ମମ୍ମାର ଡାଇରି

ମମ୍ମାର ଡାଇରି

ଲେଡିଜ୍ ହଷ୍ଟେଲ୍ ୧, କ୍ୟାମ୍ପସ୍ ଥ୍ରି, ଥାର୍ଡ୍ ଫ୍ଲୋର୍, ରୁମ୍ ନମ୍ବର ଡି ଇଲେଭେନ୍....ସମୟ ରାତି ଦୁଇଟା ଉଣେଇଶ। ମମ୍ମା ! ତୁମେ ? ଏତେ ରାତିରେ ଏଠି ? କାହିଁକି ଆସିଛ ? କେମିତି ଆସିଲ ଏତେ ରାତିରେ ? ପ୍ଲିଜ୍ ମମ୍ମା, ବି ଲାଇକ୍ ଏ ବ୍ରେଭ୍ ମଦର୍ । ଏତେ ରାତିରେ, ଅନ୍ଧାରରେ କିଏ ପାଗଳ ପରି ଏମିତି ଘରୁ ବାହାରେ କୁହ ? ତୁମର କିଛି ହେଇଯାଏ ଯଦି ରାସ୍ତାରେ ? ଆର୍ ୟୁ ମ୍ୟାଡ୍ ? କ'ଣ ଭାବିବେ ମୋ ସାଙ୍ଗମାନେ ! ମୋ ସିନିୟର୍ସ କ'ଣ କହିବେ ? ମମ୍ମା, ତୁମେ ଜାଣିଛ, ମୁଁ ଆଡଜଷ୍ଟ ହେବାକୁ ଏଠି ଚେଷ୍ଟା କରୁଛି। ଛାଡ ମତେ। ଆମ୍ ଗ୍ରୋନ୍ ଅପ୍ ନାଓ। ମତେ ମୋ ଷ୍ଟ୍ରଗଲ୍ ରେ ଏକା ଛାଡ, ପ୍ଲିଜ୍ । ତୁମକୁ ଗେଟ୍ ରେ କେହି କିଛି ପଚାରିଲେନି ! କ'ଣ ଭାବିଥିବେ ସେମାନେ ! ଥ୍ୟାଙ୍କ୍ ଗଡ୍, ମହିମା ଆଜି ରୁମ୍ ରେ ନାହିଁ, ଆଦ୍ରିଜା ପାଖକୁ ଯାଇଛି ଲେଟ୍ ନାଇଟ୍ ଷ୍ଟଡି କରି ଶୋଇବ ସେଠି। ସେ ଚୁପ୍ ରହି ମନେମନେ କେତେ ହସିଥା'ନ୍ତା ଏଠି ଏବେ ଥିଲେ। ମମ୍ମା, ୟାର୍ ! ୟୁ ଆର୍ ଠୁ ମଚ୍ । ଇଣ୍ଟର୍ଣ ଦିଦି ଡ୍ୟୁଟି ସାରି କୁଆଡେ଼ ବାହାରକୁ ଯାଇଛନ୍ତି, ଭଲହେଇଛି। ସେ ବି ରୁମ୍ ରେ ଥିଲେ କ'ଣ ଯେ ଭାବିଥା'ନ୍ତେ ! ତୁମେ ଶୁଣୁଛ ! ଗୋଟେ କାମ କର। ମତେ ଘରକୁ ନେଇଯାଅ। ମୁଁ ହଷ୍ଟେଲରେ ରହିବା ଦରକାର ନାହିଁ।  ଇନ୍ ଫାକ୍ଟ୍ ମୋର ପାଠ ପଢିବା ବି ଦରକାର ନାହିଁ।  ଗୋଟିଏ ଘରେ ତୁମର  ମୋର ମିଶିକି ରହିବା, ବାସ୍ । ଚାଲ ମମ୍ମା । ମମ୍ମାଆଆଆଆଆ, ଚାଲ୍ ଏଠୁ। ମତେ ନେଇଯାଅ। ମମ୍ମାଆଆଆ, ଶୁଣୁଛ ତୁମେ ! ମମ୍ମାଆଆଆଆଆଆଆଆଆ .........

ନିଦ ଭାଙ୍ଗିଗଲା କୁହୁର। ଏ ସି ଚାଲୁଥିଲେ ବି ବେକମୂଳରେ ଝାଳ। ରୁମ୍ ଲାଇଟ୍ ଜଳୁଛି। ଇଣ୍ଟର୍ଣ ଦିଦି ଏଯାଏ ଫେରିନାହାନ୍ତି। ସେ ବୋଧେ ରାତିସାରା ବାହାରେ ରହିଵେ। ରୁମ୍ ରେ ତା ବେଡ୍ କୁ ଲାଗି ଏକମାତ୍ର ଝରକା। ସ୍କ୍ରିନ୍ ଆଡେଇ ନେଟ୍ window ଖୋଲିଲା କୁହୁ । ବାହାରେ ଦେବଦାରୁ ଗଛ ସବୁ ଅନ୍ଧାରରେ ଭୂତ ଭଳି ଦୋହଲୁଛନ୍ତି । ଧୀରେ ଧୀରେ ପବନ ହେଉଛି ବୋଧେ। ସାମ୍ନାରେ ପୋର୍ଟିକୋ, ପୋର୍ଟିକୋକୁ ଲାଗି ଡକ୍ଟର୍ସ କ୍ୱାର୍ଟର, ଲାଇବ୍ରେରୀ। କେତେ ନିରୋଳା ଓ ଏକ୍ଲା ଏ ରାତି। ମମ୍ମା କ'ଣ କରୁଥିବ ଏବେ ! ଶୋଇ ପଡିଥିବ ! ୟୂ ଟ୍ୟୁବ୍ ରେ ତୋର୍ ବସୁ ସହ ନୋମାଡିକ୍ ଟୁର୍ ଦେଖୁଥିବ ! କବିତା ଲେଖୁଥିବ !  ଆକାଶକୁ ଚାହିଁଲା କୁହୁ.... ଆରେ ! ମମ୍ମା, ତୁମେ ? ୟୁ ଆର୍ ରିଏଲି ଠୁ ମଚ୍ ମମ୍ମା ! ଏତେ ରାତିରେ ଆକାଶରେ କ'ଣ କରୁଛ ? ଯାଅ, ଶୋଇଯାଅ ମମ୍ମା। ମୋ ସୁନା ମମ୍ମା, ପ୍ଲିଜ୍ ଶୋଇଯାଅ।


ସକାଳ ଶାତଟା ସୁଦ୍ଧା ଅଡିଟୋରିୟମରେ ପହଞ୍ଚିଗଲା କୁହୁ। ଆଜି କେଉଁ ଗ୍ରୁପ୍ ରେ ମିଶି କ୍ଲାସ୍ କରିବ କେଜାଣି ! ପ୍ରତି ଦିନ ଗ୍ରୁପ୍ ଚେଞ୍ଜ ହେଉଛି। ଏଇ ପ୍ରଥମ ମାସଟା ବୋଧେ ଏମିତି ଚାଲିବ। ଓରିଏଣ୍ଟେସନ୍ ଚାଲିଲା ନ ଦିନ ଧରି, ଏବେ ଇଣ୍ଟ୍ରୋଡକସନ୍ କ୍ଲାସ୍ ଚାଲିଛି।  ଫିଜିଓଲୋଜି ମ୍ୟାଡାମ୍ କେତେ ସୁନ୍ଦର କଥା କୁହନ୍ତି! ଚାପ୍ଟର୍ ଇଣ୍ଟ୍ରୋଡକସନ୍ ବୁଝେଇଲା ବେଳେ ମମ୍ମା ଭଳି ଦିଶନ୍ତି, ଯେତେବେଳେ କଥା କହିବା ମଝିରେ ହସନ୍ତି। ଓଃ ମମ୍ମା, ପ୍ଲିଜ୍ ଦୂରରେ ରୁହ, ମୋ କ୍ଲାସ୍ ରୁମ୍ ଭିତରକୁ ପଶିଆସନା। ସବୁ ପିଲା ଓ ପ୍ରଫେସର୍ ହସିବେନି !

