ଦେଶ ବନାମ ଦେହ

ଦେଶ ବନାମ ଦେହ

ବିବର୍ତ୍ତନମୂଳକ ମାନବିକ ଚିନ୍ତାର ଇତିହାସ ଦୃଷ୍ଟିରୁ ଦେଶ କହିଲେ ବସ୍ତୁତଃ ଏକ ଧାରଣା ରୁ ଯେ ତାହାର ଆରମ୍ଭ ,ଏକଥା ସବୁ ଆରମ୍ଭର ଆଦ୍ୟରେ ଯେମିତି ଗୋଟିଏ ଗୋଟିଏ ଆଇଡିଆ ରହିଥାଏ ଠିକ୍ ସେତିକି ଭିତରେ ସୀମୀତ କରି ରଖିଲେ କଥାଟି ଠିକ୍ ହେବ। ଦେଶ ର ସେହି ଆଦ୍ୟ ଧାରଣା ଯେ ପରବର୍ତ୍ତି ଦେଶବାଚକ ଶବ୍ଦର  ବିବର୍ତ୍ତନ ରେ ପ୍ରଭାବ ବିସ୍ତାର କରିଥାଏ ବା ନିୟନ୍ତ୍ରକ ସାଜିଥାଏ ,ସେକଥା ଇତିହାସ ଦୃଷ୍ଟିରୁ  ଠିକ୍ ହେବନାହିଁ  । 

ଗାଆଁର ଚଉହଦୀ ଡେଇଁ ନଥିବା ବ୍ରାହ୍ମଣ ଜଣକ ହାତରେ ଯେତେବେଳେ ପାଖ ଟୁବି ଗଡିଆର ପାଣିକୁ ଧରି " ଗଙ୍ଗେଶ୍ଚ ଯମୁନେଚୈବ ନର୍ମଦେ ସିନ୍ଧୁ କାବେରି" ଆଦି ପଞ୍ଚନଦୀର ଜଳକୁ ଏକାଠି ସନ୍ନିଧାନ କରିବା ଭଳି ତାହାର କର୍ମକର୍ମାଣୀ ଆରମ୍ଭ କରିଥାଏ ଆଉ "ଜମ୍ବୁଦ୍ୱୀପେ ,ଭାରତବର୍ଷେ" ବୋଲି କହିଥାଏ ସେତେବେଳେ ତାହାର ଧାରଣା ରେ ଏକ ବ୍ୟାପକତା ବିରାଜମାନ କରୁଥାଏ ଆଉ ଏହି ବ୍ୟାପକତା ବା ଧାରଣା ନିହାତି କୁହୁଡିଆଚ୍ଛନ୍ନ । ଯଦି ବସ୍ତୁତଃ ସେଇ ଭଳି ଜମ୍ବୁଦ୍ୱୀପ ଭାରତବର୍ଷ ଭଳି ବ୍ୟାପକ ଦୃଢ ଧାରଣା ଆମର ରହିଥାନ୍ତା ତେବେ ମାତ୍ର ତିନୋଟି ସମୟ ଅର୍ଥାତ୍  ଅଶୋକଙ୍କ ସମୟ,ଆକବରଙ୍କ ସମୟ ଏବଂ ବ୍ରିଟିଶ ମାନଙ୍କ ସମୟ ,ଏଇ ତିନୋଟି ସମୟରେ ଆମର ଆଜି ଭଳି ଯେମିତି ଭାରତବର୍ଷର ମାନଚିତ୍ର (ପାଖାପାଖି)ରହିଛି ତାହା ଭାରତବର୍ଷର ଇତିହାସରେ  ଜଣେ ଜଣେ ଶାସକର ଅଧୀନରେ ଥିଲା। ଏଠାରେ କହିବାର କଥା ହେଉଛି ପ୍ରଥମ ପର୍ଯ୍ୟାୟରେ ଦେଶ କହିଲେ ଯେଉଁ ବ୍ୟାପକ ବିସ୍ତାର ପୌରାଣିକ ସମ୍ମେଳନ ଆକାରରେ ଆମର ମନରେ ରହିଥିଲା ତାହା ନିଶ୍ଚିତ ଭାବରେ ତ ଏକ ଆବଷ୍ଟ୍ରାକସନ୍ ବା ଅମୂର୍ତ୍ତ ,ଏବଂ ଏହାର କୌଣସି ବାସ୍ତବ ବସ୍ତୁସ୍ଥିତି ନଥିଲା। ବାସ୍ତବ ବସ୍ତୁସ୍ଥିତି ନଥିବାର  କାରଣ ହେଉଛି ଆମର ପରସ୍ପର ସହ ସେତେବେଳେ ସଂଯୁକ୍ତ ହେବା ଭଳି ଶାରିରୀକ ଯାତ୍ରା,ଆଦାନପ୍ରଦାନ ଏବଂ ସମନ୍ୱୟ ଏବଂ ଆହରଣର ଅଭାବ। ତେଣୁ ପ୍ରାଥମିକ ଭାବରେ ଦେଶକୁ ଏକ ଧାରଣା ବୋଲି ଯଦି କିଏ କହେ ସେହି ଧାରଣା ପଛରେ ଆମର କେବଳ ସଂକୁଚିତ ସ୍ଥାନୀୟତାକୁ ବୁଝିବାକୁ ହେବ ।

