ଜାତିକୁ ନେଇ ଏ ସମସ୍ୟା ଓ ସଙ୍କଟ ଲାଗି କିଏ ଦାୟୀ ?

ଜାତିକୁ ନେଇ ଏ  ସମସ୍ୟା ଓ ସଙ୍କଟ ଲାଗି କିଏ ଦାୟୀ ?

ଜଗନ୍ନାଥଙ୍କ ବିଶ୍ବବିଖ୍ଯାତ ରଥଯାତ୍ରାର ତିନିଦିନ ପୂର୍ବରୁ ତା. ୧୭/୬/୨୦୨୩ ଦିନ ବଲାଙ୍ଗିର ଜିଲ୍ଲାର ମୁରିବାହାଲ ଥାନା ଅନ୍ତର୍ଗତ ଖଲିଆପାଲି ଗାଁ ରେ ଯାହା ଘଟିଗଲା, ତାହା ସମଗ୍ର ଦେଶବାସୀ, ଧର୍ମାନୁଷ୍ଠାନର ମୁଖିଆ, ମୁଖ୍ଯମନ୍ତ୍ରୀ, ପ୍ରଧାନମନ୍ତ୍ରୀ ସମେତ ସମସ୍ତ ପ୍ରଶାସନର ସେଙ୍ଗୋଲଧାରୀ ମାନଙ୍କ ମଥା ନଇଁ ପଡିବା କଥା ।ଲଜ୍ଜାରେ ଫାଟି ପଡିବା କଥା ।

            ସଂବିଧାନରେ ଅନେକ ବିଧି ଲିପିବଦ୍ଧ ହୋଇ ରହିଛି ଯଥା ସଂକ୍ଷିପ୍ତରେ "ଅନୁଛେଦ-୧୫ : ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗକୁ ନେଇ ରହିଥିବା  ବୈଷମ୍ଯ ସମାଜରୁ ଉଠି ଯାଇଛି, ଅନୁଛେଦ-୧୭: ଛୁଆଁ-ଅଛୁଆଁ ଭେଦଭାବକୁ ସଂପୂର୍ଣ୍ଣ ବିଲୋପ କରାଯାଇଛି, ଅନୁଛେଦ- ୪୬: ରାଷ୍ଟ୍ର ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ସମସ୍ତ ପ୍ରକାର ଶୋଷଣରୁ ସୁରକ୍ଷାଦେବ ।ଏଥିସହ ଅନୁସୂଚୀତ ଜାତି ଓ ଜନଜାତି(ନିର୍ଯ୍ଯାତନା ନିବାରଣ) ଆଇନ-୧୯୮୯: ଅନୁସୂଚୀତ ଜାତି ଓ ଜନଜାତି ନିର୍ଯ୍ଯାତନାକୁ ରୋକିବା, ଦୋଷର ବିଚାର କରିବା ଓ ନିର୍ଯ୍ଯାତିତ ବ୍ଯକ୍ତିକୁ ସାହାଯ୍ଯ କାରିବା"।ହେଲେ ପରିତାପର କଥାଯେ ଆଜିକି ସଂବିଧାନ ଲାଗୁ ହେବାର ୭୩ ବର୍ଷ ବିତି ଯାଇଛି ଅଥଚ ଏ ନିୟମ ଠିକ ଭାବରେ ଲାଗୁ ହୋଇପାରି ନାହିଁ । ନିୟମ କଡାକଡି ଭାବରେ ଲାଗୁ ନ କରିବାର ଅପାରଗପଣ ପାଇଁ ଦାୟି କିଏ ? ଆଜି ପର୍ଯ୍ଯନ୍ତ ଶାସନ କରି ଆସୁଥିବା ସମସ୍ତ ସରକାର, ରାଜନୈତିକ ଦଳ ନା ଜନତା ?

