ଇଲେକ୍ଟୋରାଲ ବଣ୍ଡ : ସୁପ୍ରିମକୋର୍ଟଙ୍କ ରାୟ ପରେ

ଇଲେକ୍ଟୋରାଲ ବଣ୍ଡ : ସୁପ୍ରିମକୋର୍ଟଙ୍କ ରାୟ ପରେ

ଓଡ଼ିଶାରେ ଇଲେକ୍ଟୋରାଲ୍ ବଣ୍ଡ୍ ବିରୁଦ୍ଧରେ ଏହି ଲେଖକଠାରୁ ଆଉ କେହି ବେଶି କହିଛି କି ? ଏଥିପାଇଁ ପୁର୍ବରୁ ଏହି ଲେଖକ  ଗୋଟିଏ ଭିଡିଓ କରି ସରଳ ଭାଷାରେ ଏହା ବୁଝାଇଥିଲା । ଏବେ ଏମିତି ଲେଖିବା ଲେଖକର ଏକ ଅହଂକାର ନୁହେଁ। ଏହା ତାହାର ଏକ କ୍ଷୋଭ। 

କିନ୍ତୁ ପରିତାପର ବିଷୟ ଯେ, ଗତକାଲି ସୁପ୍ରିମକୋର୍ଟଙ୍କ ରାୟ ପରେ ଏହାକୁ ସ୍ବାଗତ କରୁଥିବା କେତେକ ବନ୍ଧୁ ତଥାପି ଏହାର ଭୁଲ୍ ବ୍ୟାଖ୍ୟା କରୁଛନ୍ତି। ବ୍ୟବସ୍ଥା ଦାୟୀ। ଏହା ସମ୍ବିଧାନ ବିରୋଧୀ। ଏହା ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ଏହା ଅମୁକ ଧାରାକୁ ବିରୋଧ କରୁଛି। 

ଏସବୁ ଠିକ୍ ଅଛି। କିନ୍ତୁ ଏପରି କହିବା ଦ୍ବାରା ସାଧାରଣ ଲୋକଟିଏ ବୁଝିବ ଯେ ଏହା ଦ୍ବାରା ସମ୍ବିଧାନର କେବଳ ଏକ ଧାରା ବୋଧହୁଏ ଭାଙ୍ଗି ଯାଇଥିଲା ଯାହାକୁ ଏବେ ସୁପ୍ରିମକୋର୍ଟ ଠିକ୍ କରିଦେଲେ। ଏସବୁ ବ୍ୟତୀରକେ, ଇଲେକ୍ଟୋରାଲ୍ ବଣ୍ଡ୍ ଯେ ଏକ ସାଧାରଣ ଜ୍ଞାନକୁ ଉପହାସ  କରୁଥିଲା, ତାହା ଖାଲି ଆଖିରେ ଜଳଜଳ ଦେଖା ଯାଉଛି। ପୁଣି ଏହାଠାରୁ ବଳି ପରିତାପର ବିଷୟ ଯେ, କେତେକ ଏଥିରେ ସବୁ ରାଜନୈତିକ ଦଳଙ୍କୁ ଦୋଷ ଦେଉଛନ୍ତି ଓ ଯେଉଁ ଯେଉଁ ରାଜନୈତିକ ଦଳମାନେ ଇଲେକ୍ଟୋରାଲ୍ ବଣ୍ଡ୍ ପାଇଛନ୍ତି ସେ ସମସ୍ତଙ୍କୁ ଅପରାଧୀ ମଣୁଛନ୍ତି। 

ଏଠାରେ ଏହି ଲେଖକର ସ୍ପଷ୍ଟ ମତ ଯେ ବିରୋଧୀ ଦଳମାନେ ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ଟଙ୍କା ନେବା ଏକ ଭୁଲ୍ କାମ ନୁହେଁ। ଏବେ ଯେଉଁ କୁହା ଯାଉଛି, ଏଥର କିଏ କେତେ ବଣ୍ଡ ପାଇଛି ଜଣା ପଡ଼ିଯିବ - ଏହା ଦ୍ବାରା ସେମାନେ କହୁଛନ୍ତି ଯେ ଇଲେକ୍ଟୋରାଲ୍ ବଣ୍ଡକୁ ଛୁଇଁବା ମାତ୍ରେ  ହିଁ ଭୁଲ୍ । 

