣସି ପ୍ରକାରେ ଜର୍ଜ ସୋରସଙ୍କ (ସୋରସ୍ Open Society Foundation ମାଧ୍ୟମରେ progressive ଏବଂ liberal ଚିନ୍ତାଧାରାର ରାଜନୀତି ଏବଂ ଗଣତନ୍ତ୍ରକୁ ସପୋର୍ଟ କରନ୍ତି, ବିଭିନ୍ନ ସମୟରେ ଡୋନେସନ୍ ଦେଇଥା'ନ୍ତି। ତାଙ୍କର ଜନ୍ମ ଗୋଟିଏ ହଙ୍ଗେରିଆନ୍ ୟୁହୁଦି ପରିବାରରେ ହୋଇଥିଲା ଏବଂ ସେ ହିଟଲରଙ୍କ ହଲୋକଷ୍ଟରେ ମୃତ୍ୟୁରୁ ବଞ୍ଚିଯାଇଥିବା କିଛି ୟୁହୁଦି ମାନଙ୍କ ମଧ୍ୟରୁ ଜଣେ। ଯେହେତୁ ସେ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ହିଟଲରଙ୍କ ଅତ୍ୟାଚାରକୁ ଅଙ୍ଗେ ନିଭାଇଛନ୍ତି, ତେଣୁ ସେ ସବୁବେଳେ ଏକଛତ୍ରବାଦର ବିରୋଧ ଏବଂ ଗଣତନ୍ତ୍ରକୁ ମଜବୁତ କରିବା ପାଇଁ କାମ କରନ୍ତି) ଦ୍ବାରା ଫଣ୍ଡେଡ୍ ନୁହେଁ ପ୍ରମାଣିତ ହେବା ପରେ ଆରୋପ ଲଗାଯାଇଥିବା ଟ୍ବିଟ୍ ଗୁଡିକୁ ଡିଲିଟ୍ କରି ଦିଆ ଯାଇଥିଲା। କିନ୍ତୁ ଏସବୁ ଭିତରେ ଅଳ୍ପ କେତେକ ହାତ ଗଣତି ଲୋକଙ୍କ ବିଚାରହୀନ ଅପପ୍ରଚାର ପାଇଁ ସମ୍ପୂର୍ଣ୍ଣ ବିଶ୍ବରେ ଭାରତର କି ପ୍ରକାର ବଦନାମ ହେଉଛି ତାହା ବୋଧେ କେହି ଲକ୍ଷ୍ୟ କଲେ ନାହିଁ! କେବଳ ଏଇ ଗତ ସପ୍ତାହେ-ଦଶ ଦିନର ବିଭିନ୍ନ ବିଶ୍ବସ୍ତରୀୟ ଗଣମାଧ୍ୟମ (WSJ, The Guardian,The Washington Post, Hindustan Times, Al Jazeera, Reuters, Business Standard ଆହୁରି ଅନେକ) ରେ ପ୍ରକାଶିତ ବିଭିନ୍ନ ଆଲେଖ୍ୟକୁ ଦେଖିଲେ, ପଢିଲେ ଆଖି ଲାଜରେ ନଇଁ ଯାଏ। ଆମ ଦେଶର ସମାଲୋଚନା କେବଳ ଏଇଠି ଅଟକି ଯାଇ ନାହିଁ। ହ୍ବାଇଟ୍-ହାଉସରେ ପ୍ରତିଦିନ ସନ୍ଧ୍ୟାରେ ହେଉଥିବା ପ୍ରେସ୍ ବ୍ରିଫି°ରେ ଭାରତୀୟ ଗଣମାଧ୍ୟମ ତଥା ଅନଲାଇନ୍ ପ୍ଲାଟଫର୍ମ ଗୁଡିକରେ ସବ୍ରିନା ସିଦ୍ଦିକିଙ୍କୁ ଟ୍ରୋଲ୍ ଏବଂ ହାରାସମେଣ୍ଟର ସାମନା କରିବାକୁ ପଡିଛି ଏବଂ ଏହାକୁ ନେଇ ଆମେରିକାର ମତକୁ ନେଇ ୨୬ ଜୁନରେ ପ୍ରଶ୍ନ କରାଯାଇଛି। ଏହି ପ୍ରଶ୍ନର ଉତ୍ତର ଦେଇ Mr Kirby (Coordinator for Strategic Communications at the National Security Council in the White House) କହିଥିଲେ "It’s unacceptable, and we absolutely condemn any harassment of journalists anywhere under any circumstances"। ଆହୁରି ମଧ୍ୟ ଏହାର ଉତ୍ତର ଦେଇ ହ୍ବାଇଟ୍-ହାଉସ୍ ପ୍ରେସ୍ ସେକ୍ରେଟାରୀ Ms. Jean-Pierre କହିଥିଲେ "We’re committed to the freedom of the press, which is why we had the press conference last week"। ସେ ଆହୁରି ମଧ୍ୟ ଯୋଡିଥିଲେ ଯେ, “We certainly condemn