ରେଳମନ୍ତ୍ରୀ ଇସ୍ତଫା ଦେବା ଜରୁରୀ କାହିଁକି?
ଗୋଟେ ଭୟଙ୍କର ରେଳ ଦୁର୍ଘଟଣା ଯେଉଁଥିରେ ୨୮୮ ଲୋକ ପ୍ରାଣ ହରାଇଛନ୍ତି ଓ ହଜାର ପାଖାପାଖି ଯାତ୍ରୀ ଆହତ ହୋଇଛନ୍ତି, ତାର ରାଜନୈତିକ ପ୍ରତିକ୍ରିୟାରେ ଆମେ ପ୍ରଥମ ଥର ଦେଖୁଛୁ ଯେ, ଅତି ନିର୍ଲଜ ଭାବରେ ସରକାରଙ୍କ ସମର୍ଥକମାନେ କହୁଛନ୍ତି, ରେଳ ମନ୍ତ୍ରୀ ଇସ୍ତଫା ଦେବେ କାହିଁକି? ଗଣମାଧ୍ୟମରେ ଥିବା ସରକାରୀ ଭାଟମାନେ ଅଶ୍ବିନୀ ବୈଷ୍ଣବଙ୍କୁ ମୋଦୀ ସରକାରର ସବୁଠୁ ଦକ୍ଷ ମନ୍ତ୍ରୀ ବୋଲି କହି ସେ ଇସ୍ତଫା ଦେଲେ ଏ ସରକାର ଅନାଥ ହୋଇଯିବ ବୋଲି ଭାବୁଛନ୍ତି। ଅବଶ୍ୟ ଅଶ୍ବିନୀ ବୈଷ୍ଣବ ଯେ ଜଣେ ଦକ୍ଷ ଲୋକ ଏ କଥା ସ୍ବୀକାର କରିବାରେ ଅସୁବିଧା ନାହିଁ। ବିଜେପିରେ ବହୁ ତୁଙ୍ଗ ରାଜନେତା ଥାଉ ଥାଉ ତାଙ୍କୁ ସିଧାସଳଖ ରେଳବାଇ ଏବଂ ଟେଲି ଯୋଗାଯୋଗ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ କରିବା ତାଙ୍କ ଦକ୍ଷତାର ପ୍ରମାଣ। ଆଇଏଏସ୍ ଅଧିକାରୀରୁ ସିଧାସଳଖ ଏତେ ବଡ଼ ପଦବୀରେ ପହଞ୍ଚିବାର ବିରଳ ଦକ୍ଷତା ଅବଶ୍ୟ ତାଙ୍କର ରହିଛି!! ବିଜେଡି ଦଳ ପାଖରେ ନିଜ ପ୍ରାର୍ଥୀ ଜିତାଇବାର ସାମର୍ଥ୍ୟ ଥିବା ସତ୍ତ୍ବେ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ପଠାଇବାକୁ ନବୀନ ପଟ୍ଟନାୟକ ରାଜି ହେବା ପଛରେ ଅଶ୍ବିନୀ ବୈଷ୍ଣବଙ୍କ ଦକ୍ଷତାର ପ୍ରମାଣ ମିଳିସାରିଛି। ରାଜନୀତିରୁ ନ ଆସି ରାଜନୀତିର ଶିଖର ଆସନରେ ପହଞ୍ଚିବା ନିଶ୍ଚିତ ରୂପେ ଏକ ବିରଳ ଦକ୍ଷତା!!