ଆଜ୍ଞା, ଦେଶରେ ଗୋଟିଏ କାନୁନ୍ ବନିଲା । ତାହାକୁ ବିରୋଧ କରାଯାଇ ପାରିବ। କିନ୍ତୁ ତାହା ମୋ ଉପରେ ଲାଗୁ ହେବ ନାହିଁ ବୋଲି କେମିତି କୁହାଯିବ ? ଏହି ନିୟମ ଲାଗୁ ହେବା ଦ୍ବାରା, ଯେଉଁମାନେ ଚେକ୍ ମାଧ୍ୟମରେ ରାଜନୈତିକ ଚାନ୍ଦା ଦେଉଥିଲେ, ସେମାନେ ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ଦେବାକୁ ପସନ୍ଦ କଲେ । ଏଥିରେ କ'ଣ ଗୋଟିଏ ପାର୍ଟି ନୈତିକତାର ପ୍ରଶ୍ନ ଉଠାଇ ବଣ୍ଡ ନେବାକୁ ମନା କରି ପାରିବ ? ମନା କଲେ, ତା ପାର୍ଟି କେମିତି ଚାଲିବ ? କେବଳ ଇଲେକ୍ଟୋରାଲ୍ ବଣ୍ଡକୁ ବିରୋଧ କରିବା ବ୍ୟତୀତ ସେହି ପାର୍ଟି ପାଖରେ ଆଉ ମଧ୍ୟ ବଡ଼ ବଡ଼ ଏଜେଣ୍ଡା ରହିଛି ଯାହା ସେ ପାର୍ଟିଠାରୁ ପ୍ରାଥମିକତା ଦାବି କରୁଛି । କ'ଣ କେବଳ ଇଲେକ୍ଟୋରାଲ୍ ବଣ୍ଡ୍ ପାଇଁ ସେହି ପାର୍ଟି ତାର ଆଉ ସବୁ ଏଜେଣ୍ଡା ପାଇଁ ଲଢେଇ  କରିବା ଥପ୍ କରିଦେବ କି ? ଏଣିକି ସବୁ ରାଜନୈତିକ ଦଳ ଧରାପଡିଯିବେ ବୋଲି  କହିବାର ଅର୍ଥ ହେଉଛି ଏହି ନିନ୍ଦନୀୟ ଆଇନ୍ ପ୍ରାବଧାନ କରିଥିବା ଦଳ ମୁଣ୍ଡ ଉପରୁ ଦୋଷ ଛଡ଼ାଇ ଏହାକୁ ଏକ କୋଠ ଭୁଲ୍ ବୋଲି କହିବା । ବାସ୍ତବତା ହେଉଛି, ସରକାରରେ ନଥିବା ଦଳମାନେ ଏହାକୁ  ବିରୋଧ କରିବା  ସହିତ ଏହି ବ୍ୟବସ୍ଥାରେ ଫସିବାକୁ ବାଧ୍ୟ ହୋଇଛନ୍ତି। ବାମପନ୍ଥୀଙ୍କ ଠାରୁ ଆରମ୍ଭ କରି ଦକ୍ଷିଣପନ୍ଥୀମାନେ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଏହି ବ୍ୟବସ୍ଥା ଅନ୍ତର୍ଗତ ରହିବାକୁ ବାଧ୍ୟ। 


