ସ୍ମୃତିରେ ଯତୀନ୍‍ ଭାଇ

ସ୍ମୃତିରେ ଯତୀନ୍‍ ଭାଇ

ଇଂରାଜୀ ସାହିତ୍ୟର ଜଣେ ଦକ୍ଷ ଅଧ୍ୟାପକ ଏବଂ ଓଡିଆ ସାହିତ୍ୟର ନିର୍ଭୀକ ସମାଲୋଚକ ଶ୍ରୀ ଯତୀନ୍ଦ୍ର ମୋହନ ମହାନ୍ତି କେବଳ ରେଭେନ୍ସା ମହାବିଦ୍ୟାଳୟରେ ମୋର ଅଧ୍ୟାପକ ନଥିଲେ ତାଙ୍କ ସହ ମୋର ଘନିଷ୍ଠ ପାରିବାରିକ ସମ୍ପର୍କ ଗଢ଼ି ଉଠିଥିଲା । ତାଙ୍କ ସାନ ଭାଇ ରବୀନ୍ଦ୍ର ମୋହନଙ୍କ ସହିତ ମୋର ଦ୍ୱିତୀୟା ଭଉଣୀ ପ୍ରୀତିର ବିବାହ ହୋଇଥିଲା । 


 ମୁଁ ରେଭେନ୍ସା କଲେଜ୍‍ରେ ନାଁ ଲେଖାଇବା ପୂର୍ବରୁ ଅଧ୍ୟାପକ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ନାମ ସହ ସୁପରିଚିତ ଥିଲେ । କାରଣ ମୁଁ ପୁରୀ ସାମନ୍ତଚନ୍ଦ୍ରଶେଖର କଲେଜ୍‍ରେ ଆଇ.ଏ ପଢ଼ିବା ସମୟରେ ମୋର ପ୍ରିୟ ଅଧ୍ୟାପକ ଗୁରୁପ୍ରସାଦ ମହାନ୍ତି ଏବଂ ତାଙ୍କ ବନ୍ଧୁ ଭାନୁଜୀ ରାୟଙ୍କ ଦ୍ୱାରା ଲିଖିତ ଆଧୁନିକ କବିତା ପୁସ୍ତକର ସୁଦୀର୍ଘ ମୁଖବନ୍ଧ ଲେଖି ଶ୍ରୀ ମହାନ୍ତି ଓଡିଆ ସାହିତ୍ୟ ଜଗତରେ ବେଶ୍‍ ଚହଳ ପକାଇ ଦେଇଥିଲେ । ତାଙ୍କର ବିଶ୍ଲେଷଣାତ୍ମକ ମୁଖବନ୍ଧ ଗୁରୁପ୍ରସାଦ ମହାନ୍ତି ଓ ଭାନୁଜୀ ରାୟଙ୍କୁ ଓଡିଆ ପାଠକ ପାଠିକାଙ୍କ ନିକଟରେ ପରିଚିତ ଓ ପ୍ରତିଷ୍ଠିତ କରିବାରେ ଯଥେଷ୍ଟ ସହାୟକ ହୋଇଥିଲା । 


 ପୁରୀ କଲେଜ୍‍ରେ ଅଧ୍ୟାପକ ଗୁରୁପ୍ରସାଦ ମହାନ୍ତି ଆମମାନଙ୍କୁ ଏସ୍‍.ଟି.କଲୋରିଜ୍‍ଙ୍କ ରାଇମ୍‍ ଅଫ୍‍ ଦି ଆନ୍‍ସିଏଣ୍ଟ ମେରାଇନର୍‍ ପଢ଼ାଉଥାନ୍ତି । ତାଙ୍କର ଇଂରାଜୀ ଉଚ୍ଚାରଣ ଶୈଳୀ, ଆକର୍ଷଣୀୟ ଶରୀରର ଭାଷା ମୋ ଭଳି ପ୍ରାୟ ସମସ୍ତ ଛାତ୍ରଛାତୀଙ୍କୁ ମନ୍ତ୍ରମୁଗ୍ଧ କରି ପକାଇଥାଏ । ତା ଛଡା ଅଧ୍ୟାପକ ଗୁରୁପ୍ରସାଦ କଲେଜ୍‍ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମୁଖ୍ୟ ଭାବରେ ଆମମାନଙ୍କୁ ତାଲିମ୍‍ ମଧ୍ୟ ଦେଉଥାନ୍ତି । ନୂତନ ବିଷୟବସ୍ତୁକୁ ନେଇ ସମ୍ପୂର୍ଣ୍ଣରୂପେ ନୂତନ ବିଷୟବସ୍ତୁ ଉପରେ ଲିଖିତ ଗୁରୁପ୍ରସାଦ ଓ ଭାନୁଜୀ ରାଓଙ୍କ କବିତାଗୁଡିକ ମତେ ଯେତିକି ମାତ୍ରାରେ ପ୍ରଭାବିତ କରିଥିଲା ସେଗୁଡିକର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବା ଲାଗି ଯତୀନ୍ଦ୍ରମୋହନଙ୍କ  ମୁଖବନ୍ଧ ମତେ ଅଧିକ ପ୍ରେରଣା ଦେଇଥିଲା । କେବେ ସୁଯୋଗ ମିଳିଲେ ତାଙ୍କ ସହ ସାକ୍ଷାତ କରିବା ପାଇଁ ମନ ଅତିମାତ୍ରାରେ ବିକଳ ହେଉଥିଲା । 


