ମିଡିଆ ଓ ବିସ୍କୁଟ

ମିଡିଆ ଓ ବିସ୍କୁଟ

ଆମ ସାମ୍ବାଦିକମାନେ ପ୍ରଚୁର ପରିଶ୍ରମ କରୁଛନ୍ତି ଓ ବୃତ୍ତି ପ୍ରତି ସେମାନଙ୍କର ପ୍ରତିବଦ୍ଧତା ମଧ୍ୟ ରହିଛି । ସେଥିପାଇଁ ତାଙ୍କୁ "ବିସ୍କୁଟ ମିଡ଼ିଆ" କହିଲେ ବାଧୁଛି । ବାଧିବା କଥା ବି । ଆପଣ ଏତେ ପରିଶ୍ରମ କଲା ପରେ ବି ଯଦି ମାଗଣାରେ ବଦନାମ ହେବେ, ବାଧିବ ନିଶ୍ଚୟ । ମିଡ଼ିଆ ସହିତ ତିନି ଦଶନ୍ଧି କାମ କରିଥିବା ମୋ ଭଳି ସାମ୍ବାଦିକଙ୍କୁ ଏ ଭଳି ବକ୍ତବ୍ୟ ଅବଶ୍ୟ ବାଧେ ।

ଆମେ ସତରେ ମିଡିଆ କି ?

ତେବେ ଅସଲ ପ୍ରଶ୍ନ ହେଉଛି ଆମ ଭଳିଆ ସାମ୍ବାଦିକ କଣ ମିଡ଼ିଆ ? ସାମ୍ବାଦିକ ଅତି ବେଶୀରେ ମିଡ଼ିଆ ମାଲିକର ମୂଲିଆ । ମିଡ଼ିଆ ମାଲିକ ଯେଉଁ ଦଳକୁ ଗଲା, ଆମକୁ ସେହି ଦଳର ବେଠି ଖଟେଇଲା । ଆମେ ମାଲିକ ପାଇଁ କାମ କରି ଗଧ ଖଟଣି ଖଟୁଛୁ । ଆମକୁ କୁହାଗଲା ଏଇ ବାଟରେ ଯାଅ, ଆମେ ଚାଲିଲୁ । ଆମ ମାଲିକ ଯଦି ସରକାରରେ, ଆମେ ସରକାରର ଗୁଣ ଗାଇବୁ । ଆମ ମାଲିକ ଯଦି ବିରୋଧୀ, ଆମେ ସରକାରର ଖୁଣ ବାଛିବୁ । ଆମେ ମୂଲିଆ ଲୋକ । ଆମ ଦରମାରେ ବିସ୍କୁଟ କିଣି ଖାଇବା ସହଜ ନୁହେଁ। ସକାଳୁ ଅଧରାତି ଯାଏଁ ବୁମ୍ ଧରି ବାର ଦୁଆର ବୁଲୁଥିବା ଆମ ସାମ୍ବାଦିକମାନେ କେବଳ ମୂଲ ଲାଗନ୍ତି ଓ ମାଲିକର ରାଜନୈତିକ ବୋଲ ମାନି ଚାଲନ୍ତି । ମୂଲିଆ ପାରିଶ୍ରମିକ ପାଇ କାମ କରେ, ସେ କାଇଁ ମାଲିକର ବିସ୍କୁଟ ବିଷୟରେ ଭାବିବ?

ଆଜିର ତାରିଖରେ ଆମ ପାଇଁ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଆମ ଦେଶ ଓ ରାଜ୍ୟର ମିଡ଼ିଆ ମାଲିକ କିଏ ? କେଉଁ ସାମ୍ବାଦିକ ନିଜେ ଗୋଟେ ଟିଭି ଚ୍ୟାନେଲ ବା ବଡ଼ ଖବର କାଗଜ ସଂସ୍ଥା ଚଳାଇ ପାରୁଛନ୍ତି କି ? ଜଣେ ଦି ଜଣଙ୍କୁ ବାଦ୍ ଦେଲେ ସବୁ ମିଡ଼ିଆ ସଂସ୍ଥା ରାଜନେତାଙ୍କ ମାଲିକାନାରେ ରହିଛି। ମିଡ଼ିଆ ମାଲିକଙ୍କ ବହୁ ପ୍ରକାର ବେପାର। ସେମାନଙ୍କ ହାତରେ ଖଣି ଅଛି, ବିରାଟ ଶିକ୍ଷା ବ୍ୟବସାୟ ଅଛି, ରିଅଲ ଇଷ୍ଟେଟ ଓ ଜମି କାରବାର ଅଛି, ଡାକ୍ତରଖାନା ଅଛି ଓ ସବୁଠାରୁ ବଡ ରାଜନୈତିକ ପତିଆରା ଅଛି । ସେମାନେ ଯେତେବେଳେ ଯେଉଁ ଦଳରୁ ଚାହିଁଲେ ଟିକଟ ପାଇବେ ଓ ଜିତିବେ । ଇଛା ହେଲେ ସରକାରରେ ରହିବେ, ଇଚ୍ଛା ହେଲେ ସରକାର ବିରୋଧୀ ହେବେ । ମିଡ଼ିଆର ସବୁ କିଛି ବ୍ୟାବସାୟିକ ଓ ରାଜନୈତିକ ସ୍ବାର୍ଥ ଦ୍ବାରା ନିୟନ୍ତ୍ରିତ। ମାଲିକର ରାଜନୈତିକ ସ୍ଵାର୍ଥ ପାଇଁ ଆମେ କାହାଣୀ ତିଆରି କରୁ, ବାଇଟ ନେଉ, ମାଲିକ ଚାହୁଁଥିବା ଖବରକୁ ବଡ କରି ଦେଖାଉ, ମାଲିକ କହିଲେ ସବୁଠୁ ବଡ ଖବରକୁ ସବୁଠୁ ଛୋଟ କରି କେଉଁ ଏକ କୋଣକୁ ଜାକି ଦେଉ    

ସରକାରୀ ବିସ୍କୁଟ

ମିଡ଼ିଆକୁ ସବୁଠାରୁ ଅଧିକ ବିସ୍କୁଟ ସରକାର ଖୁଆଉଛି, ତେଣୁ ସରକାର ସପକ୍ଷରେ କହିବାକୁ ମିଡ଼ିଆ ଏକ ରକମ ବାଧ୍ୟ। ନିକଟରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଥିବା ତଥ୍ୟ ଅନୁସାରେ   ସରକାର ତିନି ବର୍ଷରେ(୨୦୨୨-୨୦୨୫) ୩୮୦.୯୫ କୋଟି ଟଙ୍କାର ବିଜ୍ଞାପନ ଦେଇଛନ୍ତି । ସେଥିରୁ ଖବରକାଗଜ ଗୁଡିକ ୩୪୪.୩୦ କୋଟି ପାଇଥିବା ବେଳେ ଟେଲିଭିଜନ ମିଡିଆକୁ ମିଳିଛି ୨୦.୨୩ କୋଟି କେବଳ ମୋହନ ମାଝୀ ସରକାର ଗତ ୧୮ ମାସରେ ୮୩.୮୫ କୋଟି ଟଙ୍କାର ବିଜ୍ଞାପନ ଦେଇଛନ୍ତି ସେଥିରୁ କେବଳ  "ପ୍ରମେୟ" ଖବର କାଗଜ ୭.୭୩ କୋଟି ଏବଂ ତାଙ୍କ ଟିଭି ଚ୍ୟାନେଲ ୧.୩୯ କୋଟି ଟଙ୍କାର ବିଜ୍ଞାପନ ପାଇଛନ୍ତି । ଆଜି ମଧ୍ୟ ଓଡିଶା ସରକାରଙ୍କ  ବିଜ୍ଞାପନର ନବେ ଭାଗ  କେବଳ ପାଞ୍ଚୋଟି ଖବର କାଗଜ ପାଉଛନ୍ତି। “ପ୍ରମେୟ” ଛଡା “ଧରିତ୍ରୀ – ୫.୮୧ କୋଟି, “ସମ୍ବାଦ’- ୫.୩୨କୋଟି, ଟାଇମ୍ସ ଅଫ ଇଣ୍ଡିଆ-୪.୮୭ କୋଟି ଏବଂ “ସମାଜ”- ୪.୨୪ କୋଟି ଟଙ୍କାର ବିଜ୍ଞାପନ ନେଇଛନ୍ତିଚାରୋଟି ଇଂରାଜୀ ଖବର କାଗଜକୁ ୧୬.୭୧କୋଟି ଟଙ୍କା ଦିଆଯାଇଛି

ଏଇ ବିଜ୍ଞାପନ ବିସ୍କୁଟରୁ ଆମ ସାମ୍ବାଦିକଙ୍କ ଭାଗ କେତେ?

ରାଜ୍ୟ ସରକାରଙ୍କ ଛଡା କେନ୍ଦ୍ର ସରକାର, ଅନ୍ୟାନ୍ୟ ରାଜ୍ୟ ସରକାର, ବେସରକାରୀ ବ୍ୟାବସାୟିକ ପ୍ରତିଷ୍ଠାନ ପ୍ରଚୁର ମାତ୍ରାରେ ବିଜ୍ଞାପନ ଦିଅନ୍ତିଏହା ବ୍ୟତୀତ ବିଭିନ୍ନ ଇଭେଣ୍ଟ ଆୟୋଜନରେ ମିଡିଆ କୋଟି କୋଟି ଟଙ୍କାର ଲାଭ ଉଠାଉଛି

ସରକାରୀ ଓ ବେସରକାରୀ ବିସ୍କୁଟରୁ ଆମ ସାମ୍ବାଦିକଙ୍କ ଭାଗ କେତେ ?     

ବିସ୍କୁଟ ତ ମାଲିକ ଖାଉଛି । ବିସ୍କୁଟ ଖାଉଛି, ତା ସାଙ୍ଗକୁ ଦଳୀୟ ଟିକଟ ବି ଖାଉଛି । ମାଲିକକୁ ଯେ ବିସ୍କୁଟ ଦେଉଛି ସେ କହୁଛି, ଆମେ କାହିଁକି ସେଥିପାଇଁ ଚିତ୍କାର କରୁଛେ !!