ଆଜି କୁହୁର ଗ୍ରୁପ୍ ରେ ଭୈମିକ୍। ଭଲ ହେଲା ତୁ ମୋ ଗ୍ରୁପ୍ ରେ ରହିଲୁ, କୁହୁ ଭୈମିକ୍ କୁ ହାଏ କହୁ କହୁ କହିଲା। ଏ ବେଙ୍ଗଲି ଝିଅଗୁଡା କେତେ ସୋ ଅପ୍ କରୁନାହାଁନ୍ତି ! ଓଡ଼ିଆ ଝିଅ ସେ ଦଳଟା ପୁରା ଚୋମୁ !
 ଚୋମୁ ! 
 କୁହୁ ହସ ଚାପି ଧୀରେ କହିଲା, ହଁ ଚୋମୁ...ସେଦିନ ମଲ୍ ରେ ଏସ୍କାଲେଟର୍ ରେ ଯାଉ ଯାଉ ଦୁଇଥର ପଡିଗଲା ସେଥିରୁ ଜଣେ। ଦେ ଆର୍ ସୋ ମଚ୍ ବୋରିଙ୍ଗ୍। ମୁଁ ଏଞ୍ଜୟ୍ କଲିନି ଜମ୍ମା। ଯେମିତି ମମ୍ମା ସହ ମଲ୍ ଗଲେ ଲାଗେ, ସେମିତି ଲାଗିଲାନି। ମମ୍ମା ଇଜ୍ ଲାଇକ୍ ସିଷ୍ଟର୍।  
ୟୋର୍ ମମ୍ମା ଇଜ୍ ଏ ରାଇଟର୍ ନା ! 
ଦେଖ୍ ମୋ ମମ୍ମାର ଇନଷ୍ଟା..
ସି ହର୍ ପ୍ରୋଫାଇଲ୍....
ଆଣ୍ଟି ଇଜ୍ ବ୍ୟୁଟିଫୁଲ୍..ଟଲ୍, ତୋ ପରି  ଦେଖିବାକୁ।
ମିଛ କହୁଛୁ ନା ! , ମମ୍ମା ଇଜ୍ ଟଲ୍ ଆଣ୍ଡ ମୋର୍ ବିୟୁଟିଫୁଲ୍। 

ହ୍ୟୁମାନ୍ ଆନାଟୋମି, ଭଲ୍ୟୁମ୍ one,  ଅପର୍ ଲିମ୍ବ.... ଇଣ୍ଟ୍ରୋଡକସନ୍ । କେତେ ମୋଟା ମୋଟା ବହି ସବୁ ! ତିନିଟା ସବ୍ଜେକ୍ଟ୍...ପନ୍ଦରଟା ବହି। ବେସିକ୍ ବୁକ୍, ରେଫରେନ୍ସ ବୁକ୍..ଏକ୍ଜାମ୍ ଓରିଏଣ୍ଟେଡ୍ ବୁକ୍.... ମୁଁ ମନ ଦେଇ ପଢ଼ିବି, ତୁମେ ବ୍ୟସ୍ତ ହୁଅନି ମମ୍ମା। ଆଇ ନୋ ହାଓ ଟୁ କ୍ୟାରି ଏ ଡ୍ରିମ୍ । ମୁଁ ତୁମ ଝିଅ । ପାଣିରେ ପାଦ ଥୋଇ ନଈ ଡେଇଁ ଯିବି । କୁହୁରୁ ଡକ୍ଟର୍ କୁହୁ ହେବାକୁ ଆଜିଠୁ ଦିନ ଗଣ, ମାତ୍ର ପାଞ୍ଚବର୍ଷ ପାଞ୍ଚ ମାସ। ଲାଷ୍ଟ୍ ଇୟର୍ ଇଣ୍ଟର୍ଣସିପ୍ ପଇସା ମିଳିଲେ ଆମେ ସଂପି ଯିବା, ତୁମେ ବ୍ଲୁ ଷ୍ଟୋନ୍ ରୁ ସୁନାରେ ଛୋଟିଆ ପର୍ଲ୍ ବସା ମୁଦି କିଣିବ । ମୁଁ ପ୍ରାକ୍ଟିସ୍ ଆରମ୍ଭ କଲେ ଆମେ ତୋଷାଳୀ ସାଣ୍ଡ୍ସ ରେ ତିନି, ଚାରିଦିନ ଯାଇ ରହିବା ବର୍ଷା ଯେବେ ହେଉଥିବ। ଆମେ ବାଲି ଯିବା ମମ୍ମା । ଜଷ୍ଟ wait... 


