ହାଉଁବୁଢ଼ା
ଗପଟିଏ ।
ସରିନଥିବା ଗପଟିଏ ।
ଯଦିଓ ଗପ କେବେ ସରେନା,
ସରିବା ଆଗରୁ ବିଞ୍ଚଣା ବିଞ୍ଚୁବିଞ୍ଚୁ
ଗପ କହୁଥିବା ଲୋକ ନିଜେ ଶୋଇଯାଏ ।
ବଢ଼ନ୍ତା ବୟସର ଅନ୍ଧାର ରାତି ଅଧରେ
ଘର ଠଣାରେ ଜଳନ୍ତା ଡିବିର ଆଲୁଅର
କଳା ପିଇଯାଇଥିବା କାନ୍ଥ ଗିଳିଦିଏ ଗପକୁ ।
ଗପ ମିଛ ଲାଗେ ତା'ପରେ....
ତଥାପି
ସବୁଦିନ ଶୋଇବାଘର ଝରକା ଦେଇ
ବାଡ଼ିପଟ ସାହାଡ଼ାଗଛ ଡରାଏ,
ବାଳୁତ ଛୁଆର କାନ୍ଦଣାକୁ କାନ ଡେରି
ବୋଉ ଗପର ହାଉଁବୁଢ଼ା କହେ,
ତ ଗଲାଦିନର ଛାଇନିଦରେ ଛାଡ଼ି ଆସିଲା ପରେ
ମୁଁ କେମିତି ଅଛି ବୋଲି ତୁ ପଚାରିଛୁ କି ଥରେ !
ହେଲେ କହି ହୁଏ ନାହିଁ
ଅତୀତହୀନ ଲୋକମାନଙ୍କ ଆଖିପତାରେ
ଲୁହ ନୁହଁ, ବରଂ ଭୋକ ବଞ୍ଚିଛି ମୋ ସହରରେ
ନିଦ ନୁହଁ, ବରଂ ସ୍ୱପ୍ନର ବେପାର ବସିଛି ବଜାରରେ ।
ଏଠି ସଞ୍ଜ ଆଗରୁ ଏବେ
ସବୁ ଘର ତାଟିକବାଟ ପଡ଼ିଯାଏ ଯେ
ପୋଖରୀ ଆଡ଼ିକୁ ଆଉ କାହାର କାନ୍ଦଣା ଶୁଣା ଯାଏନାହିଁ ।
ବୋଉ ମୋ ଆଡ଼କୁ ମୁହଁ କରି ଶୋଇବାର
ଆଗପରି ଆକଟ ନାହିଁ, କାନ୍ଦଣା ନାହିଁ, ହାଉଁବୁଢ଼ାକୁ ଡର ନାହିଁ ।
ହଁ ତ,
ପୁଅ ପାଇଁ କେବେଥରେ
କିଣି ଆଣିଥିବା "ଜହ୍ନମାମୁଁ"ର ଚିରା ପୃଷ୍ଠାରେ
ମାସକ ପାଇଁ ତେଜରାତି ସଉଦାର ହିସାବ ସରିଲାଣି।
ମନେହୁଏ, ଦିନେ ହାଉଁବୁଢ଼ା ସହ ସାହାଡ଼ାଗଛ ବି ଅକୁହା ଗପ ହେଇଯିବ,
ଉଇହୁଙ୍କା ନଥିବ, ପିମ୍ପୁଡ଼ି ଧାର ନଥିବ,
ସବୁଦିନ ଡାଳକୁ ଫେରିଆସୁଥିବା କଜଳପାତି ନଥିବ ।
ଦିନେ ଶୋଇବା ଘରେ ଝରକା ନଥିବ
ହୁଏତ ଶୋଇବାଘର ନଥିବ,
ଯେହେତୁ ନିଦ ନଥିବ ।
ଡିମାଡିମା ଆଖିନେଇ
ଲୋକେ ହାଟ ମୁଣ୍ଡରେ, ପୁରୁଣା ବସଷ୍ଟପ୍ ରେ,
ରେଷ୍ଟ୍ ହାଉସ୍ କାନ୍ଥରେ ଗପ ଖୋଜିବେ,
ଗପ କହୁଥିବା ଲୋକକୁ ଖୋଜିବେ ।
ମୋର ଠିକ୍ ମନେ ଅଛି,
ରଜାପୁଅକୁ ମାଲୁଣୀ ମାୟା ଦେଖେଇ
ମେଣ୍ଢା କରି ପାଳିବାର କଥା କହୁ କହୁ
ନିଜେ ବୋଉ ଶୋଇ ପଡ଼ିଲା ଦିନେ।
କାହାର କଣ ଯାଏ,
ରଜାପୁଅ ଚୁଲିକୁ ଗଲେ?
ଭୁଲି ଯାଇଥିବା ଗପର ପୋଖରୀ ତୁଠରେ
ତାକୁ କିଏ ଖୋଜୁଥାଏ
ଯଦି କେହି ପଦ୍ମ ତୋଳିବାକୁ ଯାଇ ଆଉ ଫେରି ନପାରେ ।
ହାଉଁବୁଢା ଠିକ୍ ଜାଣେ
ବଢ଼ନ୍ତା ବୟସର ଥକା ଦେହ ଦିନେ
ଚାଲି ଚାଲି ଛାଇନିଦର ବାଟ ହାବୁଡ଼ିବ,
ଯଉଠି ଲୋକଦଳେ ଅଭ୍ୟସ୍ତ କାନ୍ଦଣା ବୋଲୁଥିବେ
ସାହାଡ଼ା ଗଛତଳେ ରୁଣ୍ଡ ହେଇ,
ଅସୁଝା ଋଣର ଚିଠା ନେଇ ।
ତଥାପି ଗପ ସରିନି,
ରଜାପୁଅ ଉଦ୍ଧାର ହେଇନି।