ତେବେ କରମଣ୍ଡଳ ଦୁର୍ଘଟଣା ମଧ୍ୟ ତାଙ୍କ ଦକ୍ଷତାର ଏକ ପ୍ରମାଣ ବୋଲି ଭାବିବା, ଆମ ସମୟର ରାଜନୀତିର ଏକ ବିଚିତ୍ର ବାସ୍ତବତା। ଆଜିକାଲି ରାଜନୀତିରେ ଆମେ ଗୋଟେ ନୂଆ ଧାରା ଦେଖୁଛୁ। ନୀତିହୀନ ଏବଂ ନିର୍ଲଜ ହେବା ରାଜନୀତିର ସବୁଠୁ ବଡ଼ ଦକ୍ଷତା ପାଲଟିଛି। ସେହି କ୍ରମରେ ରେଳମନ୍ତ୍ରୀଙ୍କୁ ଦକ୍ଷମନ୍ତ୍ରୀ ବୋଲି କହି ସେ ଇସ୍ତଫା ନ ଦିଅନ୍ତୁ ବୋଲି କହୁଥିବା ଲୋକଙ୍କ ରାଜନୈତିକ ଚରିତ୍ର ସହଜରେ ବୁଝି ହେଉଛି ।
ରେଳମନ୍ତ୍ରୀ ଭାବରେ ଅଶ୍ଵିନୀଙ୍କ ଦୁଇଟି କ୍ଷେତ୍ରରେ ସୀମିତ । ସେ ରେଳବାଇଙ୍କୁ ବଡଲୋକଙ୍କ ବିଳାସର ଏକ ମାଧ୍ୟମ କରିବାକୁ ଚାହାନ୍ତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ରେଳବାଇକୁ ଏକ ଶେଷହୀନ ଉଦଘାଟନ ପର୍ବ ଭାବରେ ଗଢୁଛନ୍ତି । ପ୍ରତିଦିନ ରେଳବାଇରେ ଯାତାୟାତ କରୁଥିବା ୨୫ ଲକ୍ଷ ଭାରତୀୟଙ୍କ ଧନଜୀବନର ସୁରକ୍ଷା ଅପେକ୍ଷା ଦ୍ରୁତଗତିରେ ଦଉଡୁଥିବା ବିଳାସୀ ରେଳ ଚଳାଚଳ ଉପରେ ସେ ଅଧିକ ଗୁରୁତ୍ଵ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପ୍ରତି ସପ୍ତାହରେ କିଛି ନା କିଛି ଉଦଘାଟନ କରାଇବାର ମୋହ ଏ ସରକାରର ଏତେ ଅଧିକ ଯେ, ପୂରା ରେଳବାଇ ଏବେ ଏକ ଇଭେଣ୍ଟ ମେନଜମେଣ୍ଟ କମ୍ପାନୀ ଭଳି ଦିଶୁଛି ।
ତେବେ ରେଳମନ୍ତ୍ରୀ ଭାବରେ ଏହାର ସୁରକ୍ଷା ପ୍ରତି ମନ୍ତ୍ରୀ ଯେ ସଂପୂର୍ଣ୍ଣ ଉଦାସୀନ ତାର ପ୍ରମାଣ ଭାରତ ସରକାରଙ୍କ ସିଏଜି ରିପୋର୍ଟରୁ ମିଳୁଛି । ସିଏଜି ରିପୋର୍ଟ କହୁଛି-
୧. ୨୦୧୭-୨୦୨୧ ମଧ୍ୟରେ ରେଳଧାରଣାରୁ ଖସି ୧୩୯୨ଟି ଦୁର୍ଘଟଣା ଘଟିଛି । ଗତ ପାଞ୍ଚ ବର୍ଷ ଭିତରେ “ଡିରେଲମେଣ୍ଟ” କାରଣରୁ ସର୍ବାଧିକ ଦୁର୍ଘଟଣା ଘଟୁଛି ।
୨. ଅନାବଶ୍ୟକୀୟ କ୍ଷେତ୍ରରେ ରେଳବାଇର ଖର୍ଚ୍ଚ ୨୫% ବଢିଥିବା ବେଳେ ସୁରକ୍ଷା ଓ ସିଗନାଲ ବ୍ୟବସ୍ଥା ପାଇଁ ଖର୍ଚ୍ଚ କମିଛି ।
୩. ରେଳ ଦୁର୍ଘଟଣା ରୋକିବାକୁ ଧାରଣା ସବୁର ଆଧୂନିକୀକରଣ ଉପରେ ବିଶେଷ ଧ୍ୟାନ ଦିଆ ଯାଉନାହିଁ ।
ଏହା ବ୍ଯତୀତ ରେଳବାଇରେ ମାତ୍ରାଧିକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଛି । ରେଳ ସୁରକ୍ଷା କ୍ଷେତ୍ରରେ ୧.୪୨ଲକ୍ଷ ପଦବୀ ଖାଲି ପଡିଛି ।
ରେଳମନ୍ତ୍ରୀଙ୍କ ଦକ୍ଷତା ମାପିବାକୁ ଏ ସବୁ ବିଫଳତା ବୋଧହୁଏ ଯଥେଷ୍ଟ ନୁହେଁ ?
