ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ

ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନଭେନସନ ହଲରେ  ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା 8 ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀ ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ ସୁପରଭାଇଜର ଆଦି ସାଇକେଲ ପାଇଛନ୍ତି । ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ମିଶନ ଶକ୍ତି ବିଭାଗର ମିଳିତ ସମନ୍ୱୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । 

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଭାଗିଦାରୀ ମିଶନ ଶକ୍ତିକୁ ଏକ ସଫଳ କାର୍ଯ୍ୟକ୍ରମ କରିଛି । ସେ କହିଥିଲେ ଯେ ସେ ଓଡିଶାର ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି ଏବଂ ମିଶନଶକ୍ତି ମା ମାନଙ୍କୁ ଭେଟୁଛନ୍ତି । ସେମାନେ ମଧ୍ୟ ନବୀନ ନିବାସ ଆସି ତାଙ୍କୁ ଭେଟୁଛନ୍ତି । ମା ମାନଙ୍କର ସଫଳତା ମୋତେ ବହୁତ ଖୁସି ଦେଉଛି ବୋଲି ସେ କହିଥିଲେ । ଆପଣମାନଙ୍କ ଆତ୍ମବିଶ୍ୱାସ, ଆପଣମାନଙ୍କ ଉତ୍ସାହ ମିଶନଶକ୍ତିକୁ ଏକ ନମ୍ବର ସଫଳ କାର୍ଯ୍ୟକ୍ରମ କରିଛି ବୋଲି  ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ମିଶନ ଶକ୍ତି ମା ମାନଙ୍କୁ ୧୦୦ କୋଟି ଟଙ୍କାର ପ୍ରୋତ୍ସାହନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ ଏବଂ କହିଥିଲେ ଯେ ଓଡିଶାର ମିଶନ ଶକ୍ତି କମ୍ୟୁନିଟି ପାର୍ଟିସିପେସନ କ୍ଷେତ୍ରରେ ସାରା ବିଶ୍ବରେ ସୁନାମ କରିଛି ଓ ନୂଆ ବେଞ୍ଚମାର୍କ ସୃଷ୍ଟି କରିଛି । ସମସ୍ତେ ମିଳିମିଶି ଭଲ କାମ କରି ଓଡିଶା ମା ର ସୁନାମ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ ।