ଗଣମାଧ୍ୟମ ପାଇଁ ଶୋକ ପ୍ରସ୍ତାବ – ୧
କିଛି ଦିନ ତଳେ ଗଣମାଧ୍ୟମର ବେଶ ଶୀର୍ଷ ସ୍ଥାନରେ ଥିବା ଆମର ଜନୈକ ବନ୍ଧୁ ରାଗ ତମ ତମ ହୋଇ ପଚାରିଥିଲେ – ତମେ କଣ ନିଜେ ସାମ୍ବାଦିକ ହୋଇ ଗଣମାଧ୍ୟମକୁ ସବୁବେଳେ ଏମିତି ଗାଳି କରୁଥିବ ?
ବନ୍ଧୁଙ୍କ ପ୍ରଶ୍ନର ଉତ୍ତରରେ ତାଙ୍କୁ ଆଉ ଟିକେ ଟିହାଇ ଦେବାର ଇଚ୍ଛା ହୋଇଥିଲା । ମୁଁ ଯେହେତୁ ଗଣମାଧ୍ୟମରେ ଅଛି, ତେଣୁ ଗଣମାଧ୍ୟମର ଶକ୍ତି ଓ ଦୁର୍ବଳତାକୁ ମୁଁ ଜାଣିଛି । ଜାଣିଛି ବୋଲି ଲେଖୁଛି । ଏତକ କହି ମୁଁ ତାଙ୍କଠୁ ଆହୁରି ଗାଳି ଶୁଣିଥିଲି । ତେବେ ସେ ଗାଳି ଶୁଣିବାରେ ଗୋଟେ ଆନନ୍ଦ ଥିଲା ।
ତେବେ ବନ୍ଧୁଙ୍କର ରାଗ ମଧ୍ୟ ଯଥାର୍ଥ । ଖବର ପରିବେଷଣ ଲାଗି ଆମର ସାମ୍ବାଦିକମାନେ ଯେତିକି ପରିଶ୍ରମ କରନ୍ତି ସେହି ତୁଳନାରେ ତାଙ୍କୁ ଖଡାପତ୍ର ବି ମିଳେନା । ନବେ ଭାଗରୁ ଅଧିକ ସାମ୍ବାଦିକ ଆମ ରାଜ୍ୟରେ ଦରମା ପାଆନ୍ତି ନାଇଁ । ଯେଉଁ ଦଶ ଭାଗ ଦରମା ପାଆନ୍ତି, ତାହା ଦିନ ମଜୁରିଆଙ୍କ ଠାରୁ ମଧ୍ୟ କମ । ତେଣୁ ସେମାନଙ୍କୁ ସମାଲୋଚନା କଲାବେଳେ ନିଜକୁ ବଡ କଷ୍ଟ ଲାଗେ ।
ହେଲେ ଗଣମାଧ୍ୟମ ଯାହା କରୁଛି, ସେଥିରେ ପ୍ରଶଂସା କଲା ଭଳି କିଛି ଅଛି କି ?
ପୂରା ଗଣମାଧ୍ୟମର ଚେହେରା ଓ ଚରିତ୍ରକୁ ନ ଦେଖି ଆଜିର ଖବର କୁ ନେଇ କଥା ହେବା । ଆଜି ସକାଳର ସବୁଠୁ ବଡ ଖବର କଣ କହିଲେ ?
