ଭଣ୍ଡ ବାବା ନିତ୍ୟାନନ୍ଦ ଓ ଭାରତର ରାଜନୀତି

ଭଣ୍ଡ ବାବା ନିତ୍ୟାନନ୍ଦ ଓ ଭାରତର ରାଜନୀତି

ଆମ ଦେଶର ଦୁର୍ଭାଗ୍ୟ ହେଉଛି ପଳାତକ ଅପରାଧିମାନେ ଦିନ ଦି ପହରେ ପୁଲିସ ଆଖି ରେ ଧୂଳି ମାରି ଦେଶ ବାହାରକୁ ଚାଲି ଯାଉଛନ୍ତି ଓ ଦେଶ ବାହାରେ ରହି ଭାରତକୁ ବଦନାମ କରୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛି ଗତ ଫେବୃଆରୀ ୨୪ ତାରିଖରେ ଜେନେଭା ଠାରେ ଆୟୋଜିତ ମିଳିତ ଜାତିସଂଘର ଏକ ବୈଠକରେ ପଳାତକ ଅପରାଧି ନିତ୍ୟାନନ୍ଦ ବାବାର କିଛି ଶିଷ୍ୟ ଶିଷ୍ୟା ଅବାଧରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚାଲିଗଲେ। ନିଜକୁ ଏକ ସାର୍ବଭୌମ ଦେଶ କୈଳାସ ର ରାଷ୍ଟ୍ରମୁଖ୍ୟ ଘୋଷଣା କରିଥିବା ବାବା ନିତ୍ୟାନନ୍ଦକୁ ଆଇନ ଅନୁଯାୟୀ ଗିରଫ କରିବାର କୌଣସି ପ୍ରକ୍ରିୟା ଭାରତ ସରକାର କରିନାହାନ୍ତି। ଇଣ୍ଟରପୋଲ ସହାୟତାରେ ଏ ଭଳିଆ ଜଘନ୍ୟ ଅପରାଧୀଙ୍କୁ ଗିରଫ କରି ଜେଲ ପଠାଇ ଦେବା ଦାୟିତ୍ବ ଭାରତ ସରକାରଙ୍କର। ହେଲେ ଏ ପ୍ରସଙ୍ଗରେ ଭାରତ ସରକାର ଏକଦମ ନୀରବ ରହିଛନ୍ତି।

୨୪ ଫେବୃଆରୀ ରେ ମିଳିତ ଜାତିସଂଘ ରେ ଭାରତକୁ ନିନ୍ଦିତ କଲା ପରେ ତଥାକଥିତ କୈଳାସ ଗଣରାଜ୍ୟର ମୁଖପାତ୍ର ବିଜୟପ୍ରିୟା ଭାରତ ସରକାରଙ୍କୁ ଏବେ ପ୍ରଶଂସା କରିଛି । କିଛି ହିନ୍ଦୁ ବିରୋଧୀ ଲୋକ କୈଳାସର ପ୍ରତିଷ୍ଠାତା ନିତ୍ୟାନନ୍ଦ ବିରୋଧରେ ଲାଗିଥିବାରୁ ସେମାନଙ୍କ ବିରୋଧରେ ଭାରତ ସରକାର ପଦକ୍ଷେପ ନିଅନ୍ତୁ ବୋଲି ବିଜୟପ୍ରିୟା ଦାବୀ କରିଛି।

ଦେଶର ସାର୍ବଭୌମତ୍ୱ କୁ ଆହ୍ବାନ ଦେଇ ନିଜେ ନିଜକୁ ରାଷ୍ଟ୍ରମୁଖ୍ୟ ଘୋଷଣା କରିଥିବା ନିତ୍ୟାନନ୍ଦ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା କଥା। ହେଲେ ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ରହୁଥିବା ନିତ୍ୟାନନ୍ଦ ର ଅନୁଗାମୀଙ୍କୁ ଅସନ୍ତୁଷ୍ଟ କରିବାକୁ ବିଜେପି ସରକାର ଚାହୁଁ ନାହାନ୍ତି। ନିର୍ବାଚନ ରାଜନୀତି ଯୋଗୁଁ ଆନ୍ତର୍ଜାତିକ ସ୍ତରରେ ଆଜି ଭାରତ ଲୋକହସା ହେଉଛି।

ହିନ୍ଦୁତ୍ୱ ରାଜନୀତି ଆଜି ଚରମ ସଫଳତା ପାଇଥିବା ବେଳେ ହିନ୍ଦୁ ଧର୍ମ ର ଠିକାଦାର ଭାବରେ ନିତ୍ୟାନନ୍ଦ, ଆଶାରାମ ବାପୁ ଓ ରାମ ରହିମ ଭଳି ଅପରାଧି ରାଜନୈତିକ ପୃଷ୍ଠପୋଷକତା ପାଉଛନ୍ତି। ଏମାନେ ସବୁ ଜଘନ୍ୟ ଅପରାଧି। କିଏ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛି ତ ଆଉ କିଏ ଦେଶ ଛାଡି ଦେଶ ବିରୋଧୀ କାମରେ ମାତିଛି। ଏମାନଙ୍କୁ ବିଭିନ୍ନ ସ୍ତରରେ ରାଜନୈତିକ ପ୍ରୋତ୍ସାହନ ମିଳିବା ଦୁର୍ଭାଗ୍ୟର ବିଷୟ।