ଓଡିଶା ବଜେଟ : ଜଳସଂପଦ ବିଭାଗ ପାଇଁ ଅଛି କଣ
budget odisha water resources
ଚଳିତ ବର୍ଷ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହେବା ପରେ ଏହାକୁ ନେଇ ବିଭିନ୍ନ ବିଭାଗ ତରଫରୁ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ଅଧିକ ତଥ୍ୟ ଦିଆ ଯାଉଛି । ସେହି କ୍ରମରେ ଆଜି ଜଳସଂପଦ ବିଭାଗ ସଂପର୍କିତ ବ୍ୟୟ ବରାଦ ସଂପର୍କରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଏବଂ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳ ସଂପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଏବଂ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଭକ୍ତ ରଂଜନ ମହାନ୍ତି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।
ମନ୍ତ୍ରୀ ଶ୍ରୀମତୀ ସାହୁ ବିଭାଗୀୟ ବଜେଟ୍ ପରିପ୍ରେକ୍ଷୀରେ କହିଛନ୍ତି ଯେଆମ ରାଜ୍ୟର ୭୦ ଭାଗ ଚାଷୀମାନଙ୍କର ଉନ୍ନତି ପାଇଁ ସର୍ବଦା ସଜାଗ ରହି ରାଜ୍ୟରେ ଜଳ ସଂପଦର ବିକାଶ ଓ ଜଳସେଚନ ସୁବିଧା ପାଇଁ ତତ୍ପରତାର ସହ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟର ଅନ୍ୟ ଅଂଚଳ ସମେତ ପଶ୍ଚିମ ଓଡିଶାରେ ମଧ୍ୟ ଜଳସେଚନ ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଥିବାରୁ ମନ୍ତ୍ରୀ ଶ୍ରୀମତି ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ଆଗାମୀ ୫ବର୍ଷ ମଧ୍ୟରେ ଜଳ ସଂପଦର ବିକାଶ ଓ ଜଳସେଚନ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ପାଇଁ ୭୫,୦୦୦ କୋଟି ଟଙ୍କା ବିନିଯୋଗ କରାଯିବାକୁ ଲକ୍ଷ୍ୟ ରହିଛି । ଓଡିଶା ଜଳସମ୍ପଦ ବିଭାଗ ପ୍ରମୁଖ କାର୍ଯ୍ୟ ଯଥା ଜଳସେଚନ ପ୍ରକଳ୍ପର ନିର୍ମାଣ, ପରିଚାଳନା ଓ ରକ୍ଷଣାବେକ୍ଷଣ, ଜଳ ସଂରକ୍ଷଣ, ଭୂତଳ ଜଳ ବିକାଶ, ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନତିକରଣ, ସେଚାଞ୍ଚଳର ବିକାଶ, ଶିଳ୍ପ ପାଇଁ ଜଳ ବଣ୍ଟନ ଓ ବାଣିଜିକ ପ୍ରତିଷ୍ଠା, ରାଜ୍ୟ ଜଳ ନୀତି ପ୍ରଣୟନ ଇତ୍ୟାଦି ସହିତ ସଂଶ୍ଳିଷ୍ଟ ଏବଂ ଏହି କ୍ଷେତ୍ରର ବଜେଟ୍ ୨୦୧୧-୧୨ ରେ ୩୨୫୮.୪୫ କୋଟିରୁ ୨୦୨୨-୨୩ ରେ ୯୩୭୪.୪୬ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ୨୦୨୩-୨୪ ପାଇଁ ୧୧,୬୫୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।