ଆମର ସର୍ବପୁରାତନ ରଚନା ଋଗବେଦ ଆଉ ଋଗବେଦ ର ସର୍ବପୁରାତନ ଅଂଶ ଅର୍ଥାତ୍ ଋଗବେଦର ପ୍ରଥମ ଏବଂ ଦଶମ ମଣ୍ଡଳ  ଦେଶ ବାଚକ ଶବ୍ଦ ଆକାରରେ  "ରାଷ୍ଟ୍ର" ର ଥରଟିଏ  ଉଲ୍ଲେଖ ଥିବା କଥା ପ୍ରାଚୀନ ଭାରତର ଇତିହାସ ବିଶାରଦ ପ୍ରଫେସର୍ ରାମଶରଣ ଶର୍ମା କହିଛନ୍ତି। ପରବର୍ତ୍ତି ସମୟରେ ରାଷ୍ଟ୍ର ବହୁଳ ଭାବରେ ବ୍ୟବହାର କରାଯାଇଛି । ଋଗବେଦର ପ୍ରଥମ ଆଉ ଦଶମ ମଣ୍ଡଳରେ ଦେଶବାଚକ ଶବ୍ଦ ଆକାରରେ ଯାହାର ବହୁଳ ବ୍ୟବହାର ହୋଇଛି ତାହା ହେଉଛି "ଜନପଦ"। "ଜନପଦ" ର ଅର୍ଥ ହେଉଛି ଏକ ଭୂଖଣ୍ଡୀୟ ଏକକ ବା ଟେରିଟୋରିଆଲ୍ ଏନଣ୍ଟିଟି ଯେଉଁଠି କିଛି ମଣିଷ ବସବାସ କରିଥାନ୍ତି । ପ୍ରାକ୍-ବୈଦିକ କାଳରେ ଯେତେବେଳେ ମଣିଷ ଶିକାର ତଥା ପଶୁପାଳନ ଭଳି ଖାଦ୍ୟ ସଂଗ୍ରାହକର ଜୀବନବୋଧରେ ବଞ୍ଚୁଥିଲା ସେତେବେଳେ ତାହାର କୌଣସି ସ୍ଥିର ବସତି ନଥିଲା । ତେଣୁ ପ୍ରଥମେ ଜନପଦ କହିଲେ ଏହା ଏକ ବିଚରଣଶୀଳ "ମୁଭେବଲ୍" ମୁକ୍ତ ଜନତାର ଏକକ କୁ ପରିଭାଷିତ କରୁଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସେତେବେଳେ ମଣିଷର ତାହାର ଖାଦ୍ୟାନ୍ୱେଷଣରେ ଅହରହ ସ୍ଥାନାନ୍ତରିତ ହେଉଥିବା ଦଳ ପ୍ରତି ଆନୁଗତ୍ୟ ହିଁ ତାହାର ପ୍ରାଥମିକ ଦେଶବୋଧ ଥିଲା। ପରେ ମଣିଷ କୃଷିକର୍ମ କୁ ଜୀବିକା କରିବା ପରେ ଅର୍ଥାତ୍ ଖାଦ୍ୟ ସଂଗ୍ରାହକ ରୁ ଖାଦ୍ୟ ଉତ୍ପାଦକ ପାଲଟି ଗଲା ପରେ ପୂର୍ବବର୍ତ୍ତି ଦେଶବାଚକ ଜନପଦଟି ଏକ ବାସ୍ତବ ଭୂଖଣ୍ଡୀୟ  ସ୍ଥିର ଏକକରେ ପରିଣତ ହୋଇଗଲା। ଏଇଠି ଆମେ ଦେଶବାଚକ ଭାବରେ ଯେଉଁ "ଜନପଦ" କୁ ଭେଟିଲୁ ତାହା ଥିଲା ଜନ ଏକକ,ସ୍ଥାନ ଏକକ ଏବଂ ସାର୍ବଭୌମ ଏକକ ( ସେହି ଜନପଦବାସୀ ଙ୍କର ସାମୁହିକ ସାର୍ବଭୌମତା ଯାହା ଜଣେ କୌଣସି ଦଳପତି ଭିତରେ ପରିଭାଷିତ ହେଉଥିଲା ) ଏଇଭଳି 