ଏକଦା ନୈତିକତାର ଦାୟରେ ଏ ଦେଶର ଚାରିଜଣ ଅତ୍ୟନ୍ତ ସମ୍ମାନନୀୟ ରେଳମନ୍ତ୍ରୀ ଇସ୍ତଫା ଦେଇଥିଲେ । ରେଳମନ୍ତ୍ରୀ ଭାବରେ ଲାଲବାହାଦୁର ଶାସ୍ତ୍ରୀଙ୍କ ଦକ୍ଷତା ବୋଧହୁଏ ଅଶ୍ଵିନୀ ବୈଷ୍ଣବଙ୍କ ଠାରୁ କମ ଥିଲା ? ରେଳ ବିଭାଗର ଆନ୍ଦୋଳନ ଭିତରୁ ଆସିଥିବା ମଧୁ ଦଣ୍ଡବତେ ଏବଂ ଜର୍ଜ ଫର୍ଣ୍ଣାଣ୍ଡିଜ ମଧ୍ୟ ରେଳ ଦୁର୍ଘଟଣା ପରି ନିଜ ବିବେକର ଡାକରାରେ ଇସ୍ତଫା ଦେଇଥିଲେ । ରେଳ ଦୁର୍ଘଟଣା ପାଇଁ ନୈତିକ ଭାବରେ ନିଜକୁ ଦାୟୀ କରି ଇସ୍ତଫା ଦେଇଥିବା ଶେଷ ମନ୍ତ୍ରୀ ଥ୍ଗିଲେ ନୀତିଶ କୁମାର ।
କରମଣ୍ଡଳ ଦୁର୍ଘଟଣା ଏକ ସାଧାରଣ ଘଟଣା ନୁହେଁ। ବିଭାଗୀୟ ଅବହେଳା ବା ଯାନ୍ତ୍ରୀକ ତ୍ରୁଟି ଲାଗି ଶହ ଶହ ଲୋକ ପ୍ରାଣ ହରାଇବାର ପରିଣତିରେ ତଳ ସ୍ତରର କର୍ମଚାରୀଙ୍କୁ ଦଣ୍ଡ ଦେବା କେବଳ ଭୀରୁତା ମାତ୍ର । ମନ୍ତ୍ରୀ ନିଜ ବିବେକ ଏବଂ ନୈତିକତାକୁ ଯଦି ପ୍ରଶ୍ନ କରିବାକୁ ଚାହାନ୍ତି ନାଇଁ କିମ୍ବା ପ୍ରଧାନମନ୍ତ୍ରୀ ଲୋକଙ୍କ ପାଖରେ ଉତ୍ତରଦାୟୀ ହେବାକୁ ଇଚ୍ଛୁକ ନୁହନ୍ତି, ତାହେଲେ ଅଶ୍ଵିନୀ ବୈଷ୍ଣବ ରେଳନତରୀ ଭାବରେ ବସିଥାନ୍ତୁ ।
ତେବେ ସେ ଯେତେ ଦିନ ଯାଏଁ ମନ୍ତ୍ରୀ ଆସସନରେ ବସିଥିବେ,ସେତେଦିନ ଯାଏଁ ତାଙ୍କ ହାତରେ ୨୮୮ ନିରୀହ ଯାତ୍ରୀଙ୍କ ମୃତ୍ୟୁର ରକ୍ତଛିଟା ଲାଗିକି ରହିଥିବ ।