ନବରଙ୍ଗପୁରରେ ନବରଙ୍ଗପୁର ଉଠା ଜଳସେଚନ, ବଲାଙ୍ଗୀରରେ ଅପରଲାନ୍ଥ, ନୟାଗଡ଼ରେ ବୃତ୍ତଙ୍ଗ, ଅନୁଗୁଳରେ ସମାକୋଇ, ଗଞ୍ଜାମରେ ପିପଳପଙ୍ଖ। ଓ ମୟୂରଭଞ୍ଜରେ ଖଇରବନ୍ଧନ ରେ ୬ଟି ନୂତନ ବୃହତ ଏବଂ ମଧ୍ୟମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପର ନିର୍ମାଣ ପାଇଁ ୩୩୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଗଞ୍ଜାମରେ ଘଟକେଶ୍ୱର ଡ୍ୟାମ୍, ନୟାଗଡ଼ରେ କୁସୁମୀ ବ୍ୟାରେଜ୍ ଏବଂ ଅନୁଗୁଳ ଜିଲ୍ଲାରେ ମନଯୋର ସମ୍ପ୍ରସାରଣ ଭଳି ତିନି ଗୋଟି ବୃହତ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପର କାର୍ୟ୍ୟ ଶେଷ ହେବ। ଚଳିତ ବର୍ଷ ବଲାଙ୍ଗୀରର ଲୋୟର ସୁକତେଲ ବୃହତ ଜଳସେଚନ ପ୍ରକଳ୍ପ ତଥା କେନ୍ଦୁଝର ଜିଲ୍ଲାର କାନୁପୁର ଜଳସେଚନ ପ୍ରକଳ୍ପରେ ଜଳଭଣ୍ଡାରରେ ଜଳ ସଞ୍ଚୟ କାର୍ଯ୍ୟ ପ୍ରାରମ୍ଭ କରାଯିବ । ଏତଦବ୍ୟତୀତ ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜ ସହ ସାଳନ୍ଦୀ ନଦୀର ବିଦ୍ୟାଧରପୁର ବ୍ୟାରେଜକୁ ସଂଯୋଗ କରୁଥିବା ସଂଯୋଗୀକରଣ କେନାଲକୁ ଚଳିତ ବର୍ଷ କାର୍ଯ୍ୟକ୍ଷମ କରାଯାଇ କେନ୍ଦୁଝର ଓ ବାଲେଶ୍ୱରବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ।
- ଜଳ ସଂରକ୍ଷଣ ପାଇଁ ୪୬ଟି ଅନୁମୋଦିତ ଅନ୍ତଃନଦୀ ଜଳାଶୟ ବ୍ୟତୀତ କନ୍ଧମାଳର ଖଡଗୋଠାରେ ପ୍ରସ୍ତାବିତ ଥିବା ଅନ୍ତଃନଦୀ ଜଳାଶୟ ସମେତ ୨୦ଟି ନୂତନ ଆଇ.ଏସ୍.ଏସ୍ ନିର୍ମାଣ କାର୍ଯ୍ୟ ହାତକୁ ନିଆଯିବ । ଏହି ନିର୍ମାଣ ପାଇଁ ବଜେଟରେ ୮୫୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଅଛି । ଚଳିତ ବର୍ଷ ଯାଜପୁରଠାରେ ବୈତରଣୀ ନଦୀ ଗର୍ଭରେ ୧୭୨ କୋଟି ଟଙ୍କା ପ୍ରଶାସନିକ ଅନୁମୋଦନ ପାଇଥିବା ସପ୍ତମାତୃକା ଅନ୍ତଃନଦୀ ଜଳାଶୟ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ।
- ୨୦୨୩-୨୪ ଆର୍ଥିକ ବର୍ଷରେ ୨ ଲକ୍ଷ ୩୩ହଜାର ହେକ୍ଟର ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି କରାଯିବାର ପ୍ରସ୍ତାବ ରହିଛି ।
- ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ପ୍ରତି ଥିବା ପ୍ରତିବଦ୍ଧତାର ଅଂଶବିଶେଷ ସ୍ୱରୂପ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ଦ୍ଵାରା ବରଗଡ ଜିଲ୍ଲାର ବିଜେପୁର, ବରପାଲି ଓ ସୋହେଲା ବ୍ଲକ ତଥା ସୁବର୍ଣ୍ଣପୁର ଜିଲ୍ଲାର ଡ଼ୁଙ୍ଗୁରିପାଲି ବ୍ଲକର ମରୁଡି ପ୍ରପୀଡିତ ୧୨୯ଟି ଗ୍ରାମରେ ୨୬,୬୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବ ।
- ଉଚ୍ଚଭୂମି ଅଞ୍ଚଳର କୃଷକମାନଙ୍କ ପାଇଁ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନା ମାଧ୍ୟମରେ ୧୭୦ଟି ନୂତନ ବୃହତ ଉଠା ଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି ଏବଂ ଏଥି ପାଇଁ ୫୦ କୋଟିର ବ୍ୟୟବରାଦ କରାଯାଇଛି ।
- ଚାଷୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ୨୦୨୧-୨୦୨୨ରୁ ୨୦୨୫-୨୬ ମଧ୍ୟରେ ଏକ ଲକ୍ଷ ନୂଆ ଡିପ୍ ବୋର ଓ୍ୱେଲ ସ୍ଥାପନ କରିବାକୁ ପ୍ରସ୍ତାବ ରଖାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ୨୦ ହଜାର ଡିପ୍ ବୋର ୱେଲ ଏବଂ ୧୫୦୦ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ମୋଟ ୭୦୦ କୋଟି ଟଙ୍କା ଏବଂ ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ୧୯୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ପାଖାପାଖି ୨୦୦ କିଲୋମିଟର ଲୁଣା ବନ୍ଧକୁ ସୁଦୃଢ଼ କରିବା ପାଇଁ ମୂଖ୍ୟମନ୍ତ୍ରୀ ବାତ୍ୟା ପ୍ରତିରୋଧ ଲୁଣା ବନ୍ଧ ପ୍ରକଳ୍ପ ପାଇଁ ୭୬୩ କୋଟି ଟଙ୍କା ମଞ୍ଜୁର କରାଯାଇଅଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନ ଟେକ୍ନୋଲୋଜି, ଚେନ୍ନାଇ (ଏନଆଇଓଟି)ର ବୈଷୟିକ ସହାୟତାରେ ଏହି କାର୍ଯ୍ୟ ଠିକ ସମୟରେ ସମ୍ପାଦନ କରାଯିବ। ଏଥି ପାଇଁ ୧୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
- ବନ୍ୟାପ୍ରବଣ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ ବନ୍ଧ ଓ ଜଳ ନିଷ୍କାସନର ଉନ୍ନତିକରଣ ପାଇଁ ୯୬୧ କୋଟି ଟଙ୍କାର ବ୍ୟୟ ଅଟକଳ ବଜେଟରେ ରଖାଯାଇଅଛି ।
- ମୂଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା ଅଧୀନରେ ୫୦୦ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ୧୮୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
- କେନାଲ ଲାଇନିଂ ପାଇଁ ୨୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏତଦବ୍ୟତୀତ କର ନାଳୀ ନିର୍ମାଣ ପାଇଁ ୧୮୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଅଛି । ସେଚ ସାମର୍ଥ୍ୟର ପ୍ରଭାବୀ ବିନିଯୋଗ ଉଦ୍ଦେଶ୍ୟରେ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୧୨୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
- ଜଳ ସମ୍ପଦର ସଠିକ୍ ଆକଳନ, ବନ୍ୟା ପୂର୍ବାନୁମାନ, ଜଳସେଚନ ପରିଚାଳନା, ପ୍ରକଳ୍ପର ତଦାରଖ ଆଦି ପାଇଁ ବୈଷୟିକ ଜ୍ଞାନକୌଶଳର ଉପଯୋଗକୁ ସୁଗମ କରିବା ପାଇଁ ଗୋ-ଓ୍ୱାଟର ନାମକ ଜଳ ଉଦ୍ୟୋଗ ସମ୍ବଳ ଯୋଜନା ଭଳି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ପାଇଁ ୩୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ସୂଚନା ଯୋଗ୍ୟ ଯେ,ରାଜ୍ୟରେ ୧୯୯୯ -୨୦୦୦ ବର୍ଷ ଶେଷ ସୁଦ୍ଧା ଖରିଫ 24.87 ଲକ୍ଷ ହେକ୍ଟର ଓ ରବି ୧୧.୦୪ ଲକ୍ଷ ହେକ୍ଟର କୁ ମିଶାଇ ମୋଟ ୩୫.୯୧ ଲକ୍ଷ ହେକ୍ଟର ଜଳସେଚନ କ୍ଷମତା ସୃଷ୍ଟି କରାଯାଇଥିଲା ବେଳେ ୨୦୦୦-୨୦୦୧ ରୁ ୨୦୨୧-୨୦୨୨ ମଧ୍ୟରେ ଅତିରିକ୍ତ ୩୦.୯୭ ହେକ୍ଟର ଜଳସେଚନ କ୍ଷମତା ସୃଷ୍ଟି କରାଯିବାରୁ ରାଜ୍ୟର ଜଳସେଚନ କ୍ଷମତା ଆଜିସୁଦ୍ଧା ୬୬.୮୮ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଛି ।