ଏକଥା ସତ ଯେ କେବଳ ସିପିଆଇ-ଏମ୍ ଇଲେକ୍ଟୋରାଲ୍ ବଣ୍ଡ୍ ନେବାକୁ ମନା କରି ଦେଇଥିଲା ଓ ଅନ୍ୟ ପ୍ରାୟ ସବୁ ରାଜନୈତିକ ଦଳ ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ଚାନ୍ଦା ନେଇଛନ୍ତି । ସିପିଆଇଏମ୍ ଇଲେକ୍ଟୋରାଲ୍ ବଣ୍ଡକୁ ବିରୋଧ କରି ସୁପ୍ରିମକୋର୍ଟକୁ ମଧ୍ୟ ଯାଇଥିଲା।‌ ତେବେ ସିପିଏମର  ଆଦାନୀ କମ୍ପାନୀ ପ୍ରତି ତୀବ୍ର ବିରୋଧ ଥିବା ସତ୍ତ୍ଵେ, କଂଗ୍ରେସ ଶାସନ ସମୟରେ କେରଳର ଭିଜିନିଜମ୍ ବନ୍ଦର ସମ୍ବନ୍ଧୀୟ ଏକ ପ୍ରକଳ୍ପ ପାଇଁ ହୋଇଥିବା ଟେଣ୍ଡରରେ କେବଳ ଆଦାନୀ ଭାଗ ନେଲା ଓ ଠିକା ପାଇଲା ମଧ୍ୟ, । ଏବେ କେରଳର ବାମ ଗଣତାନ୍ତ୍ରିକ ଫ୍ରଣ୍ଟ ସରକାର ତାହାକୁ ବନ୍ଦ କରି ପାରିବ ନାହିଁ। ବରଂ ଟେଣ୍ଡର ପ୍ରକ୍ରିୟାକୁ ସମସ୍ତ  ବିରୋଧ ସତ୍ତ୍ଵେ, ପୂର୍ବ ସରକାରଙ୍କ ଦ୍ବାରା ଆଦାନୀ ସହ ହୋଇଥିବା ଚୁକ୍ତିର ସର୍ତ୍ତ ମୁତାବକ ବର୍ତ୍ତମାନର ରାଜ୍ୟ ସରକାର ହୁଡକୋ ଠାରୁ ଋଣ ଆଣି ଆଦାନୀ କମ୍ପାନୀକୁ ୪୦୦ କୋଟି ଟଙ୍କାର ଏକ କିସ୍ତି ଦେଇଛି। ଏହା କରିବା ଦ୍ୱାରା କେରଳର ବାମ ଗଣତାନ୍ତ୍ରିକ ଫ୍ରଣ୍ଟ କିଛି ଭୁଲ୍ କରିନାହିଁ। କେନ୍ଦ୍ର ସରକାରଙ୍କ ଇଲେକ୍ଟୋରାଲ୍ ବଣ୍ଡକୁ ବିରୋଧ କରି ବଣ୍ଡ୍ ଗ୍ରହଣ କରି ନଥିବା ଏହି ଦଳର ସରକାର ରାଜ୍ୟରେ ପୂର୍ବ କଂଗ୍ରେସ ସରକାରଙ୍କ ଅନୈତିକ ନିଷ୍ପତିକୁ ସମ୍ମାନ ଦେବାକୁ ବାଧ୍ୟ ହୋଇଛି । ତେଣୁ ନୈତିକତା ପାଇଁ ପ୍ରତୀକାତ୍ମକ ଲଢେଇର ଏକ ସୀମା ରହିଛି। 

କ'ଣ କମ୍ପାନୀମାନଙ୍କ ଠାରୁ ଚାନ୍ଦା ନେବା ଭୁଲ୍ ଅଟେ ? ଏହାର ଉତ୍ତରରେ ହଁ କହିବା ଅର୍ଥ ହେଉଛି ନିଜକୁ ବିପ୍ଳବୀ ବୋଲି ଦେଖାଇବା ପାଇଁ ଉଦ୍ଦିଷ୍ଟ ଏକ ସରଳ ଓ ସହଜ ପ୍ରଚେଷ୍ଟା  କରିବା । କମ୍ପାନୀ ମାତ୍ରେ ନୁହେଁ ଯେ ତାହା ଦୋଷୀ। ନା ଆମର ସମ୍ବିଧାନ ଏକଥା କହିଛି, ନା ଆମ ଦେଶର ଆର୍ଥିକ ଓ ରାଜନୈତିକ ବ୍ୟବସ୍ଥା ଏହା କହିଛି। କେତୋଟି ଅସାଧୁ କମ୍ପାନୀଙ୍କ ଯୋଗୁଁ ସବୁ କମ୍ପାନୀଙ୍କୁ ଖଳନାୟକ ବୋଲି ଚିତ୍ରଣ କରିବା ହେଉଛି ପ୍ରମାଦଯୁକ୍ତ ଓ ଏହା ମୂଳ ବିଷୟକୁ ବାଟବଣା କରୁଛି । ମହାତ୍ମାଗାନ୍ଧୀ ବିର୍ଲା ଠାରୁ ସାହାଯ୍ୟ ନେଇଥିଲେ। ଶିଳ୍ପପତି ରାଜୀବ ବଜାଜ୍ ଓ ଆହୁରି ଅନେକ ଶିଳ୍ପପତି ଆମ୍ ଆଦମୀ ପାର୍ଟିକୁ ଚାନ୍ଦା ଦେଇଛନ୍ତି। ଉଦାହରଣ ସ୍ୱରୂପ, ଯଦି କୌଣସି କମ୍ପାନୀ ଚିନ୍ତା କରେ ଯେ କଂଗ୍ରେସ ସରକାରକୁ ଆସିଲେ ଦେଶରେ ଆର୍ଥିକ ସ୍ଥିରତା ଆସିବ, ଯଦ୍ବାରା ଦେଶରେ ଶିଳ୍ପ ପାଇଁ ଅନୁକୂଳ ବାତାବରଣ ହେବ, ଲୋକଙ୍କର କ୍ରୟଶକ୍ତି ବଢିବ , ପୁଞ୍ଜିନିବେଶ ବଢିବ ଓ ନିଯୁକ୍ତି ବଢିବ, ତାହେଲେ ସେହି କମ୍ପାନୀ କଂଗ୍ରେସକୁ ଚାନ୍ଦା ଦେଲେ ଭୁଲ୍ କେଉଁଠି ? ଦେଶରେ ଏମିତି କମ୍ପାନୀ ଯେ  ନାହାନ୍ତି ତାହା ନୁହେଁ। ଏମିତି କହିବା ଅର୍ଥ ହେଉଛି Missing the wood for the trees . 