            ଖଲିଆପାଲି ଗାଁରେ ୧୫ ବର୍ଷର ଏକ କଅଁଳା ଯୁବକ ଗୁଣନିଧି ବାଗ, ଜାତିରେ "ଗଣା"କୁ ନିର୍ମମ ଭାବରେ ପିଟିପିଟି ହତ୍ୟା କରା ଯାଇଛି । ଯୁବକର ଅପରାଧ ଯେ ସିଏ ଗାଁ ପୋଖରୀର ସବର୍ଣ୍ଣମାନେ ଗଧୋଇବା ଘାଟରେ ଠିଆ ହୋଇ ଥିଲା । 

            ଅବଶ୍ଯ ଏ ଘଟଣା, ଓଡିଶାରେ ଦଳିତମାନଙ୍କ ଉପରେ ହେଇଥିବା ଅତ୍ଯାଚର ସମ୍ବନ୍ଧୀୟ ପ୍ରଥମ ଘଟଣା ନୁହେଁ । ପ୍ରତିଦିନ,ପ୍ରତି ସପ୍ତାହରେ ଦେଶ/ରାଜ୍ଯର କୌଣସି ନା କୌଣସି କଣରେ ଏ ଭଳି ଜାତିବାଦ/ଅସ୍ପୃଶ୍ଯତାକୁ ନେଇ ଘଟଣା ଘଟି ଚାଲିଛି, ଯାହାର ହିସାବ କେହି ରଖୁ ନାହାନ୍ତି, ଲୋକେ ହିସାବ ରଖିବେ ବା କହିଁକି ?। ଜାତିବାଦୀ ଲୋକଙ୍କ ସ୍ମରଣ ଶକ୍ତି ଯେହେତୁ କମ ତେଣୁ ସେମାନଙ୍କୁ ମନେ ପକେଇ ଦେବାକୁ କିଛି ବର୍ଷ ବା ମାସ ତଳେ ଘଟି ଯାଇଥିବା କେତୋଟି ଘଟଣାମାନଙ୍କର ଉଲ୍ଲେଖ କରାଗଲା :

  • ବଲାଙ୍ଗିର ଜିଲ୍ଲା, ଖପ୍ରାଖୋଲ ଅନ୍ତର୍ଗତ ନବମ ଶ୍ରେଣୀରେ ପଢୁଥିବା "ଗଣା ଜାତି"ର ୧୫ ବର୍ଷର ଝିଅ ସ୍ନେହଲତା ଛତ୍ରିଆକୁ ଏଇଭଳି ଜଗନ୍ନାଥଙ୍କ ଦାରୁଖୋଜା ଚାଲୁଥିଲା ବେଳେ, ତାରିଖ ୨୨ ମେ ୨୦୧୫ ରେ ଜାତି ବିଦ୍ବେଶନେଇ, ତାକୁ ଯୌନ ନିର୍ଯ୍ଯାତନା ଓ ଧର୍ଷଣ କରି, ଅମାନବୀୟ ଭାବରେ ହତ୍ଯା କରାଯାଇ, ତାର ସମସ୍ତ ଯୌନାଙ୍ଗକୁ ଟିକିଟିକି କରି କାଟି ନଈକୂଳରେ ଫିଙ୍ଗି ଦିଆଯାଇ ଥିଲା । ଏବେ ବି କୋର୍ଟରେ କେଶ ଜୀବିତ ଅଛି ।
  • ଗୋଟେ ନବମ ଶ୍ରେଣୀର ପିଲାର ସାର୍ଟ କିଣାକୁନେଇ ଉପୁଜିଥିବା ଘଟଣା ଏମିତି ଭୟାବହ ହେଲାଯେ ବଲାଙ୍ଗିର ଜିଲ୍ଲା, ଲାଠୋର ଗାଁର ସାରା ୩୮ଟି "ଗଣାପଡା"ର ଘରକୁ ସବର୍ଣ୍ଣମାନେ ସଂପୂର୍ଣ୍ଣ ଭାବରେ ୨୧/୦୧/୨୦୧୨ରେ ଦେଶ ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉ ଥିବାବେଳେ ଜାଳିଦେଲେ । କିଛି ପରିବାରର ଲୋକ ବର୍ତମାନ ସୁଦ୍ଧା ଠିକ ଭାବରେ ଥଇଥାନ ହେଇ ନାହାନ୍ତି, କୋର୍ଟରେ ଏବେ ବି କେଶକୁ ଚପେଇ ଦେବା ପାଇଁ ଷଡଯନ୍ତ୍ର ଚାଲିଛି ।
  • ଗୋଟିଏ ଛୋଟ ନଅ ବର୍ଷର ସ୍କୁଲ ପିଲା ମାଠିଆର ପାଣିପିଇ ଦେଲା ବୋଲି ରାଜସ୍ଥାରେ ସବର୍ଣ୍ଣ ଶିକ୍ଷକ ତାକୁ ଏମିତି ପିଟିଲା ଯେ ପିଲାଟି ମୃତ୍ଯୁବରଣ କଲା । ଏମିତି ହଜାର ହଜାର ଉଦାହରଣ ଅଛି, ସବୁ କଥାକୁ ଉଦ୍ଧାକରିବାର ଆବଶ୍ଯକତା ନାହିଁ ।

