କବିତାର ଦାଂଡଘର

କବିତାର ଦାଂଡଘର

ଆମ ଓଡ଼ିଆ ସାହିତ୍ୟର ସମାଲୋଚକ  ବିଶେଷ ଭାବରେ ଅଧ୍ୟାପନାରେ ଥିବା ବ୍ୟକ୍ତି ବା ଯିଏ ଆଲୋଚନା ବିଲୋଚନା କରଂତୁ ନା କାଇଁକି, ଭାଷା ପ୍ରତି ନିଜର ଭଲପାଇବା, ସଂବେଦନାକୁ ଜଣାଂତି। ନିଜର ସାମର୍ଥ୍ୟ ବି ଦେଖାଂତି। ବୁଝିପାରିବାର କ୍ଷମତା, ସାଧାରଣତଃ ଆମେ ଭାବୁ,  ଓଡ଼ିଆ ଶିକ୍ଷକମାନଂକର ଅନ୍ଯମାନଂକ ତୁଳନାରେ ଅଧିକ ଏବଂ ଏହା ଭୁଲ ବି ନୁହେଁ,। ଅନ୍ୟ ବିଭାଗର ଶିକ୍ଷକ ଓ ଓଡ଼ିଆ ଶିକ୍ଷକଙ୍କ ଭିତରେ ଆକାଶ ପାତାଳ ଫରକ। ଆମ ଓଡ଼ିଆ ଶିକ୍ଷକ ନିଜ ମାତୃଭାଷା ପାଇଁ ଗର୍ବ କରିପାରେ, କହିପାରେ ବ୍ୟାକରଣ ବା କବିତାର କଥା; କିଂତୁ ଅନ୍ୟ ଜଣେ, ଇଂରାଜୀ ଭାଷା ସାହିତ୍ୟର ଶିକ୍ଷକ ଏମିତି ଆଂଟି କରି କହିପାରିବ କି ଆମ ଶବ୍ଦ? ସମାଲୋଚକ ଜଣେ ଇଂରାଜୀ ବା ଯେ କୌଣସି ବିଭାଗର ବା ସାଧାରଣ ହେଇପାରେ। ଦରମା ସମାନ କିଂବା କମ୍ ସ' ମାତୃଭାଷା ସୁରକ୍ଷା, ପ୍ରଚାର ଓ  ପ୍ରସାରର ସଂପର୍କ  ଇ କିଛି ନାଇଁ। ଦ୍ବିତୀୟତଃ, ଜଣେ ଓଡ଼ିଆ ଭାଷା ଶିକ୍ଷାବିତ ହେଇଥିବାରୁ ଓ ସାହିତ୍ୟ ବା ସେଇଭଳି କିଛିକୁ ନେଇ ଆଲୋଚନା କରୁଥିବାରୁ ଆଗ୍ରହ, ଉତ୍ସାହ ଅନ୍ୟ କିଏ ପାଉଥିବାରୁ ତାଂକୁ ଆଲୋଚକ ସମାଲୋଚକ ହିଁ କୁହାଯାଇ ସମ୍ମାନ ଦିଆଯାଉଚି। ତୃତୀୟତଃ, ଯୋଉ ଭାଷା ପାଇଁ ଜଣେ ବେତନ ଭୋଗ କରୁଚି ସେଥିପାଇଁ ସେ ସେଇ ଭାଷାର ଉନ୍ନତ ପରିଚୟ ପାଇଁ ସାହିତ୍ୟ ସୃଷ୍ଟି ଓ ସର୍ଜନାକୁ ସିଏ ତୁଳନା ବା ପର୍ଯ୍ୟାଲୋଚନା କରିବେ ନାଇଁ କାଇଁକି, ଓ ବାହାରର ଜଣେ ଏଥି ପ୍ରତି ଏତେ ଦୃଷ୍ଟି (ଦେଲେ ଭଲ) ଦେବ କାଇଁକି? ଅନେକ ସୁଶୋଭିତ ମତ ଓ ମଂତବ୍ଯ କଣ ସମାଲୋଚନାଠୁ ଅଧିକ ଗରୁ ହେଇନି କି? କିନ୍ତୁ, ଦାୟବଦ୍ଧତା ହିଁ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ରହିଥିଲା ଓ ରହିବା ଉଚିତ। ଓଡ଼ିଆ ଭାଷାଟି! ସମାଲୋଚନାର ଚାପ ପାଇଁ ଯଦି ବୋହି ନ ପାରି ଜଣେ ବ୍ୟସ୍ତ ତେବେ ସେ ସମାଲୋଚନା ଲେଖିବେ କାଇଁକି? ଜଣକୁ ପଚାଶ ଜଣ ସାହିତ୍ୟ କରୁଥିବା କହିବେ, ଗରିବଗୁରୁବାଂକ  ପରି ବାବୁଂକୁ  ଖୋସାମତ କରିବେ କିଂତୁ ସମାଲୋଚକ ତାଂକ ନିଜ ଆଗ୍ରହ, ନିଜ ବଳ, ନିଜ  ସମୟ, ନିଜ ଜ୍ଞାନ, ନିଜ ଅନ୍ବେଷଣର ସୀମା ଦେଖି  ନିଜକୁ ପ୍ରସ୍ତୁତ କରିବା ଓ ତଦନୁଯାୟୀ ଚାପର ତାପମାତ୍ରା ଭିତରେ କେମିତି ପାଦ ବଢେଇବେ ସେ ଚିଂତା କରିବା  ଉଚିତ।


           ଭାଷାର ଅଧିକାରୀଟି! ଛୋଟମୋଟ ଲୋକ କି! 


           ଚାପ କୋଉଠି ନାଇଁ? କେମିତି ନିଜକୁ ବଦଳେଇହେବ ସେ ବିଷୟରେ ପ୍ରଥମେ ଭାବିବା ଉଚିତ; ଅନ୍ୟ କିଏ ବଦଳିବ ନ ବଦଳିବ ସେ କଥା ପରେ। ଲୋଡ଼ିଦେଲେ କଣ ଯାଇ ପହଂଚି ଯାଉଚି ଜଣେ କି ଫଅଟ? ବଂଧୁବାଂଧବ ଓ କୁଟୁଂବଂକୁ ବି ଏଥିରେ ସାମିଲ କରଂତୁ। ଦେଖିବେ, ସମୁଦାୟ ନିମଂତ୍ରଣ ଭିତରୁ କେଇଟିରେ ଉପସ୍ଥାନ ପଡ଼ିଚ଼ି। ପିଲାଏ ଅନେକ ଅଳି ଅର୍ଦ୍ଦଳି ଗଦା କରଂତି; ପରିବାର ମୁଖିଆ କଣ ସବୁ ଥରକେ ପୂରଣ କରିଦିଅଂତି? ସୁବିଧା, ସମୟ , ସ୍ବାସ୍ଥ୍ୟ ଶିକ୍ଷା ଓ ସାମର୍ଥ୍ୟ ନ ଥିଲେ ଇଛା ଯେମିତି ପୃର୍ଣ୍ଣ ହେଇପାରେ ନାଇଁ ପିଲାଂକର, ସମାଲୋଚନା ବି ସଂଭବ ନୁହେଁ ସେମିତି। କିଂତୁ ଏଥିରେ କହିବାରେ ଦ୍ୱିଧା ନାଇଁ ଯେ ଓଡ଼ିଆ ଭାଷା ପ୍ରତିଷ୍ଠାନରେ, ବିଦ୍ୟାନୁଷ୍ଠାନ ମାନଂକରେ ବେତନ ଭୋଗିଥିବା ଓ ଭୋଗୁଥିବା ଭୋଗୀମାନେ ଅନ୍ୟ ଦଶଜଣଂକ ପରି ନୁହଂତି! କାରଣ ଆମେ ଓଡ଼ିଆ,ଆମ ଭାଷା ଓଡ଼ିଆ, ଆମ ଲେଖା ଓଡ଼ିଆ, ଆମ ପାଠଶାଠ ଓଡ଼ିଆ ଆଉ ଆମ ରାଇଜ ଓଡ଼ିଶା। 