ତିନୋଟି ଏକକର ସମାହାର । ଜନପଦ ମାନେ ନିଜନିଜ ଭିତରେ ସଂଘର୍ଷ ଫଳରେ ମହାଜନପଦ ରେ ପରିଣତ ହୋଇଗଲେ ଆଉ ମହାଜନପଦମାନେ ନିଜନିଜ ସଂଘର୍ଷ ଫଳରେ ରାଷ୍ଟ୍ର ରେ ପରିଣତ ହୋଇଗଲେ । ଏବଂ କୌଣସି ବୃହତ୍ ଛତ୍ରଛାୟାରେ ରହିବା ନିଜର ସୁରକ୍ଷା କାରଣରୁ ସର୍ବୋତ୍ତମ ହୋଇଥିବା ଦୃଷ୍ଟିରୁ ଅଧିବାସୀଗଣ କୌଣସି ଜନପଦ ବା ମହାଜନପଦ ଅପେକ୍ଷା "ରାଷ୍ଟ୍ର" ର ଅଧୀନରେ ରହିବାକୁ ଶ୍ରେୟସ୍କର ମନେକରିଛନ୍ତି। ଏହାଭିତରେ ଦେଶବାଚକ ଶବ୍ଦର ଯେଉଁ ତିନୋଟି ବିଭାବ ଯାହା ଆଗରୁ କୁହାଯାଇଛି ସ୍ଥାନ ଏକକ,ଜନ ଏକକ ଏବଂ ସାର୍ବଭୌମ ଏକକ ଏଇ ତିନୋଟି ରୁ ସାର୍ବଭୌମ ଏକକର ଏକ ଗୁଣାତ୍ମକ ପରିବର୍ତ୍ତନ ଘଟିଯାଇଛି। ଜନପଦ କାଳରେ ଯେଉଁ ସାର୍ବଭୌମତା ତତସଂଲଗ୍ନ ଅଧିବାସୀମାନଙ୍କର ସାମୂହିକ ସାର୍ବଭୌମତା ର ପ୍ରତୀକ ହିସାବରେ ଦଳପତି ଆକାରରେ ବିଦ୍ୟମାନ ଥିଲା ଅର୍ଥାତ୍ ଦଳପତି ର କ୍ଷମତା ତାହାର ଇଲାକାର ଅଧିବାସୀଙ୍କ ପ୍ରଦତ୍ତ କ୍ଷମତା ବୋଲି ସ୍ୱୀକୃତ ଥିଲା। ପରେ କିନ୍ତୁ ଦଳପତି ର ଏଇ ସାର୍ବଭୌମତ୍ୱକୁ ଜନ ଆଧାରିତ ବଦଳରେ ଦେବାଶ୍ରିତ ବୋଲି ବିଚାର କରାଗଲା। "ମହତୀ ଦେବତା" ନର ରୂପରେ ଅବସ୍ଥାପିତ ହୋଇଛନ୍ତି ବୋଲି ଦଳପତିକୁ ରାଜା କୁହାଗଲା,ଦେବତାଙ୍କ ପ୍ରତିନିଧି ହିସାବରେ  ଦେବତାଙ୍କର ସ୍ୱେଚ୍ଛାକୃତ ହସ୍ତାନ୍ତରିତ କ୍ଷମତାକୁ ରାଜା ବିନୟାବନତ ହୋଇ ଗ୍ରହଣ କରି ନିଜେ ଦେବତାସମ ଶାସନ କରିବାକୁ ଆରମ୍ଭ କଲା। ଏଇଠୁ ସ୍ୱୈରାଚାରିତାର ଆରମ୍ଭ। ରାଷ୍ଟ୍ରର ସାର୍ବଭୌମତ୍ୱ ହିଁ ତାହାପରଠାରୁ ସ୍ଥିର କରିଆସୁଛି ଗୋଟିଏ ଦେଶବାଚକ ଶବ୍ଦ ଆକାରରେ "ରାଷ୍ଟ୍ର"  ଟି କେମିତି ପରିଭାଷିତ ହେବ।