            ଜାତିଆଣ ଭାବନେଇ ଘର ଜାଳିଦେବା, ଗାଁରୁ ତଡିଦେବା,ସର୍ବସାଧାରଣ ରାସ୍ତାରେ ଚାଲି ନ ଦେବା, ନିଆଁ ପାଣି ବଂଦ କରିବା, ପୂଜାସ୍ଥଳୀ, ମନ୍ଦିର, ଯଜ୍ଞ ଓ ପ୍ରହରୀସ୍ଥଳ ଇତ୍ଯାଦି ସ୍ଥାନକୁ ପ୍ରବେଶ କରେଇ ନ ଦେବା ଆମଦେଶରେ ଓ ଓଡିଶାରେ ନିତିଦିନିଆ ଘଟଣା ହୋଇ ଯାଇଛି ।

            ରାଜନେତାମାନେ ତ' ଏ ସବୁ କଥାକୁ ଶୁଣୁ ନାହାନ୍ତି, ତତ୍ ସଙ୍ଗେ ସଚେତନ ନାଗରିକ,  ଲେଖକ, କବି, ବୁଦ୍ଧିଜୀବି, ପ୍ରଗତିଶୀଳ ଚିନ୍ତାନାୟକମାନେ ମଧ୍ଯ ଅଣଦେଖା କରି ଆସୁଛନ୍ତି । ଏହାର ଏକମାତ୍ର କାରଣ ଯେ ସେମାନେ ନିଜନିଜ ତଥାକଥିତ ଉଚ୍ଚଜାତିର ଖୋଳପା ଘୋଡିହେଇ ନିଜକୁ ସୁରଖିତ ମନେକରୁଛନ୍ତି । ଅର୍ଥନୀତି, ରାଜନିତୀ, ସରକାରୀ ସମସ୍ଯା, ସାମାଜିକ ସମସ୍ଯା, ଶିକ୍ଷା ବ୍ଯବସ୍ଥା, ସ୍ବାସ୍ଥ୍ଯ ବ୍ଯବସ୍ଥା, ଇତ୍ଯାଦି ଅନେକ ବିଷୟବସ୍ତୁ ଉପରେ ଆଲୋଚନା ପର୍ଯ୍ଯାଲୋଚନା କରିବେ, ପତ୍ରପତ୍ରିକାରେ ଲେଖିବେ ହେଲେ ଜାତି କଥା ଉଠିଲେ ଜମାରୁ ମୁଣ୍ଡପୁରେଇବେ ନାହିଁ ବରଂ ଦୁରେଇ ଯିବେ । ଯେମିତିକି "ଜାତିପ୍ରଥା" ଆଦୌ ଏକ ସାମାଜିକ ସମସ୍ଯା ନୁହେଁ ।

            ବିଭିନ୍ନ ଗଣ ମାଧ୍ଯମରେ ପ୍ରଚାର ଓ ପ୍ରସାର ହେବାର ଦେଖିଛୁ ଯେ, ଆମର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ରେ ସଫେଇ କର୍ମଚାରୀମାନଙ୍କ ପାଦଧୋଇବା ଓ ବିଜେପି ଦଳର ତତ୍କାଳିନ ସଭାପତି ଶ୍ରୀ ଅମିତ ଶାହାଙ୍କ ସହ ମାନନୀୟ କନକବର୍ଧନ ସିଂଦେଓ ଓ ମାନନୀୟ ବସନ୍ତ ପଣ୍ଡା, ବଲାଙ୍ଗୀ, ଦେଓଗାଁରେ ଦଳିତ ପରିବାରଘରେ ଭୋଜନ କରିବାର ଅନେକ ଅନନ୍ଯ ଚିତ୍ର। ଏ କଥାକୁ ନେଇ ବିଭିନ୍ନଲୋକେ ଭିନ୍ନଭିନ୍ନ ପ୍ରତିକ୍ରିୟା ରଖିଥିଲେ । କେହି କେହି କହିଲେ ଦଳିତଙ୍କ ଗୋଡ ସଫା ନ କରି ନିଜ ମସ୍ତିସ୍କ ସଫାକର, କେହି କେହି ଏହାକୁ ଏକ ନାଟକ, କେହି କେହି କହିଲେ ଛଳନା, କେହି କେହି କହିଲେ ଦଳିତଙ୍କ ଘରେ ନ ଖାଇ, ଦଳିତଙ୍କୁ ନିଜଘରକୁ ଡାକି ଖାଇବାକୁ ଦିଅ, କେହି କେହି ବି କହିଲରେ ଭୋଟ ରାଜନିତି, ଏମିତି କେତେ କଥା  ।