- ବୃହତ ଓ ମଧ୍ୟମ ଜଳସେଚନ ଯୋଜନା ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ, ନୂଆପଡା ଓ ବଲାଙ୍ଗୀର ଜିଲ୍ଲାକୁ ଉପକୃତ କରୁଥିବା ଲୋଅର ଇନ୍ଦ୍ର ବୃହତ ଜଳସେଚନ ପ୍ରକଳ୍ପ, ମୟୂରଭଞ୍ଜ ଓ କେଉଁଝର ଜିଲ୍ଲାର ଆଦିବାସୀ କୃଷକ ମାନଙ୍କୁ ଉପକୃତ କରୁଥିବା ଦେଓ ଜଳସେଚନ ଯୋଜନା, ରେଙ୍ଗାଲି ବାମ ୦ରୁ-୭୧.୩୭ କିମି. ଓ ଦକ୍ଷିଣ କେନାଲ୦ ରୁ ୭୯ କିମି. ବାଗ ବ୍ୟIରେଜ, ଟିଟିଲାଗଡ–୨, ଗୋବର୍ଦ୍ଧନପୁର ବ୍ୟIରେଜ, ନରାଜ ବ୍ୟIରେଜ, ରେତ, ତେଲେଙ୍ଗିରି, ରୁକୁରା, ଲୋଅର ଇନ୍ଦ୍ର ମହାନଦୀ ଚିତ୍ରୋତ୍ପଳା ଦ୍ୱୀପାଂଚଳ ଜଳସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି ।
- ଉଚ୍ଚ ସ୍ଥାନରେ ଥିବା ଚାଷଜମିକୁ କମ ସମୟ ଅବଧିରେ ଜଳସେଚନ ସୁବିଧା ଯୋଗାଇଦେବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ପାର୍ବତୀଗିରି ବୃହତ ଉଠା ଜଳସେଚନ ଯୋଜନା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ରାଜ୍ୟର ୨୩ ଗୋଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି ଏବଂ ୨୦୮ ଗୋଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୁର୍ଣ୍ଣ କରାଯାଇ ୨ ଲକ୍ଷ ୬୪ ହଜାର ୩୨୯ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଛି । ଏହାର ସୁଫଳ ଓ ଉଚ୍ଚ ଭୂମିର ଚାଷୀମାନଙ୍କର ଦାବିକୁ ଉପଲବ୍ଧି କରି ସରକାର ପୁନଃ ୨୦୨୧ ମସିହାରେ ଏହି ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପର ଦ୍ଵିତୀୟ ସଂସ୍କରଣରେ ୧୦,୭୫୯ କୋଟି ଟଙ୍କା ବ୍ୟୟରେ ଅତିରିକ୍ତ ୨.୬୩ ଲକ୍ଷ ହେକ୍ଟର ଚାଷ ଜମିକୁ ୧୭୦ ଟି ନୂତନ ପ୍ରକଳ୍ପ ମାଧ୍ୟମରେ ପର୍ଯ୍ୟାୟକ୍ରମେ ଜଳସେଚନର ସୁବିଧା ଯୋଗାଇବା ପାଇଁ ଯୋଜନା କରିଛନ୍ତି ।
- ଗଭୀର ବୋର କୂଅ ସ୍ଥାପନ ମାଧ୍ୟମରେ ମୁଖ୍ୟତଃ କ୍ଷୁଦ୍ର ଏବଂ କ୍ଷୁଦ୍ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ୨୦୧୦-୧୧ ମସିହାରେ ଡିପ୍ ବୋର ଓ୍ୱେଲ ସେଚ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୃଷକଙ୍କ ଠାରୁ ବହୁ ସମର୍ଥନ ପ୍ରତିକ୍ରିୟା ଗ୍ରହଣ କରିଛି | ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠାରୁ, ୧,୦୨,୫୨୯ ବୋର କୂଅକୁ ବିଦ୍ୟୁତ୍ ସଂଯୋଗୀକରଣ ପ୍ରଦାନ କରାଯାଇ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଏହାର ସଫଳତାକୁ ବିଚାର କରି ସରକାର ଅତିରିକ୍ତ ଏକ ଲକ୍ଷ ଗଭୀର ବୋର ସ୍ଥାପନ ପାଇଁ ୪୧୯୮ କୋଟି ମଞ୍ଜୁର କରିଛନ୍ତି।
- ବିଜୁ କୃଷକ ବିକାଶ ଯୋଜନା ଅଧୀନରେ ୨୦୦୧ ମସିହାରେ ରାଜ୍ୟ ସରକାର, ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ କମ୍ୟୁନିଟି ଲିଫ୍ଟ ଜଳସେଚନ ପ୍ରକଳ୍ପ (କ୍ଲିପ ) ନିର୍ମାଣ ପାଇଁ ଏକ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଆରମ୍ଭ ହେବା ଦିନଠାରୁ ୧୯,୪୪୬ ଟି କ୍ଲିପ ସମାପ୍ତ ହୋଇଛି ଏବଂ ପ୍ରାୟ ୪୨୫.୦୫୧ ହଜାର ହେକ୍ଟର ଅତିରିକ୍ତ ଜଳସେଚନ ସମ୍ଭାବନା ସୃଷ୍ଟି ହୋଇଛି |