‌ପ୍ରକୃତ ବିଷୟଟି ହେଉଛି ପାରଦର୍ଶିତା, ଯାହା ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ଖତମ ହୋଇ ଯାଉଥିଲା। ପାରଦର୍ଶିତା ଥିଲେ ଆମେ କହି ପାରିବା, ଯେଉଁ ଅମୁକ କମ୍ପାନୀକୁ ଗୋଟିଏ ନିର୍ଦ୍ଦିଷ୍ଟ ସରକାରୀ ଠିକା ମିଳିଛି ସେ କମ୍ପାନୀ ସରକାରୀ ଦଳକୁ ଏତିକି ଟଙ୍କାର ଇଲେକ୍ଟୋରାଲ୍ ବଣ୍ଡ୍ ଦେଇଛି । ତଥାପି ଏକଥା ମଧ୍ୟ ଆପେ ଆପେ ପ୍ରମାଣିତ ହେବ ନାହିଁ ଯେ ସେହି ଇଲେକ୍ଟୋରାଲ୍ ବଣ୍ଡ୍ ବଦଳରେ କମ୍ପାନୀଟିକୁ ଠିକା ମିଳିଛି।‌ ଇଲେକ୍ଟୋରାଲ୍ ବଣ୍ଡ୍ ଦେଇ ଥିବା କମ୍ପାନୀକୁ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବାରୁ ନିୟମ ମୁତାବକ ରୋକି ହେବ ନାହିଁ କି ସେହି କମ୍ପାନୀ ଯେ ସବୁ ଠାରୁ ଭଲ ଦାମ୍ କୋଟ୍ କରି ନଥିବ, ତାହା ଆପେ ଆପେ ପ୍ରମାଣିତ ହେବନାହିଁ। ଆମେ କେବଳ ଆମ ସନ୍ଦେହ ମୁତାବକ ଏଭଳି ଭାବେ  ଘଟଣା ଘଟିଥିବାର  ସମ୍ଭାବନା ପ୍ରତି ସଚେତନ ହୋଇ ପାରିବା । ଏଠାରେ ତା ଠାରୁ ବଡ଼ ପ୍ରଶ୍ନ ହେଉଛି ଯେ,  ଟେଣ୍ଡର ପ୍ରକ୍ରିୟାଟି ପାରଦର୍ଶିତାର ସହିତ ହୋଇଛି ତ ? ଟେଣ୍ଡରର ସର୍ତ୍ତାବଳୀ ରାଜକୋଷ ଓ ଜନତାଙ୍କ ସ୍ବାର୍ଥରେ ହୋଇଛି ତ ? 

ଆଦାନୀ କମ୍ପାନୀ ସମୁହ ବିରୁଦ୍ଧରେ ଯେତେବେଳେ ଷ୍ଟକ୍ ଦୁର୍ନୀତିର ଅଭିଯୋଗ ଆସିଲା , ଏହାର ମାଲିକ ଗୌତମ ଆଦାନୀ ଜାତୀୟ ପତାକାକୁ ଦେଖାଇ ଗୋଟିଏ ଭିଡିଓ କଲା ଏବଂ ସେଥିରେ  ସଫେଇ ଦେଲା ଯେ ସେ ହେଉଛନ୍ତି ରାଷ୍ଟ୍ରବାଦୀ। ଏ କ୍ଷେତ୍ରରେ ଆଦାନୀ ସମୂହ କେନ୍ଦ୍ରରେ ଥିବା ସରକାରୀ ଦଳକୁ ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ଚାନ୍ଦା ଦେଇଛି କି ନାହିଁ ଏପର୍ଯ୍ୟନ୍ତ ତାହାର ପ୍ରମାଣ ଆସିନାହିଁ। ତେଣୁ ଯଦି ସମାଜ ଅପରାଧ ପ୍ରତି ନିର୍ବିକାର ରହିଛି, ଆଦାନୀ  ଅପରାଧ ପୁର୍ବରୁ ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ଟଙ୍କା ଦେଇଛି ବୋଲି ଜାଣିକରି କ'ଣ ଲାଭ ହେବ ? 

ଏଭଳି ସ୍ଥିତି ବିଷୟରେ ଆମେ ସାଧାରଣତଃ କେତେ ସଚେତନ ଅଛୁ ? ୨୦୨୨ ମସିହା ଏପ୍ରିଲ୍ ମାସରେ କୋଲକାତାର IFB Agro Limited ଖୋଲାଖୋଲି ଭାବେ ପ୍ରକାଶ କରିଥିଲା ଯେ ଏକ୍ସାଇଜ୍ ସମ୍ବନ୍ଧୀୟ ମାମଲାରେ ସେମାନେ ଫସି ଥିବାରୁ ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକରେ ନିଷ୍ପତ୍ତି ନିଆ ଯାଇଛି ଯେ ତାଙ୍କ କମ୍ପାନୀର ସ୍ବାର୍ଥରେ ସେମାନେ ନିର୍ଦ୍ଦିଷ୍ଟ ଗୋଟିଏ ରାଜନୈତିକ ଦଳକୁ ୪୦ କୋଟି ଟଙ୍କାର ଇଲେକ୍ଟୋରାଲ୍ ବଣ୍ଡ୍ ଦେବେ ।‌ ଏ ଘଟଣା ଆଉ କେଉଁ ସରକାର ସମୟରେ ହୋଇଥିଲେ ଏହା ଏକ ବିରାଟ ବଡ଼ ଆଲୋଡନ ସୃଷ୍ଟି କରିଥାନ୍ତା । କିନ୍ତୁ ଏହି ଘଟଣାକୁ ଚପାଇ ଦିଆଗଲା। ନିଜେ ଜଣେ ଡାଇରେକ୍ଟର ଏକଥା କହିବା ଠାରୁ ଆହୁରି ଅଧିକ ପାରଦର୍ଶିତା କ'ଣ ଥିଲା ? ତେଣୁ ବର୍ତ୍ତମାନ ପରିସ୍ଥିତିରେ ପାରଦର୍ଶିତା ଯୋଗୁଁ ଯେ ଦେଶର ଗଣତନ୍ତ୍ରକୁ ବେଶି କିଛି ଫାଇଦା ମିଳିବ ସେଥିରେ ମଧ୍ୟ ସନ୍ଦେହ ରହିବା ସ୍ଵାଭାବିକ। 

ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ପ୍ରତ୍ୟେକ ପ୍ରାର୍ଥୀ ସେମାନଙ୍କର ଅପରାଧିକ ରେକର୍ଡ ସାଧାରଣରେ ଘୋଷଣା କରନ୍ତି । କିନ୍ତୁ ଏହା ସତ୍ତ୍ୱେ,  ଏ କ୍ଷେତ୍ରରେ  ପାରଦର୍ଶିତା ବଢିବା ପରେ ମଧ୍ୟ ଅପରାଧି ସାଂସଦଙ୍କ ସଂଖ୍ୟା ବଢୁଛି । ତେଣୁ ପାରଦର୍ଶିତା ଏଠାରେ କାମ ଦେଉ ନାହିଁ ବୋଲି କହିବା ଭୁଲ୍ ହେବ ନାହିଁ। 

