ଇତିହାସର ଗୋଟିଏ କଳା ଫର୍ଦ୍ଦ: ଆଡଲ୍ଫ ହିଟଲର୍

ଇତିହାସର ଗୋଟିଏ କଳା ଫର୍ଦ୍ଦ: ଆଡଲ୍ଫ ହିଟଲର୍

(ଏହି ଲେଖାଟି ଇତିହାସର ଘଟଣାବଳୀ ଉପରେ ଆଧାରିତ। ବର୍ତ୍ତମାନର କୌଣସି ବ୍ୟକ୍ତି କିମ୍ବା ଘଟଣା ସହ ଏହାର ସମ୍ପର୍କ ନାହିଁ! କୌଣସି ସମାନତା ଅନୁଭବ ହେଲେ, ତା' ପାଇଁ ପାଠକର ମନ/ମସ୍ତିଷ୍କ ଓ ଚେତନା ଦାୟୀ।)

     

 ନୋବେଲ୍ ପୁରସ୍କାର ବିଜେତା ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟଟାଇନଙ୍କ ଜନ୍ମ ୧୪ ମାର୍ଚ୍ଚ, ୧୮୭୯ ରେ ଜର୍ମାନୀରେ ହୋଇଥିଲା। ୧୯୨୧ରେ ନୋବେଲ୍ ପୁରସ୍କାର ପ୍ରାପ୍ତ କଲାବେଳେ ମଧ୍ୟ ଆଇନଷ୍ଟଟାଇନଙ୍କର ଜର୍ମାନ ନାଗରିକତ୍ବ ଥିଲା। କିନ୍ତୁ ସେପ୍ଟେମ୍ବର, ୧୯୩୩ ମସିହାରେ ସେ ଜର୍ମାନୀ ଏବଂ ଜର୍ମାନ ନାଗରିକତ୍ବ ଛାଡିବାକୁ ବାଧ୍ୟ ହୋଇଥିଲେ। କାରଣ ଏପ୍ରିଲ, ୧୯୩୩ ମସିହାରେ ଆଡଲ୍ଫ ହିଟଲରଙ୍କ ନାଜି ସରକାର ସତ୍ତାକୁ ଆସିବା ପରେ ନିଜ ଭୀଷଣ ଦକ୍ଷିଣପନ୍ଥୀ ଚିନ୍ତାଧାରା, ଆଣ୍ଟି-ଡେମୋକ୍ରାଟିକ୍, ଆଣ୍ଟିକମ୍ୟୁନିଷ୍ଟ ବିଚାରଧାରା, ୟୁହୁଦି ବିରୋଧୀ ଚିନ୍ତା (antisemitic) କାରଣରୁ ଖୁବ କମ୍ ସମୟ ମଧ୍ୟରେ ଜର୍ମାନୀରେ ଗଣତନ୍ତ୍ରକୁ ଦମନ କରି ଏକଛତ୍ରବାଦୀ ଶାସନ ଆଡକୁ ନେଇ ଯାଇଥିଲେ। ଏହି ସବୁ କାର୍ଯ୍ୟକଳାପ କାରଣରୁ ଆଇନଷ୍ଟଟାଇନ ତାଙ୍କୁ ସର୍ବସମ୍ମୁଖରେ ଏବଂ ଖୋଲାଖୋଲି ଭାବରେ ସମାଲୋଚନା କରୁଥିଲେ। ଏହି ସମୟ ମଧ୍ୟରେ ଆଇନଷ୍ଟଟାଇନ Prussian Academy of Sciencesରୁ ଇସ୍ତଫା ଦେବା ସହ ଜର୍ମାନ ନାଗରିକତ୍ବ ଛାଡିବା ପାଇଁ ଆବେଦନ କରିଥିଲେ। ସେତେବେଳର ଜର୍ମାନୀ ପତ୍ରପତ୍ରିକା ଏବଂ ଜର୍ମାନ ପ୍ରେସ୍ ଦ୍ଵାରା ଏହି କାରଣରୁ ତାଙ୍କୁ ଖୁବ ସମାଲୋଚନା କରାଯାଇଥିଲା ଏବଂ ତାଙ୍କର ବିଜ୍ଞାନ ସମ୍ବନ୍ଧିତ ଅନେକ ଦସ୍ତାବେଜକୁ ସର୍ବସମ୍ମୁଖରେ ଜଳାଇ ଦିଆଯାଇଥିଲା। ନାଜି ସରକାର ଦ୍ବାରା ଆଇନଷ୍ଟାଇନ ଏବଂ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟ କାରବାରକୁ ଅବରୋଧ କରିଦିଆ ଯାଇଥିଲା। ସେହି ସମୟରେ ନାଜି ସରକାରର ପ୍ରପୋଗାଣ୍ଡା ଚିଫ୍ ଜୋସେଫ୍ ଜିଓବେଲ୍ସ (Josef Goebbels) ଆଇନଷ୍ଟଟାଇନଙ୍କ ଗୋଟିଏ ଫଟୋରେ "not yet hanged" କ୍ୟାପସନ୍ ଦେଇ ପ୍ରକାଶିତ କରିଥିଲେ। ୧୯୧୮-୧୯ରେ ପ୍ରଥମ ବିଶ୍ବ ଯୁଦ୍ଧ ଶେଷ ହେବା ପରେ ଜର୍ମାନୀ ଭୀଷଣ ଆର୍ଥିକ, ସାମାଜିକ ଏବଂ ରାଜନୈତିକ ଅବ୍ୟବସ୍ଥା ଦେଇ ଗତି କରୁଥିଲା। ହିଟଲରଙ୍କ ମୌଳବାଦୀ ଦଳ ନିଜକୁ ପ୍ରତିଷ୍ଠା କରିବାର ପନ୍ଥା ଓ ସୁଯୋଗ ଖୋଜୁଥାଏ। ସେଇ ସବୁ ଚେଷ୍ଟା ଭିତରେ ନାଜି ଦଳ, ୧୯୨୨ରେ ତତ୍କାଳୀନ ଜର୍ମାନ ବୈଦେଶିକ ମନ୍ତ୍ରୀ ଓ୍ବେଲ୍ଦର୍ ରାଥେନଉଙ୍କୁ ସର୍ବସମ୍ମୁଖରେ ହତ୍ୟା କରି ଯିଏକି ଆଇନଷ୍ଟଟାଇନଙ୍କ ମିତ୍ର ଥିଲେ, ତାଙ୍କ ଫଟୋରେ "executed" ଲେଖି ଜାରି କରିଥିଲେ। ଏହା ପରେ ବେଲଜିୟମ ରାଜପରିବାର ତରଫରୁ ଆଇନଷ୍ଟଟାଇନଙ୍କୁ ସୁରକ୍ଷା ପ୍ରଦାନ କରା ଯାଉଥିଲା। ୧୯୩୩ରେ ସତ୍ତାକୁ ଆସିବା ପରେ ହିଟଲର ଏବଂ ତାଙ୍କ ନାଜି ଦଳ ଦେଶରେ ତାଙ୍କୁ ସମାଲୋଚନା କଲା ପରି ଆଉ କୌଣସି ସ°ସ୍ଥା କିମ୍ବା ବ୍ୟକ୍ତିକୁ ତିଷ୍ଠିବା ପାଇଁ ଦେବାକୁ ଚାହୁଁ ନଥିଲେ। ତେଣୁ ଆଇନଷ୍ଟଟାଇନଙ୍କ ପରି ଅନେକ ମୁକ୍ତ ଏବଂ ଆଧୁନିକ ଚିନ୍ତାଧାରାର ଲୋକଙ୍କ ପାଇଁ ନାଜିଦଳ ଲଗାତାର ଅପରିସ୍ଥିତି ସୃଷ୍ଟି କରୁଥିଲେ। ଅଗଷ୍ଟ, ୧୯୩୩ ମସିହାରେ ଯେତେବେଳେ ଆଇନଷ୍ଟାଇନଙ୍କ ଜଣେ ସହଯୋଗୀ ତଥା ଦାର୍ଶନିକ ଥିଓଡର୍ ଲେସିଙ୍ଗଙ୍କୁ କିଛି ନାଜିବାଦୀଙ୍କ ଦ୍ବାରା ଚେକୋସ୍ଲୋଭାକିୟାରେ ଦିନ ଦ୍ବିପ୍ରହରରେ ସାର୍ବଜନୀନ ସ୍ଥାନରେ ଗୁଳିକରି ହତ୍ୟା କରାଗଲା, ତା' ପରେ ଆଇନଷ୍ଟାଇନଙ୍କୁ ଜର୍ମାନ ଛାଡିବା ପାଇଁ ବାଧ୍ୟ ହେବାକୁ ପଡିଲା। ତତ୍କାଳୀନ ବ୍ରିଟିଶ ସରକାର ସହାୟତାରେ ଆଇନଷ୍ଟାଇନ, ବେଲ୍ଜିୟମରୁ ଗୋଟିଏ ବୋଟ୍ ସାହାଯ୍ୟରେ ଇ°ଲିସ୍ ଚ୍ୟାନେଲ ଦେଇ ଲଣ୍ଡନ ପାଇଁ ଯାତ୍ରା ଆରମ୍ଭ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ତାଙ୍କୁ କିଛି ଦିନ ଯାଏଁ ଅନାମଧେୟ ଗ୍ରାମୀଣ ଇଲାକାରେ ରଖାଯାଇଥିଲା।

 ହିଟଲର୍ ଏବଂ ତାଙ୍କ ନାଜି ଦଳ (National Socialist German Workers' party) କେବଳ ଆଇନଷ୍ଟାଇନ କିମ୍ବା

ଥିଓଡର୍ ଲେସିଙ୍ଗଙ୍କ ପରି ଶିକ୍ଷିତ, ବୁଦ୍ଧିଜୀବୀ କିମ୍ବା ମୁକ୍ତ ଚିନ୍ତାଧାରାର ଲୋକମାନଙ୍କୁ ନୁହେଁ ବରଂ ସାଧାରଣ ଜନତାଙ୍କ ଦୈନନ୍ଦିନ ଜୀବନକୁ ମଧ୍ୟ ଅସ୍ତବ୍ୟସ୍ତ କରି ଦେଇଥିଲେ। ହିଟଲର୍ ନିଜର ଆଧିପତ୍ୟ ଏବଂ ମୌଳବାଦୀ ଚିନ୍ତାଧାରାକୁ ପ୍ରମାଣିତ ଓ ପ୍ରତିଷ୍ଠା କରିବା ପାଇଁ ଅନେକ ନୂତନ ୟୁହୁଦି-ବିରୋଧୀ ନିୟମ ପ୍ରଣୟନ କରିଥିଲେ। ପ୍ରଥମେ ଜର୍ମାନ-ୟୁହୁଦି ମାନଙ୍କୁ ବିଭିନ୍ନ ସରକାରୀ ସ°ସ୍ଥା ଗୁଡିକରୁ ଚାକିରୀରୁ ଛଟେଇ କରିବାଠୁ ଆରମ୍ଭ କରି, ସେମାନଙ୍କ ସହ ବ୍ୟାବସାୟିକ ସମ୍ପର୍କ ଛିନ୍ନ କରିବା ପାଇଁ ଆହ୍ୱାନ ଦେଉଥିଲେ। ସେମାନଙ୍କୁ ସାମାଜିକ, ରାଜନୈତିକ ଏବଂ ଆର୍ଥିକ ଦୃଷ୍ଟିରୁ କମଜୋର ତଥା ବେଦଖଲ କରିବାକୁ ବିଭିନ୍ନ ପଦକ୍ଷେପ ଉଠାଇଥିଲେ। ସେପ୍ଟେମ୍ବର, ୧୯୩୫ରେ ଏହି କ୍ରମରେ “The Reich Citizenship Law” ଏବଂ “The Law for the Protection of German Blood and Honor” ନାମକ ସିଟିଜେନସିପ୍ ନିୟମ ଆଣିଥିଲେ। ଏହାର ଅର୍ଥ Pure German Blood ବା ସମ୍ପୂର୍ଣ୍ଣ ଜର୍ମାନୀ ରକ୍ତର ମଣିଷ ମାନଙ୍କୁ ହିଁ ନାଗରିକତ୍ବ ପ୍ରାପ୍ତିର ଅଧିକାର ଅଛି ବୋଲି କୁହାଯାଇଥିଲା। ଏଥିରେ ଆହୁରି ମଧ୍ୟ ଜର୍ମାନ-ୟୁହୁଦି କିମ୍ବା ଆଫ୍ରୋ-ଜର୍ମାନ ଆଦି ବିବାହକୁ ବେଆଇନ ମାନୁଥିଲେ। ହିଟଲରଙ୍କ ନାଜି ଶାସନର ମୌଳବାଦୀ ୟୁହୁଦି ବିରୋଧୀ ନୀତି କେବଳ ଏତିକିରେ ସୀମିତ ନଥିଲା। ନିଜ ପ୍ରତିପତ୍ତି ପାଇଁ ସେ ୟୁହୁଦି ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ପ୍ରଥମେ ଜଣ-ଜଣ କରି ହତ୍ୟାରୁ ଗଣହତ୍ୟା ପର୍ଯ୍ୟନ୍ତ ଆୟୋଜନ କରା ଯାଉଥିଲା। ୧୯୩୮ରେ ପାଖାପାଖି ୩୦,୦୦୦ ମଣିଷଙ୍କୁ କେବଳ ଏଇଥି ପାଇଁ ହାଜତକୁ ନିଆ ଯାଇଥିଲା ଯେ, ସେମାନେ ୟୁହୁଦି