 ଅଗ୍ରଜ ପ୍ରତିମ କବି ହରିହର ମିଶ୍ର, ସୌଭାଗ୍ୟ ମିଶ୍ର ଏବଂ ମୋ ସହ ପଢ଼ୁଥିବା କବି ବନ୍ଧୁ ବଂଶୀଧର ଷଡଙ୍ଗୀ, ଗଣେଶ୍ୱର ମିଶ୍ର, ପ୍ରଫୁଲ୍ଲ ପଟ୍ଟନାୟକ, ପ୍ରଫୁଲ୍ଲ ମହାନ୍ତି, ପ୍ରହ୍ଲାଦ୍‍ ଜେନା ଏବଂ ଅଧ୍ୟାପକ ବିଭୂଦତ୍ତ ମିଶ୍ରଙ୍କ ସହ ସମୟ ସମୟରେ ନୂତନ କବିତାର କବିଦ୍ୱୟ ଏବଂ ସେମାନଙ୍କୁ ପାଠକ ଜଗତରେ ପରଚିତ ଓ ପ୍ରତିଷ୍ଠିତ କରାଇଥିବା ସମାଲୋଚକ ଯତୀନ୍ଦ୍ର ମୋହନଙ୍କ ସମ୍ପର୍କରେ ଆଲୋଚନା କରି ତାଙ୍କ ସହ ସାକ୍ଷାତ କରିବାର ଇଛା କ୍ରମେ ପ୍ରବଳ ହୋଇଉଠୁଥାଏ । 
 ପୁରୀ କଲେଜ୍‍ରୁ ଶିକ୍ଷା ସମାପ୍ତ କରି ରେଭେନ୍ସା କଲେଜ୍‍ରେ ନାଁ ଲେଖାଇବା ପରେ ଯେଉଁ ସହଧ୍ୟାୟୀମାନଙ୍କ ସହିତ ମୋର ଘନିଷ୍ଠତା ହୋଇଥିଲା ସେମାନଙ୍କ ମଧ୍ୟରୁ ନଗେନ୍ଦ୍ର ମୋହନ ମହାନ୍ତି ଥିଲେ ଅନ୍ୟତମ । ସେ ଯତୀନ୍ଦ୍ର ମୋହନ ମହାନ୍ତିଙ୍କ ଭାଇ ବୋଲି ଜାଣିବା ପ ରେ ତାଙ୍କ ସହ ଅଧିକ ନିବିଡ ହେବା ପାଇଁ ଉଦ୍ୟମ କରିଥିଲି । ଏବଂ ଏଥିରେ ସଫଳ ମଧ୍ୟ ହୋଇଥିଲି । 


