ଏଣିକି ସରକାର ଗଣମାଧ୍ୟମର “ବିଗବସ”

ଏଣିକି ସରକାର ଗଣମାଧ୍ୟମର “ବିଗବସ”

କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଗତ ଏପ୍ରିଲ ୬ ତାରିଖରେ ନୂଆ ଆଇଟି ନିୟମାବଳୀର ସଂଶୋଧନ କରି ଗଣମାଧ୍ୟମରେ ଏବଂ ସୋସିଆଲ ମିଡିଆରେ କେନ୍ଦ୍ର ସରକାରଙ୍କ ବିଷୟରେ ପ୍ରକାଶ ପାଉଥିବା ଖବରକୁ ସତ କି ମିଛ ନିଜେ ପ୍ରମାଣିତ କରିବେ । ଅର୍ଥାତ ସରକାରଙ୍କ ଦ୍ଵାରା ମନୋନୀତ ସଂସ୍ଥା ଏଣିକି ଯାହା କହିବେ ତାହା ହିଁ ଖବର ବୋଲି ବିବେଚନା କରାଯିବ । କେନ୍ଦ୍ର ସରକାରଙ୍କ ବିଷୟରେ ଯାହା ଖବର ବାହାରିବ ତାକୁ ସିଧାସଳଖ ସେନ୍ସର କରିବାର ଅଧିକାର ଏଣିକି କେନ୍ଦ୍ର ସରକାରଙ୍କ ପାଖକୁ ଆସିଗଲା । ମିଛ ବା ବିଭ୍ରାନ୍ତିକର ଖବର ବୋଲି କହି କେନ୍ଦ୍ର ସରକାରଙ୍କର ସଂସ୍ଥା ଯେ କୌଣସି ଖବରକୁ ସୋସିଆଲ ମିଡିଆରୁ ଏଣିକି ଅପସାରିତ କରିପାରିବେ । ଫେସବୁକ ଓ ଟ୍ଵିଟର ଭଳି ସଂସ୍ଥା ଏଣିକି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କୌଣସି ବି ତଥ୍ୟକୁ ବିଭ୍ରାନ୍ତିକର ଘୋଷଣା କରି ତାକୁ ତୁରନ୍ତ ହଟାଦେଇବାକୁ କହିବେ । ଯଦି ଏହା ହଟା ନଯାଏ ତାହେଲେ ସମ୍ପୃକ୍ତ ସଂସ୍ଥା ଉପରେ କାର୍ଯାନୁଷ୍ଠାନ ହେବ ।

ଏହା ସିଧାସଳଖ ଭାରତ ସମ୍ବିଧାନ ଦେଇଥିବା ବାକ ସ୍ଵାଧୀନତାର ଅଧିକାରକୁ ଅପହରଣ କରିବା ସହିତ ସରକାର ହାତରେ ଜନମତକୁ ନିୟନ୍ତ୍ରିତ କରିବାର ସବୁ ଅଧିକାର ଦେଉଛି । ସମ୍ପ୍ରତି ବିଭିନ୍ନ ସରକାରୀ ସଂସ୍ଥାରେ କମ କରୁଥିବା ଶାସକ ଦଳର ସମର୍ଥକମାନେ ଦୈନନ୍ଦିନ ମିଛ ଖବର ପରିବେଷଣ କରି ଚାଲିଛନ୍ତି । ଏହି ନୂଆ ନିୟମ ଆସିଲା ପରେ ସରକାର ଏକଛତ୍ରବାଦୀ ହେବା ପାଇଁ ଆଉ ଏକ ନୂଆ ସୁଯୋଗ ସୃଷ୍ଟି ହେବ । ମୋଦୀ ସରକାର ବିଭିନ୍ନ ନୀତି ନିୟମ ପରିବର୍ତ୍ତନ କରି ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରକୁ ଅପହରଣ କରି ଚାଲିଛନ୍ତି ।

ଏହି ନୂଆ ନିୟମାବଳିକୁ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ବିରୋଧ କରିଛି । ତେବେ ଏହାକୁ କେବଳ ବିରୋଧ କରି ବସିଗଲେ ଦେଶର ଗଣତନ୍ତ୍ର ଓ ସମ୍ବିଧାନ ବିପଦରେ ପଡିବ। ଏହି ନିଯମାବଳୀ ବିରୋଧରେ ସବୁ ସ୍ତରରେ ବିରୋଧ ପ୍ରଦର୍ଶନ କରିବାର ସମୟ ଏବେ ଆସିଯାଇଛି । ଏକଦା ରାଜୀବ ଗାନ୍ଧୀଙ୍କ ସମୟରେ ଆସିଥିବା ମାନହାନୀ ବିଲକୁ ଯେମିତି ଭାରତର ଗଣମାଧ୍ୟମ ଏକାଠି ବିରୋଧ କରିଥିଲେ, ଆଜି ଯଦି ସମାନ ବିରୋଧ ନହୁଏ ତାହେଲେ ଆମର ସ୍ଵାଧୀନତା ସବୁଦିନ ସରକାର ହାତକୁ ଚାଲିଯିବ ।   

ନାଗରିକ ଏବଂ ଗଣମାଧ୍ୟମର ସ୍ଵାଧୀନତାକୁ ବଞ୍ଚାଇବାକୁ ହେଲେ କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମର ସଂଶୋଧନକୁ କଡା ବିରୋଧ କରିବାକୁ ପଡିବ ।