            ମୂଳକଥା ହେଉଛି, କେହି କହାଘରେ ଗୋଟିଏ ଦିନ ଖାଇଦେଲେ ବା କାହାର ପାଦ ଧୋଇଦେଲେ ଦେଶରେ ଜାତିପ୍ରଥାର ବିଲୋପ ହେଉ ନାହିଁ । 

            ଭାରତରେ ଯେମିତି ଗୋଟିଏ ଦିନରେ "ନୋଟବଂଦି" ହେଇ ପାରୁଛି, "କ୍ଯାସ ଲେସ୍" ଆଦାନପ୍ରଦାନ ହୋଇ ପାରୁଛି, ସେଇମିତି ସରକାର ଚାହିଁଲେ ଗୋଟିଏ ଦିନରେ ବି "କାଷ୍ଟ ଲେସ୍" ସମାଜ ବା ଜାତିମୁକ୍ତ ସାମାଜ ଠିଆ ହୋଇ ପାରିବ, ମୁଖ୍ଯମନ୍ତ୍ରୀ, ପ୍ରଧାନମନ୍ତ୍ରୀ ବା ଗୃହମନ୍ତ୍ରୀ ଭଳି ଲୋକମାନେ ସାମାନ୍ଯ ମନଦେଲେ। ଏ ନିୟମ ଟିକକ ଯେ ସେମାନେ ଆରମ୍ଭ କରିବେ ତା ନୁହେଁ, ଏହା ଭାରତର ସମ୍ଭିଧାନରେ ଆଗରୁ ଲିପିବଦ୍ଧ ହୋଇ ରହିଛି, ତାକୁ କେବଳ କାର୍ଯ୍ଯକାରୀ କରିବାର ଅଛି । ଅର୍ଥାତ ସରକାର ଯେହେତୁ ଜାତିବାଦୀ, ଜାତିର ଫାଇଦା ନେଇ, ଲୋକଙ୍କୁ ଭାଗଭାଗ କରି, ଶାସନ ଗାଦି ହାସଲ କରିପାରୁଛି, ତେଣୁ ଜାତିପ୍ରଥାକୁ କଡାକଡି ଭାବରେ ପ୍ରଚଳିତ କରି ରଖିବା ଇଁ ତାଙ୍କର ବିଚାର, ବାକୀ ସବୁ ଲୋକ ଦେଖାଣିଆ, ଛଳନା।

            ହାରାହାରି ୪୦% ଦଳିତ-ଆଦିବାସୀଙ୍କ ଭୋଟ ପାଇ ୨୫ ବର୍ଷ ଧରି ନିରବଛିନ୍ନ ଭାବରେ ଶାସନ କରୁଥିବା ଓଡିଶା ସରକାରର ଦିନୁଦିନ ଜାତିବାଦକୁ ପ୍ରୋତ୍ସାହିତ କରି ଆସୁଥିବାର ନମୁନା ପ୍ରତ୍ଯେକ ନିର୍ବାଚନ ତଥା ଉପନିର୍ବାଚନ ବେଳେ ସ୍ପଷ୍ଟ ଦୃଶ୍ଯମାନ ହେଉଛି ।