 ଇତିମଧ୍ୟରେ ଯତୀନ୍ଦ୍ର ମୋହନଙ୍କ ପରିବାର ସହ ଆମ ପରିବାରର  ବୈବାହିକ ସମ୍ପର୍କ ସ୍ଥାପିତ ହେବା ପରେ ମୁଁ ଅଧ୍ୟାପକ ଯତୀନ୍ଦ୍ରମୋହନଙ୍କୁ ଆଉ ସାର୍‍ ନଡାକି ‘ଯତୀନ୍‍ ଭାଇ’ ବୋଲି ଡାକିବାକୁ ଆରମ୍ଭ କଲି । ସେତେବେଳେ ସେ କାଠଗଡା ସାହି  ସ୍ଥିତ ତାଙ୍କ ଘରେ ରହୁଥାନ୍ତି । ତାଙ୍କ ବାପା ଶୀ ଜଗନ୍‍ମୋହନ ମହାନ୍ତି, ମା ପ୍ରଭୃତି ମଧ୍ୟ ସେହି ଘରେ ରହୁଥାନ୍ତି । ସେତେବେଳେ ଯତୀନ୍‍ ଭାଇଙ୍କର ବଡପୁଅ କାବୁଙ୍କ ବୟସ ମାତ୍ର ତିନି ବର୍ଷ ଏବଂ ବଡ ଝିଅ କୁହୁ ଜନ୍ମ ହେବା ପରେ ଭାଉଜ ଅସୁସ୍ଥ ହୋଇ କଟକ ବଡ ମେଡିକାଲ୍‍ର ର୍ନସିଂହୋମ୍‍ରେ  ଆଡ୍‍ମିଶନ୍‍ ନେଇଥାନ୍ତି । ଭାଉଜ ଥିଲେ ଦର୍ଶନ ଶାସ୍ତ୍ରର ଅଧ୍ୟାପିକା ଏବଂ ତାଙ୍କର ଚିକିତ୍ସା ପାଇଁ ଭାଇ ଯେ ସବୁପ୍ରକାର ବ୍ୟବସ୍ଥା କରିଥିଲେ ତା ନୁହେଁ କେବଳ କଲେଜ୍‍ ସମୟତକ ବାଦ୍‍ ଦେଲେ ଦିନରାତି ର୍ନସିଂହୋମ୍‍ରେ ସେ ଭାଉଜଙ୍କ ପାଖରେ ରହି ତାଙ୍କର ଯତ୍ନ ନେଉଥାନ୍ତି । ଏପରି ଅବସ୍ଥାରେ ସେ ପ୍ରାୟ ଘରକୁ ଆସିପାରନ୍ତି ନାହିଁ । ତେଣୁ ନଗେନ୍‍ ଓ ମୁଁ ତାଙ୍କ ପାଇଁ ଦୁଇଓଳା ଖାଇବା ଜିନିଷ ନେଇ ଡାକ୍ତରଖାନାରେ ପହଞ୍ଚାଉଥିଲୁ । ଅନେକ ସମୟରେ ଆମେ କାର୍ଯ୍ୟ ବ୍ୟସ୍ତ ରହିଲେ ମୋ ସାନ ଭାଇ ପ୍ରଭାତ ଖାଇବା ଜିନିଷ ପହଞ୍ଚାଇବାର ଦାୟିତ୍ୱ ନେଉଥିଲା । ଆମ ଯାତାୟତର ଏକମାତ୍ର ସାହାରା ଥିଲା ଖଣ୍ଡିଏ ସାଇକେଲ୍‍  ଇତିମଧ୍ୟରେ ଯତୀନ୍‍ ଭାଇଙ୍କ ସହ ମୋ ଘନିଷ୍ଠତା ଯଥେଷ୍ଟ ବଢ଼ି ଯାଇଥିଲା ଓ ଅତି ନିକଟରୁ ତାଙ୍କୁ ମୁଁ ଜାଣିବାର ସୁଯୋଗ ପାଇଥିଲି । ବହି ପଢ଼ିବା ଥିଲା ତାଙ୍କର ସବୁଠୁ ବଡ ନିଶା ର୍ନସିଂହୋମ୍‍ରେ ରହି ଭାଉଜଙ୍କ ଯତ୍ନ ନେବା ସହ ସେ କଲେଜ୍‍ରେ ପାଠ ପଢ଼ାଇବା ପାଇଁ ଆବଶ୍ୟକୀୟ ବହି ପଢ଼ି ପ୍ରସ୍ତୁତ ହେଉଥିଲେ ଏବଂ ଦୀର୍ଘ ସମୟ ଧରି ଇଂରାଜୀ ଓ ଓଡିଆ ପତ୍ରପତ୍ରିକା ତଥା ବହିପତ୍ର ପଢ଼ିବା ପାଇଁ ମଧ୍ୟ ବ୍ୟୟ କରୁଥିଲେ । ର୍ନସିଂହୋମ୍‍ରେ ଭାଉଜ ରହିଥିବା କୋଠରୀଟି ଅତ୍ୟନ୍ତ ପ୍ରଶସ୍ତ ହୋଇଥିବାରୁ ସେଠାରେ ଗୋଟିଏ ଟେବୁଲ୍‍ରେ ଭାଇ ଅନେକ ଗୁଡିଏ ବହି ରଖି ପଢ଼ନ୍ତି ଓ ରାତିରେ ଭାଉଜଙ୍କ ନିଦରେ ବ୍ୟାଘ୍ରାତ ସୃଷ୍ଟି ନକରିବା ପାଇଁ ଟେବୁଲ୍‍ ଲ୍ୟାମ୍ପଟିଏ ଜାଳି ଘଣ୍ଟା ଘଣ୍ଟା ଧରି ପଢ଼ୁଥାନ୍ତି । 


