ଭାରତୀୟ ଗଣତନ୍ତ୍ର ବିପଦରେ କାହିଁକି?

ଭାରତୀୟ ଗଣତନ୍ତ୍ର ବିପଦରେ କାହିଁକି?

ଐତିହାସିକ ଦୃଷ୍ଟିରୁ ଆମେରିକାର ରାଜନୀତିରେ ଅନେକ ନୂଆ କଥା ଘଟୁଛି। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇତି ମଧ୍ୟରେ ଦୁଇଥର ଗିରଫ ହୋଇ ସାରିଲେଣି, ଯାହାକି ଆମେରିକାର ରାଜନୀତିରେ ଏକ ନୂଆ ଘଟଣା। ଏହାକୁ ଦେଖି ଭାରତରେ ଶାସକ ଦଳର ସମର୍ଥକମାନେ ପଚାରୁଛନ୍ତି, କାହିଁ ରିପବ୍ଲିକାନ ଟ୍ରମ୍ପଙ୍କୁ ଗିରଫ କରିବା ଯୋଗୁଁ ସେଠାକାର ଗଣତନ୍ତ୍ର ବିପଦରେ ବୋଲି କେହି ତ କହୁନାହାନ୍ତି। ଭାରତରେ ବିରୋଧୀ ଦଳଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଲେ, ଗଣତନ୍ତ୍ର ବିପଦରେ ଅଛି ବୋଲି ଚିତ୍କାର ହୁଏ କାହିଁକି? ଏ ପ୍ରଶ୍ନ ଯଥାର୍ଥ, ହେଲେ ଏହାର ଉତ୍ତର ସରକାର ସମର୍ଥକ ହଜମ କରିପାରିବେ ନାହିଁ।

ପ୍ରଥମତଃ ଡୋନାଲ୍ଡ ଟ୍ରମ୍ପ ଆମେରିକାର ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ ଭାବରେ ଠିଆ ହୋଇଥିଲେ । କାରଣ-


୧. ସେ ଦେଶର ନିର୍ବାଚନକୁ ଅସ୍ବୀକାର କରିବା ସହିତ ନିଜର ବୈଧ ପରାଜୟକୁ ମାନିନଥିଲେ।


୨. ସେ ଆମେରିକାର ସର୍ବୋଚ୍ଚ ସଦନ କଂଗ୍ରେସ ଉପରେ ଆକ୍ରମଣ କରିବାକୁ ନିଜ ସମର୍ଥକଙ୍କୁ ପଠାଇଥିଲେ ଓ ନିଜେ ଏଥିପାଇଁ ନେତୃତ୍ବ ନେଇଥିଲେ।


୩. ସେନାବାହିନୀକୁ ସେ ନିଜ କ୍ଷମତା ବଞ୍ଚାଇବା ପାଇଁ ଉପଯୋଗ କରିବା ପାଇଁ ଚାହିଁ ଥିଲେ, ଯାହାକୁ ସେନାବାହିନୀର ମୁଖ୍ୟ ସିଧା ସିଧା ପ୍ରତ୍ୟାଖ୍ୟାନ କରିଥିଲେ।


୪. ଟ୍ରମ୍ପ ଦେଶର ସୁରକ୍ଷା ସମ୍ପର୍କିତ ଅନେକ ଗୋପନୀୟ ଫାଇଲ ଓ ଦଲିଲକୁ ନିଜ ଘରକୁ ବେଆଇନ ଭାବରେ ନେଇଥିଲେ। ଏହା ସିଧାସଳଖ ଦେଶଦ୍ରୋହ।


୫. ତାଙ୍କ ବ୍ୟକ୍ତିଗତ ଜୀବନରେ ଭ୍ରଷ୍ଟାଚାରର କୌଣସି ସୀମା ନାହିଁ। ଏହା ପୂର୍ବରୁ ସେ ଜଣେ ପର୍ଣ୍ଣୋଗ୍ରାଫି ଷ୍ଟାର୍ ଙ୍କ ସହ ସମ୍ପର୍କକୁ ନେଇ ଧରା ପଡ଼ିଥିଲେ।



ଏହି ସବୁ କାରଣରୁ ଆମେରିକାର ଗଣମାଧ୍ୟମ ଡୋନାଲ୍ଡ ଟ୍ରମ୍ପଙ୍କ ଗିରଫଦାରୀକୁ ଗଣତନ୍ତ୍ର ବିରୋଧୀ ବୋଲି ଭାବୁନାହାନ୍ତି। ପୁନଶ୍ଚ ଆମେରିକାର ଗଣମାଧ୍ୟମ ଟ୍ରମ୍ପ ରାଷ୍ଟ୍ରପତି ଥିବା ସମୟରେ ତାଙ୍କୁ ପ୍ରବଳ ବିରୋଧ କରିଆସୁଛନ୍ତି। ଭାରତୀୟ ଗଣମାଧ୍ୟମ ପରି ଆମେରିକାର ଗଣମାଧ୍ୟମ ଶାସକର ଗଣତନ୍ତ୍ର ବିରୋଧୀ ପଦକ୍ଷେପକୁ କଦାପି ସମର୍ଥନ ଦେଇନାହାନ୍ତି।

ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ଆଜି ଭୟଙ୍କର ବିପଦରେ ବୋଲି ଏଥିପାଇଁ କୁହାଯାଉଛି, କାରଣ-

୧.ଆମର କେନ୍ଦ୍ରର ଶାସକ ଦଳ ରାଜ୍ୟ ମାନଙ୍କରେ ଥିବା ବିରୋଧୀ ଦଳର ନିର୍ବାଚିତ ସରକାରଗୁଡିକୁ ଅଗଣତାନ୍ତ୍ରିକ ଉପାୟରେ - ବିକାକିଣା ମାଧ୍ୟମରେ ଭାଙ୍ଗି ଦେଉଛି।

୨. ନିର୍ବାଚନ କମିଶନ ଆଦୌ ନିରପେକ୍ଷ ଭାବରେ ନିର୍ବାଚନ ପରିଚାଳନା କରୁନାହାନ୍ତି। ତଥାପି ବିରୋଧୀ ଦଳ ଗୁଡିକ ନିର୍ବାଚନ ଫଳାଫଳକୁ ସ୍ବାଭାବିକ ଭାବରେ ଗ୍ରହଣ କରୁଛନ୍ତି।

୩. ନିର୍ବାଚିତ ରାଜ୍ୟ ସରକାରର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କ ପ୍ରତି କେନ୍ଦ୍ର ସରକାରର ସିବିଆଇ, ଇଡି ଏବଂ ଆୟକର ବିଭାଗ ଅପରାଧୀ ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି।

୪. ସରକାର ବିରୋଧୀ ସ୍ବରକୁ ଚାପି ଦେବାକୁ ସରକାର ଓ ସରକାରୀ ଦଳ ଅନୈତିକ କଳ, ବଳ ଓ କୌଶଳ ପ୍ରୟୋଗ କରୁଛନ୍ତି।

୫. ସରକାରୀ ଖର୍ଚ୍ଚରେ ପ୍ରଧାନମନ୍ତ୍ରୀ ନିଜ ଦଳ ପାଇଁ ପ୍ରଚାର କରୁଛନ୍ତି।

୬. ନିଜ ବିଫଳତା ପାଇଁ ଭାରତ ସରକାର ଉତ୍ତରଦାୟୀ ହେବା ପରିବର୍ତ୍ତେ ବିରୋଧୀ ଦଳଙ୍କୁ ଏଥିପାଇଁ ଦାୟୀ କରୁଛନ୍ତି।

୬. ସରକାର ଏକପ୍ରକାର ପ୍ରଚାର ବ୍ୟବସ୍ଥା ଭାବରେ କାମ କରୁଛି, ଯାହାକି ଗଣତନ୍ତ୍ର ପାଇଁ ସବୁଠୁ ବଡ଼ ବିପଦ।

୭. ଦେଶର ପ୍ରମୁଖ ବିରୋଧୀ ଦଳର ନେତାଙ୍କୁ ସଂସଦ ଭିତରେ କହିବାର ସୁଯୋଗ ଦିଆ ଯାଉନାହିଁ।

୮. ସରକାର ଓ ପ୍ରଧାନମନ୍ତ୍ରୀ ହିଁ ଦେଶ ବୋଲି ଏକ ଅନ୍ଧ ଧାରଣାକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି।

୯. ପୁଲିସ୍ ଏବଂ ସରକାରୀ ଅନୁଷ୍ଠାନମାନଙ୍କୁ ସରକାରୀ ଦଳର ଖାସ୍ ମାହାଲ୍ ଭାବରେ ମୋଦୀ ସରକାର ଏହାର ଅପବ୍ୟବହାର କରୁଛନ୍ତି।

୧୦. ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳର ଭାଷା ପ୍ରାୟତଃ ଗଣତନ୍ତ୍ର ବିରୋଧୀ, ଅନୈତିକ ଓ ଏକଛତ୍ରବାଦୀ।



ଏହି ଦୁଇଟି ପ୍ରସଙ୍ଗରୁ ଭାରତ ଓ ଆମେରିକାର ଗଣତାନ୍ତ୍ରିକ ସ୍ଥିତିର ଆକଳନ ସହଜରେ କରିହେବ।