ଗତକାଲି ଗୋଟେ ଖବର ଆସିଛି, ଆଦାନୀ ପରିବେଶ ସୁରକ୍ଷା ଲାଗି “ଗ୍ରୀନ ଏନର୍ଜି” ବାବଦ ପୁଞ୍ଜି ଲଗାଣ କଥା କହି ବିଭିନ୍ନ ପୁଞ୍ଜି ବିନିଯୋଗକାରୀଙ୍କ ଠାରୁ ପୁଞ୍ଜି ଆଣି ତାକୁ କୋଇଲା କ୍ଷେତ୍ରରେ ବିନିଯୋଗ କରୁଛି । ଅର୍ଥାତ ପରିବେଶ ପ୍ରଦୂଷଣ ରୋକିବାକୁ ଅର୍ଥ ଆଦାୟ କରି ସେହି ଅର୍ଥରେ ଆଦାନୀ ପରିବେଶକୁ ଦୂଷିତ କରୁଛି । ବିଭିନ୍ନ ଆନ୍ତର୍ଜାତିକ ଆଇନ ଅନୁଯାୟୀ ଏହା ଏକ ବଡ ଅପରାଧ ଓ ଦୁର୍ନୀତି । ଏ ପ୍ରସଙ୍ଗରେ ଆଜିର ଗଣମାଧ୍ୟମରେ ସେମିତି କିଛି ଖାସ ଖବର ନାଇଁ ।
ଆଜିକାର ସବୁଠୁ ବଡ ଖବର ହେଉଛି ଦୁଇଜଣ ବାବୁ ବାବୁଆଣୀ ଭଲ ପାଇ ବିବାହ କରିବାକୁ ନିର୍ବନ୍ଧ କଲେ । କଲେକ୍ଟର ପାହ୍ୟାରେ ଥିବା ଦୁଇଜଣ ଆଇଏଏସ ଅଧିକାରୀ ବିବାହ କରିବାକୁ ନିଷ୍ପତ୍ତି ନେବା କେଉଁ ଦୃଷ୍ଟିରୁ ଏକ ବଡ ଖବର ଯେ ତାକୁ ନେଇ ଖବରକାଗଜର ପ୍ରଥମ ପୃଷ୍ଠାରେ ଖବର ଦିଆ ଯାଇଛି । ପ୍ରତିଦିନ ଏମିତି କେତେ ବାହାଘର ହେଉଛି ଓ ଛାଡପତ୍ର ହେଉଛି । ସେ କଣ ଖବର ? ଯେଉଁ ବାବୁ ବାବୁଆଣୀ ବିବାହ କରିବାକୁ ଯାଉଛନ୍ତି, ସେମାନେ ତାଙ୍କ ନିର୍ବନ୍ଧ ଉତ୍ସବକୁ ସାମ୍ବାଦିକଙ୍କୁ ଡ଼ାକିଥିଲେ କି ?
ଭାଇ!! ତମେ ନା ବରଯାତ୍ରୀ, ନା କନ୍ୟାପକ୍ଷର ଲୋକ !! ଦୁଇ ପରିବାର ଭିତରେ ତାଙ୍କର ବାହାଘର ହେଲା । ସେଥିରେ ତମେ ଏତେ ଡିଆଁଡେଇଁ କାଇଁ କରୁଛ ? ଏ ଖବର ଯଦି କୌଣସି ୱେବ ଚାନେଲ କି ୟୁଟ୍ୟୁବ ଚାନେଲରେ ଆସିଥାନ୍ତା, ଆମେ ତାକୁ ଆଡେଇ ଯାଇଥାନ୍ତୁ । ଏ ଖବର ଆଜି ରାଜ୍ୟର ସବୁ ଟେଲିଭିଜନ ଚାନେଲ ଓ ଖବରକାଗଜରେ ପ୍ରମୁଖ ଖବର ହୋଇ ବାହାରିଛି । ଜଣେ ବନ୍ଧୁ ଖବର ଦେଲେ, ଦେଖ- ଗୋଟେ ଟେଲିଭିଜନ ଚାନେଲ ଏ ଖବରକୁ କେମିତି ଲାଇଭ କାଭରେଜ ଦେଉଛି । ପର ବାହାଘରରେ ଅବଦୁଲ୍ଲା ଦିବାନାର ଏ ନାଚ ଦେଖି, ଲୋକେ ହସିବା ସାରା ହେଉଛି ।