 ଭାଇଙ୍କ କାଠଗଡା ସାହି ଘର ମଧ୍ୟ ଗୋଟିଏ ଛୋଟ ଲାଇବ୍ରେରୀ ଭଳି ଅନେକଗୁଡିଏ ବହିପତ୍ରରେ ଭରି ରହିଥାଏ । 


 ସମସ୍ତ ଚେଷ୍ଟା ସତ୍ତ୍ୱେ ଭାଉଜଙ୍କୁ ବଞ୍ଚାଇବା ସମ୍ଭବପର ହେଲାନାହିଁ । ଶୋଚନୀୟ ଭାବରେ ଭାଙ୍ଗି ପଡିଥିବା ଯତୀନ୍‍ ଭାଇ ଇତିମଧ୍ୟରେ ଉଚ୍ଚଶିକ୍ଷା ପାଇଁ ଇଂଲଣ୍ଡର ଲିଡ୍ସ ବିଶ୍ୱବିଦ୍ୟାଳୟକୁ ଯିବା ପାଇଁ ନିର୍ବାଚିତ ହୋଇଥିଲେ । ବିଦେଶରେ କିଛିଦିନ କଟାଇ ଦେଲେ ହୁଏତ ଭାଉଜଙ୍କ ବିୟୋଗର ଦୁଃଖ କିଛି ପରିମାଣରେ ଲାଘବ ହୋଇଯାଇ ପାରେ ବୋଲି ଭାବି ଭାଇ ବିଦେଶ ଯିବା ପାଇଁ ସ୍ଥିର କରିଥିଲେ । ନଗେନ୍‍, ମୁଁ ଓ ପ୍ରଭାତ ତାଙ୍କୁ ଛାଡିବା ପାଇଁ ସାଙ୍ଗରେ କଲିକତା ଯାଇ କଲିକତା ବିମାନବନ୍ଦରରୁ ତାଙ୍କୁ ବିଦାୟ ଦେଇ ଆସିଥିଲୁ । 


 ଇତିମଧ୍ୟରେ ଭାଇଙ୍କ ସମ୍ପାଦନାରେ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘ପ୍ରଜ୍ଞା’ ପ୍ରକାଶିତ ହୋଇ ରାଜ୍ୟର ସାହିତ୍ୟ ଜଗତରେ ବେଶ୍‍ ଚହଳ ସୃଷ୍ଟି କରିଥାଏ । ଏହାର ଗୋଟିଏ ସଂଖ୍ୟାରେ ଗୁରୁ ପ୍ରସାଦ ମହାନ୍ତିଙ୍କ ଯୁଗାନ୍ତକାରୀ ଦୀର୍ଘ କବିତା ‘କାଳପୁରୁଷ’ ପ୍ରକାଶିତ ହୋଇ ରାଜ୍ୟର ସାହିତ୍ୟ ଜଗତରେ ବେଶ୍‍ ଆଲୋଡନ ସୃଷ୍ଟି କରୁଥିଲା । 


