ବିରୋଧୀ ଦଳ ନେତା ଏତେ ରାଗୁଛନ୍ତି କାହିଁକି?

ବିରୋଧୀ ଦଳ ନେତା ଏତେ ରାଗୁଛନ୍ତି କାହିଁକି?

ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଏବଂ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ତରଫରୁ ଜୋରଦାର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ସମ୍ବଲପୁରରେ ମଧ୍ୟ ଏଥିପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ପୁଲିସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତା'ରି ଭିତରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଜନୈକ ମହିଳା ପୁଲିସ ଉପରକୁ ହାତ ଉଠାଇ ଥିବାର ଦୃଶ୍ୟ ରାଜ୍ୟର ପ୍ରମୁଖ ଟେଲିଭିଜନ ଚ୍ୟାନେଲ କନକ ଟିଭି ରେ ପ୍ରସାରିତ ଏକ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି। ବିରୋଧୀ ଦଳ ନେତା ଭାବେ ଜୟ ନାରାୟଣ ମିଶ୍ରଙ୍କର ଏ ପ୍ରକାର ବ୍ୟବହାର ଆଦୌ ଶୋଭନୀୟ ନୁହେଁ। ବିରୋଧୀ ଦଳ ନେତା ଯଦି ମହିଳା ପୁଲିସ ଙ୍କୁ ମାଡ଼ ମାରିବେ, ତାହା ଅପରାଧ ନିଶ୍ଚୟ। ହେଲେ ସବୁ ଠାରୁ ବଡ ପ୍ରଶ୍ନ ହେଲା ଜଣେ ବରିଷ୍ଠ ରାଜନେତା, ପୂର୍ବତନ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ଥିବା ବ୍ୟକ୍ତି ଏତେ ନିମ୍ନ ସ୍ତରର ଆଚରଣ ପ୍ରଦର୍ଶନ କରୁଛନ୍ତି କେମିତି?

ଗତ କିଛି ଦିନ ହେଲାଣି ଜୟ ନାରାୟଣ ସବୁ କଥାରେ ପ୍ରବଳ ରାଗୁଥିବାର ଦେଖିବାକୁ ମିଳୁଛି। ସର୍ବ ସାଧାରଣରେ ତାଙ୍କର ବକ୍ତବ୍ୟ ଓ ଆଚରଣରେ ପ୍ରବଳ ତିକ୍ତତା ଦେଖିବାକୁ ମିଳୁଛି। ଜୟ ନାରାୟଣ ଭୁଲିଯିବା ଉଚିତ ନୁହେଁ ଯେ ସେ ଏକ ଗଣତାନ୍ତ୍ରିକ ଅନୁଷ୍ଠାନର ଦାୟିତ୍ଵବାନ ପ୍ରତିନିଧି। ବିରୋଧୀ ଦଳ ନେତା ଅନ୍ତତଃ ମହିଳା ଙ୍କୁ ସମ୍ମାନ ଦେବା ଶିଖିବା ଉଚିତ!!