ସୋସିଆଲ ମିଡିଆ : ଘୃଣା ଓ ହିଂସାର ରାଜନୈତିକ ବଜାର
୨୫, ମଇ, ୨୦୦୯ରେ “ଫେସବୁକ” ରେ ମୁଁ ମୋର ପ୍ରଥମ ପୋଷ୍ଟିଂ କରିଥିଲି। ସେତେବେଳେ ଛତିଶଗଡ ସରକାର ବିଶିଷ୍ଟ ମାନବାଧିକାର କର୍ମୀ ବିନାୟକ ସେନଙ୍କୁ ମାଓବାଦୀ ଲିଙ୍କ ସନ୍ଦେହରେ ଗିରଫ କରିଥାନ୍ତି। ଏହି ଗିରଫଦାରୀ ପ୍ରତିବାଦରେ ସାରା ଦେଶରେ ସେତେବେଳେ ତୀବ୍ର ପ୍ରତିବାଦ ହେଉଥାଏ। ବିନାୟକ ସେନଙ୍କ ତରଫରୁ ମାଗଣାରେ ମକଦ୍ଦମା ଲଢିବାକୁ ପ୍ରଖ୍ୟାତ ଓକିଲ ସ୍ଵର୍ଗତ ରାମ ଜେଠମଲାନି ଘୋଷଣା କରିଥାନ୍ତି। ସ୍ଵର୍ଗତ ଜେଠମଲାନି ଯେହେତୁ ଉଭୟ ବିଜେପି ଓ ଶିବସେନାର ରାଜ୍ୟସଭା ସଦସ୍ୟ ରହି ସାରିଥିଲେ, ତେଣୁ ତାଙ୍କୁ ସେତେବେଳେ କେହି “ଅର୍ବାନ ନକ୍ସଲ” କହୁନଥିଲେ। ଆମେ ସବୁ ସେତେବେଳେ ୟୁପିଏ-୨ ସରକାର ବିରୋଧରେ ପ୍ରବଳ ଲେଖୁଥିଲୁ। “ଫେସବୁକ” ଆସିବା ପରେ ଆମକୁ ଲାଗିଥିଲା, ଆମ ଲାଗି ଏକ ମୁକ୍ତ ମଞ୍ଚ ମିଳିଗଲା। ମୁଖ୍ୟଧାରାର ଗଣମାଧ୍ୟମରେ ସବୁବେଳେ ଏକ ସୀମା ରହୁଥିଲା। ତେଣୁ ସୋସିଆଲ ମିଡିଆ ଆମ ଲାଗି ସେତେବେଳେ ସ୍ବାଧିନତାର ଏକ ନୂଆ ଆବିଷ୍କାର ବୋଲି ଆମେ ଭାବୁଥିଲୁ। ସେତେବେଳେ ଆମେ ବିଲକୁଲ ଜାଣି ନଥିଲୁ ଯେ ଏହାର ମାଲିକ ହାର୍ଭାର୍ଡ଼ ବିଶ୍ଵ ବିଦ୍ୟାଳୟର ଛାତ୍ର ଓ ନିଜ ସାଙ୍ଗସାଥିଙ୍କ ଭିତରେ ସମ୍ପର୍କ ଯୋଡିବାକୁ ଯାଇ ସେ ଏହି “ନେଟୱାର୍କ” ତିଆରି କରିଛନ୍ତି।
୨୦୧୦ ପରଠୁ ଫେସବୁକ ଆମ ସମସ୍ତଙ୍କ ଜୀବନରେ ସବୁଠୁ ବଡ ଆବଶ୍ୟକତା ହୋଇପଡିଲା ଓ କ୍ରମେ କ୍ରମେ ଭାରତୀୟ ରାଜନୀତି ଫେସବୁକ କୈନ୍ଦ୍ରିକ ହେବା ଆରମ୍ଭ କଲା।ଏହି ସମାନ ସମୟରେ ଆରବ ରାଷ୍ଟ୍ର ଗୁଡିକରେ ସରକାର ବିରୋଧୀ ଭାବନା ଫେସବୁକ ମାଧ୍ୟମରେ ବଢିବା ଆରମ୍ଭ ହେଲା। ତାର ସିଧା ପ୍ରତିଫଳନ ଭାରତୀୟ ରାଜନୀତିରେ ପଡିବା ଆରମ୍ଭ ହେଲା। ୟୁପିଏ-୨ ସରକାର ଦୁର୍ନୀତିଗ୍ରସ୍ତ ଓ ଏହାକୁ ହଟାଇବା ହିଁ ଭାରତୀୟ ରାଜନୀତିର ପ୍ରାଥମିକତା ବୋଲି ଆମେ ବୁଝିଲୁ। ଆମେ ବୁଝିଲୁ ନା ଆମକୁ ବୁଝାଇ ଦିଆଗଲା, ତାହା ଆଜିର ସବୁଠୁ ବଡ ପ୍ରଶ୍ନବାଚୀ। ୨୦୦୪ରେ ମାର୍କ ଜୁକେରବର୍ଗଙ୍କ ପକେଟ ମନି ରୁ ଆରମ୍ଭ ହୋଇଥିବା “ଫେସବୁକ” ମାତ୍ର ୧୬ ବର୍ଷରେ ୨୬୧.