            ସମ୍ବିଧାନ ରଚୟିତା ଡ.ଭୀମରାଓ ଆମ୍ବେଦକର ଜାତି ବ୍ଯବସ୍ଥାର ମୂଳୋତ୍ପାଟନ ହେଲେ ସମାଜରେ ଶାନ୍ତିପୁ୍ର୍ଣ୍ର  ସହାବସ୍ଥାନ ସମ୍ଭବ ବୋଲି କହିଥିବା ବେଳେ ଓଡିଶା ସରକାରଙ୍କ ବିକାଶର ଦର୍ଶନ ଜାତିପ୍ରଥାକୁ ଚାରାପାଣି ଦେଇ ବଂଚେଇ କରି ରଖିବା । ତାହା  ହୋଇ ନ ଥିଲେ "ଭୁଲିଆ ସମାଜ" ପାଇଁ ରାଜଧାନୀରେ ଜାଗା ଆଉ ଘର, "କୁଲତା ସମାଜ" ପାଇଁ  ରାଜଧାନୀରେ ଜାଗା ଆଉ ଘର ମାଗଣାରେ ଦେଇ ନ ଥାନ୍ତେ । ୟା' ଦ୍ବାରା ଉକ୍ତ ଜାତିରଲୋକଙ୍କ ଉନ୍ନତି କେତେ ହୋଇ ପାରିବ ତାହା ତ' ସମୟ ନିରୁପଣ କରିବ । ହେଲେ ସରକାରଙ୍କ ଏଭଳି ବିକାଶର ଦର୍ଶନ ଯେ  ସ୍ବଳ୍ପକାଳ ଶାସନରେ ରହିବାର ଲୋଭ ପାଇଁ ଜାତି, ସମାଜର ସମର୍ଥନ ଭିକ୍ଷା କରୁଛନ୍ତି ଏବଂ ପ୍ରତ୍ଯକ୍ଷ ଭାବରେ ଜାତିବାଦକୁ ପ୍ରୋତ୍ସାହନ ଦେଉଛନ୍ତି, ଏଥିରେ ବୋଧେ ଦ୍ବନ୍ଦ୍ବ ନାହିଁ। ଜାତିବାଦର ମୂଳୋତ୍ପାଟନ ପରିପ୍ରେକ୍ଷୀରେ ଏହା ରକ୍ଷକଟି ଭକ୍ଷକ ସାଜିବାର କଥାକୁ ସୂଚୀତ କରୁ ନାହିଁ କି ?।

            ଶାସନ ଗାଦିକୁ ସୁଦୃଢ କରିବା ପାଇଁ ବିଭିନ୍ନ ଜାତିମାନଙ୍କର ସମର୍ଥକୁ ଯଦି ବନଶୀ କଂଟାରେ କେଂଚୁଆ ଲଗେଇ ମାଛକୁ ଅକ୍ତିଆର କଳାଭଳି ଏତେ ଆବଶ୍ଯକତା ମନେକରାଯାଉଛି, ତେବେ ଓଡିଶାରେ ଥିବା ୯୫ଟି ଅନୁସୂଚୀତ ଜାତି, ୬୨ଟି ଅନୂସୂଚୀତ ଜନଜାତି, ୨୦୦ଟି ପଛୁଆ ବର୍ଗର ଜାତି ତଥା ୨୧୦ ଟି ସାମାଜିକ ଓ ଶିକ୍ଷାକ୍ଷେତ୍ରରେ ଅନଗ୍ରସରଜାତି ସମୁହକୁ ରାଜଧାନୀରେ ମାଗଣରେ ସରକାରୀ ଘର ଓ ଜାଗାର ବ୍ଯବସ୍ଥା କରିବାରେ ଅଡୁଆରହିଲା କେଉଠି ?

            ସମାଜର ପ୍ରଗତି ବା ବିକାଶକୁ ରାସ୍ତାଘାଟ ମରାମତି, ମୋଟରଗାଡି ଚଳାଚଳ, କୋଠାବାଡି ତିଆରି, ଇତ୍ଯାଦିକୁ ପରିମାପ କଲେ ହେବ ନାହିଁ । ସମାଜରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ପରିମାପକୁ  ମଧ୍ଯ ଆଧାର କରିବା ଉଚିତ ।