 ଯତୀନ୍‍ ଭାଇ ସାହିତ୍ୟ ଓ କବିତାକୁ ଏତେ ପରିମାଣରେ ଭଲପାଉଥିଲେ ଯେ ସେ ଇଂଲଣ୍ଡରୁ ଫେରିବା ବେଳେ ଅନେକଗୁଡିଏ ଦୁର୍ଲଭ କବିତା, ସମାଲୋଚନା ପୁସ୍ତକ, ଗୋଟିଏ ଟେପ୍‍ରେର୍କଡର୍‍ ଓ କେତେକ ପ୍ରି ରେକଡେଡ୍‍ ଟେପ୍‍ ଆଣିଥିଲେ । ଯେଉଁଥିରେ କି ନୋବେଲ୍‍ ପୁରସ୍କାର ପ୍ରାପ୍ତ କବି ଟି.ଏସ୍‍.ଏଲିୟଡ୍‍ ୱେଷ୍ଟ ଲ୍ୟାଣ୍ଡ କବିତାଟି ଗାଉଥିବା ସମୟରେ ରେକଡିଂ ହୋଇଥିଲା । ସେତେବେଳେ ଟେପ୍‍ ରେକର୍ଡର୍‍ଗୁଡିକରେ କ୍ୟାସେଟ୍‍ରେ ବା ମିନି କ୍ୟାସେଟ୍‍ରେ ରେକଡିଂ ନହୋଇ ସ୍ପୁଲ୍‍ରେ ରେକଡିଂ ହେଉଥିଲା । ଯତୀନ୍‍ ଭାଇ ଅନେକ ଥର  ନଗେନ୍‍କୁ ଓ ମୋତେ ସି.ଏସ୍‍.ଏଲିଏଟ୍‍ଙ୍କ ସ୍ୱରରେ ୱେଷ୍ଟ ଲ୍ୟାଣ୍ଡ କବିତାର ରେକଡିଂ ଶୁଣାଇ ତାହାର ଅର୍ଥ ବୁଝାଉଥିଲେ । ଗୁରୁପ୍ରସାଦ ମହାନ୍ତି, ଭାନୁଜୀ ରାଓ, ଜ୍ଞାନେନ୍ଦ୍ର ବର୍ମା, ସଚ୍ଚୀ ରାଉତରାୟ, ଅନନ୍ତ ପଟ୍ଟନାୟକ ପ୍ରଭୃତି କବିମାନଙ୍କର ନିଜସ୍ୱ କବିତା ପାଠକୁ ରେକଡିଂ କରାଇବା ପାଇଁ ସୁଚିନ୍ତିତ ଯୋଜନା କରିଥିଲେ ଏବଂ ଏଥିପାଇଁ ନଗେନ୍‍ ଓ ମୋ ସହଯୋଗ ମଧ୍ୟ ଚାହିଁଥିଲେ । 