ଅବଶ୍ୟ ବୌଦ୍ଧଧର୍ମ କାଳରେ ତତ୍ତ୍ୱଗତ ଭାବରେ ଏଇ ସାର୍ବଭୌମତାକୁ "ମହାସମ୍ମତ" ବା ଜନସାଧାରଣଙ୍କ ହସ୍ତାନ୍ତରିତ କ୍ଷମତାପ୍ରାପ୍ତ  ତଥା ଭାରତୀୟ ଲେଭିଆଥାନ ( ରାଷ୍ଟ୍ରବିଜ୍ଞାନୀ ଥମାସ ହବସ୍ ଙ୍କ ସର୍ବୋଚ୍ଚ କ୍ଷମତାର ଧାରକ ଲେଭିଆଥାନ୍ ର ଆଦ୍ୟରୂପ  ) ର କଥା କୁହାଯାଇଥିଲା । ହେଲେ "ମହତୀ ଦେବତା" ଆଉ "ମହାସମ୍ମତ "ର ଦ୍ୱନ୍ଦ୍ୱରେ "ମହତୀ ଦେବତା" ର ବିଜୟ ଘଟିଛି, ଭାରତର ଇତିହାସରେ ।

ଏହା ସହିତ ଆଉ ଗୋଟିଏ କଥାକୁ ଦେଖିବାକୁ ପଡିବ ତାହା ହେଉଛି ,ଆଦ୍ୟ ଭାରତୀୟର ଈଶ୍ୱର ପ୍ରାର୍ଥନାର ଉପଲକ୍ଷ ଥିଲା "ପ୍ରଜା ଆଉ ପଶୁ" ଅର୍ଥାତ୍ ମୋର ଅଧିକ ସନ୍ତାନସନ୍ତତି ହୁଅନ୍ତୁ ମୋର ଅଧିକ ପଶୁଧନ ହେଉ ଆଉ ଏହା ସହିତ ଯେଉଁ ଅନ୍ତର୍ବର୍ତ୍ତି ନିବେଦନ ସେଥିରେ ରହୁଥିଲା ,ମୋର ସମସ୍ତ "ପ୍ରଜା ଆଉ ପଶୁ"କୁ ସୁରକ୍ଷା ପ୍ରଦାନ କର ପ୍ରଭୂ। ତେଣୁ ଦେଶବାଚକ ଶବ୍ଦ ଟିଏ ଗଢି ଉଠିଲା ବେଳକୁ ତାହା ସହିତ "ସୁରକ୍ଷିତ" ରହିବାର ଅଭିପ୍ରାୟ ଏବଂ ଉପଚାର ଅଙ୍ଗାଙ୍ଗୀ ଭାବରେ ଜଡିତ ହୋଇ ରହିଆସିଛି । ଆଉ ଏଇ ସୁରକ୍ଷା ର ଆଳକୁ ନେଇ  ସାର୍ବଭୌମତା ସାମୂହିକତାରୁ ରୂପାନ୍ତରିତ ହୋଇଯାଇଛି ବ୍ୟକ୍ତିବାଚକତାରେ ।

ଦେଶଟି କେତେବେଳେ ତାହାହେଲେ ମାଆ ପାଲଟି ଯାଏ ? ଏହାର ଏକ ବିସ୍ତୃତ ବିବର୍ତ୍ତନ ମୂଳକ ଚର୍ଚ୍ଚା କରିବାର ଆବଶ୍ୟକତା ରହିଛି । ଅତି ସଂକ୍ଷେପରେ କହିଲେ ଆମକୁ କେବଳ ଭାବପରକ ଭାବରେ କଥାଟିକୁ ଦେଖିଲେ ହେବ ନାହିଁ, ଆମକୁ ବୁଝିବାକୁ ହେବ ଗୋଟିଏ ସ୍ଥାନକୁ ,ଅଂଚଳକୁ ଆମେ ମାଆ ରୂପରେ ଦେଖିବାକୁ ଆରମ୍ଭ କରୁ କେତେବେଳେ ? 