            ଜାତିଆଣ ଭାବନେଇ ଆଜି ଯେଉଁ ୧୫ବର୍ଷର ଯୁବକକୁ, ତାର ନିଜ ଗାଁରେ, ଅନ୍ଯ ତଥାକଥିତ ଉଚ୍ଚ ଜାତିର ପିଲାମାନେ ହତ୍ଯାକଲେ, ସେମାନେ ସମସ୍ତେ ଏଇ ସରକାରଙ୍କ ୨୫ ବର୍ଷର ଶାସନ ଅମଳରେ ଜନ୍ମ ନେଇଛନ୍ତି । ହତ୍ଯାକାରୀମାନେ ବି ଏଇ ସରକାରଙ୍କ ଦ୍ବାରା ପ୍ରସ୍ତୁତ ପାଠ୍ଯକ୍ରମକୁ ପଢି ନିଜର ଜାତିବାଦୀ ମାନସିକତାର ବୌଦ୍ଧିକ ସ୍ତରକୁ  ପରିପୁଷ୍ଠ କରିଛନ୍ତି । ଏବଂ ଶେଷରେ ସମାଜରେ ଏକ ଘୃଣ୍ଯ ଖୁନୀର ପରିଚୟ ପାଇବାକୁ ବାଧ୍ଯ ହେଇଛନ୍ତି ।ଏହାକୁ ଆମେ ତଥାକଥିତ ବିକାଶର ଏକ ବିପରିତ-ନଗ୍ନ ପରିମାପକ ଭାବରେ ଗ୍ରହଣ କରିବା ନି କାହିଁକି ?

            ଯେଉଁ ଶିକ୍ଷାବ୍ଯବସ୍ଥାରୁ ଆହରଣ ମୁଲ୍ଯବୋଧ ହଜାର ହଜାର, ଶହଶହ ବର୍ଷ ଧରି ଗୋଟିଏ ଗାଁରେ ଜନ୍ମନେଇ, ବଢି, ରହିଆସିଥିବାର ସମ୍ପର୍କ କୁ ଭୁଲିଗଲା । ସମାନ ମାଟିରେ ପାଦଥାପି, ସମାନ ପାଣିପବନ ଖାଇ, ବିଭିନ୍ନ ସମ୍ପର୍କରେ ଆଦିମ କାଳରୁ ଯୋଡି ହୋଇଥିବାର ପ୍ରେମକୁ ଭୁଲିଗଲା ଅଥଚ ଏକ ଅନ୍ଧବିଶ୍ବାସ ତଥା ଅଯୌକ୍ତିକ ବିଚାର ଉପରେ ଆଧାରିତ "ଜାତି" ଦେଖା ଗଲା ଏବଂ ପୋଖରୀ ତୁଠରେ ସାମାନ୍ଯ ଗାଧୋଇବା ଉପକ୍ରମ କରି ଠିଆ ହେବା ଫଳରେ ପିଟିପିଟି ହତ୍ଯା କରାଗଲା ।ଜଣେ ହତ୍ୟା ହେଲା ଓ ଜଣେ ଖୁନୀ ହେଇଗଲା। ଏହାକୁ ଗୋଟେ ରାଜ୍ଯ ଓ ଦେଶର ଶିକ୍ଷାବ୍ଯବସ୍ଥାର  କଳଂକିତ ଦିଗ ବୋଲି ବିବେଚନା କରିବା ନାହିଁ କାହିଁ କି ?