- ଅଚଳ ହୋଇ ପଡିଥିବା ଉଠା ଜଳ ସେଚନ ପ୍ରକଳ୍ପ ଗୁଡିକୁ ସଚଳ କରିବା ପାଇଁ ଚାଷୀ ମାନଙ୍କ ଅନୁରୋଧକୁ ବିଚାରକରି ସରକାର “ ଅଚଳ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ଯୋଜନା ୨୦୧୪-୧୫ ରୁ ୨୦୧୮-୧୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିଥିଲେ । ଏହି ଯୋଜନାର ଅବଧି ଅଧିକ ୫ ବର୍ଷ ଅର୍ଥାତ ୨୦୧୯-୨୦ ରୁ ୨୦୨୩-୨୪ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସରକାର ୭୫୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଅଦ୍ୟାବଧି ଏହି ଯୋଜନା ମାଧ୍ୟମରେ ୮୨୬୭ ଉଠା ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର କରାଯାଇଛି ।
- ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି ଲାଗି ରାଜ୍ୟ ସରକାର ୨୦୧୯-୨୦ ମସିହାରେ ୧୧,୭୦୦ କୋଟି ଟଙ୍କା ବ୍ୟୟରେ ଅନ୍ତଃ ନଦୀ ଜଳାଶୟ ସୃଷ୍ଟି (ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର” ପ୍ରକଳ୍ପର ଯୋଜନା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୦ ଟି ନଦୀ ଗର୍ଭ ଜଳାଶୟ ପ୍ରକଳ୍ପ ଅନୁମୋଦନ ହୋଇଛି, ସେଥି ମଧ୍ୟରୁ ୨୮ଟି ପ୍ରକଳ୍ପ ନିର୍ମାଣାଧୀନ ଅଛି ଏବଂ ୨ଟି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଚାଲୁଅଛି । ଦ୍ୱିତୀୟ ପର୍ଯ୍ୟାୟରେ ୧୬ଟି ପ୍ରକଳ୍ପ ଅନୁମୋଦିତ ହୋଇଛି, ସେଥିମଧ୍ୟରୁ ୪ ଟି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି ।
- ନଦୀ ନାଳ ମାନଙ୍କରୁ ବିଭିନ୍ନ ଜଳାଶୟ ମାଧ୍ୟମରେ ଜଳ ସଂଗ୍ରହ କରି ଭୂତଳ ଜଳସ୍ତର ବୃଦ୍ଧି କରିବା ସହିତ ନିକଟବର୍ତ୍ତୀ ଚାଷଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନା ୨୦୧୦-୧୧ ରେ ଆରମ୍ଭ କରାଯାଇଥିଲା । ଏହି ଯୋଜନାରେ ଅଦ୍ୟାବଧି ୧୫,୦୦୦ ରୁ ଅଧିକ ଚେକ୍ ଡ୍ୟାମ ନିର୍ମାଣ କରାଯାଇଛି । ଦ୍ଵିତୀୟ ପର୍ଯ୍ୟ।ୟରେ ଏହି ଯୋଜନାକୁ ଆଉ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ୧୨୮୦ ଚେକ୍ ଡ୍ୟାମ ନିର୍ମାଣ ପାଇଁ ୮୧୧.୪୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
- ଜଳସେଚନ ପ୍ରକଳ୍ପଗୁଡିକରେ ଜଳ ବ୍ୟବହାର ଦକ୍ଷତା ବୃଦ୍ଧି ପାଇଁ କେନାଲ ସିଷ୍ଟମର ଜଳ ବ୍ୟବହାର ଦକ୍ଷତାକୁ ବୃଦ୍ଧି କରିବା ଓ କେନାଳର ତଳ ମୁଣ୍ଡରେ ପାଣି ପହଞ୍ଚାଇବା ପାଇଁ କେନାଲ ଲାଇନିଂ ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ୨୦୧୩-୧୪ ରୁ ୨୦୧୭-୧୮ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ କରାଯାଇଥିଲା । ପ୍ରଥମ ପର୍ଯ୍ୟ।