ମାମୁଦ ଡାରୱିଶଙ୍କ କବିତା : ମୁଁ ଆସିଛି ସେଇଠୁ

ମାମୁଦ ଡାରୱିଶ (୧୩, ମାର୍ଚ୍ଚ, ୧୯୪୧-୯, ଅଗଷ୍ଟ,୨୦୦୮), ପାଲେଷ୍ଟାଇନର ମହାକବି ।
ହିଂସାଗ୍ରସ୍ତ ପାଲେଷ୍ଟାଇନର ମେରୁଦଣ୍ଡରେ ସେ ଆମ ସମୟର ସବୁଠୁ କୋମଳ ବିଦ୍ରୋହ ।
ପାଲେଷ୍ଟାଇନ ଏବଂ ଇଜ୍ରାଏଲ ମଝିରେ ଥିବା ହିଂସାର ହିଂସାର ସୀମାରେଖାରେ କବିତାର ବିଶଲ୍ୟକରଣୀ
ଖୋଜୁଥିବା ସେ ଥିଲେ ଶେଷ ମହାକବି ।
ମୁଁ ଆସିଛି ସେଇଠୁ
ମୁଁ ଆସିଛି ମୋର ସ୍ମୃତିର ପୃଥିବୀରୁ
ପୃଥିବୀର ଅନ୍ୟ ସବୁ ନଶ୍ଵର ମଣିଷଙ୍କ ଭଳି
ମୋର ଜଣେ ମା ଅଛି
ଅଛି, ଅନେକ ଝରକା ଥିବା ଗୋଟେ ଘର
ଅଛନ୍ତି ବି ମୋ ଭାଇ ଓ ବନ୍ଧୁ
ଏବଂ ଆହୁରି ଅଛି ଗୋଟେ ଜେଲଖାନାର କାଳ କୋଠରୀ
ଓ ସେହି ଜେଲଖାନାର ଏକ ନିଷ୍ଠୁର ଝରକା ।
ମୋର ଥିଲା ବି ଗୋଟେ ତରଙ୍ଗ
ଯାହାକୁ ଛଡେଇ ନେଇଛି ସମୁଦ୍ର ସାରସ
ଥିଲା ବି ମୋର ନିଜସ୍ଵ ଦୃଶ୍ୟ
ଓ କିଛି ଅଧିକ ଘାସପତ୍ର ।
ମୋର ଥିଲା ଶବ୍ଦର ଧାରେ ଧାରେ
ଏକ ଚନ୍ଦ୍ରମା
ପକ୍ଷୀମାନଙ୍କର କୂଜନ
କେବେ ହେଲେ ମରୁନଥିବା ଅଲିଭ ଗଛ ।
ତଳୁଆର ଚାଲିବା ପୂର୍ବରୁ
ଏ ଭୂମିରେ ମୋର ପଦଚାରଣା
ମୁଁ ମୋର ଜୀବନ୍ତ ଦେହକୁ
ରୂପାନ୍ତରିତ କରିଥିଲି ଏକ ଭରପୁର ଟେବୁଲରେ ।
ମୁଁ ସେଇଠୁ ଆସିଥିଲି
ଯେଉଁଠି ଆକାଶ ନିଜ ମା ଲାଗି କାନ୍ଦୁଥିବା ବେଳେ
ମୁଁ ଆକାଶକୁ ଫେରେଇ ଦେଇଥିଲି ତା ମା କୁ ।
ଏବଂ ମୁଁ କାନ୍ଦିଥିଲି ମୋତେ ଚିହ୍ନେଇ ଦେବାକୁ
ସେଇ ଫେରନ୍ତା ମେଘକୁ ।
ରକ୍ତର ଅଦାଲତ ପାଇଁ ଯୋଗ୍ୟ
ସବୁ ଶବ୍ଦ ମୁଁ ଶିଖିଥିଲି
ଶିଖିଥିଲି, କାରଣ ସେ ନିୟମ ସବୁକୁ ମୁଁ ଭାଙ୍ଗୁଥିଲି
ମୁଁ ଶବ୍ଦସବୁଙ୍କୁ ଶିଖିଥିଲି
କେବଳ ସେମାନଙ୍କୁ ଭାଙ୍ଗିବା ପାଇଁ
ମୁଁ ସବୁ ଶବ୍ଦକୁ ଶିଖିଲି ଓ ସଭିଙ୍କୁ ଭାଙ୍ଗିଦେଲି
ସବୁଶବ୍ଦ ଭାଙ୍ଗିଗଲା ପରେ
ବାକି ରହିଲା ଗୋଟିଏ ବୋଲି ଶବ୍ଦ
ଦେଶ;ସ୍ଵଦେଶ।
ଅନୁବାଦ - କେଦାର ମିଶ୍ର