ଚମେଲି ଓଝାଙ୍କ ଚିତ୍କାର ଓ ସରକାର

ଚମେଲି ଓଝାଙ୍କ ଚିତ୍କାର ଓ ସରକାର

କେନ୍ଦ୍ରାପଡା ଜିଲା ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚମେଲି ଓଝା ଏବେ ଜେଲରେ ଅଛନ୍ତି । ନା, ଏବେ ଜେଲରେ ତାଙ୍କ ଦେହ ଖରାପ ହେବାରୁ ସେ ଡାକ୍ତରଖାନାରେ ଅଛନ୍ତି ଓଡିଶା ସରକାରଙ୍କ ଅତ୍ୟନ୍ତ ତତ୍ପର ଓ ପାରଙ୍ଗମ ପୁଲିସ ତାଙ୍କୁ ଡାକ୍ତରଖାନାରୁ ହିଁ ଗିରଫ କରିଥିଲେ ଓ ଜେଲରେ ତାଙ୍କ ଦେହ ବେଶୀ ଖରାପ ହେବାରୁ ତାଙ୍କୁ ଆଣି କେନ୍ଦ୍ରାପଡା ଡାକ୍ତରଖାନାର ବାରଣ୍ଡାରେ ଗଡେଇ ଦେଇଥିଲେ ଚମେଲି ଓଝାଙ୍କ ଅପରାଧ କଣ ? ସେ କଣ ଜଣେ ଅଭ୍ୟାସଗତ ଅପରାଧୀ ନା ସେ ଏମିତି କିଛି କରି ପକେଇଛନ୍ତି ଯେଉଁଥିରେ ତାଙ୍କୁ ଜେଲକୁ ପଠାଇବା ଏକମାତ୍ର ସରକାରୀ ବିକଳ୍ପ ଥିଲା ? ପୂରା ଘଟଣାକ୍ରମରୁ ଗୋଟେ କଥା ଜଣା ପଡୁଛି ଯେ, ଚାମେଲିଙ୍କର ଏକମାତ୍ର ଅପରାଧ ହେଉଛି ସେ ବିଡିଓଙ୍କୁ ଦାବିପତ୍ର ଦେବାବେଳେ ତାର ଫେସବୁକ ଲାଇଭ କରୁଥିଲେ ସେଇ ଲାଇଭ କରିବା ଅପରାଧକୁ ବଢେଇ ଚଢେଇ ବିଡିଓ ତାଙ୍କ ଉପରେ ଆକ୍ରମଣ ହେଇଛି ବୋଲି ଅଭିଯୋଗ ଆଣିଲେ ଅଥଚ ପୂରା ଜଗତ ଦେଖୁଥିଲା ଯେ, ବିଡିଓ ଓ ପୁଲିସ ଚାମେଲିଙ୍କୁ ଜବତ କରିବାକୁ ଚେଷ୍ଟା କରୁଥିଲେ ସରକାରୀ ଅଧିକାରୀମାନେ ଲୋକ ପ୍ରତିନିଧିମାନଙ୍କ ପ୍ରତି କେତେ ନିମ୍ନ ରୁଚିର ବ୍ୟବହାର ଦେଖାନ୍ତି, ଏହି ଘଟଣାଟି ତାର ଏକ ଉଦାହରଣ ।

ଏହି ଘଟନା ପରେ ଏବେ ରାଜ୍ୟର ଗଣମାଧ୍ୟମରେ ଚମେଲି ଓଝାଙ୍କୁ ନେଇ ଚର୍ଚ୍ଚା ବଢିଯାଇଛି ଆଜିର ତାରିଖରେ ସବୁଠୁ ବଡ ପ୍ରଶ୍ନ ହେଉଛି,  ଚମେଲି ଓଝା କିଏ? ସେ କେଉଁ ରାଜନୈତିକ ଦଳର ସମର୍ଥକ ଓ ସେ ମହାକାଳପଡା ବିଧାୟକଙ୍କ ଆଖିରେ କଣ୍ଟା ହେଇ ଫୁଟିଲେ କାହିଁକି ? ଜଣେ ମହିଳା ସରପଞ୍ଚଙ୍କୁ ଜବତ କରିବାକୁ ପୂରା ରାଜ୍ୟ ପ୍ରଶାସନ, ତାଙ୍କର ପୋଷା ମିଡିଆ ଓ ପୁଲିସ ମାତ୍ରାଧିକ ତତ୍ପରତା ପ୍ରକାଶ କରୁଛି କାହିଁକି ? ଏ ସବୁ ପ୍ରଶ୍ନର ଉତ୍ତର ଯଦିଓ ଅଛି, ଆମ ପାଇଁ ସେ ସବୁ ପ୍ରଶ୍ନର କୌଣସି ଅର୍ଥ ନାଇଁ ସାଧାରଣ ନାଗରିକ ଭାବରେ ଆମେ ଦେଖୁଛୁ ଯେ, ଗୋଟେ ଉଛ ଶିକ୍ଷିତା ସାହସୀ ଝିଅ ଗୋଟେ ପ୍ରଶାସନକୁ ପ୍ରଶ୍ନ ପଚାରିଲେ, ପ୍ରଶାସନ ରାକ୍ଷସ ପାଲଟି ଯାଉଛି କେମିତି ଆମେ ଦେଖୁଛୁ, କେମିତି ଚମେଲି ଓଝାକୁ ଛାପି ଦେବା ପାଇଁ ପୂରା ସରକାର ଲାଗି ପଡିଛି, ତାକୁ ଦେଖିଲେ ସରକାର ଉପରେ ଦୟା ଆସୁଛି