ସ୍ୱପ୍ନ ସବୁ ସତ ହୁଏ। ତୁମେ ତ କୁହ, ଖୋଲା ଆଖିରେ ବି ସ୍ୱପ୍ନ ସତ ହୁଏ ଯଦି ସେଥିରେ ଜୀବନରେଖା ଥାଏ। ଆଶ୍ଚର୍ଯ୍ୟ ହେଉଛ ମମ୍ମା ! ଏତେ କଥା ମୁଁ କେମିତି ଲେଖିପାରୁଛି ! କେମିତି ତୁମ ପରି ଭାବିପାରୁଛି !  ଜାଣିଥିଲି, ତୁମେ ପଢୁପଢୁ କାନ୍ଦିବ। ଚଷମା ଖୋଲି ଲୁହ ପୋଛିବ ଆଖିରୁ। ମମ୍ମାଆଆ,  ପ୍ଲିଜ୍ ଲୁହ ପୋଛ। ଲୁହ ପୋଛ ମମ୍ମା !  ଦେଖ ମହିମା ଆସୁଛି, ମୋ ଆଖିରେ ଲୁହ ଦେଖି ବାହାରେ ଗସିପ୍ କରିବ। ଆଇ want ଟୁ win ଦ ରେସ୍ । ଲୁହ ପୋଛ ନା, ମୋ ସୁନା ମମ୍ମା । 

ମହିମା, ମାରୱାଡ଼ି । ତା ବାପା ବିଜନେସ୍ କରନ୍ତି। ସେ ଇମୋସନ୍ ଫିମୋସନ୍ ବୁଝେନି। ଇଚ୍ଛା ହେଲେ କଥା ହୁଏ କୁହୁ ସହ ନହେଲେ ମୁହଁ ବୁଲେଇ ପଢୁଥାଏ କି ଫୋନ୍ କୁ ଚାହିଁ ରହିଥାଏ । ସବୁବେଳ ପରି ମହିମାର ନିରୁତ୍ସାହ ସ୍ୱର, ହାଏ !


: ହାଏ....
: ତୁ ଆଜିର ଚାପ୍ଟର୍ କମ୍ଲିଟ୍ କଲୁ !
 : ହଁ, ଚାଲିଛି ।
: ତୋ ଗ୍ରୁପ୍ ର ପିଲା ସବୁ କେମିତି  ? ମିଶୁଛନ୍ତି ଭଲରେ ?
: ଭଲ ସମସ୍ତେ । ଏବେ କାହାକୁ କ'ଣ ଜଜ୍ କରିହେବ ! ସମସ୍ତଙ୍କ ସହ ମିଶୁଛି।
: ଆରେ ତୁ ତୋ ନିଜର ଗୋଟେ ଗ୍ରୁପ୍ ବନେଇ ନେ, ନହେଲେ ହଇରାଣ ହେବୁ ପରେ। ପଢିବାରେ ଅସୁବିଧା ହେବ ।
: ନା, ମୁଁ ସମସ୍ତଙ୍କ ସହ ମିଶିବି। ପର୍ଟିକୁଲାର୍ ଗ୍ରୁପ୍ ରେ ମୁଁ ବିଲିଭ୍ କରୁନି। 
: ଦେଖ୍, ତୋ ଇଛା । ମୋ କହିବା କଥା କହିଦେଲି। ତୁ ୱକେଣ୍ଡ୍ ରେ ଘରକୁ ଯିବୁନି ! 
: ଜାଣିନି ।