୨୪ ବିଲିୟନ ଡଲାରର ବିଶାଳ ବଜାର ତିଆରି କରିଛି। ତେବେ ଏହି କୁହୁକ ବଜାର ତିଆରି କରିବାରେ ଫେସବୁକ ବିଭିନ୍ନ ଦେଶର ରାଜନୀତି, ଜନମତ, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ନିର୍ବାଚନକୁ ପ୍ରଭାବିତ କରୁଥିବାର ବହୁ ସଙ୍ଗୀନ ଅଭିଯୋଗ ଆସିଛି।
କିଛି ବର୍ଷ ତଳେ ଆମେରିକାର ପ୍ରସିଦ୍ଧ ଅର୍ଥନୈତିକ ସଂବାଦପତ୍ର “ଦ ୱାଲଷ୍ଟ୍ରୀଟ ଜର୍ଣ୍ଣାଲ” ଏକ ଦୀର୍ଘ ରିପୋର୍ଟ ପ୍ରକାଶ କରି ଭାରତର ରାଜନୀତିରେ “ଫେସବୁକ” କେମିତି ଶାସକ ଦଳକୁ ସୁହାଇବାକୁ ଯାଇ ଘୃଣା ଓ ହିଂସାର ପ୍ରଚାର କରୁଥିବା ରାଜନେତାମାନଙ୍କୁ ପୃଷ୍ଠପୋଷକତା ଦେଉଛି, ତାର ବିଶେଷ ସୂଚନା ଦେଇଛି। ଘୃଣା ଓ ହିଂସା ତିଆରି କରୁଥିବା ପୋଷ୍ଟିଂ କୁ ଫେସବୁକ ରୁ ବାଦ ଦେବାର ନିୟମକୁ ଶାସକ ଭାରତୀୟ ଜନତା ପାର୍ଟିର ନେତାଙ୍କ କ୍ଷେତ୍ରରେ କୋହଳ କରା ଯାଉଛି ବୋଲି ଏହି ରିପୋର୍ଟ ପ୍ରମାଣ ସହିତ ଉଲ୍ଲେଖ କରିଛି। ଶାସକ ଦଳର ନେତାଙ୍କ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ ନ କଲେ “ଫେସବୁକ” ର ବଜାର ପ୍ରଭାବିତ ହେବ ବୋଲି ଫେସବୁକ ର ବରିଷ୍ଠ ଅଧିକାରୀ ଅନଖି ଦାସ ଯୁକ୍ତି କରିଥିବା କଥା ନିଜେ ଫେସବୁକ ସ୍ଵୀକାର କରିଛି।
୨୦୧୪ ପରଠୁ ସାମ୍ପ୍ରଦାୟିକ ହିଂସା ଓ ଉତ୍ତେଜନା ବଢାଇବାକୁ “ଫେସବୁକ” କୁ ଏକ ମାଧ୍ୟମ ଭାବେ ରାଜନୈତିକ ଦଳମାନେ ବ୍ୟବହାର କରୁଛନ୍ତି। ଆମେରିକାରେ ଏ ପ୍ରକାର ରାଜନୀତି କରୁଥିବା ନେତାଙ୍କର ଏକାଉଣ୍ଟ ଓ ପୋଷ୍ଟ କୁ ଫେସବୁକ ବନ୍ଦ କରୁଥିବା ବେଳେ ଭାରତରେ ଠିକ ବିପରୀତ ଆଚରଣ କରୁଛି। ଗତ ୬ ବର୍ଷ ଧରି ସରକାର ସପକ୍ଷବାଦୀ ବିଚାରକୁ ବଢାଇବା ଓ ସରକାର ବିରୋଧୀ ଭାବନାକୁ ଚପାଇବାର ଏକ ସୁଚିନ୍ତିତ ଯୋଜନା