ଆପଣମାନେ ଜାଣନ୍ତି ୧୯୦୫ ମସିହାରେ ସର୍ବପ୍ରଥମେ ଅବନୀନ୍ଦ୍ରନାଥ ଠାକୁର ଭାରତମାତାର ଏକ ଛବି ଅଂକନ କରିଥିଲେ । ଚିତ୍ର ଥିବା ଭାରତମାତା ଗୈରିକ ବସ୍ତ୍ର  ପରିହିତା ନିଜର ଚାରୋଟି ହାତରେ ଅନ୍ନ ,ବସ୍ତ୍ର ,ବେଦ ଏବଂ ମାଳା ଧାରଣ କରିଛନ୍ତି। କହିବା କଥା ହେଉଛି ଊନବିଂଶ ଶତାବ୍ଦୀ ଯାଏଁ ଆମେ "ଜମ୍ବୁ ଦ୍ୱୀପ ,ଭାରତବର୍ଷ" ର କଥା କହୁଛୁ କିନ୍ତୁ ତାହାକୁ କୌଣସି "କଂକ୍ରିଟ୍ ଭିଜୁଆଲ୍ ସେପ୍" ରେ ଚିତ୍ରାର୍ପିତ କରିନାହୁଁ । ଆଗରୁ ଉଲ୍ଲେଖ କରାଯାଇଛି ଯେ ରାଜାର ସାର୍ବଭୌମତା ତଥା ତାହାର ସ୍ୱୈରାଚାରୀତା ରେ ଦେଶବାଚକ ଶବ୍ଦ ଟି ପରିପୁଷ୍ଟ ହେବାରେ ଲାଗିଛି। ରାଜା ନାରୀକୁ କେତେ କ୍ଷମତା ଦେଇ ଆସିଛି ତାହା ସମସ୍ତଙ୍କୁ ଜଣା । ତେଣୁ ସରଳ ଭାବରେ କହିଲେ ଆରମ୍ଭରୁ ରାଜାର ଦେଶ ଟି ମାଆ ପାଲଟିଯିବ କେମିତି  ? ହଁ ,ଆମେ ଦେଶକୁ ମାଆ ବୋଲି ଭାବିଛୁ ,ଠିକ୍ ସେତିକିବେଳେ ଭାବିଛୁ ଯେତେବେଳେ ନିଜର ଦେଶକୁ ଆମେ ରକ୍ଷା କରିବା ପାଇଁ ଅସମର୍ଥ ହୋଇଛୁ । ନିଜର ସୁରକ୍ଷାର କାରଣରୁ ଯାପିତ ଜୀବନର ସଂତ୍ରାସକୁ ବୁଝିବା ପାଇଁ ଆମେ ଦେଶକୁ ଦୁଃଖିନୀ ମାଆ କରିଦେଲୁ ଆଉ ମାଆ ସହିତ ସନ୍ତାନର ଯେମିତି ଆବେଗପୂର୍ଣ୍ଣ ଚିରକାଳର ବଣ୍ଡିଙ୍ଗ୍ ତାହା ଆମର ସ୍ଥାଣୁତା ତଥା ଅଥର୍ବତାକୁ ପ୍ରତିପକ୍ଷର ବିରୁଦ୍ଧରେ ଲଢାଇ କରିବା ପାଇଁ  ପ୍ରରୋଚିତ କରିଥିଲା। ତେଣୁ ଭାରତୀୟ ମାତୃଭାବନାରେ ଅପରାଜେୟ ବ୍ରିଟିଶ ଶକ୍ତିକୁ ପରାଭୂତ କରିବା ପାଇଁ "ଭାରତମାତା" ଏକପ୍ରକାର ଉଦବୋଧନ ଡାକ ବା କ୍ଲାରିଅନ୍ କଲ୍ ।

ଦେଶ ଆଉ ଏହାର ଭାରତୀୟ ଚିନ୍ତନର ବିବର୍ତ୍ତନମୂଳକ ପ୍ରେକ୍ଷାପଟଟିକୁ ବୁଝିବା ଏଇଥିପାଇଁ ଆବଶ୍ୟକ ପଢିଛି ,ଯେ ସଂପ୍ରତି ଜଣେ ବରିଷ୍ଠ କବି ଜଣେ ତରୁଣ କବି ଙ୍କ ଦେଶ ଉପରେ ରଚିତ କବିତାରେ ଦେଶମାତୃକାକୁ ନେଇ ଅଶ୍ଳୀଳ ମେଟାଫର ଆଉ ମିସ୍-ପ୍ଲେସଡ୍ ମେଟାଫର୍ ର ଅଭିଯୋଗ ଆଣି ତାଙ୍କୁ ଜଣେ ଅଶ୍ଳୀଳ ,ଅଭଦ୍ର ଆଉ ଦେଶଦ୍ରୋହୀ ବୋଲି କହିଛନ୍ତି । ତେଣୁ ଆମକୁ ଦେଶ ବନାମ ଦେହ ,ଏଇ ଦ୍ୱନ୍ଦ୍ୱାତ୍ମକ ପ୍ରବିଧି କୁ ବୁଝିବାକୁ ହେବ।