            ଏ ଜଘନ୍ଯ ଜାତିବାଦ ଭଳି ସମସ୍ଯାର ନିରାକରଣ ପାଇଁ କୌଣସି ସରକାର ନିର୍ଧିଷ୍ଟ ଭାବରେ ଯୋଜନାଟିଏ ତିଆରି କରିପାରିଛନ୍ତି କି ? ନା ଏ ବ୍ଯବସ୍ଥାର ପରିବର୍ତନ ପାଇଁ କେବେ ଚିନ୍ତା କରିଛନ୍ତି ?ସଂବିଧାନ କାର୍ଯ୍ଯକାରୀ ହେବା ଦିନରୁ କୌଣସି ସରକାର ତାଙ୍କର ନିର୍ବାଚନୀ ଇସ୍ତାହାରରେ ଅସ୍ପୃଶ୍ଯତା ନିବାରଣ କି ଜାତିପ୍ରଥାର ମୂଳୋତ୍ପାଟନ ପାଇଁ ଆଜି ପର୍ଯ୍ଯନ୍ତ ଗୋଟିଏ ବି ଯୋଜନା ଘୋଷଣା କରିବାର ନଜିର ଅଛି  ? ତେବେ ଯେଉଁ ଦଳିତ ଗୋଷ୍ଠି ନିଜର ଦେଶ, ପ୍ରଦେଶ, ଗାଁ ମାଟିରେ ଅସୃଶ୍ଯ ଭାବରେ ବିବେଚିତ ହେଉଛନ୍ତି, ଜାତିବାଦର ଶିକାର ହେଉଛନ୍ତି, ସେମାନେ କହିଁକି ତାଙ୍କୁ ଭୋଟଦେଇ ଶାସନ ଗାଦିରେ ବସେଇବେ ? ଏଠି ତ' ଏମିତି ଅନୁମାନ ହେଉଛି ଯେ ସଂବିଧାନରେ  ଲିଖିତହୋଇ ରହିଥିବା ସତ୍ତ୍ବେ ଯେବେ ସରକାର ଏଇ ଅସ୍ପୃଶ୍ଯତା ନିବାରଣ ଆଇନକୁ ଉଚିତ ଢଙ୍ଗରେ କାର୍ଯ୍ଯକାରୀ କରୁନାହାନ୍ତି ତେବେ ଖଲିଆପାଲିର ଖୁନୀପିଲାମାନେ ଏଇ ହତ୍ଯା ଘଟଣ ପାଇଁ ଯେତିକି ପରିମାଣରେ ଦାୟୀ  ସେତିକି ପରିମାଣରେ ସରକାରକୁ ବି ଖୁନୀ ଭାବରେ ଦାୟୀ କଲେ କିଛି ଭୁଲ ହେବ ନାହିଁ । ଓଡିଶା ବିଧାନସଭାରେ ପ୍ରାୟ ୫୭ ଜଣ ବିଧାୟକ ଓ ଲୋକସଭାରେ ୧୩୧ ଜଣ ସାଂସଦ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି ଯେଉଁମାନେ ସଂରକ୍ଷଣମାଧ୍ଯମରେ ଦଳିତ-ଆଦିବସୀ ବର୍ଗର ପ୍ରତିନିଧିତ୍ବ କରୁଛନ୍ତି, ସେମାନରେ କାହିଁକି ଏସବୁ ଘଟଣାକୁ ଦେଖିବା ସତ୍ତ୍ବେ ପାଟିରେ କନା ଜାକି ବସିଛନ୍ତି ?

            ଆଉ ସବୁଠାରୁ ଦୁଃଖଦ କଥାଯେ ଖଲିଆପାଲି ସମେତ ଯେଉଁ ଯେଉଁଠାରେ  ଦଳିତମାନଙ୍କ ଉପରେ ଅତ୍ୟାଚାର ହେଉଛି ବା କରାଯାଉଛି, ସେଇ ହତ୍ୟାକାରୀ ବା ଅତ୍ୟାଚାରୀମାନେ ପାକିସ୍ଥାନ, ବଙ୍ଗଲାଦେଶ କି ଆଫଗାନିସ୍ଥାନର ବ୍ଯକ୍ତି ନୁହଁନ୍ତି । ସେମାନେ ଏକା ଗାଁର ଲୋକେ,ଜଣେ ଆରଜଣକୁ ଅତି ଭଲଭାବରେ ଜାଣନ୍ତି, ଚିହ୍ନନ୍ତି ଏବଂ ଅନେକ ପୀଢିରୁ ତାଙ୍କର ବୁନିଆଦି ସଂପର୍କ ରହିଆସିଛି । ସେମାନେ ବି ଧାର୍ମିକ ଗୁରୁଙ୍କ ମତରେ ଗୋଟିଏ ଇଁ ହିନ୍ଦୁଧର୍ମର ଅଟନ୍ତି ।ଏଣେ ସେଇ ଧାର୍ମିକ ଗୁରୁଙ୍କ ମତରେ ଗୋଟିଏ ଧର୍ମର ହେଲେ ବି ଏକକୁ ଆରକେ ସ୍ପର୍ଶ କରନ୍ତି ନାହିଁ, ଏକାଠି ବସନ୍ତି ନାହିଁ,ଏକାଠି ନିଜ ଧର୍ମର ଦେବାଦେବୀଙ୍କୁ ପୂଜାପାଠ କରି ପାରନ୍ତି ନାହିଁ, ନିଜ ଧର୍ମର ଧାର୍ମିକ ଅନୁଷ୍ଠାନକୁ ପ୍ରବେଶ କରିପାରନ୍ତି ନାହିଁ । ସେମାନଙ୍କ ଧାର୍ମିକ ବିଚାର ଦଳିତଙ୍କ ପ୍ରତି କେବଳ ଘୃଣା ଇଁ ଘୃଣାରେ ପୁରି ରହିଥାଏ ।

