ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ କମ, ଛାତ୍ରଛାତ୍ରୀ, କାରିଗର ଓ ବୁଣାକାରଙ୍କ ପାଇଁ ସଂପୂର୍ଣ୍ଣ ମାଗଣା

ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ କମ, ଛାତ୍ରଛାତ୍ରୀ, କାରିଗର ଓ ବୁଣାକାରଙ୍କ ପାଇଁ ସଂପୂର୍ଣ୍ଣ ମାଗଣା

ଜନସାଧାରଣ, ବିଶେଷ କରି ଯୁବ ସମାଜ, ଛାତ୍ର ସମାଜ ତଥା ପର୍ଯ୍ୟଟକ ମାନେ ଯେପରି ଆମ କଳା ଓ ସଂସ୍କୃତି ସହିତ ଭଲ ଭାବରେ ପରିଚିତ ହୋଇପାରିବେ, ସେ ଦୃଷ୍ଟିରୁ ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଏତଦ୍‌ବ୍ୟତୀତ ଛାତ୍ରଛାତ୍ରୀ, କାରିଗର ଓ ବୁଣାକାର ମାନଙ୍କ ପାଇଁ ସଂଗ୍ରହାଳୟରେ ପ୍ରବେଶ ନିମନ୍ତେ କୌଣସି ଦେୟ  ଆଦାୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।   ଆମ ରାଜ୍ୟରେ ଥିବା ସଂଗ୍ରହାଳୟ ଗୁଡିକ ଯେପରି ଅଧିକ ଲୋକପ୍ରିୟ ହେବ ଏବଂ ପର୍ଯ୍ୟଟକ ମାନେ ସେଗୁଡିକ ପରିଦର୍ଶନର ସୁଯୋଗ ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

 ସୂଚନାଯୋଗ୍ୟ ଯେ ଭୁବନେଶ୍ବରରେ ରାଜ୍ୟ ସଂଗ୍ରହାଳୟ ସହିତ କଳାଭୂମି, ଆଦିବାସୀ ସଂସ୍କୃତି ଓ ଗବେଷଣା ସଂଗ୍ରହାଳୟ, କଟକରେ ସାମୁଦ୍ରିକ ସଂଗ୍ରହାଳୟ ତଥା ବିଭିନ୍ନ ଜିଲ୍ଲାରେ  ଅନେକ ସଂଗ୍ରହାଳୟ ରହିଛି । ଏଗୁଡିକୁ ଲୋକପ୍ରିୟ କରିବା ପାଇଁ ଏବଂ ପରିଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସହାୟକ ହେବ ବୋଲି ଆଶା କରାଯାଉଛି ।