ରକ୍ତ ଓ ନିଆଁରେ ଧ୍ଵଂସ ହେଉଛି ମଣିପୁର

ରକ୍ତ ଓ ନିଆଁରେ ଧ୍ଵଂସ ହେଉଛି ମଣିପୁର

ଗତକାଲି ରାତିରେ ମଣିପୁର ହିଂସାକାଣ୍ଡରେ ପୁଣି ୯ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଓ ୧୫ ରୁ ଅଧିକ ଆହତ ହୋଇଛନ୍ତି ।

ଇତି ମଧ୍ୟରେ ରାଜ୍ୟର ୫୦୦ ଧର୍ମ ସ୍ଥଳୀ ପୋଡି ଦିଆଯାଇଛି । ଲକ୍ଷାଧିକ ଲୋକ ବାସହୀନ ହୋଇ ଜଙ୍ଗଲରେ କିମ୍ବା ଶରଣାର୍ଥୀ ଶିବିରରେ ରହୁଛନ୍ତି। 

ପାଖାପାଖି ୨ ମାସ ହେଲାଣି ସମଗ୍ର ମଣିପୁର ରାଜ୍ୟ ଜଳୁଛି । ସରକାରୀ ଭାବରେ ମୃତ୍ୟୁ ସଂଖ୍ୟା ୧୨୦ ଭିତରେ ବୋଲି କୁହା ଯାଉଥିବା ବେଳେ ବେସରକାରୀ ଭାବରେ ଏହା ବହୁତ ଅଧିକ ବୋଲି ଜଣାପଡୁଛି । ସମଗ୍ର ରାଜ୍ୟରେ ଭାରତୀୟ ସେନାବାହିନୀ ମୁତୟନ ରହିଥିବା ସତ୍ତ୍ୱେ ହିଂସାକୁ ଆୟତ୍ତ କରି ନହେବା ପଛରେ ମଣିପୁର ସରକାର ଓ କେନ୍ଦ୍ର ସରକାରଙ୍କ ଅପାରଗତା ସ୍ପଷ୍ଟ ବାରି ହୋଇପଡୁଛି ।

ଦେଶରେ ଆଇନ ଶ୍ହୃଙ୍ଖଳା ପରିସ୍ଥିତି ଜଗିବାକୁ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧୫୨ ଜଣ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ହେଲେ ମଣିପୁରରେ ପ୍ରତି ୨୦ ଜଣରେ ଜଣେ ସଶସ୍ତ୍ର ଯବାନ ନିୟୋଜିତ ଅଛନ୍ତି । ସେନାବାହିନୀ, ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ଓ ମଣିପୁର ପୁଲିସ କୁ ମିଶାଇ ପୂରା ମଣିପୁର ଏକପ୍ରକାର ସେନା ଛାଊଣୀ ପାଲଟିଛି ।  ତା ସତ୍ତ୍ୱେ ୨ ମାସ ପାଖାପାଖି ରାଜ୍ୟରେ ହିଂସାକାଣ୍ଡ ଥମିବାର ନାଁ ଧରୁନି ।

ମଣିପୁରରେ ବିଜେପି ସରକାର ରହିଥିବା ବେଳେ ସେଠିକାର ଦାୟିତ୍ଵ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି । ଯଦି ମଣିପୁର ମୁଖ୍ୟମନ୍ତ୍ରୀ ଅପାରଗ, ତା ହେଲେ ସେ ସେଠି ଦାୟିତ୍ବରେ ଅଛନ୍ତି କାହିଁକି ? ଗୃହମନ୍ତ୍ରୀ ଅମିତ ଶାହ ଥରେ ମାତ୍ର ମଣିପୁର ଗସ୍ତରେ ଯାଇ ଫେରିଛନ୍ତି । ଗୃହମନ୍ତ୍ରୀଙ୍କ ଗସ୍ତ ପରେ ରାଜ୍ୟରେ ହିଂସାକାଣ୍ଡ କମିବା ପରିବର୍ତ୍ତେ ବଢିବା ଆରମ୍ଭ କରିଛି।

ସବୁଠୁ ଚିନ୍ତାର ବିଷୟ ହେଉଛି, ମଣିପୁଅରକୁ ନେଇ ଉତ୍ତର ଦାୟିତ୍ଵ କାହାର ?  

ଯଦି ସେନାବାହିନୀ ଥାଇ ମଧ୍ୟ ହିଂସାକାଣ୍ଡ ଓ ଦଙ୍ଗା ବନ୍ଦ ହେଉନି, ସେଥିଲାଗି କିଏ ଦାୟୀ ?

ମଣିପୁରକୁ ଏତେ ପରିମାଣରେ ଅସ୍ତ୍ରଶସ୍ତ୍ର ଆସୁଛି କେଉଁଠୁ ?

ମିଆଁମାରର ସାମରିକ ଶାସକଙ୍କୁ ଖୁସି କରିବାକୁ ଭାରତ ସରକାର ସେଠାରେ ଗଣତନ୍ତ୍ର ବିରୋଧୀ କାର୍ୟକଳାପ ପ୍ରସଙ୍ଗରେ ଚୁପ ରହି ଆସିଛନ୍ତି ।   ତଥାପି ମଣିପୁରକୁ ସର୍ବାଧିକ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ମିଆଁମାରରୁ ଆସୁଛି ବୋଲି କୁହାଯାଉଛି । ଏଥି ପାଇଁ କିଏ ଦାୟୀ?

ମାସାଧିକ କାଳ ଗୋଟେ ରାଜ୍ୟରେ ନିଆଁ ଲାଗିଥିବା ବେଳେ ଶାନ୍ତି ପାଇଁ ପ୍ରଧାନମନ୍ତ୍ରୀ ଆଜି ପର୍ୟନ୍ତ ଲୋକଙ୍କୁ ନିବେଦନ ମଧ୍ୟ କରୁନାହାନ୍ତି ।

ସମଗ୍ର ମଣିପୁର ଘଟଣାରେ ପ୍ରଧାନମନ୍ତ୍ରୀ ନୀରବ ବସିବାର କାରଣ କଣ ?

 ଏ ପ୍ରସଙ୍ଗରେ ଦେଶର ନାଗରିକ ସମାଜ ଏବଂ ଅଦାଲତ ମଧ୍ୟ ନୀରବ ଦ୍ରଷ୍ଟା ହୋଇ ବସିଛନ୍ତି ।