ପ୍ରେମ କଥା
ସରିଯାଉଥିବା ଆୟୁଷରୁ
ସେ କ୍ରମଶଃ ଫେରେ
ସ୍ମୃତିର ପଟାଳି ପଟାଳି ରହସ୍ୟ ଡେଇଁ
ଘର ଅଗଣା ଦାଣ୍ଡଧୂଳି
ଗୋରୁ ଗୋଠ, ଗୋଚର, ନାଳ
ପତ୍ରାଜଙ୍ଗଲର ସରହଦ ଡେଇଁ
ପୋଖରୀରୁ କଇଁ ଓ ପଦ୍ମର ସରାଗ ବୋହି
ସେ ଚାଲେ ପ୍ରେମିକ ପଣରେ
ପ୍ରେମ ମାଜେ
ପ୍ରେମ ଯାଚେ
ପ୍ରେମରେ ପାଗଳ ପ୍ରାୟ ଭାସେ
ପ୍ରେମର ମହୋଦଧିରେ
ପୁଣି କେମିତି କେଜାଣି
ତାକୁ ପ୍ରେମରେ ଲାଗେ
କିଛି ଗୋଟେ ଛଳନାର ଜାଲ ପରି
ଜାଲରେ ଛନ୍ଦି ହୋଇ
ସରିଯାଏ ଆୟୁଷ୍ମାଳ
ପୁଣି କେବେ ଲଭେ ପୁନର୍ଜନ୍ମ
ସେ ମହାପ୍ରେମର କଟୁଆଳମାନେ
ସେ ସରିଯାଇଥିବା ଆୟୁଷର
ଡାହାଳ ମିଛୁଆ କୁକୁରମାନେ
ପୁଣି ଗୋଡ଼ାନ୍ତି ତାକୁ
ପ୍ରେମରୁ ପ୍ରତାରଣାର ଯାତ୍ରାରେ
ଆୟୁଷ ସରି ଆସୁଥାଏ
ଫୁଲସବୁ ଫୁଟି ଝଡି ଝଡି
ପାଳିତବୃକ୍ଷସବୁ ପତ୍ରଶୂନ୍ୟ ହେଲାବେଳକୁ
ଦଳେ ଶୃଗାଳ ଡାକନ୍ତି
ହୁଁ କେ ହୋ
ଶୃଗାଳମାନେ ବୋଧେ କହିପାରନ୍ତି ନାହିଁ
ଉଭୟ ଛଳପ୍ରେମ ଓ ପ୍ରତାରଣର
ଦିନେ ଥାଏ ମରଣ ଓ ଶ୍ମଶାନ
ଖାଲି ଅହଂକାର ଚିହ୍ନିପାରିନଥାଏ ସେମାନଙ୍କୁ । ।।