ଚମେଲି ଓଝା ବିଡିଓଙ୍କୁ ବାବିପତ୍ର ଦେବାର ଭିଡିଓ କରିବା ଅପରାଧ କି ? ଯଦି ଏହା ଅପରାଧ, ତା ହେଲେ ଏ ଅପରାଧର ସବୁଠୁ ବଡ ଅପରାଧୀ ଆମର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏମାନେ ଯାହା କଲେ ତାର ଲାଇଭ ଚିତ୍ର ଆମେ ଦେଖୁଛୁ ପ୍ରଧାନମନ୍ତ୍ରୀ ଝାଲମୁଢି ଖାଇବା ଗତ କିଛିଦିନ ତଳର ଏକ ଭାଇରାଲ ଦୃଶ୍ୟ ଥିଲା । ଟେକ୍ନୋଲଜି ସାଧାରଣ ଲୋକଙ୍କୁ ନିଜ ସ୍ଵରକୁ ଅଧିକ ସକ୍ରିୟ କରିବାର ସୁଯୋଗ ଦେଇଛି ସେଇ ଟେକ୍ନୋଲଜିର ବ୍ୟବହାର ଚମେଲିଙ୍କର ଅଧିକାର । ତାଙ୍କୁ ସେ ଅଧିକାରରୁ ବଞ୍ଚିତ କରିବାକୁ ବିଡିଓ ବା ପୁଲିସର ଅଧିକାର ଆସିଲା କେମିତି ?  

ଏଇ ସମୁଦାଯ ଘଟଣାକ୍ରମର ତର୍ଜମା କଲେ ଗୋଟେ କଥା ସ୍ପଷ୍ଟ ହୋଇଯିବ ସରକାର ପାଇଁ ଅଧିକ କଥା କହୁଥିବା ଓ ଅଧିକ ସାହସ ରଖିଥିବା ଝିଅଟି ଏକ ସମସ୍ୟା । ଚମେଲି ଓଝା ଏତେ କଥା କହୁଛନ୍ତି କାହିଁକି, ଏଇଟା ସରକାର ପାଇଁ ସବୁଠୁ ବଡ ସମସ୍ୟା ପ୍ରଶାସନର ବୁଲଡୋଜର ଆଗରେ ଠିଆ ହେବାର ସାହସ ରଖିଥିବା ଏ ଝିଅଟିକୁ ପ୍ରଶାସନ ସବୁଦିନ ପାଇଁ ଚୁପ କରିଦେବାକୁ ଚାହେଁ ସେଥିପାଇଁ ତାଙ୍କୁ ଗତ ୭୨ ଘଣ୍ଟା ଭିତରେ ଅକଥନୀୟ ନିର୍ଯାତନା ଦିଆଯାଇଛି ଓ ଆଗକୁ ମଧ୍ୟ ତାଙ୍କୁ ଚାପଗ୍ରସ୍ତ କରି ରଖାଯିବ ।  ବିଜେପି ଶାସନରେ କଥା କହୁଥିବା ନାଗରିକକୁ ସହ୍ୟ କରାଯାଏ ନାହିଁ ଚମେଲିଙ୍କ କଥା କହିବାର ସାହସକୁ ପୁଲିସ ଜରିଆରେ ବିଭିନ୍ନ ଦଫା ଲଗାଇ  ଛାପି ଦିଆଯିବ କିମ୍ବା ଆଗାମୀ ଦିନରେ ତାଙ୍କୁ କିଣିବାକୁ ଚେଷ୍ଟା କରାଯିବ ଯେତେବେଳେ ଗୋଟେ ସାହସୀ ଝିଅକୁ ସମର୍ଥନ କରିବାକୁ ଆମ ସମାଜ ଆଗେଇ ଆସିବ, ସେତେବେଳେ ଭୟରେ ସରକାର ଚମେଲିଙ୍କୁ ବିଭିନ୍ନ ବାଗରେ ପ୍ରଲୋଭିତ କରିବେ ଓ ତାଙ୍କୁ ନିଜ ସପକ୍ଷରେ ଠିଆ କରିବାକୁ ଉଦ୍ୟମ କରିବେ।  ଚମେଲି ଏତେ ଚାପ ଭିତରେ ନିଜ ବିବେକ ଓ ସାହସକୁ ବଞ୍ଚେଇ ରଖିପାରିବେ କି ନା ତାହା ଆଗାମୀ ସମୟ କହିବ