ମାମୁଦ ଡାରୱିଶଙ୍କ କବିତା : ମୁଁ ଆସିଛି ସେଇଠୁ

ମାମୁଦ ଡାରୱିଶଙ୍କ କବିତା : ମୁଁ ଆସିଛି ସେଇଠୁ

ମାମୁଦ ଡାରୱିଶ (୧୩, ମାର୍ଚ୍ଚ, ୧୯୪୧-୯, ଅଗଷ୍ଟ,୨୦୦୮), ପାଲେଷ୍ଟାଇନର ମହାକବି

ହିଂସାଗ୍ରସ୍ତ ପାଲେଷ୍ଟାଇନର ମେରୁଦଣ୍ଡରେ ସେ ଆମ ସମୟର ସବୁଠୁ କୋମଳ ବିଦ୍ରୋହ ।

ପାଲେଷ୍ଟାଇନ ଏବଂ ଇଜ୍ରାଏଲ ମଝିରେ ଥିବା  ହିଂସାର ହିଂସାର ସୀମାରେଖାରେ କବିତାର ବିଶଲ୍ୟକରଣୀ

ଖୋଜୁଥିବା ସେ ଥିଲେ ଶେଷ ମହାକବି

     

ମୁଁ ଆସିଛି ସେଇଠୁ 

ମୁଁ ଆସିଛି ମୋର ସ୍ମୃତିର ପୃଥିବୀରୁ

ପୃଥିବୀର ଅନ୍ୟ ସବୁ ନଶ୍ଵର ମଣିଷଙ୍କ ଭଳି

ମୋର ଜଣେ ମା ଅଛି

ଅଛି, ଅନେକ ଝରକା ଥିବା ଗୋଟେ ଘର

ଅଛନ୍ତି ବି ମୋ ଭାଇ ଓ ବନ୍ଧୁ

ଏବଂ ଆହୁରି ଅଛି ଗୋଟେ ଜେଲଖାନାର କାଳ କୋଠରୀ

ଓ ସେହି  ଜେଲଖାନାର ଏକ ନିଷ୍ଠୁର ଝରକା

 

ମୋର ଥିଲା ବି ଗୋଟେ ତରଙ୍ଗ

ଯାହାକୁ ଛଡେଇ ନେଇଛି ସମୁଦ୍ର ସାରସ

ଥିଲା ବି ମୋର ନିଜସ୍ଵ ଦୃଶ୍ୟ

ଓ କିଛି ଅଧିକ ଘାସପତ୍ର

 

ମୋର ଥିଲା ଶବ୍ଦର ଧାରେ ଧାରେ

ଏକ ଚନ୍ଦ୍ରମା

ପକ୍ଷୀମାନଙ୍କର କୂଜନ

କେବେ ହେଲେ ମରୁନଥିବା ଅଲିଭ ଗଛ   

 

ତଳୁଆର ଚାଲିବା ପୂର୍ବରୁ

ଏ ଭୂମିରେ ମୋର ପଦଚାରଣା

ମୁଁ ମୋର ଜୀବନ୍ତ ଦେହକୁ

ରୂପାନ୍ତରିତ କରିଥିଲି ଏକ ଭରପୁର ଟେବୁଲରେ   

 

ମୁଁ ସେଇଠୁ ଆସିଥିଲି

ଯେଉଁଠି ଆକାଶ ନିଜ ମା ଲାଗି କାନ୍ଦୁଥିବା ବେଳେ

ମୁଁ ଆକାଶକୁ ଫେରେଇ ଦେଇଥିଲି ତା ମା କୁ       

ଏବଂ ମୁଁ କାନ୍ଦିଥିଲି ମୋତେ ଚିହ୍ନେଇ ଦେବାକୁ

ସେଇ ଫେରନ୍ତା ମେଘକୁ

 

ରକ୍ତର ଅଦାଲତ ପାଇଁ ଯୋଗ୍ୟ

ସବୁ ଶବ୍ଦ ମୁଁ ଶିଖିଥିଲି

ଶିଖିଥିଲି, କାରଣ ସେ ନିୟମ ସବୁକୁ ମୁଁ ଭାଙ୍ଗୁଥିଲି  

ମୁଁ ଶବ୍ଦସବୁଙ୍କୁ ଶିଖିଥିଲି

କେବଳ ସେମାନଙ୍କୁ ଭାଙ୍ଗିବା ପାଇଁ

ମୁଁ ସବୁ ଶବ୍ଦକୁ ଶିଖିଲି ଓ ସଭିଙ୍କୁ ଭାଙ୍ଗିଦେଲି

ସବୁଶବ୍ଦ ଭାଙ୍ଗିଗଲା ପରେ

 ବାକି ରହିଲା   ଗୋଟିଏ ବୋଲି ଶବ୍ଦ

ଦେଶ;ସ୍ଵଦେଶ

ଅନୁବାଦ - କେଦାର ମିଶ୍ର