any efforts of intimidation or harassment of any journalist that is trying to do their job"। ଏଇ ଦୁଇଜଣଙ୍କ ଉତ୍ତରର ଅର୍ଥ ହେଉଛି- ସେହି ମୁଷ୍ଟିମେୟ ଟ୍ରୋଲର୍ ଭାରତୀୟ ସୋସିଆଲ ମିଡିଆରେ ଘଟାଉଥିବା କାର୍ଯ୍ୟକଳାପ ଏବଂ ବର୍ତ୍ତମାନ ଭାରତରେ ଘଟୁଥିବା ସମସ୍ତ ଘଟଣାବଳୀ ଉପରେ ସମଗ୍ର ବିଶ୍ବ ନଜର ରଖିଛି ଓ ଅବଗତ ଅଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତରୁ ଫେରିବା ପରେ ଆମେରିକା ତରଫରୁ କୁହାଯାଉଛି ଯେ ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଏ ପ୍ରକାର ହାରାସମେଣ୍ଟର ଆମେରିକା ତୀବ୍ର ସମାଲୋଚନା ଓ ଭର୍ତ୍ସନା କରୁଛି।
ସେ ସବ୍ରିନା ସିଦ୍ଦିକି ହୁଅନ୍ତୁ କିମ୍ବା ବାରାକ୍ ଓବାମା କିମ୍ବା ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍……ସୋସିଆଲ ମାଡିଆରେ ଦୁଇ-ଚାରିଟା ଫଟୋ ଯୋଡି, ଦୁଇ ଲାଇନ୍ ଲେଖିଦେଇ ପୋଷ୍ଟ କରିଦେଲେ ସେମାନଙ୍କର ବର୍ଷ ବର୍ଷ ପରିଶ୍ରମରେ ତିଆରି ସମ୍ମାନ ଏବଂ ସାମାଜିକ ପ୍ରତିଷ୍ଠା ସତରେ କ୍ଷୁଣ୍ଣ ହେଉଛି କି ନାହିଁ ମୋତେ ଜଣା ନାହିଁ କିନ୍ତୁ ହଁ, ଏହା ଦ୍ବାରା ବିଶ୍ବ ସାମ୍ନାରେ ଆମ ଦେଶର ବର୍ତ୍ତମାନରେ ପ୍ରଚଳିତ ବ୍ୟବସ୍ଥାର ଯେ ବଦନାମୀ ହେଉଛି ସେଥିରେ କୌଣସି ସନ୍ଦେହ ନାହିଁ। ଅବଶ୍ୟ ମୁଁ ବିଲକୁଲ୍ ନିଶ୍ଚିତ ଯେ, ଏଇ ଅନଲାଇନ୍ ଟ୍ରୋଲି° ଏବଂ ହାରାସମେଣ୍ଟ କରୁଥିବା ବ୍ୟକ୍ତିମାନେ ଯେ କେବେ ଏହାର ପରିଣାମ ଏବଂ ଏହା ଦ୍ବାରା ବିଶ୍ବରେ ଭାରତକୁ ନେଇ କି ପ୍ରକାର ଚିତ୍ର ତିଆରି ହେଉଛି ସେ ବିଷୟରେ ଭାବୁ ନଥିବେ। ଆଜିର ଏ ପରିସ୍ଥିତିର ଭବିଷ୍ୟତରେ ଭାରତର ବୈଦେଶିକ ସମ୍ପର୍କ ଉପରେ କ'ଣ ପ୍ରଭାବ ରହିବ, ଏହା ଭାବି ପାରିବା ପରି ସେମାନଙ୍କର ଦୂରଦୃଷ୍ଟି ନାହିଁ ବୋଲି ମୁଁ ସମ୍ପୂର୍ଣ୍ଣ ନିଶ୍ଚିତ। ନହେଲେ ୨୦ ମାର୍ଚ୍ଚ, ୨୦୨୩ରେ WSJର ଆଲେଖ୍ୟକୁ ଗର୍ବରେ ସେୟାର କରିବା ପୂର୍ବରୁ ନିହାତି ଭାବିଥାନ୍ତେ, କାରଣ ସେଇ ଲେଖାର ଦ୍ୱିତୀୟାର୍ଦ୍ଧରେ ହିଁ ଲେଖା ହୋଇଥିଲା ଯେ, “Like the Muslim Brotherhood, the BJP rejects many ideas and priorities of Western liberalism even as it embraces key features of modernity. Like the Chinese Communist Party, the BJP hopes to lead a nation with more than a billion people to become a global superpower. Like the Likud Party in Israel, the BJP combines a basically