 ମାତ୍ର ପରବର୍ତ୍ତୀ କାଳରେ ମୁଁ ସାମ୍ବାଦିକତାର ପେସାରେ ଏବଂ ନଗେନ୍‍ କୃଷି ସୂଚନା କେନ୍ଦ୍ରରେ ଯୋଗଦେବା ପରେ ଯତୀନ୍‍ ଭାଇଙ୍କର ଏହି ମହାର୍ଘ ସ୍ୱପ୍ନକୁ ସାକାର କରିବାରେ ଆମେ ସଫଳ ହୋଇପାରିନଥିଲୁ । ଇତିମଧ୍ୟରେ ଇଲୋକ୍‍ଟ୍ରୋନିକ୍‍ ଦୁନିଆରେ ଅନେକ ପରିବର୍ତ୍ତନ ଘଟିଲାଣି ସ୍ପୁଲ୍‍ ଟେପ୍‍ ପରିବର୍ତ୍ତେ କ୍ୟାସେଟ୍‍, ମିନି କ୍ୟାସେଟ୍‍, ସିଡି ଓ ଡିଭିଡିରେ ରେକଡିଂ ସମ୍ଭବ ହେଲାଣି । ତେଣୁ ସମ୍ପ୍ରତ୍ତି ଯତୀନ୍‍ ଭାଇଙ୍କ ସ୍ୱପ୍ନକୁ ଅନାୟାସରେ ସାକାର କରାଯାଇପାରିଥାନ୍ତା । ଯାହାକି କାଳ କାଳ ପାଇଁ ସଂରକ୍ଷିତ ହୋଇ ରହିଥାନ୍ତା ଏବଂ କବିମାନଙ୍କ ଦେହାନ୍ତ ପରେ ମଧ୍ୟ ଓଡିଆ ପାଠକମାନେ ସେମାନଙ୍କ ନିଜସ୍ୱ ସ୍ୱରରେ ଗାଇଥିବା କବିତା ଶୁଣିବାର ସୌଭାଗ୍ୟ ଲାଭ କରିପାରିଥାନ୍ତେ । ଯତୀନ୍‍ ଭାଇ ଥିଲେ ଅତ୍ୟନ୍ତ ବନ୍ଧୁବତ୍ସଳ । ବିଶିଷ୍ଟ ଗବେଷକ ଅଧ୍ୟାପକ ଡକ୍ଟର କୃଷ୍ଣଚନ୍ଦ୍ର ସାହୁ (ଓଡିଆ), ବିଶିଷ୍ଟ ଭାଷାବିତ୍ତ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଐତିହାସିକ ରାଜେନ୍ଦ୍ର ପ୍ରସାଦ ଦାସ୍‍ଙ୍କ ସହ ତାଙ୍କର ଗଭୀର ଘନିଷ୍ଠତା ଥିଲା । ଅନେକ ଥର ସେମାନେ ଏକତ୍ର ମୋ ଘରକୁ ଆସୁଥିଲେ ଏବଂ ଡକ୍ଟର ଦେବୀପ୍ରସନ୍ନଙ୍କର ସାରୁ ପ୍ରତି ପ୍ରଚଣ୍ଡ ଦୁର୍ବଳତା ଥିବାରୁ ସାରୁରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ଭଜା, ସନ୍ତୁଳା, ଝୋଳ ଓ ଆମ୍ବିଳ ପ୍ରଭୃତି ଖାଇବା ପାଇଁ ବରାଦ୍‍ କରି ତାହା ଏକତ୍ର ଉପଭୋଗ କରୁଥିଲେ । ଏହି ବନ୍ଧୁମାନଙ୍କ ମଧ୍ୟରୁ ପ୍ରଥମେ ରାଜେନ୍ଦ୍ର ଭାଇ ପରେ ପରେ କୃଷ୍ଣ ଭାଇ ଏବଂ ତା ପରେ ଯତୀନ୍‍ ଭାଇ ଇହଧାମରୁ ବିଦାୟ ନେଇଛନ୍ତି । ଦେବୀ ଭାଇ ଏବେ ସମ୍ପୂର୍ଣ୍ଣ ଏକାକୀ, ଅସହାୟ ଓ ସାଥୀହରା ହୋଇପଡିଛନ୍ତି । ତଥାପି ସେ ଧର୍ଯ୍ୟର ସହିତ ସାହିତ୍ୟ ସାଧନାରେ ବ୍ରତୀ ରହିଛନ୍ତି ଏବଂ ପୁରୁଣା ବନ୍ଧୁମାନଙ୍କର ସ୍ମୃତିକୁ ରୋମନ୍ଥନ କରୁଛନ୍ତି କେବଳ । 


 ଯତୀନ୍‍ ଭାଇଙ୍କ ବିୟୋଗରେ ସବୁଠାରୁ ଅଧିକ ଭାଙ୍ଗି ପଡିଛନ୍ତି ଧର୍ମପତ୍ନୀ ବିଜୟଲକ୍ଷ୍ମୀ (ବିଜି ଅପା) । ଯତୀନ୍‍ ଭାଇଙ୍କ ସ୍ମୃତି ରକ୍ଷା କରିବା ପାଇଁ ‘ପ୍ରଜ୍ଞାର’ ପୁନଃପ୍ରକାଶ ସହ ସେ ଅଧା ଛାଡି ଯାଇଥିବା ସମ୍ପାଦନା ଓ ପ୍ରକାଶନ କାର୍ଯ୍ୟଗୁଡିକ ସମ୍ପୂର୍ଣ୍ଣ କରିବା ପାଇଁ ଦୃଢ଼ମନା । ତାଙ୍କର ଏହି ଉଦ୍ୟମ ସଫଳ ହେଉ ଏବଂ ଯତୀନ୍‍ ଭାଇଙ୍କ ସ୍ମୃତି ସବୁଦିନେ ଅମର୍‍ ହେଇ ରହୁ ଏଥିପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଛଡା ଆଉ କଣ ବା କରିପାରିବି ।