ଫୁଲଗଛ
ଯୁଗ ଯୁଗର ଅବ୍ୟବସ୍ଥା,
ନିଜକୁ ସେଇଠି ବ୍ୟବସ୍ଥିତ କରିବାର
ନିୟମିତ ସଂଘର୍ଷରେ ସ୍ତ୍ରୀଲୋକମାନେ ।
କାଏଦା କଟକଣା ଷଡ଼ଯନ୍ତ୍ରର
ଏକ ବୃହତ୍ ତୈଳଛବି,
ଦେଖ, ଛବିରେ ଅସମ୍ପୂର୍ଣ୍ଣ କେତେ ସେମାନେ
ଦେଖ, କେମିତି ଅଯୋଗ୍ୟ ଯୁଦ୍ଧକୁ
ଦେଖ, କେତେ ଅଯୋଗ୍ୟ
ଜୀବନର ଗଣିତ କଷାରେ ,
ହଁ, ଯଦି ପାରୁଚନ୍ତି ତ
ପାରଦର୍ଶିତା ଦେଖେଇ
ବାଃ ବାଃ ନେବାରେ ମନାନାଇଁ
ହାଣ୍ଡିଶାଳ ଓ ଘର ନିର୍ମାଣରେ ।
ସ୍ତ୍ରୀଲୋକମାନେ ବେଶ୍ ଜାଣନ୍ତି
ସେମାନଙ୍କ ସାମର୍ଥ୍ୟ ଓ ସାହସର ମାପ,
ଜାଣନ୍ତି, ସେମାନେ ମହାକାଶର ମହାକର୍ଷଣ ଏବଂ
ପୃଥିବୀ ଏହାର ବଳୟର ଗତିପଥ,
ଜନ୍ମରୁ ଯୁଇଯାଏ ଲଢୁଥାନ୍ତି
ଯେଉଁ ଯେଉଁ ମହାଯୁଦ୍ଧ
ସେସବୁ ରକ୍ତପାତର ଦୁର୍ଗ ନିର୍ମାଣ,
ଆଉ ରାଷ୍ଟ୍ର ନିର୍ମାଣ ସହ
କିଛି କମ୍ ତୁଳନୀୟ ନୁହଁ ।
ସେମାନେ ଆକାଶ ଲୋଡିଲାବେଳେ
ଡେଣାରୁ ଯେଉଁ ରଚ୍ ରଚ୍
କାଟିଦିଆଯାଏ ପରତକ,
ନିରବ ଲୁହର ଇଛାକ୍ଷରରେ
ସେମାନେ ଲେଖିଥାନ୍ତି ଶାନ୍ତିପାଠ
ତଥାପି ଜଳ ସ୍ଥଳ ଆକାଶରେ
ନିଜର ଛାଇ,ଛାପ, ଚିତ୍ର
ଜାହିର କରିଯାଆନ୍ତି ଜିଦଖୋର ପକ୍ଷୀ ହେଇ ।
ସେମାନେ ଲିଭେଇ ଜାଣନ୍ତି
ନିୟମର ଧାରାରୁ ପ୍ରତିପକ୍ଷ ବୋଲି ଶବ୍ଦ
ନଈର ବୟସରେ ହଜେଇ ଦିଅନ୍ତି ଜାଣିଶୁଣି
ନିଜ ନିଜର ବେହିସାବର ଅନେକ ଋତୁ
ବୁଢିଆଣୀ ଜାଲରେ ଛନ୍ଦେଇ ହେଇ ଯାଉଥାଏ
କେତେ କେତେ ତାରାସଞ୍ଜ,
ଫୁଲଫୁଟା ସ୍ବପ୍ନ,
ଅଥଚ ଘରନିର୍ମାଣ କରୁ କରୁ
ସମ୍ଭାଳି ନିଅନ୍ତି ସେମାନେ
ଧୂଳି ଧୂଆଁ ଧୁଆ ବିପର୍ଯ୍ୟସ୍ତ ସମ୍ପୂର୍ଣ ସଭ୍ୟତା ।
ଅଥଚ ଏବେବି ଅସଂଖ୍ୟ ମନ ମସ୍ତିଷ୍କରେ
ସ୍ତ୍ରୀଲୋକର ସଂଜ୍ଞା,
ଦିଅଁ ଲାଗି ଅହରହ ତୋଳାଯାଇ ପାରୁଥିବା
ଏକ ରକ୍ତମାଂସର ଫୁଲଗଛ ମାତ୍ର ।