            ଏ ପ୍ରାଚୀନ ସନାତନୀ ବିଚାର ଭିତରକୁ ନିଜଧର୍ମର ଲୋକଙ୍କ ପ୍ରତି ଏତେ ଘୃଣା କେମିତି ଆସୁଛି ଓ କେଉଁଠୁ ଆସୁଛି ? ଯିଏ ଶହଶହ ବର୍ଷର ସଂପର୍କକୁ ଅଣଦେଖା କରି ସ୍ବଧର୍ମର, ଆପଣାର ଲୋକମାନଙ୍କୁ ହତ୍ଯାକରିବାକୁ ପଛାଉ ନାହିଁ ? ଏଭଳି ହତ୍ଯା କରୁଥିବା ସଂସ୍କୃତିକୁନେଇ ଆମେ ଲଜ୍ଜିତ ନୋହୁଁ କି ? ଆଜି ପର୍ଯ୍ଯନ୍ତ କେତୋଟି ଧାର୍ମିକ ଅନୁଷ୍ଠାନର ସବର୍ଣ୍ଣମାନେ ତାଙ୍କ ନିଜ ଧର୍ମର ପିଲାକୁ ହତ୍ଯାକରାଯାଇ ଥିବାର ପ୍ରତିବାଦରେ ସ୍ବର ଉଠେଇଛନ୍ତି ।  କେତୋଟି ଧାର୍ମିକ ଗୁରୁମାନେ  ସବର୍ଣ୍ଣ-ହିନ୍ଦୁ ଓ ଅସବର୍ଣ୍ଣ-ଦଳିତ-ହିନ୍ଦୁମାନଙ୍କ ମଧ୍ଯରେ ଜାତିବାଦୀ ବିଦ୍ବେଶ ନ ରଖି ଶାନ୍ତିପୂର୍ଣ ସହାବସ୍ଥାନର ସୁତ୍ରବାହାର କରିବା ପାଇଁ ଉଦ୍ଯମ କରିଛନ୍ତି ? ଦଳିତମାନେ କ'ଣ ସତରେ ହିନ୍ଦୁ ନୁହଁନ୍ତି !!! ଯେଉଁ କେତୋଟି ଦଳିତ ସଂଗଠନ ଏଭଳି ସମସ୍ଯାକୁ ନେଇ ସ୍ବର ଉଠେଇ ଆସୁଛନ୍ତି, ଏଇଟ କେବଳ କ'ଣ ତାଙ୍କର କାମ, ଅନ୍ଯ ଅଣଦଳିତ ସଂଗଠନ ମାନଙ୍କର କିଛି ବୋଲି କିଛି ସାମାଜିକ କର୍ତବ୍ଯ ନାହିଁ ?

            ସମସ୍ୟା ରହିଲା କେଉଁଠି ? ସମ୍ବିଧାନର ପ୍ରସ୍ତାବନାରେ ଲିଖିତ ନ୍ୟାୟ, ସମତା, ମୈତ୍ରୀ, ଭାତୃଭାବକୁ ବୁଝି ସମାଜ ତଥା ଜୀବନରେ ପ୍ରୟୋଗ କରିବାକୁ ଆମକୁ ଆଉ କେତେ ବର୍ଷ ଲାଗିବ ?

            ଏ ଉତ୍କଟ ଜାତିବାଦୀ ସାମାଜିକ ସମସ୍ୟାର ସମାଧାନ ଅଛି ନା ନାହିଁ ? ଯଦି ଅଛି, ତେବେ କାହାପାଖରେ ଅଛି ? ସମାଜ ପାଖରେ ? ସାଧାରଣ ଲୋକଙ୍କ ପାଖରେ ? ଧର୍ମର ବିଚାରରେ ? ଧର୍ମକୁ ପାଳନ କରୁଥିବା ବ୍ଯକ୍ତିଙ୍କ ପାଖରେ ?  ନା ଧର୍ମ ଗୁରୁମାନଙ୍କ ପାଖରେ ?

ଦଳିତ ଜନତାଙ୍କ ପାଖରେ ? ସବର୍ଣ୍ଣଙ୍କ ପାଖରେ ? ରାଜନୀତି ପାଖରେ ? ନା ସରକାରଙ୍କ ପାଖରେ ?

ଏ ସମସ୍ଯାର ମାଲିକ କିଏ ? ସମାଧାନ କାହା ପାଖରେ ? ଆଜି ଏ ପ୍ରଶ୍ନ ସମସ୍ତଙ୍କୁ ।