ୟରେ ୨୦୧୮ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବୃହତ୍ତ ଓ ମଧ୍ୟମ ଜଳସେଚନ ଅଧୀନରେ ୧୧ଟି କାର୍ଯ୍ୟ ଏବଂ କ୍ଷୁଦ୍ର ଜଳସେଚନ ଅଧୀନରେ ୪୬ଟି କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଅଛି । ଦ୍ଵିତୀୟ ପର୍ଯ୍ୟ।ୟରେ ଏହି ଯୋଜନାକୁ ଆଉ ୫ ବର୍ଷ ଅର୍ଥାତ୍ ୨୦୧୮-୧୯ ରୁ ୨୦୨୨-୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିରେ ୧୧୫୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ, ବୃହତ୍ତ ଓ ମଧ୍ୟମ ଜଳସେଚନର ୨୮ଟି କାର୍ଯ୍ୟ ଏବଂ କ୍ଷୁଦ୍ର ଜଳସେଚନର ୩୯ ଟି କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି। ଜାନୁୟାରୀ ୨୦୨୩ ଶେଷ ସୁଦ୍ଧା ବୃହତ୍ତ ଓ ମଧ୍ୟମ ଜଳସେଚନର ୩ ଗୋଟି କାର୍ଯ୍ୟ ଏବଂ କ୍ଷୁଦ୍ର ଜଳସେଚନର ୧୬ ଗୋଟି କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ୨୭୦.୬୭ କିଲୋମିଟର କେନାଲ ଲାଇନିଙ୍ଗ କାର୍ଯ୍ୟ କରାଯାଇଅଛି ।
- ଜଳସେଚନ ପ୍ରକଳ୍ପରେ ଥିବା କେନାଲ ଗୁଡିକର ପୁନରୁଦ୍ଧାର ଓ ଉନ୍ନତିକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୬୩୫ କୋଟି ଟଙ୍କା ବିନିମୟରେ ୨୦୧୭-୧୮ ଆର୍ଥିକ ବର୍ଷରେ ଆରମ୍ଭ ହୋଇ ୨୦୧୯-୨୦ ରେ ଶେଷ ହୋଇଥିଲା । ଏହି ପର୍ଯ୍ୟାୟରେ ବୃହତ୍ତ ଓ ମଧ୍ୟମ ଜଳସେଚନ ଅଧୀନରେ ୮ ଟି କାର୍ଯ୍ୟ ଏବଂ କ୍ଷୁଦ୍ର ଜଳସେଚନ ଅଧୀନରେ ୨୭୮ ଟି କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଅଛି। ଏହା ଦ୍ଵାରା ପ୍ରାୟ ୪୩,୨୨୬ ହେକ୍ଟର ସେଚାଞ୍ଚଳ ପୁନରୁଦ୍ଧାର ହେବା ସହିତ ଅଧିକ ପ୍ରାୟ ୩୬୯ ହେକ୍ଟର ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯାଇଅଛି । ଦ୍ଵିତୀୟ ପର୍ଯ୍ୟ।ୟରେ ଏହି ଯୋଜନାକୁ ଆଉ ୫ ବର୍ଷ ଅର୍ଥାତ୍ ୨୦୨୦-୨୧ ରୁ ୨୦୨୪-୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିରେ ୮୨୩.୪୫ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ପ୍ରାୟ ୫୦,୧୦୦ ହେକ୍ଟର ସେଚାଞ୍ଚଳ ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି। ୨୦୨୩ ଜାନୁୟାରୀ ମାସ ଶେଷ ସୁଦ୍ଧା ୨ ଟି ବୃହତ୍ତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର କେନାଲ ଉନ୍ନତିକରଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇ ପ୍ରାୟ ୯୯୦ ହେକ୍ଟର ସେଚାଞ୍ଚଳ ପୁନରୁଦ୍ଧାର ହୋଇଛି । ଏହା ଦ୍ୱାରା କଟକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଗଞ୍ଜାମ, ସୋନପୁର, କଳାହାଣ୍ଡି, ନୟାଗଡ଼, ରାୟଗଡା, ମୟୂରଭଞ୍ଜ ଏବଂ କୋରାପୁଟ ଆଦି ଜିଲ୍ଲାର ଚାଷୀ ମାନେ ଉପକୃତ ହୋଇଛନ୍ତି ।