ଫେସବୁକ ମାଧ୍ୟମରେ ଚାଲୁ ରହିଛି। ଅନେକ ସମୟରେ ସରକାର ବିରୋଧୀ ଜନମତକୁ ଚପାଇଦେବା ଓ ଶାସକ ଦଳ ପାଇଁ ଅଧିକ ସୁଯୋଗ ଦେବାର ବ୍ୟବସ୍ଥା କରିଥିବାର ଅଭିଯୋଗ ଅନେକ ଆଗରୁ ହେଉଛି। ତେବେ ଏ ସମ୍ପର୍କରେ ଭାରତର ଗଣମାଧ୍ୟମ ପାଟି ଚୁପ କରି ରହିଥିଲେ।
ପ୍ରଥମଥର ଲାଗି ଆମେରିକାର ଏକ ସଂବାଦପତ୍ର ଫେସବୁକର ଅଗଣତାନ୍ତ୍ରିକ ଯୋଜନା କୁ ଲୋକଲୋଚନକୁ ଆଣିଥିଲା। ବର୍ତ୍ତମାନ ଦେଶରେ ୨୮ କୋଟି ଲୋକଙ୍କର ଫେସବୁକ ଏକାଉଣ୍ଟ ରହିଛି। ଏଥିରୁ କେତେ ସତ ଓ କେତେ ଛଦ୍ମ ଏକାଉଣ୍ଟ ତାହା ବି ବଡ ପ୍ରଶ୍ନବାଚୀ। ଫେସବୁକ ଏକାଉଣ୍ଟ ଖୋଲି “ଜନପ୍ରିୟତା”ର କୃତ୍ରିମ ବଜାର ତିଆରି କରିବା ପାଇଁ ଶହ ଶହ ସଂସ୍ଥା ଏବେ କ୍ମ କରୁଛନ୍ତି। ଲୋକମତ ଏବଂ ରାଜନୈତିକ ହାୱାକୁ ଏକ ନିର୍ଦ୍ଦିଷ୍ଟ ପକ୍ଷକୁ ମୋଡିବା ଲାଗି ଫେସବୁକ ଓ ହ୍ଵାଟ୍ସ ଆପ ଜରିଆରେ ଯେଉଁ ଉଦ୍ୟମ ଚାଲିଛି, ତାର ସାମାନ୍ୟ ସଙ୍କେତ ଆମେ ପାଇଛୁ। ହ୍ଵାଟ୍ସ ଆପ ମାଧ୍ୟମରେ ମିଛ ଖବର ପ୍ରସାରଣ ର ଏକ ବିରାଟ କାରଖାନା ଏବେ ଚାଲିଛି। “ଫେସବୁକ” ର ପ୍ରତ୍ଯକ୍ଷ ସହଯୋଗ ନହେଲେ ଏ ପ୍ରକାର ମିଛ ଖବରର କାରଖାନା ଚାଲି ପାରିବ ନାହିଁ। ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ପୋଷ୍ଟିଂ କୁ ହିଂସା ଉଦ୍ରେକକାରୀ ବୋଲି କହି ଉଡେଇ ଦେଉଥିବା ଫେସବୁକ ଭାରତରେ ସରକାରୀ ପ୍ରଚାର ସଂସ୍ଥା ଭାବେ କାମ କରିବାକୁ ଚାହୁଁଛି କାହିଁକି?
ଏ ପ୍ରସଙ୍ଗରେ ଟ୍ଵିଟରର ପ୍ରତିଷ୍ଠାତା ଜ୍ୟାକ ଡୋର୍ସି ଅତି ସ୍ପଷ୍ଟ ଭାବରେ କହିଛନ୍ତି ଯେ କୃଷକ ଆନ୍ଦୋଳନ ସମୟରେ ଭାରତ ସରକାର ନିଜ ବିରୋଧୀଙ୍କ ସ୍ଵରକୁ ଚପାଇ ରଖିବାକୁ ଚାପ ପକାଇଥିଲେ ।
ଏହାର ସ୍ପଷ୍ଟ ଉତ୍ତର ହେଉଛି, ଭାରତ ସରକାରଙ୍କୁ ଖୁସି ନ କଲେ ଭାରତୀୟ ବଜାରକୁ କବଜା କରିହେବ ନାହିଁ। ବଜାର ଲାଗି ଗଣତନ୍ତ୍ରକୁ ବଳି ପକାଇବାରେ ବ୍ୟବସାୟୀମାନେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ।