ଚାଳକ

ଚାଳକ

(୧)


ଚୁଲିରେ ନିଆଁ ଧରଉଧରଉ 
ଆଖି ରଗଡ଼ାରୁ ଏ ଯେଉଁ ଲୁହ
କ’ଣ କେବଳ ଧୂଆଁ ଲାଗି?

ଏ ଲୁହରେ ଗୋଳି ହେଇଯାଉଛି 
ଅନେକ ଚିତ୍ର ଓ ସ୍ମୃତି ଯାହା ନେଇଯାଏ
କଳ୍ପନା ଓ ସପନ ଆଡ଼କୁ ଯା’ର 
ସତ ନ ହେବାର ଆଶଙ୍କା
ଫୁଟୁଥାଏ ଯାତନାର ଫୁଲ ହେଇ ଆୟୁଷର ଗଛରେ ।

କେବେ କେମିତି ବମ୍ବେରୁ ଆସୁଥିବା ମନିଅର୍ଡ଼ର
ହାତରେ ଧରିବା ବେଳେ ଲାଗୁଥାଏ 
ସେବି ଦିନେ ଆସିବ 
ଆଶଙ୍କାମାନଙ୍କର ଗଳା ଚିପିବା ଲାଗି
ମୋ ହାତରନ୍ଧା ଚୁନାମାଛ ଚାଖୁଚାଖୁ
ତା ବେଗ ଭିତରୁ ବାହାର କରିବ 
ଶହଶହ ରାତିର ବିରହରେ 
ହେମାଳ ହେଇଆସୁଥିବା ଏ ଦେହ ଲାଗି
 ଆବେଗର ନରମ ଖରାରେ ଇସ୍ତ୍ରୀ କରା ଖଣ୍ଡେ ଲୁଗା ।

ଅଧ ରାତିରେ ଶେଷ ସବାରୀ ଛାଡ଼ି
ଶୂନ୍ୟତାର ଇଟାରେ ତିଆରି କୋଠରୀକୁ ଫେରି
ନିଦ ଖୋଜୁଥିବା ବେଳର ଉଦାସପଣକୁ
 ପୋଛିବା ଲାଗି ମୁଁ ପବନରେ  ଅନେକ ଥର
ଲହରେଇ ଦେଇଛି ମୋର ଚୁନ୍ନି
ଯଦିଓ ଜାଣିଥାଏ ଦୂର ବହୁଦୂର ଏଠୁ ଧୁଳିଧୁଆଁର ସହର ।

ରାତିର ଶେଷ ପହରରେ ଛୁଆ ଉଠିଲା ପରେ
ଆସୁଥିବା ଛାଇ ନିଦରେ ଅନେକଥର ସାଉଁରିଛି ତାର ଛାତି
ଯଦିଓ ମୁଁ ଜାଣିଥାଏ ଦିନର ପ୍ରଥମ ସବାରି ଲାଗି 
ପହଁଚିସାରିଥିବ ସେ ଏଇନା
ଧୂଆଁର କୁଣ୍ଡଳୀରେ ଶୋଇଥିବା ଟେକ୍ସିଷ୍ଟାଣ୍ଡରେ
ମୁଁ ଲଗାଇବସେ ଚୂଳୀରେ କାଠ
ଆଉ କିଛି ହେଉନ ହେଉ 
ଆମେ ଗୋଟେ ସମୟରେ ଚା ତ ପିଇପାରିବୁ
ଅବଶ୍ୟ ଅନେକ ଥର ପାଣି ଫୁଟେଇଲା ବେଳକୁ 
ଡ଼ବାରେ କେବେ ଚିନି ତ କେବେ ନଥାଏ ଚା
ବାରଣ୍ଡା ସେପଟୁ ଚା’ର ଅପେକ୍ଷାରେ ଶାଶୁଙ୍କ ଖଣ୍ଡିକାଶ
ମିଳେଇଯାଉଥାଏ ମସ୍‌ଜିଦର ଆଜାନରେ ।

(୨)


ଗୋଟେ ଚାରି ଚକିଆ ଗାଡ଼ିକୁ
କୁଆଡ଼େ କୁଆଡ଼େ ବାହି ନେଉଥାଏ
ଷ୍ଟିୟରିଂଗରେ ହାତ ଖେଳେଇ ଖେଳେଇ
ଅଥଚ ମୁଁ କୁଆଡ଼େ ପହଁଚିପାରେନା 
ଠିକଣା ଜାଣିନଥିବା କେତେ ଲୋକଙ୍କୁ ପ୍ରତିଦିନ
ପହଁଚେଇଦେଉଥାଏ ଅଥଚ 
ରାସ୍ତା ଗଳି ଘର ନମ୍ବର ସବୁ ଜାଣିବି
ପହଁଚିପାରୁନଥାଏ ନିଜ ଠିକଣାରେ ।

ପ୍ରତିଦିନ ଶେଷ ସବାରୀ ଛାଡ଼ିଲା ପରେ
ନିଜକୁ ନିଜେ କହିହେଉଥାଏ
ଠିକଣା ଜାଣିବା ସବୁ କଥା ନୁହେଁ
ଠିକଣା ଆଡ଼କୁ ବାହାରି ପାରିବା ବଡ଼ କଥା ।

ଅନେକ ଥର ଭାବିଛି କିଏ ଅଟେକେଇଛି ମତେ
ଏ ଗାଡ଼ି, ଗାଡ଼ିର ସବାରୀ
ଏ ସହର ବଜାର ସିନେମା ଘର
ଲଟେରୀ ଟିକିଟର କାଉଂଟର
ରାସ୍ତା କଡ଼ର ଖୋଲା ଠିପିବାଲା ମଦ ଦୋକାନ
ଡ଼ିହ ନଥିବା ଘର ସାହୁକାରର କର
ବୋଝ ବେରୋଜଗାରର ନା ପୀଡ଼ା ଅପମାନର
ମୋ ‘ବିବି’ ଜାଣେନା କ’ଣ କରିବ
ତା’ର ଗୋଟିଏ ହାତ ଡ଼ାକୁଥାଏ ଆ ତ 
ଆର ହାତଟା କହୁଥାଏ ସବ୍‌ର କର
 ଆଉ ଦିନ କେତୁଟା
ନା ସେ ଜାଣେ ନା ମୁଁ ଜାଣେ
କେବେ ଆସିବ ଭଲ ଦିନ ଆମର ।

 ଠିକଣା: ପାର୍ବତୀ ବିହାର, ଧନକଉଡ଼ା, ସମ୍ବଲପୁର, ପିନ୍‌- ୭୬୮୦୦୬
ଫୋନ୍ ନଂ- ୮୮୯୫୧୫୭୦୬୬