- ଏହି ଯୋଜନାରେ ଜଳସେଚନ ପ୍ରକଳ୍ପ ଗୁଡ଼ିକର ସେଚ ସାମର୍ଥ୍ୟର ସଠିକ ଉପଯୋଗ ପାଇଁ କ୍ଷେତ୍ର ଚାନେଲ ନିର୍ମାଣ କରାଯାଉଅଛି । ଏହାଦ୍ୱାରା ଚାଷ ଜମିରେ ସୁଷମ ଜଳ ବଣ୍ଟନ ହୋଇପାରୁଛି। ଏତଦବ୍ୟତୀତ ଚାଷ ଜମିରୁ ଅତିରିକ୍ତ ଜଳକୁ ନିଷ୍କାସନ ପାଇଁ ଡ୍ରେନ୍ ମଧ୍ୟ ନିର୍ମାଣ କରାଯାଉଅଛି । ଏହି ଯୋଜନା ଦ୍ଵାରା ଜାନୁୟାରୀ, ୨୦୨୩ ସୁଦ୍ଧା ୨୧୩୦୪ ହେକ୍ଟର କ୍ଷେତ୍ର ଚାନେଲ ଏବଂ ୨୭,୪,୩୫୮ ହେକ୍ଟର ଫିଲ୍ଡ ଡ୍ରେନ୍ ବିଭିନ୍ନ ଜିଲ୍ଲା ମାନଙ୍କରେ ନିର୍ମାଣ କରାଯାଇଅଛି।
- ଏହି ଯୋଜନା ବିଶ୍ଵ ବ୍ଯାଙ୍କ ଋଣ ସହାୟତାରେ ୨୦୧୯ ରୁ ୨୦୨୫ ମଧ୍ୟରେ ଜଳସମ୍ପଦ ବିଭାଗ, କୃଷି ଏବଂ କୃଷକ ସଶକ୍ତୀକରଣ ବିଭାଗ ଓ ମତ୍ସ୍ୟ ଏବଂ ପଶୁସମ୍ପଦ ବିକାଶ ବିଭାଗର ମିଳିତ ସହଯୋଗରେ କାର୍ଯ୍ୟକାରୀ କରାଯାଉଅଛି । ଏହି କାର୍ଯ୍ୟକ୍ରମରେ ସମନ୍ଵିତ ଚାଷ ପଦ୍ଧତିରେ କୃଷି ଉତ୍ପାଦନ ବୃଦ୍ଧି କରି ଚାଷୀମାନଙ୍କ ଆୟ ସୁରକ୍ଷିତ କରାଯିବ । ଅଦ୍ୟାବଧି ଏହି ଯୋଜନା ମାଧ୍ୟମରେ ୨୭ଟି ନିର୍ମାଣ ଶେଷ କରାଯାଇ ୩୧୯୫ ହେକ୍ଟର ଚାଷଜମିକୁ ପୁନରୁଦ୍ଧାର କରାଯାଇଛି ଏବଂ ୧୩୩ଟି କ୍ଷୁଦ୍ର ଜଳ ଜଳସେଚନ ପ୍ରକଳ୍ପ ନିର୍ମାଣଧୀନ ଅଛି ।
- ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ୍ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧକ ଲୁଣାବନ୍ଧ ପ୍ରକଳ୍ପ ଚେନ୍ନାଇର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ ଟେକ୍ନୋଲୋଜିର ବୈଷୟିକ ସହାୟତାରେ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଏବଂ ପୁରୀରେ ପ୍ରାୟ ୨୦୦ କିଲୋମିଟର ଲୁଣାବନ୍ଧକୁ ମଜବୁତ କରିବା ସହିତ ସେହି ଅଞ୍ଚଳର ଜୀବ ଓ ସମ୍ପଦର ସୁରକ୍ଷା କରିବ। ଏହି ଯୋଜନା ପାଇଁ ୭୬୩.୪୮ କୋଟି ଟଙ୍କା ବ୍ୟୟବରାଦ କରାଯାଇ ୨୧,୬୯୦ ହେକ୍ଟର ଚାଷଜମିକୁ ସୁରକ୍ଷା ଦେବା ସହିତ ୨, ୯୨,୫୦୦ ଲୋକଙ୍କୁ ଉପକୃତ କରିବ ।
- ବନ୍ୟା ନିୟନ୍ତ୍ରଣ ସହିତ ଲୁଣିପାଣିର ଅନୁପ୍ରବେଶ ରୋକିବା ପାଇଁ ବନ୍ୟା ନିୟନ୍ତ୍ରଣ ବନ୍ଧା ଓ ଲୁଣାବନ୍ଧ ନିର୍ମାଣ କରାଯାଉଅଛି । ଅଦ୍ୟାବଧି ନାବାର୍ଡ ଦ୍ଵାରା ପରିଚାଳିତ ଆର୍.ଆଇ.ଡି.ଏଫ୍ ଯୋଜନା ଦ୍ଵାରା ମୋଟ ୫୬୦ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟ ପାଇଁ ପ୍ରସ୍ତାବ ରହିଛି । ଯାହା ମଧ୍ୟରୁ ୪୨୨ ବନ୍ୟା ନିୟନ୍ତ୍ରଣ କାର୍ଯ୍ୟ ଶେଷ କରାଯାଇ ଜାନୁୟାରୀ ,୨୦୨୩ ସୁଦ୍ଧା ୧୪୫୯.୬୬ ହେକ୍ଟର ଅଞ୍ଚଳ ଉପକୃତ ହେଉଛନ୍ତି ।
- ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନତିକରଣ ପରିପ୍ରେକ୍ଷୀରେ ଉପକୂଳ ଓଡିଶାର ଜଳ ପ୍ଳାବିତ ଅଞ୍ଚଳର ଜଳ ନିଷ୍କାସନ ସମସ୍ୟାର ନିରାକରଣକୁ ଦୃଷ୍ଟିରେ ରଖି ଏବଂ ଶସ୍ୟ ଉତ୍ପାଦନ କ୍ଷମତା ବୃଦ୍ଧି ସହିତ କୃଷକମାନଙ୍କର ସାମାଜିକ ଓ ଆର୍ଥିକ ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ଡ୍ରେନେଜ ଉନ୍ନତିକରଣ କାର୍ଯ୍ୟକ୍ରମ (ଡି.ଆଇ.