ପାପାଙ୍କ ଫୋନ୍ । କୁହୁ ତରତର ହେଇ ମ୍ଯାକ୍ ବୁକ୍ ବ୍ୟାଗ୍ ରେ ଭରୁଛି।   ବି. ଡି ଚୈରାସିଆ'ର ହ୍ୟୁମାନ୍ ଆନାଟୋମି ଓ ବାଇଓକେମିଷ୍ଟ୍ରି ବହି ଭରୁଛି। ଦୁଇ, ତିନିଦିନ ବି ସେ ଏ ବହି ସବୁକୁ ଅଲଗା କରି ପାରିବନି ନିଜଠୁ। ଟାଉନସିପ୍ ରେ ବିଶ୍ୱକର୍ମା ପୂଜା। ସମସ୍ତଙ୍କ ଘରେ ଗେଷ୍ଟ। କୁହୁକୁ ଯେମିତି ବି ହେଉ ଯିବାର ଅଛି। ମମ୍ମା   ଏକୁଟିଆ ପୂଜା ମଣ୍ଡପରେ ବୁଲିଲା ବେଳେ ବୋର୍ ହେବ। ଚିଡ୍ ଚିଡ୍ ହେବ, ରାଗିବ। ବାସନକୁସନ ତଳେ କଚାଡ଼ି ଭାଙ୍ଗିଦେବ। ଆଲମୀରାରୁ ଶାଢ଼ୀ ସବୁ ଓଲାରି ବେଡ୍ ରେ ଗଦେଇ ଦେବ। ଖାଇବନି, କାନ୍ଦି କାନ୍ଦି ମୁହଁ ଫୁଲେଇଦେବ। ଓଃ ମମ୍ମା !! ମୁଁ କ'ଣ ଛୋଟ ଛୁଆ ହେଇ ଅଛି ଆଉ ! ସବୁବେଳେ ତୁମ ଶାଢୀ କାନିରେ ବାନ୍ଧିହେଇ ରହିଥିବି। ମୁଁ ଯେବେ ୟୁ ଏସ୍ ଏ ଯିବି ହାୟର୍ ଷ୍ଟଡି ପାଇଁ, ତୁମେ ରହିବ କେମିତି ! ନା ମମ୍ମା,  ପ୍ଲିଜ୍ ଡୋଣ୍ଟ ଟେଲ୍ କି ତୁମେ ବି ମୋ ସାଙ୍ଗରେ ଯିବ। ୟୁ ଆର୍ ଠୁ ଠୁ....ଠୁ ମଚ୍ ମମ୍ମା । ଲମ୍ବୋଦର ଗାଡି ସ୍ଲୋ ଚଲଉଛି। କୁହୁ ପଛ ସିଟ୍ ରେ ଅଧା ଶୋଇଛି ହେଡ୍ ଫୋନ୍ ଲଗେଇ। ମାମ୍ମାଙ୍କ କଡ଼ା ତାଗିଦ୍, କୁହୁ ଥିଲାବେଳେ ଲମ୍ବୋଦର ସ୍ଲୋ ଚଲେଇବ ଗାଡ଼ି । ଖରା ଲୁଚି ଲୁଚି ଆସୁଛି। ପଶ୍ଚିମ ଆକାଶ ହାଲୁକା କମଳା ରଙ୍ଗ ଦିଶୁଛି। କୁହୁ ଆଖିରେ ଅଳ୍ପ ନିଦ। ମମ୍ମା ସାଙ୍ଗରେ ଥିଲେ, ଏବେ ଏଠି ଆଠଗଡ଼ ପାଖରେ ଲମ୍ବୋଦରକୁ ଅଟକେଇ ଥା'ନ୍ତା।  ଗାଡ଼ିରୁ ଓହ୍ଲେଇ ମହାନଦୀ ପାଣିରେ ସୂର୍ଯ୍ୟଙ୍କ ଛାଇ ଦେଖିଥା'ନ୍ତା। ଜିଦ୍ଦି କରିଥା'ନ୍ତା ଫଟୋ ଉଠେଇ ଦେବାକୁ । ମମ୍ମା ଏଠି ବି ଛୁଆଙ୍କ ଭଳି ଡେଇଁଥା'ନ୍ତା । ଓଃ ମମ୍ମା, ଆଇ ଲଭ୍ ୟୁ। ଆଜି କ'ଣ ରାନ୍ଧିଥିବ ମୋ ପାଇଁ ! କହିବନି ? ସରପ୍ରାଇଜ୍ !!