         କାଂଧରୁ ଜୁଆଳି ଖସାଂତୁ ନାଇଁ, ଦୟାକରି। ପ୍ରଶଂସାପୂର୍ଣ୍ଣ ଶବ୍ଦରେ ଲୁହାକୁ ରୂପା କି ରୂପା ରେ ସୁନା ପାଣି ଦେଇ ସୁନା ବୋଲଂତୁ ନାଇଁ। କେତେ ଦିନ ରହିବ ସିଏ? ସମାଲୋଚନାର ଧାର ଆଉ ଗାର ସେଇଠି ଦିଶେ ଯୋଉଠି ସେ ଲୁହାକୁ ଲୁହା କହେ ଓ ଜଣେଇ ଦିଏ ଲୁହାର କାମ, ବଳ ଆଉ କରିସ୍ମା। ଲୁହା ନ ବାଜିଲେ ବିଲ ପରା ତୁଚ୍ଛା ମାଟି। ହଳ ନ ହେଲେ , ଲୁହାର ଦାଗ ନ ଦେଖିଲେ ଧାନ ଫଳିବଟି ! ସବୁ କଥାକୁ ହସି ଉଡ଼େଇ ଦିଅଂତୁ ନାଇଁ। ଦ୍ରୌପଦୀଂକ ହସ ପ୍ରତିଧ୍ଵନି ହେଲା ନାଇଁ; ଧ୍ବନିରୁ ଧ୍ବଂସ ଆଡ଼କୁ ପଳେଇଲା । ଟିକେ ମଗଜରେ ପୂରାଂତୁ।


        ସମର୍ଥନରେ ଯଦି ଠିଆ ହେଇଥାଏ କିଏ ତେବେ ଜାଣିବେ ସମର୍ଥ ଥିଲା ଯାଏଁ ସବୁ ଠିକ୍; ତାପରେ ଗୋବର ଗଣେଶ। ସାମର୍ଥ୍ୟର ଯିଏ ଠିଆ ହେଇଥାଏ, ସିଏ କବି ହେଉ କି ସମାଲୋଚକ,ସିଏ ଧକେଇବ ନାଇଁ, ଡରିବ ନାଇଁ, ପଛେଇଯିବ ନାଇଁ। ସମାଲୋଚକ ନ ଥାଇ କବିଏ ଅଛଂତି, ରହିବେ। କାରଣ, କବିତା ଯଦି କବିତା ହେଇଥାଏ,ସିଏ କବିତା ହେଇ ହିଁ କେମିତି ନା କେମିତି, କୋଉଠି ନା କୋଉଠି ରହିବ। କାରଣ, କବିତାର ମରଣ ନାଇଁ, ଦୁର୍ଭାଗ୍ୟ ବୋଲି କିଛି ତା' କପାଳରେ ନାଇଁ। ଭିଡ଼ ଭିତରେ ହଜିବାର ନାଇଁ। ଭାଗ୍ୟ କେତେବେଳେ ଖୋଲିବ ତାକୁ କି କାହାକୁ ଜଣା ନାଇଁ। ସମାଲୋଚକ ଯୋଉ କବିକୁ ଯେତେ ପ୍ରଶଂସା କରିଥାଏ,ତା  ଯଦି ଚୋରା ବାଲିରେ ଠିଆ ହେଇଥାଏ, ଦିନେ ଧସିଯିବ ତଳକୁ ଓ ବିଚାରର ସମ୍ମୁଖୀନ ହେଇ ବିଚରା ହେଇଯିବ ପ୍ରଶଂସକ। ମିଛଟା ବି ମଲା ପରେ ଜଣାପଡ଼ିବ। ମଲା ପରେ ବି ଲାଜ ତାକୁ ଛାଡ଼ିବ ନାଇଁ। ଢେରା ଦେଇ କେତେ ଦିନ ଚାଳି ଘରକୁ ଠିଆ କରିହେବ?


      ସମୁଦାୟ କବିତାର ଘର ନୁହେଁ; ସମାଲୋଚନା କବିତାର ଦାଂଡଘର। ବସାଉଠା ଗପସପ ଯୋଇଠି ବାହାରର ଲୋକ କରଂତି ଓ ଚାଲିଯାଂତି। 