ପି) ଯୋଜନା ୧୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୪-୧୫ ରୁ ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ କରଯାଇଥିଲା । ଏହି ଯୋଜନାର ଅବଧିକୁ ପୁନର୍ବାର ଚାରି ବର୍ଷ ପାଇଁ ବୃଦ୍ଧି କରାଯାଇଛି । ଏହି ଯୋଜନାରେ ଅଦ୍ୟାବଧି ୮୯୬୩ କି.ମି. ନାଳର ପୁନରୁଦ୍ଧାର କରାଯିବା ସହିତ ୧୮୩୫ ନୂତନ ଷ୍ଟ୍ରକ୍ଚର ନିର୍ମାଣ କରାଯାଇ ୧,୬୮,୭୯୦ ହେକ୍ଟର ଚାଷଜମିକୁ ଜଳବନ୍ଦୀମୁକ୍ତ କରାଯାଇଛି । ଏହି ଯୋଜନାକୁ ଅ।ଉ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ୨୦୨୩-୨୪ ରୁ ୨୦୨୭-୨୮ ମଧ୍ୟରେ ୧୪୦୦ କୋଟି ଟଙ୍କା ବ୍ୟୟବରାଦରେ ୬୯୬୯ କି.ମି. ନାଳର ପୁନରୁଦ୍ଧାର କରାଯିବା ସହିତ ୧,୦୫,୮୬୮ ହେକ୍ଟର ଚାଷଜମିକୁ ଜଳବନ୍ଦୀମୁକ୍ତ କରାଯିବ ।
- ‘ଛାତ’ ଯୋଜନାରେ ବର୍ଷାଜଳ ଅମଳ ଓ ଭୂତଳ ଜଳର ପୁନଃଭରଣ ନିମନ୍ତେ ଜଳାକ୍ଳିଷ୍ଟ ପୌରାଂଚଳଗୁଡିକରେ ଓ ବ୍ଲକ ମାନଙ୍କରେ ଛାତ ଉପର ବର୍ଷା ଜଳ ଅମଳ ( ରୁଫ୍ ଟପ୍ ରେନ୍ ଓ୍ୱାଟର ହାର୍ଭେଷ୍ଟିଂ) ବ୍ୟବସ୍ଥା ନିର୍ମାଣ କରିବା ପାଇଁ ସରକାର ଏହି ଯୋଜନା ୨୦୨୨-୨୩ ରୁ ୨୦୨୬-୨୭ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ପାଇଁ ଅନୁମୋଦନ କରିଛନ୍ତି । ଏହି ଯୋଜନାରେ ୫ ବର୍ଷ ମଧ୍ୟରେ ୨୭ ଟି ସହରାଞ୍ଚଳ ଓ ୫୨ ଟି ବ୍ଲକରେ ୨୭୦ କୋଟି ଟଙ୍କା ବ୍ୟୟ କରାଯଇ ୧୯୨୫ ଟି ସରକାରୀ ଗୃହ ଏବଂ ୨୯୫୦୦ ଟି ଘରୋଇ ଗୃହରେ ଜଳ ଅମଳ ପ୍ରକଳ୍ପ କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି ।
- ଅରୁଆ (ଆର୍ଟିଫିସିଆଲ ରିଚାର୍ଯ୍ୟ ଟୁ ଅଣ୍ଡରଗ୍ରାଉଣ୍ଡ ଆକ୍ୱାଫର) ଯୋଜନାରେ ଭୂତଳ ଜଳ ପୁନଃ ଭରଣ କରାଯିବା ପାଇଁ ୪୯.୨୩ କୋଟି ଟଙ୍କା ବିନିମୟରେ ରାଜ୍ୟରେ 6ଟି ଅର୍ଦ୍ଧ ସଂକଟ ଜନକ ସ୍ଥିତି ଓ ସେହିଭଳି ସ୍ଥିତି ଆଡକୁ ଅଗ୍ରଗତି କରୁଥିବା ୨୬ଟି ବ୍ଲକରେ ୨୪୦୦ ଟି ଭୂତଳ ଜଳ ପୁନଃ ଭରଣ ବ୍ୟବସ୍ଥା ନିର୍ମାଣ କରାଯାଇ ଭୂତଳ ଜଳ ପୁନଃ ଭରଣ କରାଯିବା ପାଇଁ ପ୍ରସ୍ତାବ ଅଛି । ଏହି ଯୋଜନାରେ ଜାନୁୟାରୀ, ୨୦୨୩ ସୁଦ୍ଧା ୧୫୩ ଟି ଜଳ ପୁନଃ ଭରଣ ବ୍ୟବସ୍ଥା ନିର୍ମାଣ କରାଯାଇଅଛି ।
- ‘୫-ଟି’ର ଅଂଶ ଭାବରେ, ଜଳସମ୍ପଦ ଗୁଡିକର ସଠିକ୍ ନିର୍ଦ୍ଧାରଣ, ବନ୍ୟା ପୂର୍ବାନୁମାନ, ଜଳସେଚନ ପରିଚାଳନା ଏବଂ ପ୍ରକଳ୍ପ ପର୍ଯ୍ଯାଲୋଚନା ନିମନ୍ତେ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ସହଜ କରିବା ପାଇଁ ଗୋ-ଓ୍ୱାଟର ନାମକ ଏକ ନାମକ ଏକ ଜରୁରୀ ରେସପନ୍ସ ଯୋଜନାର ବିକାଶ ପାଇଁ ୨୦୨୩-୨୪ ମଧ୍ୟରେ ୩୦ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି । ଏହା ବ୍ଯତୀତ “ଆମ ଜଳାଶୟ ଇ-ସିଏଡି, ଇ-କାଡ୍, ଇ-ପିନସିସ୍,ହାଇଡ୍ରୋମେଟ, ଇ-ପ୍ରୋମିସ,ଇ-ଟିଏସିର ଉପଯୋଗ କରାଯାଇ ଜଳସଂପଦ ବିଭାଗର କାର୍ଯ୍ୟକୁ ସରଳୀକରଣ କରାଯାଇଛି ।