ଧିରେ ଧିରେ ନିର୍ବାଚନ ପ୍ରଚାର ପାଇଁ ଖର୍ଚ୍ଚ ସୀମାକୁ ବ୍ୟବହାରହାରିକ କରିବା ପାଇଁ ଦାବି ପ୍ରତି ସମର୍ଥନ ବଢିଲା । ଫଳରେ ବାରମ୍ବାର ଏହି ଖର୍ଚ୍ଚ ସୀମା ବଢ଼ାଗଲା । ଯଦି ଗୋଟିଏ ରାଜନୈତିକ ଦଳ ଦୁଇ ଡଜନ୍ ହେଲିକପ୍ଟର ବ୍ୟବହାର କରି ଓ ବଡ଼ ବଡ଼ ରାଲି କରି ନିର୍ବାଚନ ପ୍ରଚାର କଲା, ତେବେ ଖୁବ୍ କମ୍ ଲୋକ ପଚାରୁଛନ୍ତି ଯେ ଏଥିପାଇଁ ସେ ପାର୍ଟି ଟଙ୍କା କେଉଁଠୁ ଆଣୁଛି। ବରଂ ତାହା ଦେଖି ଏକ ଧାରଣା ବଳବତ୍ତର ହେଉଛି ଯେ ସେହି ପାର୍ଟି ସପକ୍ଷରେ ହାଓ୍ବା ଅଛି ।‌ କିଏ ନ ଦେଖିଛି ଯେ ନରେନ୍ଦ୍ର ମୋଦୀ ୨୦୧୪ର ସାଧାରଣ ନିର୍ବାଚନ ପ୍ରଚାର ସମୟରେ  ଆଦାନୀର ହେଲିକପ୍ଟରରେ ବସି ଦେଶସାରା ବୁଲିଥିଲେ ? ସେଥିପାଇଁ ଯଦି ସାଧାରଣରେ ଆକ୍ରୋଶ ସୃଷ୍ଟି ନହେଲା, ତେବେ ଆଦାନୀ ବିଜେପିକୁ ଇଲେକ୍ଟୋରାଲ୍ ବଣ୍ଡ୍ ଦେଇଛି ବୋଲି ଜାଣିଲେ ଏହାକୁ ଅସ୍ବଭାବିକ ଓ ଅନୈତିକ ବୋଲି କିଏ କାହିଁକି କହିବ ? 

ଇଲେକ୍ଟୋରାଲ୍ ବଣ୍ଡରେ ଥିବା ଗୁପ୍ତ ନମ୍ବର ଦ୍ବାରା   ସରକାରୀ ଦଳ ବ୍ୟାଙ୍କ ଠାରୁ ଜାଣି ପାରୁଥିଲା କେଉଁ ବ୍ୟକ୍ତି ବା କମ୍ପାନୀ କେଉଁ ବିରୋଧୀ ଦଳକୁ କେତେ ଚାନ୍ଦା ଦେଇଛି। ଏହା ପରେ ସରକାରୀ ଦଳ ଇଡି, ସିବିଆଇ ଓ ଆୟକର ବିଭାଗ ଭଳି ଯାଞ୍ଚ୍ ସଂସ୍ଥାକୁ ପଠାଇ ଉକ୍ତ ଚାନ୍ଦାଦାତାକୁ ହଇରାଣ କରୁଥିଲା । ଫଳରେ ବିରୋଧୀ ଦଳମାନେ ଇଲେକ୍ଟୋରାଲ୍ ବଣ୍ଡ୍ ଦ୍ବାରା କମ୍ ଉପକୃତ ହେଉଥିଲେ ଏବଂ ନିର୍ବାଚନ ଯୁଦ୍ଧରେ ଏକ ଅସମତଳ ପଡିଆ ତିଆରି ହେଉଥିଲା। ବିରୋଧୀ ଦଳମାନେ ଏହି ପ୍ରତିବନ୍ଧକ ସତ୍ତ୍ୱେ ରାଜନୀତି କରୁଥିଲେ, ଜିତୁଥିଲେ ଓ ହାରୁଥିଲେ। 