ମାତ୍ର ଏଇ ପରିପ୍ରେକ୍ଷୀରେ ପ୍ରଥମେ ଉପସ୍ଥିତ ଲେଖକ ଯାହା କହିବାକୁ ଚାହୁଁଛି ତାହାକୁ  ଆପଣମାନେ ହୁଏତ ଗ୍ରହଣ କରି ପାରନ୍ତି, ହୁଏତ ଗ୍ରହଣ କରି ନପାରନ୍ତି । ଜଣେ ତରୁଣ ଲେଖକଙ୍କୁ କେବଳ କୌଣସି ଏକ ସାହିତ୍ୟଲେଖନ ନିମନ୍ତେ ଅଭଦ୍ର ,ଦେଶଦ୍ରୋହୀ ବୋଲି ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କ ସାମ୍ନାରେ  ନାଆଁ ଧରି କହିବା ସଂପୃକ୍ତ ବରିଷ୍ଠ ଲେଖକଙ୍କର ସାମାଜିକ ମର୍ଯ୍ୟଦା ର ଆଧାରସ୍ତରଟିକୁ ନିଶ୍ଚିତ ଭାବରେ ଉଜାଗର କରୁଛି।  କହିବା କଥା ହେଉଛି ସେଇ ବରିଷ୍ଠ ଜଣକ ଏହାଫଳରେ ତରୁଣ କବି ଙ୍କର ପ୍ରକାଶ୍ୟରେ ଅସମ୍ମାନ କରିଛନ୍ତି।


ଆପଣ ଯେତେ ବଡ ବିଦ୍ୱାନ ଅଥବା ଦେଶର ଜଣେ ମୂର୍ଦ୍ଧନ୍ୟ ଚର୍ଚ୍ଚିତ ବ୍ୟକ୍ତିତ୍ୱ ହୁଅନ୍ତା ନା  କାହିଁକି ଅପର ପକ୍ଷରେ ଆଉ ଜଣେ ଯେଉଁପରି  ବ୍ୟକ୍ତିତ୍ୱ ରହିଥାଉନା କାହିଁକି ତାହାର ପ୍ରାଇଭେଟ୍ ସ୍ପେସ୍ ବା ନିଜତାର ହନନ ହେବାଭଳି କୌଣସି ଅଧିକାର ଆପଣଙ୍କର ଶ୍ରେଷ୍ଠତାକୁ କଦାପି ମିଳିବ ନାହିଁ । ସେ ଦୃଷ୍ଟିରୁ ଆମର ଏହି ଉଲ୍ଲେଖ ରେ ଥିବା ତରୁଣ କବି ଜଣକ ଯଥାଶିଘ୍ର ସେଇ ଅସମ୍ମାନଜନକ ଲେଖାର ସ୍କ୍ରିନସଟ୍ ନେଇ ସେଇ ବରିଷ୍ଠଙ୍କ ବିପକ୍ଷରେ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ସହ ଫୌଜଦାରୀ ମାନହାନୀ ମାମଲା ଦାୟର କରନ୍ତୁ। ଏହା ଫଳରେ ସଂପୃକ୍ତ ବରିଷ୍ଠଙ୍କର ଅନ୍ୟପ୍ରତି ରହିଥିବା ସ୍ୱାଭାବିକ ସଂଭ୍ରମତାର ସ୍ତରଟି କେତେ ମସୃଣ ତାହା ସହଜରେ ଆଇନଗତ ଭାବରେ (ତାର୍କିକ) ଭାବରେ ଉନ୍ମୋଚିତ ହୋଇ ପାରିବ।