ପାପା, ଅଫିସର୍ସ ମେସ୍ ରୁ ଡିନର୍ ନେଇ ଆସିଛନ୍ତି। କୁହୁ ଖାଇବା ପ୍ଲେଟ୍ ନେଇ ବେଡ୍ ରୁମ୍ ରେ । ଯେଉଁ ବେଡ୍ ରେ ସେ ଏକୋଇଶି ବର୍ଷ ହେଲା ମମ୍ମା ସହ ଶୋଇଛି। ବେଡ୍ ରୁମ୍ କାନ୍ଥରେ ମମ୍ମାର ଫଟୋ ଦୁଇ ହଜାର ଛ' ମସିହାର... ଯେଉଁଥିରେ ସେ ମୁଣ୍ଡରେ ମଲ୍ଲୀଫୁଲ ଗଜରା ପେନ୍ଥାଏ ପିନ୍ଧିଛି, ସର୍ଫ୍ ବ୍ଲୁ ଶାଢ଼ୀ ସାଙ୍ଗରେ। ଆଉଗୋଟେ ଫଟୋ, ମମ୍ମାର ବବ୍ କଟ୍ ହେୟାର୍, ଫ୍ରକ୍ ପିନ୍ଧିଛି, ବାମ ଗୋଡ଼ ଆଣ୍ଠୁ ଉପରେ ଡାହାଣ ଗୋଡ ଲଦି ବସିଛି। ପାଖ ଫଟୋରେ ଚାରିବର୍ଷର କୁହୁ, ମାମ୍ମାକୁ ଆଉଜି ଠିଆ ହେଇଛି....ମମ୍ମା ସେମିତି ହସୁଛି କୁହୁକୁ ଡାହାଣ ହାତରେ କୋଳେଇ ନେଇ ।


କୁହୁ ଡିନର୍ ଖାଇ ପ୍ଲେଟ୍, କିଚେନ୍ ସିଙ୍କ୍ ରେ ଥୋଇ ହାତ ଧୋଇଲା। ପାପାଙ୍କ ସହ କଥା ହେଲା ପଢାପଢି ଓ କ୍ଲାସ୍ ବିଷୟରେ। ଥକ୍କି ଯାଇଥିଲା, ଶୀଘ୍ର ଶୋଇବ ବୋଲି  ଡୋର୍ ବନ୍ଦ କଲା ବେଡ୍ ରୁମ୍ ର। ମମ୍ମାକୁ ଡାକିଲା.. ଓଃ କେତେ ଫୁଲେଇ ହୁଅ  ମମ୍ମା ତୁମେ ! କୋଉଠି ଲୁଚିଛ ! କୋଉଠି ଲୁଚିଛ ମମ୍ମା ! ମତେ ଏବେ ବି ଛୋଟ ଛୁଆ ଭାବି ଲୁଚକାଳି ଖେଳୁଛ ନା ! ଆସ ମମ୍ମା, ପାଖକୁ ଆସ। ଯେଉଁ ଆଲମାରୀର ଚାବି ସବୁବେଳେ ମାମ୍ମା ଲୁଚେଇ ରଖେ, ସେଇ ଆଲମାରୀ ଖୋଲିଲା କୁହୁ। ମାମ୍ମାର ସବୁ ଜିନିଷ ଏବେ କୁହୁର।‌ ଲକ୍କର୍ ରୁ ମାମ୍ମାର ଫୋନ୍ ବାହାର କଲା, ଓପୋ ରେନୋ ସିକ୍ସ। ଚାର୍ଜ୍ ରେ ବସେଇ ଫୋନ୍ switch ଅନ୍ କଲା। ଫୋନ୍ ର ସ୍କ୍ରିନ୍ ରେ ମମ୍ମାର ନାଲି ଶାଢ଼ୀ ପିନ୍ଧା ଫଟୋ। ମମ୍ମା ମୁହଁରେ ହସ। ସବୁବେଳେ ମମ୍ମା ମୁହଁରେ ହସ। ମମ୍ମା !! ତୁମେ ସବୁବେଳେ ଏମିତି ହସିପାର କେମିତି  !! ମମ୍ମାର ଫେସବୁକ୍ ଏକାଉଣ୍ଟ୍ ଖୋଲିଲା । ଶେଷ ପୋଷ୍ଟିଙ୍ଗ, ଡାଇରି......ଡିମିରି ଫୁଲ ଭଳି ନିଷିଦ୍ଧ ଓ ଅନ୍ତର୍ଦ୍ଧାନ ମୁଁ। ଦିନେ ନଈରେ ଭାସିଯିବି........