କିନ୍ତୁ ଏବେ ତ ଇଡି ଦ୍ବାରା ବିରୋଧୀ ନେତାଙ୍କ ପାଖରୁ ଟଙ୍କାଟିଏ ଜବତ ନ ହୋଇଥିଲେ ମଧ୍ୟ , ନେତା ଦୁର୍ନୀତି କରିଛି ବୋଲି ଗୋଟିଏ ଫର୍ଦ୍ଦର ପ୍ରମାଣ ମିଳି ନଥିଲେ ମଧ୍ୟ, କେବଳ ଜଣିଏ ଲୋକର ବୟାନ ଆଧାରରେ ସେହି ନେତାକୁ ବର୍ଷ ବର୍ଷ ଧରି ଜେଲରେ ପୁରାଇ ହେଉଛି । ମିଡ଼ିଆ ଦ୍ବାରା ସେହି ନେତାର ଏକ ପ୍ରକାର ଲିଞ୍ଚିଂ ହେଉଛି। ତଦନ୍ତଟିଏ ପ୍ରକୃତରେ ଦୁର୍ନୀତିର ପ୍ରମାଣ ଖୋଜିବା ପାଇଁ ହେଉନାହିଁ, ବରଂ ଅନ୍ତହୀନ ତଦନ୍ତ ବଳରେ ବିରୋଧୀ ନେତାକୁ ଜେଲରେ ରଖିବା ପାଇଁ ହେଉଛି। ଏଥିପାଇଁ ହୋଇଥିବା ପିଏମଏଲଏ ଆଇନରେ ସଂଶୋଧନ, ଇଲେକ୍ଟୋରାଲ୍ ବଣ୍ଡ୍ ଭଳି, ରାଜ୍ୟସଭାକୁ ଯାଇନାହିଁ। ଏହା ମଧ୍ୟ ସମ୍ବିଧାନରେ ଥିବା ବ୍ୟକ୍ତିର ମୌଳିକ ଅଧିକାରକୁ ଅତି ଉଲଗ୍ନ ଭାବେ ଲଂଘନ କରୁଛି।‌ ଇଲେକ୍ଟୋରାଲ୍ ବଣ୍ଡ୍ ଦ୍ବାରା ବିରୋଧୀ ରାଜନୈତିକ ଦଳଙ୍କୁ ପାଣ୍ଠିରୁ ବଞ୍ଚିତ କରା ଯାଇଥିଲା। କିନ୍ତୁ ପିଏମଏଲଏ ଆଇନରେ ଓ ୟୁଏପିଏ ଆଇନରେ ସଂଶୋଧନ ଦ୍ବାରା ବିରୋଧୀ ରାଜନୈତିକ ଦଳର ନେତାଙ୍କୁ ଶାରିରୀକ ଭାବେ ଉଠାଇ ନେଇ ଜେଲରେ ପୁରାଇ ଦିଆ ଯାଉଛି । 

ବିରୋଧୀ ଦଳମାନେ ପାଣ୍ଠି ଅଭାବ ସତ୍ତ୍ୱେ ରାଜନୀତି କରି ପାରିବେ, ନିର୍ବାଚନ ଜିତି ପାରିବେ । କିନ୍ତୁ ଦଳର ନେତାମାନଙ୍କୁ ଦୀର୍ଘ ଦିନ ଧରି ଜେଲରେ ପୁରାଇ ରଖିଲେ ? ଇଲେକ୍ଟୋରାଲ୍ ବଣ୍ଡ୍ ପାଇଁ ବିଭିନ୍ନ ଆଇନରେ ସଂଶୋଧନ ଅପେକ୍ଷା ପିଏମଏଲଏ ଓ ୟୁଏପିଏ ଆଇନରେ ସଂଶୋଧନ ଆହୁରି ବେଶି ଭୟଙ୍କର। ଏହାର ସମୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଜନସ୍ବାର୍ଥ ମାମଲା ବର୍ଷାଧିକ କାଳ ପଡ଼ିରହିଛି। ଆଶାକରାଯିବା ଉଚିତ୍ ଯେ ପୁଣି ପାଞ୍ଚ ଛଅ ବର୍ଷପରେ ଯେତେବେଳେ ସୁପ୍ରିମକୋର୍ଟ ଯଦି ଏହି ସଂଶୋଧନଗୁଡିକୁ ସମ୍ବିଧାନ ବିରୋଧି ବୋଲି ରାୟ ଦେବେ, ନିଜକୁ ନିରପେକ୍ଷ ଦେଖାଇବା ପାଇଁ ବ୍ୟାକୁଳ ଏହି ବୁଦ୍ଧିଜୀବୀମାନେ ସେତେବେଳେ ବି ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଦୋଷ ଦେବା ବଦଳରେ ସବୁ ରାଜନୈତିକ ଦଳଙ୍କୁ ଦୋଷ ଦେବାରୁ ବିରତ ରହିବେ ।