pro-market economic stance with populist rhetoric and traditionalist values, even as it channels the anger of those who’ve felt excluded and despised by a cosmopolitan, Western-focused cultural and political elite"। ଅର୍ଥାତ ଖୁବ୍ ସର୍ନ୍ତପଣରେ ସେବେ ମଧ୍ୟ WSJରେ ଭାଜପାର କାର୍ଯ୍ୟ ଶୈଳୀକୁ ବିଶ୍ବର ମୌଳବାଦୀ, ବିଚ୍ଛିନ୍ନତାବାଦୀଙ୍କ ସହ ତୁଳନା କରା ଯାଇଥିଲା। କେବଳ ମାର୍ଚ୍ଚ ୨୦ କିମ୍ବା ଏଇ ଜୁନରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ନୁହେଁ, ପ୍ରାୟ ପ୍ରତ୍ୟେକ ଦିନ ବିଶ୍ବର ବିଭିନ୍ନ ଖବରକାଗଜ ଓ ସେମାନଙ୍କ ଡିଜିଟାଲ ପ୍ଲାଟଫର୍ମରେ ଭାରତର ଗଣତନ୍ତ୍ରକୁ ନେଇ ପ୍ରଶ୍ନ ଉଠୁଛି। ୨୦୨୧ରେ ପ୍ରକାଶିତ Global Democracy Index ରେ ଆମ ଦେଶ ଭାରତକୁ Partially Democratic Country (ଆ°ଶିକ ଗଣତାନ୍ତ୍ରିକ ରାଷ୍ଟ୍ର) ଏବଂ Flawed Democracy (ତୃଟିପୂର୍ଣ୍ଣ ଗଣତନ୍ତ୍ର) categoryରେ ଅର୍ନ୍ତଭୁକ୍ତ କରା ଯାଇଛି। ସେହିପରି V-Dem Institute, Sweden ରୁ ପ୍ରକାଶିତ ରିପୋର୍ଟରେ ଭାରତକୁ Electoral Autocracy ବୋଲି ଦର୍ଶାଯାଇଛି। The Global State of Democratic ରିପୋର୍ଟ ଅନସାରେ ୨୦୨୦ରେ ଭାରତର score ବା representative government score ୬୧କୁ ଖସି ଆସିଛି, ଯାହା ୧୯୭୫ର ଇନ୍ଦିରା ଗାନ୍ଧୀଙ୍କ ଶାସନ କାଳର emergency ସମୟର score ସହ ପାଖାପାଖି ସମାନ ଅଟେ। ଏ ସବୁ ତଥ୍ୟକୁ ନେଇ ବିଭିନ୍ନ ଲେଖା ବିଭିନ୍ନ ବିଶ୍ବସ୍ତରୀୟ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଛି ଆଉ ବାରମ୍ବାର ଏହି ସବୁ ରିପୋର୍ଟକୁ ବୈଦେଶିକ ଶକ୍ତି ମାନଙ୍କର ଭାରତ ବିରୋଧରେ ଷଡ଼ଯନ୍ତ୍ର ବୋଲି ଆଖ୍ୟା ଦିଆଯାଉଛି (ଆପଣ ନିଜେ ବି ଚାହିଁଲେ ଏ ସବୁ ରିପୋର୍ଟ ଆପଣଙ୍କ ସ୍ମାର୍ଟ ଫୋନରେ ଗୁଗୁଲରେ ସର୍ଚ୍ଚ କରି ପଢି ପାରିବେ)। ହେଲେ ଖାଲି ଷଡ଼ଯନ୍ତ୍ର କହି WSJ ପରି ବୈଦେଶିକ ଗଣମାଧ୍ୟମର ସମାଲୋଚନା କରିବା ବିଶ୍ବ ଆଗରେ ଆମ ଗଣତନ୍ତ୍ର ଉପରେ ଆହୁରି ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି! ସେ ସବ୍ରିନା ସିଦ୍ଦିକିଙ୍କ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବା ହେଉ କିମ୍ବା ହ୍ବାଇଟ୍-ହାଉସ୍ ବାହାରେ ଓ ଆମେରିକାର ଅନେକ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରି ପ୍ରଦର୍ଶନ ହେଉ……ଅପମାନିତ ସବୁଆଡେ ଆମ ଦେଶ ଭାରତ ହିଁ ହେଉଛି!