ଥିଲେ। ପରେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଜର୍ମାନ ଛାଡି ଚାଲିଯିବା ସର୍ତ୍ତରେ ଜେଲରୁ ଛଡା ଯାଇଥିଲା। ଗ୍ୟାସ୍- ଚାମ୍ବରରେ ଶହ-ଶହ ୟୁହୁଦିଙ୍କୁ ବନ୍ଦ କରି, ବିଷାକ୍ତ ଗ୍ୟାସ୍ ଦ୍ବାରା ସେମାନଙ୍କ ଶ୍ବାସ ରୁଦ୍ଧ କରି ହତ୍ୟା କରାଯିବା ବିଷୟରେ ଆପଣ ତ ଜାଣିଥିବେ ନିଶ୍ଚୟ। ଡାଟା ଅନୁସାରେ ୧୯୪୧-୧୯୪୫ ମଧ୍ୟରେ ନାଜି ଦଳ ଦ୍ବାରା ଜର୍ମାନ ଅଧିନରେ ଥିବା ୟୁରୋପରୁ ୬ ମିଲିୟନରୁ ଅଧିକ ୟୁହିଦୀଙ୍କୁ ହତ୍ୟା କରା ଯାଇଥିଲା। କେବଳ ଜର୍ମାନୀ ଭିତରେ ୟୁହୁଦି ମାନଙ୍କ ଉପରେ ଅତ୍ୟାଚାର କିମ୍ବା ହତ୍ୟା ନୁହେଁ, ହିଟଲର୍ ନାଜି ଦଳର ୧୯୩୯ରେ ଜର୍ମାନୀର ପୋଲାଣ୍ଡ ଆକ୍ରମଣ ଓ ଅଧିକାର ପାଇଁ ହିଁ ଦ୍ବିତୀୟ ବିଶ୍ବ ଯୁଦ୍ଧ ଆରମ୍ଭ ହୋଇଥିଲା। ୧୯୩୮ରୁ ୧୯୪୫ ପର୍ଯ୍ୟନ୍ତ ଚାଲିଥିବା ଏହି ଦ୍ବିତୀୟ ବିଶ୍ବ ଯୁଦ୍ଧରେ ଦୁନିଆର ଏମିତି କୌଣସି ମହାଦେଶ କିମ୍ବା ମହାସାଗରୀୟ ଅଞ୍ଚଳ ନଥିଲା, ଯାହା ଯୁଦ୍ଧରେ ସାମିଲ ହେବାରୁ ବଞ୍ଚି ଯାଇଥିଲା! ଏଥିରେ ଅନ୍ବ୍ୟୁନ ୭୨, ୪୬୮, ୯୦୦ ଲୋକ ପ୍ରାଣ ହରାଇ ଥିଲେ।

          ଏତିକି ପଢିଲା ପରେ ଜଣକ ମନରେ ନିଶ୍ଚୟ ପ୍ରଶ୍ନ ଆସିବ, ତା' ହେଲେ ଆଡଲ୍ଫ ହିଟଲର୍ ଏବଂ ତାଙ୍କ ନାଜି ଦଳକୁ ଲୋକ କେମିତି ସମର୍ଥନ କରୁଥିଲେ? ତାହା ନିର୍ବାଚିତ କେମିତି ହୋଇଥିଲା? ଏକଛତ୍ରବାଦ ଜାଣି ସୁଦ୍ଧା, କିଛି ଲୋକ କେମିତି ଅନ୍ଧ ଭାବରେ ତାଙ୍କୁ ସମର୍ଥନ କରୁଥିଲେ? ସେ ଲୋକଙ୍କୁ କେମିତି ପ୍ରଭାବିତ କରୁଥିଲେ? ତାହା ଜାଣିବା ପାଇଁ ଆମକୁ ଟିକେ ଦର୍ଶନ, ମନସ୍ତତ୍ତ୍ବ ଏବଂ ମଣିଷର ଚିନ୍ତାଧାରା କେମିତି ପ୍ରଭାବିତ ହୁଏ ତା' ବିଷୟରେ ଜାଣିବାକୁ, ବୁଝିବାକୁ ପଡିବ। ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲଙ୍କ ମତରେ କୌଣସି ବ୍ୟକ୍ତିର ଚିନ୍ତା, ଚେତନା, ଭାବିବା ଶକ୍ତି ଏବଂ ମସ୍ତିଷ୍କକୁ ୩ ଟି ଉପାୟରେ ପ୍ରଭାବିତ କରାଯାଇ ପାରେ, ପ୍ରଥମଟି Ethos (authority), ଦ୍ୱିତୀୟଟି Logos (Logic) ଏବଂ ତୃତୀୟଟି Pathos (by playing with emotions)। Ethos ଉଦାହରଣ ସ୍ବରୂପ, "ଡାକ୍ତର କୁହନ୍ତି, ଆପଣ ଜ୍ବର ସମୟରେ ପାରାସିଟାମଲ୍ ନେଲେ, ଦେହର ତାପମାତ୍ରା କମିବ।" ଏଠି ମୁଁ ମୋ authority ବା ମତଟିକୁ ଗୋଟିଏ ଠୋସ୍ କାରଣ ବା ପ୍ରମାଣ ସହ ଗୋଟିଏ କଥା ଉପରେ ବିଶ୍ବାସ କରେଇବା ପାଇଁ ଚେଷ୍ଟା କରୁଛି। Logosର ଉଦାହରଣ ହେଉଛି, "ଓ୍ବେଟଲ୍ୟାଣ୍ଡ୍ ଗୁଡିକୁ ପୋତି ଦିଆଯିବା ଏବଂ ଜଳ ନିଷ୍କାସନରେ ଅବ୍ୟବସ୍ଥା କାରଣରୁ ସହରାଞ୍ଚଳରେ ବନ୍ୟା ଦେଖା ଯାଉଛି, ଯାହାକି ମାନବକୃତ!" ଏଠି ଗୋଟିଏ ଅବସ୍ଥା ବା ପରିସ୍ଥିତି ପଛରେ କ'ଣ କାରଣ ଥାଇପାରେ ଏବଂ ଏହା କିପରି ସମ୍ଭବ ଆମେ ଉଚିତ କାରଣ ଦର୍ଶାଇ ବୁଝିବାକୁ ଚେଷ୍ଟା କରୁଛେ। Pathosର ଅର୍ଥ ମଣିଷକୁ ମାନସିକ ବା ଇମୋସନାଲ୍ ସ୍ଥରରେ ପ୍ରଭାବିତ କରି, ନିଜ କଥା ମନେଇବା ଏବଂ କରେଇବା। ଯେମିତିକି ଦେଶରେ କୌଣସି ପ୍ରାକୃତିକ ଦୁର୍ବିପାକ ବା ଯୁଦ୍ଧ ସମୟରେ ଲୋକଙ୍କୁ ନିଜ ଦେଶ କାମରେ ଆସିବା ପାଇଁ ଆହ୍ୱାନ କରି ଚାନ୍ଦା ମାଗିବା। କିମ୍ବା ଆହ୍ୱାନ କରିବା, "ଓଡ଼ିଆ ଜାତିର ପ୍ରାଣ ହେଉଛନ୍ତି ଜଗନ୍ନାଥ। ନିଜକୁ ଯଦି ଓଡ଼ିଆ ବୋଲି ଗର୍ବ ଅନୁଭବ କରୁଥାନ୍ତି, ନିଜ ଓଡ଼ିଶାର ଅସ୍ମିତାର ରକ୍ଷା ପାଇଁ ଘରେ ଜଗନ୍ନାଥଙ୍କ ପଟ୍ଟଚିତ୍ର ରଖିବେ ଏବଂ ମୋତେ ଭୋଟ ଦେବେ।" ବାସ୍ ହିଟଲର୍ ଏବଂ ତାଙ୍କ ପରି ଏକଛତ୍ରବାଦୀ ଶାସକ ମାନେ ସବୁବେଳେ ଏଇ Pathosର ମାର୍ଗ ଆପଣାଇ ଥା'ନ୍ତି। (ଜଣେ ସାଧାରଣ ଖବର ରଖୁଥିବା, ଡାଟା ଦେଖୁଥିବା ଓ ବୁଦ୍ଧି ବିବେକ ଏବଂ ଚିନ୍ତାର ବ୍ୟବହାର କରୁଥିବା ମଣିଷ ନିଶ୍ଚିୟ ପ୍ରଶ୍ନ କରିପାରେ, ମୁଁ ମୋ ରାଜ୍ୟକୁ ଭଲପାଏ, ମୋ ରାଜ୍ୟକୁ ନେଇ ଗର୍ବିତ କି ଜଗନ୍ନାଥଙ୍କୁ ଭଲପାଏ, ସେଥିପାଇଁ ପ୍ରମାଣିତ କରିବା ପାଇଁ ଜଗନ୍ନାଥଙ୍କ ପଟ୍ଟଚିତ୍ର ରଖିବା କିମ୍ବା ସାମନା ଲୋକଟିକୁ ଭୋଟ ଦେବା କ'ଣ ଆବଶ୍ୟକ?) ଯଦି ଆମେ ହିଟଲରଙ୍କ ଗୋଟିଏ ଭାଷଣର କିଛି ଅ°ଶ ପଢିବା,  ତା' ହେଲେ ଏହାକୁ ଠିକ୍ ବୁଝି ପାରିବା, "ମୁଁ କେବେ ମଧ୍ୟ ଦାବି କରିନି ଯେ ଜର୍ମାନୀର ପୁନଃରୁଥାନ ଅଳ୍ପ କେତୋଟି ଦିନରେ ହୋଇଯିବ। ମୁଁ ବାରମ୍ବାର ଜୋର୍ ଦେଇଛି ଯେ ଜର୍ମାନୀର ପୁନଃରୁଥାନ କେବଳ ସେତେବେଳେ ସମ୍ଭବ ହେବ, ଯେତେବେଳେ ଜର୍ମାନୀର ଜନତା ନିଜ ଭିତରର ହଜିଯାଇଥିବା ପ୍ରକୃତ ଶକ୍ତି ଓ ସାମର୍ଥ୍ୟକୁ ଖୋଜି ପାଇବେ।"

         ୧୯୨୦ରେ ଯେତେବେଳେ ପ୍ରଥମେ ନାଜି ଦଳର ଆବିର୍ଭାବ ହେଲା, ସେତେବେଳେ ଜର୍ମାନୀ ପ୍ରଥମ ବିଶ୍ବ ଯୁଦ୍ଧର ପରାଜୟ ପରର ଦୁର୍ଦ୍ଦଶା ଭୋଗୁଥାଏ। ୪ ବର୍ଷର ଯୁଦ୍ଧ ପରେ ଦେଶରେ ଆର୍ଥିକ, ରାଜନୈତିକ ଏବଂ ସାମାଜିକ ଅଧୋଗତି ଘଟିଥାଏ। ଯଦିଓ ଗଣତନ୍ତ୍ର ଶାସନ ଆରମ୍ଭ ହୁଏ କିନ୍ତୁ, ହଠାତ୍ ଏତେବଡ କ୍ଷତି ଓ ସାମାଜିକ ଅଶାନ୍ତିକୁ ସଜାଡ଼ିବା ସହଜ ହୁଏନି। ଏହି ସମୟରେ ଜର୍ମାନୀରେ ଉଭୟ ବାମପନ୍ଥୀ କମ୍ୟୁନିଷ୍ଟ ଦଳ ଏବଂ ଦକ୍ଷିଣପନ୍ଥୀ ନାଜି ଦଳ ନିଜକୁ ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରୁଥାନ୍ତି। ପ୍ରଥମ ଅବସ୍ଥାରେ ନାଜିଦଳ ହି°ସା ଜରିଆରେ ନିଜର ଶାସନ ପ୍ରତିଷ୍ଠା କରିବାକୁ ଚେଷ୍ଟା କରେ। କିନ୍ତୁ ଏଥିରେ ବିଫଳ ହେବାରୁ ନିଜର କାମ କରିବାର ତରିକା ବଦଳାଇ ନିର୍ବାଚନ ମାଧ୍ୟମରେ ସତ୍ତାକୁ ଆସିବାକୁ ଚେଷ୍ଟା କରେ। ଯଦିଓ ପ୍ରଥମେ ଏଥିରେ ଅସଫଳ ହୁଏ କିନ୍ତୁ ୧୯୩୦ ବେଳକୁ କିଛିମାତ୍ରାରେ ଲୋକଙ୍କ ବିଶ୍ୱାସ ଜିତିବାରେ ସମର୍ଥ ହୁଏ। ୧୯୨୯ର great depression ସମୟରେ ଜର୍ମାନୀରେ ମଧ୍ୟ ଆର୍ଥିକ ମାନ୍ଦାବସ୍ଥା ଦେଖାଯାଏ, ଜର୍ମାନୀର ମୁଦ୍ରାର ମୂଲ୍ୟ ଭୀଷଣ ଭାବରେ ହ୍ରାସ ପାଏ। ଲକ୍ଷ ଲକ୍ଷ ଲୋକ ରୋଜଗାର, ଘର ଏବଂ ଜୀବନ ହରେଇ ଦିଅନ୍ତି। ଏହି ଅବସ୍ଥାରେ ହିଟଲର୍ ଏବଂ ନାଜି ଦଳ ନିଜର propaganda ର ପ୍ରସାର କରନ୍ତି। ସେମାନେ ତତ୍କାଳୀନ ତ୍ରସ୍ତ ଜର୍ମାନୀ ଜନତାକୁ ନୂତନ ସୁଦୃଢ ଜର୍ମାନୀ ସମାଜ ଗଠନ, ନୂଆ ରୋଜଗାରର ପନ୍ଥା ଏବଂ ନୂଆ ସମୃଦ୍ଧ, ବିକଶିତ ଜର୍ମାନୀର ଗଠନର ପ୍ରତିଶ୍ରୁତି