        ବାସ୍ତବରେ, ଜଣେ ଆଲୋଚ଼କ ବା ସମାଲୋଚ଼କର ଯଦି ଭାଷା ପ୍ରତି ପ୍ରତିବଦ୍ଧତା ନାଇଁ, ଅସ୍ମିତାର ମହକରେ ସେ ଆମୋଦିତ ନୁହେଁ; ସିଏ ଯା' ହେଉ ଆଲୋଚ଼କ ବା ସମାଲୋଚ଼କର ମୁଦି ପିଂଧା ହାତକୁ ଅନ୍ୟମାନଂକ ଆଗରେ ବାରଂବାର ମୁହଁ ପୋଛିବାର କି ବା କାରଣ? ବ୍ୟକ୍ତି ବା କ୍ଷମତା-ବଦ୍ଧତା ପ୍ରତି ଆନୁଗତ୍ୟ ରହିବାର ଲକ୍ଷଣ ଇଏ କି?  ଜାଣିଲା ପରି ବିଖ୍ୟାତ ସମାଲୋଚକଂକ  ଏଜରା ପାଉଂଡଂକ ଦୂରଦୃଷ୍ଟି ସାବଧାନ କରି କହିଲା: "One can spot the bad critic when he starts by discussing the poet and not the poem."(ABC of reading)

ଲେଖା ପ୍ରତି ସଂବେଦନଶୀଳ ହେବା ଭିତରେ ତାଂକର ଏକଥା ଅସ୍ବୀକାର କରିବା ବି ସହଜ ନୁହେଁ। ଏଥିରେ ଲେଖକ ବା କବିର କୌଣସି ଅସୁବିଧା ନାଇଁ। ଯୋଉଠି ସମାଲୋଚନା ରୁଚି ବା ଭାଷାର ଭୂଷଣକୁ ଦେଖେଇବାକୁ ଅସମର୍ଥ, ଯୋଉଠି ଶବ୍ଦର ବୈଦୁର୍ୟ ଆଉ ବୈଦ୍ୟୁତିକ ରୂପ ଦେଖେଇବାକୁ ଅକ୍ଷମ; ସେଠି ସମାଲୋଚନା ଗୋଟିଏ ପ୍ରଶଂସା ପତ୍ର ଛଡ଼ା ଅନ୍ୟ କିଛି ନୁହେଁ। ବ୍ଯାଂଡପାର୍ଟିରେ ବାଜା ବଜଉଥିବା ଲୋକର ପୋଷାକ ଉପରେ ହୁଦା। ଏଜରା ପାଉଂଡଂକ ଉପରେ ମତ ଦେଇଥିଲେ ପ୍ରଖ୍ୟାତ କବି ଟି.ଏସ୍. ଇଲିଅଟ୍ ସବୁ ଆଧୁନିକ କବି ଏଜରା ପାଉଂଡଂକ ନିକଟରେ ଋଣୀ ରହିବେ। ଇଆଠୁ ଆଉ ବଡ଼ ପୁରସ୍କାର ଅଛି? ପ୍ରତିବଦ୍ଧ ସମାଲୋଚକ କିଛି ନ ପାଇ ସବୁ ଦେଇଦିଅଂତି; ଯଦିଓ ସେମାନେ ହାତଗଣତି। ସେମାନେ ଭାଷାର କୋହିନୁର। ସେମାନେ ଲୋଡ଼ା ପଡ଼େନା ଉପଢୌକନ, ମାନପତ୍ର, ପୁରସ୍କାର ବା ସମ୍ମାନ। ଅସୁବିଧା ରହିଚି ଏଇଠି। ଅସୁବିଧା ଏଇଆ ଯେ ଏପରି ସମାଲୋଚକ ଚିଲ ପରି ଦ୍ରୁତବେଗୀ ବା ମୟୂର ପରି ଚଂଦ୍ରିକାର ରୂପ ଦେଖେଇ ମାଛ କି ସାପ ଖାଇବା ଜାଣଂତି କିଂତୁ ନୀର ଆଉ କ୍ଷୀରର ଫରକ ଜାଣିବା ହଂସ ନୁହଂତି। ଅଭାଗା ଏ ରାଇଜ! ସବୁ ଥାଇ କିଛି ନାଇଁ! ଭାଗ୍ଯହୀନ କବି। କିଂତୁ, ଅଭାଗାଂକ ଭିତରେ ଜଣେ ଇ ଏ ଜଗତରେ ଭାଗ୍ୟବାନ, ସିଏ କବିତା। ସିଏ ଯଦି କବିତା, ଯୁଗଯୁଗ ଧରି ସତ ଜୀଇଁବା ତା'!


         ସତ ନା ନାଇଁ ?
*