ଆମେ ଏହାଫଳରେ ହୁଏତ ଭଲଭାବରେ ଜାଣିପାରିବା ଯେ  ସାହିତ୍ୟରେ ଶ୍ଳୀଳତା କ'ଣ ଅଶ୍ଳୀଳତା କ'ଣ ?ମୋ ଲେଖାରେ ମୁଁ କିଛି ଅଶ୍ଳୀଳ ପ୍ରସ୍ତାବନା  ରଖିଛି ବୋଲି ମୋତେ କ'ଣ ଅଭଦ୍ର ଆଉ ଅଶ୍ଳୀଳ କୁହାଯିବ ? ଡିଏଚ୍ ଲରେନ୍ସ ଆଉ ଭ୍ଳାଦିମିର ନବକୋଭ କ'ଣ ପର୍ଣ୍ଣୋଗ୍ରାଫିକ୍  ଲେଖକ ? ସାହିତ୍ୟରେ ଲେଖିବା ଆଉ  କାନ୍ଥବାଡରେ ଅପନ୍ତରାରେ ଦିଅକ୍ଷରୀ ଲେଖିବା କ'ଣ ସମାନ ? କଳାକାର ର ଅଧିକାରର ସୀମାରେ ରହି  ପ୍ରଖ୍ୟାତ ମକବୁଲ୍ ଫିଦା ହୁସେନ ମାଆ ସରସ୍ୱତୀଙ୍କ ଉଲଗ୍ନ ଚିତ୍ର ଅଂକନ କରିଥିଲେ। କାହାର ଭାବାବେଗକୁ ତାହା ଆହତ କରିଥିଲା ,କରିବା ସମ୍ଭବପର ,ଏହା ବୋଲି  ହୁସେନଙ୍କୁ ଅଭଦ୍ର କହିବା କେତେଦୂର ସମ୍ଭବପର । ଆମର ପୂରାଣ କାହାଣୀରେ ମାଆ ସରସ୍ୱତୀ କେତେ ପରିମାଣରେ ଅରକ୍ଷଣୀୟା ତାହା ସମସ୍ତ ଭାରତୀୟ ପୁରାଣ ପ୍ରବୀଣମାନେ ଜାଣନ୍ତି । ଏହାର ଅର୍ଥ କଦାପି ଏପରି ନୁହଁ ଯେ ,ଉପସ୍ଥିତ  ଲେଖକ ମକବୁଲ୍ ଫିଦା ହୁସେନ୍ ଙ୍କର ସେହି ଭଳି ଛବି ଅଂକାକୁ ସମର୍ଥନ କରୁଛି। ସେଇ ଯୁକ୍ତିର ତାର୍କିକତାକୁ ଉଦ୍ଧାର କରି କହିଲେ ,ଯଦି ଆଜି କେହି ଦେଶକୁ ନେଇ ଗୋଟିଏ ନ୍ୟୁଡ୍ ଯଦିବା ଆଙ୍କିବସେ ତେବେ ସେ ଏକ ବିଚାର ବ୍ୟକ୍ତ କରିଛି ତାହା ଏକ ଦ୍ରୋହ ହେବ କାହିଁକି ? ଆଉ ଥରେ କହୁଛି ଏହାର ଆବେଗଗତ ପକ୍ଷ ରହିବା ଯେମିତି ସ୍ୱାଭାବିକ ଠିକ୍ ସେହିପରି ବିଚାର ଅନୁସାରେ ଏହାର
 ନଗ୍ନତା ବି ଏକ ସ୍ୱାଭାବିକ ମାନବିକ ଅବସ୍ଥା । ଏଇ ସଂକ୍ରାନ୍ତରେ ପ୍ରଖ୍ୟାତ ନାରୀବାଦୀ ଚିନ୍ତକ ଜର୍ମାଇନ ଗ୍ରିଅର୍ ଙ୍କର ଗୋଟିଏ ଚର୍ଚ୍ଚିତ ପୁସ୍ତକ ଅଛି ତାହାର ନାଆ,"ଦି ଫିମେଲ୍ ଇଉନକ"। ଏହାର ମୁଖ୍ୟ ପ୍ରସ୍ତାବନା ହେଉଛି ଆମେ ମାଆ ବୋଲି ଯେଉଁ ଅବଧାରଣା ସହିତ ପରିଚିତ ସେଇଠେ ମାଆକୁ ଆମେ ଏକ ଯୌନରହିତ/ନିର୍ଲିଙ୍ଗ ର ନାରୀ ଭାବରେ ଦେଖିବାକୁ ପସନ୍ଦ କରୁ । ମାଆ ର କୋଳ ଆଉ ପଣତ ଆମ ପାଇଁ ଥିବା ଆବଶ୍ୟକ ମାତ୍ର ମାଆର ଶରୀର,ଯୌନତାକୁ ଆମେ ସହ୍ୟ କରି ପାରିବୁ ନାହିଁ । କିନ୍ତୁ ମାଆ ତ ବସ୍ତୁତଃ ଗୋଟିଏ ନାରୀ ,ସେଇ ପ୍ରାଥମିକ କଥାଟିକୁ ଆମେ ଅସ୍ୱୀକାର କରି ପାରିବା କେମିତି ?