ଦିଅନ୍ତି। ପ୍ରଥମ ବିଶ୍ବ ଯୁଦ୍ଧରେ ହରେଇଥିବା ଜର୍ମାନୀର ଅ°ଶ ଫେରେଇ ଆଣିବା ଏବଂ ନୂଆ କରି କେବଳ ମୂଳ-ଶୁଦ୍ଧ ଜର୍ମାନୀ ମାନଙ୍କୁ ନେଇ ନୂତନ ସାମାଜିକ ବ୍ୟବସ୍ଥାର ସ୍ଥାପନା କରିବା ପାଇଁ କହୁଥିଲେ। ୟୁହୁଦି ମାନେ ଏବଂ କମ୍ୟୁନିଷ୍ଟ ଦଳ ଜର୍ମାନୀର ଏପ୍ରକାର ଅଧୋଗତି ଏବଂ ବିଫଳତା ପାଇଁ ଦାୟୀ ବୋଲି ନାଜି ଦଳ ଜର୍ମାନ ନାଗରିକ ମାନଙ୍କ ମନରେ ଗୋଟାଏ ମିଛ କିନ୍ତୁ ଦୃଢ ଭୟ ସୃଷ୍ଟି କରିଥିଲେ। ଏମିତି ରାଷ୍ଟ୍ରନିର୍ମାଣ, ରାଷ୍ଟ୍ରବାଦ, ରାଷ୍ଟ୍ରଭକ୍ତି, ରାଷ୍ଟ୍ରସମ୍ମାନ, pure German Blood, ଜର୍ମାନୀ ଅସ୍ମିତାର କଥା କହି ହିଟଲର୍ ଜନତାଙ୍କ ଇମୋସନକୁ ମ୍ୟାନିପୁଲେଟ୍ ବା ପ୍ରଭାବିତ କରୁଥିଲେ।

         କିନ୍ତୁ କେବଳ pathos ବା ଜନତାର ଇମୋସନକୁ କବଳିତ କରି ଏକଛତ୍ରବାଦୀ ବା dectetor ମାନେ ନିଜ ପାଇଁ ଭୋଟ ବା ମତ ହାସଲ କରନ୍ତି ନାହିଁ। ବରଂ ସେମାନେ Logic/ Reasoning/ ଚିନ୍ତା କରିବା ଶକ୍ତିକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ବା ଧ୍ବଂସ କରିବା ପାଇଁ ମଧ୍ୟ ପଦକ୍ଷେପ ନେଇଥାନ୍ତି। ଠିକ୍ ଏହି ନୀତିରେ ହିଟଲର୍ ୧୦ ମେ' ୧୯୩୩ ରେ ଗୋଟିଏ ସାମୂହିକ ବୋନ୍-ଫାୟାର ଆୟୋଜନ କରି ସେଥିରେ ୨୫୦୦୦ ପୁସ୍ତକକୁ ପୋଡିଥିଲେ। ଏହି ବହି ଗୁଡିକ ଭିତରେ ସାହିତ୍ୟ, କଳା, ମନୋସ୍ତତ୍ତ୍ବ, ଲିବେରାଲିଜିମ୍, ଗଣତନ୍ତ୍ର, ମାର୍ସିଷ୍ଟ ଚିନ୍ତାଧାରା, କମ୍ୟୁନିଷ୍ଟ ଚିନ୍ତାଧାରା, ଇତିହାସ, ବିଜ୍ଞାନ ସମ୍ବନ୍ଧୀୟ, ପ୍ରାୟ ସବୁ ପ୍ରକାର ବହି ଥିଲା। ନାଜି ଦଳ ମଝିରେ ମଝିରେ ଏମିତି ସାମୂହିକ ବୋନ୍-ଫାୟାର ଆୟୋଜନ କରି ବିଭିନ୍ନ ବିଷୟ ଉପରେ ଆଧାରିତ ବହି ଗୁଡିକୁ ପୋଡି ଦେଉଥିଲେ। ଯଦ୍ବାରା କି ସାଧାରଣ ଜନତା ଆଉ ଅନ୍ୟ କିଛି ବହି ବା ବିଷୟ ନା' ପଢିପାରିବେ ନା' ସେମାନଙ୍କ ଭାବିବା-ଚିନ୍ତିବା ଶକ୍ତି ରହିବ। ଏହି ବହି ଗୁଡିକୁ ସେ ଆଣ୍ଟି- ଜର୍ମାନ ବା ଆଣ୍ଟି-ନ୍ୟାସନାଲ୍ କହୁଥିଲେ (Anti-German, Anti- National)। ନାଜି ଦଳର ପ୍ରପୋଗାଣ୍ଡା ଚିଫ୍ ଜୋସେଫ୍ ଜିଓବେଲ୍ସ ତାଙ୍କ ସରକାରର ଏହି ବହି ପୋଡିବାକୁ ଯଥାର୍ଥ ପ୍ରମାଣିତ କରିବାକୁ ଯାଇ କହୁଥିଲେ, "ଭବିଷ୍ୟତର ଜର୍ମାନ ମଣିଷ କେବଳ ପୁସ୍ତକକୀଟ ବା ପୁସ୍ତକ ମଣିଷ ନହୋଇ ରାଷ୍ଟ୍ର-ଚରିତ୍ରର ମଣିଷ ହୋଇ ତିଆରି ହେବ।" ଏହାଛଡା ନାଜିବାଦୀକୁ ଠିକ୍ ଏବଂ ବୁଦ୍ଧିଜୀବୀଙ୍କୁ ଭୁଲ୍ ପ୍ରମାଣିତ କରିବା ପାଇଁ ସେ ସମୟରେ "ରିଜନି° ଏବଂ ବୁଦ୍ଧିଜୀବୀ ମାନଙ୍କ କଥା କେବଳ ପୁସ୍ତକଗତ, ଏହା ପକୃତ ଜୀବନ ତଥା ଜୀବିକା ନିର୍ବାହ ପାଇଁ ଘାତକ, ସତ ଜୀବନରେ ଏହାର କୌଣସି ମୂଲ୍ୟ ନାହିଁ"; "ମଣିଷର ଉତ୍ପତ୍ତି, ଜାତି ଏବଂ ରକ୍ତ ହିଁ ତାକୁ ଶକ୍ତିଶାଳୀ ତଥା କ୍ଷମତା ସମ୍ପନ୍ନ ବନାଏ" ପରି ବିଭିନ୍ନ ଲେଖାମାନ ମଧ୍ୟ ପ୍ରକାଶ ପାଉଥିଲା।