ଏ ବାହାଘରକୁ ନେଇ ଗଣମାଧ୍ୟମର ଉତ୍ସାହ ଦେଖି, ଆମକୁ ଲାଗୁଛି, ଆଗାମୀ କିଛଦିନ ଓଡିଶା ଗଣମାଧ୍ୟମର ଆଖି ଓ କାନ ସମ୍ପୃକ୍ତ ଦୁଇ ଜିଲାପାଳଙ୍କ କାନ୍ଥରେ ଇ ଲାଖିକି ରହିବ । ଆବଶ୍ୟକ ପଡିଲେ ଏହାକୁ ନେଇ ଆହୁରି କେତେ ରଙ୍ଗୀନ ଓ ରସାଳ ଗପ ସବୁ ଲେଖାଯିବ । କାହାର ବ୍ୟକ୍ତିଗତ ଜୀବନ ଯେ ଆମ ପାଇଁ ଏତେ ବଡ ଖବର ସେ କଥା ପ୍ରମାଣିତ କରିବା ଲାଗି କେତେ ପ୍ରକାର ଯୁକ୍ତି/ବିତଣ୍ଡା ଆମକୁ ଶୁଣିବାକୁ ମିଳିବ ।
ଆଗରୁ ଜାତୀୟ ଗଣମାଧ୍ୟମରେ ସିନେମା ତାରକାଙ୍କ ବାହାଘରକୁ ନେଇ ଏମିତି ରୋଚକ କାହାଣୀ ସବୁ ଆମେ ଶୁଣିଛୁ । ଓଡିଶାରେ ଏବେ ସବୁଠୁ ବଡ ତାରକା ହେଲେ ଆମର ଆଇଏଏସ ଅଧିକାରୀମାନେ । ତେଣୁ ସେମାନଙ୍କ ନିର୍ବନ୍ଧ, ବିବାହ, ଆବାଶ୍ୟକ ପଡିଲେ ହନିମୁନ, ପିଲାଜନ୍ମ ଏବଂ ଛାଡପତ୍ର, ସବୁକିଛିକୁ ଖବର କରି ଆମେ ବଞ୍ଚିବୁ । ଆମ ପୋଡାମୁହାଁ ସାମ୍ବାଦିକତାର ଅବସ୍ଥା ଏଇଆ ଯେ ଆମକୁ ନିମନ୍ତ୍ରଣ ନ ମିଳିଲେ ବି ଆମେ କାହା ବାହାଘରେ ଯାଇ ମାଙ୍କଡ ଭଳି ଡେଇଁବୁ । ଗୋଟେ ବଡ ଟିଭି ଚାନେଲ ଓ ତାଙ୍କର ୱେବ ସାଇଟ ଏଇ ବାହାଘରର କାହାଣୀକୁ ନେଇ ଅଧ ଡଜନ ଖବର କରିସାରିଲେଣି । ଏ ବାହାଘରର ମଧ୍ୟସ୍ଥି କିଏ, ଏ ବାହାଘର ପଛରେ କେଉଁ ସବୁ ଛାଡପତ୍ରର କାହାଣୀ ରହିଛି, ଏ ବାହାଘର କଣ ପାଇଁ...ଏମିତି କାହାଣୀ ପରେ କାହାଣୀ ।
ଯେହେତୁ କ୍ଷମତାରେ ଥିବା ଲୋକଙ୍କୁ ପ୍ରଶ୍ନ ପଚାରିବାର ସାହସ ଓ ଦକ୍ଷତା ଆମ ସାମ୍ବାଦିକତାରୁ ମରିଯାଇଛି, ତେଣୁ ବ୍ୟକ୍ତିଗତ ଜୀବନକୁ ନେଇ ଆମେ ଖବର ତିଆରି କରୁଛୁ । ବ୍ୟକ୍ତିଗତ ଜୀବନର ଖବର ସେତେବେଳେ ଗୋଟେ ସମାଜର ଆକର୍ଷଣ ପାଲଟେ ଯେତେବେଳେ ସମାଜ ନିହାତି ମାନସିକ ରୋଗର ଶିକାର ହୁଏ ।
ଆମ ସମାଜର ମାନନସିକ ଭାବରେ କେତେ ସୁସ୍ଥ, ସେକଥା ତ ବିତର୍କର ବିଷୟ, ହେଲେ ଆମ ଗଣମାଧ୍ୟମ ଯେ ଜୀବନ୍ତ ଭାବରେ ଗୋଟେ ମଲାମୁଷା, ଏହାର ପ୍ରମାଣ ଖୋଜିବାର ଆବଶ୍ୟକତା ନାଇଁ ।
ଜୀବନ୍ତ ଭାବରେ ମୃତ୍ୟୁ ଭୋଗୁଥିବା ଆମର ଗଣମାଧ୍ୟମ ଲାଗି ଏହା ଏକ ଶୋକ ଆଲେଖ୍ୟ !!