ଆରମ୍ଭ ଓ ଶେଷ
॥ ଆରମ୍ଭ......
ଯଦି ତୁମ ଚିଠି ଫେଋ ଆସିବ ଦିନେ
ନପାଇ ପ୍ରାପକର ଠିକଣା ?
ଯଦି ହଜିଯିବ ଗଲାପୁତ୍ରର ଗୀତ
ଯଦି ପ୍ରେମଗୀତ ସବୁ ପାଲଟିଯିବେ ପଥର ?
କଣ କରିବ ତୁମେ ?
ସାପ କାମୁଡାରେ ବିଲହିଡରେ
ମରି ପଡିଥିବା ଚାଷୀ ...
ମୂକ ହୋଇଯାଇଥିବା ଗାୟକ...
ଚଢେଇ ପାଲଟି ଯାଇଥିବା ସ୍ଵପ୍ନ...
ନିର୍ବନ୍ଧ ମୁଦି ହଜେଇଥିବା
ଅଜଣା ନଈଘାଟର ଘୁଙ୍ଗୀ ଝିଅ ...
ଡଙ୍ଗର ନିଆଁରେ ପୋଡି ମରିଥିବା
ବଉଳା ଗାଈ...
ଏମାନେ କେହି ନଥିବେ
ଇତିହାସରେ କି ଦନ୍ତକଥାରେ
କଣ କରିବ ତୁମେ ?
କ୍ରମଶଃ ବନ୍ଦ ହୋଇ ଯିବ ତୁମ ଚିଠି ଲେଖା
ଅପେକ୍ଷା ଓ ଗପ ଶୁଣିବାର ବ୍ୟାକୁଳତା
କ୍ରମଶଃ ବନ୍ଦ ହୋଇଯିବ ତୁମ ଭିତରର
ଶ୍ରୁତ ଲିଖନ ତଥା କବିତା ....
॥ଶେଷ....