          ହିଟଲର୍-ନାଜି ଶାସନ ସମୟରେ pseudo- science ବା ଭ୍ରମାତ୍ମକ- ବିଜ୍ଞାନର ମଧ୍ୟ ପ୍ରସାର କରା ଯାଉଥିଲା। ଯେହେତୁ ସେତେବେଳେର ଜର୍ମାନ ପ୍ରେସ୍ ବା ମିଡିଆ ନାଜି ଅଧୀନରେ ଥିଲେ ଏବଂ ବିକ୍ରି ହୋଇ ସାରିଥିଲେ, ତେଣୁ ଏସବୁର ପ୍ରଚାର ପାଇଁ ବେଶ୍ ସୁବିଧା ହେଉଥିଲା। ଭ୍ରମାତ୍ମକ ରିସର୍ଚ୍ଚ ରିପୋର୍ଟ ଆକାରରେ ପେପର ପ୍ରକାଶ କରା ଯାଉଥିଲା ଯେ "ପୃଥିବୀ ପୃଷ୍ଠରେ କେବଳ pure ଜର୍ମାନୀ ମାନେ ହିଁ ସର୍ବଶ୍ରେଷ୍ଠ ମଣିଷ ବା super humans, ଅନ୍ୟ ସବୁ ମଣିଷ ସେମାନଙ୍କ ତଳେ ବା sub-humans।" ସେମିତି ୧୯୧୨ ମସିହାରେ ଅଷ୍ଟ୍ରିଆର ଇଞ୍ଜିନିୟର ଏବଂ ଉଦ୍ଭାବକ ହାନ୍ସ ହୋର୍ବିଗର୍ ଥରେ ଜହ୍ନର ଧଳା ଆଲୁଅ ଦେଖି ସ୍ବପ୍ନ ଦେଖିଲେ ଯେ ଜହ୍ନ ବରଫରୁ ତିଆରି। ଏହା ପରେ ସେ ଗୋଟିଏ ଥିଓରି ଆବିଷ୍କାର କରିଛନ୍ତି କହି ପେପର ପ୍ରକାଶ କଲେ ଯେ, ଜହ୍ନ ଏବଂ ପୁରା ବ୍ରହ୍ମାଣ୍ଡ ବରଫରେ ତିଆରି, ଏହାକୁ World Ice Theory କୁହାଯାଏ। ହିଟଲର୍ ଏବଂ ତାଙ୍କ ନାଜି ଦଳ ଏ ଥିଓରୀ ଦ୍ବାରା ବେଶ୍ ପ୍ରଭାବିତ ହୋଇଥିଲେ ଓ ଏହାର ପ୍ରସାର କରିଥିଲେ।

         ଏହାଛଡା ସେତେବେଳର ଜର୍ମାନ କଲେଜ ଏବଂ ୟୁନିଭର୍ସିଟି ଗୁଡିକର ପାଠ୍ୟକ୍ରମ ଗୁଡିକୁ ବଦଳା ଯାଇ ନାଜି-ଆଇଡୋଲୋଜିକୁ ଖାପ ଖୁଆଇଲା ପରି ପାଠ ପଢାଇବା ଆରମ୍ଭ ହୋଇଥିଲା। ଯେଉଁ ବୁଦ୍ଧିଜୀବୀମାନେ ଏହାକୁ ବିରୋଧ କରୁଥିଲେ ସେମାନଙ୍କୁ ସମାଲୋଚନା ଓ ଅପମାନିତ ତଥା ଅପରାଧୀ ସାବ୍ୟସ୍ତ କଲା ପରି ଲେଖା ମାନ ବିଭିନ୍ନ ପତ୍ରପତ୍ରିକାରେ ଛପା ଯାଉଥିଲା। ନାଜିଦଳ ଦ୍ବାରା ବଛା ଯାଇଥିବା ଲୋକ ମାନେ ହିଁ ବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଗୁଡିକରେ ଉଚ୍ଚ ପଦରେ ରହୁଥିଲେ ଏବଂ ତାଙ୍କ ଅନୁସାରେ ସିଲାବସ୍, ବହି ତଥା ପାଠ୍ୟକ୍ରମ ଜାରୀ ହୋଇଥିଲା। ଏହାକୁ ବିରୋଧ କରୁଥିବା ବୈଜ୍ଞାନିକ, ସାହିତ୍ୟିକ ଏବଂ ଦାର୍ଶନିକ ମାନଙ୍କ ସହ ଆଇନଷ୍ଟଟାଇନଙ୍କ ପରି ବ୍ୟବହାର କରା ଯାଉଥିଲା।

       ଜର୍ମାନୀ ମାନଙ୍କ ମସ୍ତିଷ୍କ, ବିଦ୍ୟାବୁଦ୍ଧି ତଥା ଚିନ୍ତାଶୀଳତାକୁ ସମ୍ପୂର୍ଣ୍ଣ ଭାବରେ କବଳିତ କରିବା ପାଇଁ ହିଟଲର୍ ଆଉ ଗୋଟିଏ ଉପାୟ ଅବଲମ୍ବନ କରୁଥିଲେ। ଜର୍ମାନ ମାନଙ୍କ ମନରେ ଗୋଟିଏ ଅହେତୁକ ବା pseudo ଭୟ ସୃଷ୍ଟି କରିବା। ଲୋକଙ୍କ ମନରେ ଗୋଟିଏ ଶକ୍ତି ବା ଜିନିଷ ବା ବର୍ଗ ପ୍ରତି ଭୟ ତିଆରି କରି, ସେହି ଶକ୍ତିକୁ ସବୁ ଅସୁବିଧା ଏବଂ ଧ୍ବଂସର ମୂଳ ବୋଲି ପ୍ରମାଣିତ କରିବା ପାଇଁ ବିଭିନ୍ନ ପରିସ୍ଥିତି ସୃଷ୍ଟି କରି, ଲୋକଙ୍କୁ ଡରେଇ ନିଜ ଅକ୍ତିଆରକୁ ନେବା। ସେମାନଙ୍କ ମନରେ ଏମିତି ଗୋଟାଏ ଶତ୍ରୁର ଛବି ତିଆରି କରିବା, ଯିଏ ପ୍ରକୃତରେ ଅସ୍ତିତ୍ଵରେ ନଥିବ। ହିଟଲରଙ୍କ ଦ୍ବାରା ଜର୍ମାନ ମାନଙ୍କୁ ଦିଆଯାଇଥିବା ଏ ଶତ୍ରୁର ନାଁ ଥାଲା "ୟୁହୁଦି" ବା jews। ହିଟଲରଙ୍କ ନାଜିଦଳ ପ୍ରଚାର କରୁଥିଲା ଯେ ଜର୍ମାନର ପ୍ରଥମ ବିଶ୍ବ ଯୁଦ୍ଧ ହାରିବାଠୁ ଆରମ୍ଭ କରି ଆର୍ଥିକ ଏବଂ ରାଜନୈତିକ ପତନ ପାଇଁ କେବଳ ୟୁହୁଦି ମାନେ ହିଁ ଦାୟୀ। କିନ୍ତୁ ପ୍ରକୃତରେ ପ୍ରଥମ ବିଶ୍ବ ଯୁଦ୍ଧ ବେଳକୁ ଜର୍ମାନ ସେନାରେ ୧ ଲକ୍ଷ ୟୁହୁଦି ସୈନିକ ଥିଲେ ଏବଂ ସେଥିରୁ ୧୨୦୦୦ ଶହୀଦ ମଧ୍ୟ ହୋଇଥିଲେ। ସତ୍ତାକୁ ଆସିବା ଆଗରୁ ଯେତେବେଳେ ନାଜିଦଳ ସୋସିଆଲିଜମର କଥା କହୁଥିଲା, ସେତେବେଳେ ପ୍ରଚାର କରାଗଲା ଯେ ଦେଶର ସବୁ ଧନ ୟୁହୁଦି ମାନେ ମାଡି ବସିଛନ୍ତି, ସେମାନେ କ୍ୟାପିଟାଲିଷ୍ଟ। ତେଣୁ ସେମାନଙ୍କୁ ଶେଷ କରିବା ଆବଶ୍ୟକ। ସତ୍ତାକୁ ଆସିବା ପରେ ଯେତେବେଳେ ନାଜିଦଳ କର୍ପୋରେଟ ସ°ସ୍ଥା ଗୁଡିକରୁ ଅର୍ଥ ସହାୟତା ନେଲା, ସେତେବେଳେ ୟୁହୁଦି ମାନେ କମ୍ୟୁନିଷ୍ଟ ଚିନ୍ତାଧାରାକୁ ମାନନ୍ତି ବୋଲି ପ୍ରଚାର କରାଗଲା। ସେତେବେଳେ ଭକ୍ସଓ୍ବାଗନ୍, ବି ଏମ ଡବ୍ଲୁ, ନେସଲେ, କୋଡାକ୍, ଫାଣ୍ଟା, ଫର୍ଡ ଏ ସବୁ କର୍ପୋରେଟ ସ°ସ୍ଥା ହିଟଲରକୁ ଫଣ୍ଡି° କରୁଥିଲେ। ଆଉ ଯେହେତୁ ସେତେବେଳେର ମିଡିଆ ଓ ଖବର ପ୍ରସାରକାରୀ ସ°ସ୍ଥା ଗୁଡିକ ନାଜିଦଳ ଅଧୀନରେ ଥିଲେ ତେଣୁ ଏପ୍ରକାର ଖବର ଓ ରିପୋର୍ଟକୁ ପ୍ରଚାର କରିବା ପାଇଁ ନାଜିଦଳକୁ ସୁବିଧା ହେଉଥିଲା। ଖବର ପାଇବାର ଅନ୍ୟ କୌଣସି ମାଧ୍ୟମ ନଥିବାରୁ ସାଧାରଣ ଜନତା ମଧ୍ୟ ଏହି ସବୁକୁ ବିଶ୍ୱାସ କରି ନେଉଥିଲେ। ଏହା ଛଡା ଜର୍ମାନ ରେଡ଼ିଓ ମାଧ୍ୟମରେ ହିଟଲର୍ ନାଜିଦଳର ପ୍ରପୋଗାଣ୍ଡା ପ୍ରସାର ପାଇଁ ରେଡ଼ିଓ ପ୍ରୋଗ୍ରାମ ମାଧ୍ୟମରେ ଭାଷଣ ଦେଉଥିଲେ। ଯେମିତି ପ୍ରତି ଘରେ ରେଡ଼ିଓ ଉପଲବ୍ଧ ହେଉ ସେଥିପାଇଁ ଗୋଟିଏ କମ୍ପାନୀ ସହ ମିଶି ସସ୍ତା ଭର୍ସନ ରେଡ଼ିଓ ଉପଲବ୍ଧ କରାଗଲା। ଯେମିତି ଗୋଟିଏ ବି ଜର୍ମାନ ଘର ହିଟଲରଙ୍କ ଭାଷଣ ଶୁଣିବାରୁ ବଞ୍ଚିତ ନହେଉ, ପକ୍କା ବ୍ୟବସ୍ଥା କରା ଯାଉଥିଲା। ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାର ଏବଂ ଗରିବୀ ଭୋଗୁଥିବା ଗୋଟିଏ ଜାତିକୁ ରାଷ୍ଟ୍ରନିର୍ମାଣ, ଚାକିରୀ ଏବଂ ବିକାଶ ସ୍ବପ୍ନ ନାଁରେ ମୌଳବାଦ, ଏକଛତ୍ରବାଦ ବିକା ଯାଉଥିଲା।

        ଏ ସବୁ ପରେ, ହିଟଲର୍ ନିଜକୁ ଭଗବାନଙ୍କ ଅବତାର, ମହାମାନବ, ମହାପୁରୁଷ ଏବଂ ତ୍ରାଣକର୍ତ୍ତା ଭାବରେ ମଧ୍ୟ ଚିତ୍ରିତ କରୁଥିଲେ। ହିଟଲର୍ ଭଗବାନଙ୍କ ଅବତାର, ଜର୍ମାନୀର ଉଦ୍ଧାର ପାଇଁ, ରାଷ୍ଟ୍ରନିର୍ମାଣ ପାଇଁ ହିଁ କାମ କରୁଛନ୍ତି ବୋଲି ଖବର ଓ ଲେଖା ମାନ ପ୍ରକାଶ କରା ଯାଉଥିଲା। ଲୋକଙ୍କୁ ସମ୍ବୋଧନ କରି କହୁଥିଲା, "ଯଦି କମ୍ୟୁନିଷ୍ଟ ଚିନ୍ତାଧାରାର ୟୁହୁଦି ମାନେ ଏ ସ°ସାରକୁ ଜିତିଯିବେ ଆଉ ଶାସନ କରିବେ, ତା' ହେଲେ ଏହା ମାନବବାଦ, ସତ୍ୟ ଏବଂ ଧର୍ମର ହତ୍ୟା ହେବ। ଆଉ ମୁଁ ସେଇ ପରମାତ୍ମାର ନାଁରେ କାମ କରେ। ଏ ୟୁହୁଦି ମାନଙ୍କୁ ଶେଷ କରି, ମୁଁ ସେଇ ସର୍ବଶକ୍ତିମାନ ବିଧାତାର କାମ ତୁଲାଏ।" ସେମିତି ୧୯୨୩ ମସିହାରେ ହିଟଲରଙ୍କ ଜୀବନୀ ପ୍ରକାଶ ପାଇଥିଲା, ଯେଉଁଥିରେ ତାଙ୍କୁ ଭଗବାନ ଯୀଶୁଖ୍ରୀଷ୍ଟଙ୍କ ସହ ତୁଳନା କରା ଯାଇଥିଲା। ସେଥିରେ ଲେଖା ଯାଇଥିଲା ଯେ, ହିଟଲର୍ ଅବତାର ସାଜି ଜର୍ମାନୀକୁ ଉଦ୍ଧାର କରିବେ। କିନ୍ତୁ ପରେ ଜଣା ପଡିଥିଲା ଯେ, ଏହି ପୁସ୍ତକ ହିଟଲର ନିଜେ ଲେଖିଥିଲେ, ମିଛରେ ନିଜ ସାଙ୍ଗ ନାଁରେ ପବ୍ଲିସ୍ କରିଥିଲେ। ୧୯୨୫ ମସିହାରେ ହିଟଲର୍ ନିଜର ଆତ୍ମଜୀବନୀ "ମାଇନ୍ କ୍ୟାମ୍ଫ" ପ୍ରକାଶ କରିଥିଲେ, ସେଥିରେ ମଧ୍ୟ ସେ ଅନେକ ଗୁଡିଏ ଭ୍ରମାତ୍ମକ ତଥ୍ୟ ଦେଇଥିଲେ। ଯେମିତିକି ସେଥିରେ ସେ ଲେଖିଥିଲେ, ସେ ଅତ୍ୟନ୍ତ ଗରିବ ପରିବାରରେ ଜନ୍ମ ହୋଇଥିଲେ ଏବଂ ଛୋଟବେଳୁ ଖୁବ କଠିନ ଶାରୀରିକ ପରିଶ୍ରମ କରିଥିଲେ। ଯାହାକି ପରେ ମିଛ ବୋଲି ଜଣା ପଡିଥିଲା। ସେତେବେଳେ କେବଳ ଜର୍ମାନୀ ନୁହେଁ ଅନ୍ୟ ଅନେକ ଦେଶରେ ମଧ୍ୟ କିଛି ଲୋକ ହିଟଲରଙ୍କ ନାଜିବାଦକୁ ଖୁବ ପସନ୍ଦ କରୁଥିଲେ। ସେତେବେଳେ ଇଟାଲୀର ଫାସିବାଦୀ ନେତା ମୁସୋଲିନିଙ୍କ ଶାସନ ଥାଏ। ଭାରତରେ ବିନାୟକ ଦାମୋଦର ସାଭରକର୍ ଏବଂ ଗୋଲଓ୍ବଲକର୍ ତଥା ମୁସଲିମ୍ ସେପାରେଟିଷ୍ଟ ନେତା ଚୌଧୁରୀ ରେହମତ ଅଲି ମଧ୍ୟ ହିଟଲରଙ୍କ ନାଜିବାଦକୁ ଖୁବ ପସନ୍ଦ କରୁଥିଲେ ଏବଂ ପ୍ରଶଂସା କରୁଥିଲେ। ଭାରତରେ ମଧ୍ୟ ସାଭରକରଙ୍କ ଉପରେ ଗୋଟିଏ ବହି ଛପା ଯାଇଥିଲା "ଲାଇଫ୍ ଅଫ ବାରିଷ୍ଟର ସାଭରକର୍", ଯାହାର ଲେଖକ ଥିଲେ "ଚିତ୍ରଗୁପ୍ତ" ନାମକ ଜଣେ ଲେଖକ। ଏଥିରେ ସାଭରକରଙ୍କର ଖୁବ ପ୍ରଶଂସା କରା ଯାଇଥିଲା। ରିପୋର୍ଟ ଅନୁସାରେ କିନ୍ତୁ ୧୯୮୭ରେ ଏହି ବହିଟି ପୁନଃ ଛପାଗଲା ବେଳେ, ତାର ପ୍ରକାଶକ କହିଥିଲେ ଯେ ଚିତ୍ରଗୁପ୍ତ ଆଉ କେହି ନୁହେଁ, ସାଭରକର ନିଜେ ଥିଲେ।

        କିନ୍ତୁ ୧୯୪୫ ବେଳକୁ ଏତେ ପ୍ରକାର ପ୍ରପୋଗାଣ୍ଡା ଚଳାଇ, ଗୋଟିଏ ସମ୍ପୂର୍ଣ୍ଣ ଜାତିର ମସ୍ତିଷ୍କକୁ କବଳିତ କରି, ନିଜର ଏକଛତ୍ରବାଦ ଶାସନ ଏବଂ ନାଜି ବିଚାରଧାରାକୁ ପ୍ରତିଷ୍ଠା କରିବାକୁ କରାଯାଇଥିବା ସମସ୍ତ ପ୍ରଚେଷ୍ଟା ଏବଂ ଚାଲିଖିର ପତନ ଆରମ୍ଭ ହୋଇ ଯାଇଥିଲା। ୧୯୩୯ରେ ପୋଲାଣ୍ଡ ଉପରେ ହିଟଲରଙ୍କ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଦ୍ବିତୀୟ ବିଶ୍ବ ଯୁଦ୍ଧ ସେତେବେଳକୁ ପୃଥିବୀର ପ୍ରତ୍ୟେକ ମହାଦେଶକୁ ମାଡି ଯାଇଥାଏ। ୧୯୪୨ ବେଳକୁ ବିଭିନ୍ନ ଜର୍ମାନୀ ବିରୁଦ୍ଧ ଦେଶ ଗୁଡିକ ମିଶି ଆଲିଲି ବା ସ°ଗଠନ ବନେଇ ସାରିଥିଲେ। ଏହାପରେ ଘୋଷଣା କରାଗଲା ଯେ, ଯେକୌଣସି ଦେଶ ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା କରିବେ, ସେମାନେ ଆଲିଲିର ଅ°ଶ ହୋଇପାରିବେ। ଏହା ପରେ ହିଟଲରଙ୍କ ପାଇଁ ପରିସ୍ଥିତି ଖୁବ କଷ୍ଟକର ଏବଂ ପ୍ରତିକୂଳ ହେବାକୁ ଲାଗିଲା। ୧୫ -୧୬ ଏପ୍ରିଲ, ୧୯୪୫ ବେଳକୁ ସୋଭିଏତ ସେନା ବର୍ଲିନ ଉପାଞ୍ଚଳରେ ପହଞ୍ଚି ସାରିଥିଲା। ୨୧ ଏପ୍ରିଲ ବେଳକୁ ସେମାନେ ବର୍ଲିନ ଭିତରେ ପ୍ରବେଶ କରି ସାରିଥିଲେ। ୨୭ ଏପ୍ରିଲ ବେଳକୁ ସୋଭିଏତ ଏବଂ ଆମେରିକୀୟ ସେନା ଜର୍ମାନ ସେନାକୁ ଏକ ପ୍ରକାର ଧ୍ବସ୍ତ କରି ସାରିଥିଲେ। ୩୦ ଏପ୍ରିଲ, ୧୯୪୫ରେ ଭୃପୃଷ୍ଠରୁ ୨୮ ଫୁଟ ତଳେ ନିର୍ମିତ ନିଜର ବଙ୍କର ଭିତରେ ସିଆନାଇଡ୍ କ୍ୟାପସୁଲ୍ ଖାଇବା ସହ, ନିଜକୁ ନିଜେ ଗୁଳି କରି, ନିଜ ପ୍ରେମିକା ସହ ଆତ୍ମହତ୍ୟା କରିଥିଲେ। ହିଟଲର୍ ନିଜ ବଙ୍କର ଭିତରେ, ନିଜ ପ୍ରେମିକା ସହ ଆତ୍ମହତ୍ୟା କରିଥିଲେ। ଆଉ ଏମିତି ଭାବରେ ସମୟ ତା' ବହିରୁ ଗୋଟିଏ କଳା ଫର୍ଦ୍ଦକୁ ସବୁଦିନ ପାଇଁ ପଲଟାଇ ଦେଇ ଥିଲା।