ଅଶ୍ଳୀଳତା ର ଏକ ନିହାତି ସଂକ୍ଷିପ୍ତ ପରିଭାଷା ରଖିଲେ ତାହା ଏପରି ହେବ : ଶାଳୀନତା,ଭଦ୍ରତା ଏବଂ ନମ୍ରତାର ପ୍ରଚଳିତ ତଥା ଗୃହୀତ ମାନକ ମାନଙ୍କୁ ଯାହା ବିପର୍ଯ୍ୟସ୍ତ ଏବଂ ଆହତ  କରିଥାଏ ତାହା ହେଉଛି ଅଶ୍ଳୀଳତା। ଅଶ୍ଳୀଳତା ଯେ ଖାଲି " ସେକ୍ସୁଆଲି ଏକ୍ସପ୍ଲିସିଟ୍ " ହେବ ଏହା କହିଲେ ଆମେ ଅଶ୍ଳୀଳତାକୁ ଏକ ପ୍ରକାରେ ସଂକୁଚିତ କରି ଦେଖୁଛେ । ସେମିତି କହିଲେ ଅଶ୍ଳୀଳତା କେବଳ ଆମ ଆଗରେ କେବଳ ପର୍ଣ୍ଣୋଗ୍ରାଫିକ୍ ରୂପରେ ଦେଖାଯିବ। ଅଶ୍ଳୀଳତା ଆମର ଯୌନତାର ବାହାରେ ଆମର ଦୈନନ୍ଦିନ ଜୀବନର ଗ୍ରହଣଯୋଗ୍ୟ ହେଉନଥିବା ହିଂସ୍ରତାରେ,ଯଥା ଯୁଦ୍ଧରେ,ଦାରିଦ୍ର୍ୟରେ, ସମୃଦ୍ଧିରେ,ବର୍ଣ୍ଣବାଦରେ ଏବଂ ହତ୍ୟାରେ ବି ଦେଖାଯାଇଥାଏ । ତେଣୁ ଅଶ୍ଳୀଳତାର ଯେଉଁ "ଅଲ୍ ଇନକ୍ଲୁସିଭିଟି" ଆଧୁନିକ ପରିଭାଷାଟି ବାହାରିବ ତାହା ହେଉଛି,ଅଶ୍ଳୀଳତା କହିଲେ ଚରମମାତ୍ରା ବା ଏକସେସ୍ କୁ ଆମେ ବୁଝିବା।

ସଂପୃକ୍ତ କବି ଦେଶକୁ ନେଇ ଏକ କବିତା ରଚନା କରିଛନ୍ତି ,କୌଣସି ଦେହଜ-ଇନ୍ଦ୍ରୀୟ ଉତ୍ତେଜକ ବିଜ୍ଞପ୍ତି  ପ୍ରକାଶ କରିନାହାଁନ୍ତି । ତାଙ୍କର କବିତା ରେ ଅଶ୍ଳୀଳତା ବୋଲି ଯାହା କୁହାଯାଉଛି  ତାହା ଦୈନନ୍ଦିକ ଜୀବନର ସେହି ଅସହ୍ୟ "ଏକସେସ୍" ର ଅଶ୍ଳୀଳତା। ତାହାର ସମସ୍ତ ପ୍ରତିବାଦ ର ମୂଳସୂତ୍ର ହୁଏତ  ସେଇ କବିତା। ସେଥିରେ ଯଦି କେହି କେବଳ ନାରୀର ଦେହ ଦେଖେ ତେବେ ତାହା ଦେହକୁ ନେଇ ନିଜର  ଏକ "କଣ୍ଡିସନିଙ୍ଗ" ର ପ୍ରଭାବ ହୁଏତ ।

ଉପସ୍ଥିତ ଲେଖକ ତାହାର ମୂଳ ବକ୍ତବ୍ୟକୁ ପୁଣି ଫେରି ଯାଉଛି। ସଂପୃକ୍ତ ବରିଷ୍ଠ କବି ସଂପୃକ୍ତ ତରୁଣ କବିଙ୍କର ସାର୍ବଜନୀନ କ୍ଷେତ୍ରରେ ଅସମ୍ମାନିତ କରିଛନ୍ତି ତେଣୁ ତାଙ୍କର ଉପଯୁକ୍ତ ଅପରାଧିକ ମୂଲ୍ୟର ବିଚାର କରିବାକୁ ହେବ। ଏହା କେବଳ ବିଚାରାଳୟରେ ସମ୍ଭବ।