ଇଡି କାର୍ଯ୍ୟକଳାପ : ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ

ଇଡି କାର୍ଯ୍ୟକଳାପ : ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ପ୍ରାୟ ଅଧିକାଂଶ ବିଜେପି ବିରୋଧୀ ରାଜ୍ୟ ସରକାରଙ୍କ ପଦାଧିକାରୀମାନଙ୍କ ବିରୋଧରେ ବିଭିନ୍ନ ପ୍ରକାର ମାମଲା କରି ସେମାନଙ୍କୁ ଭୟଭୀତ କରୁଥିବାର ଅଭିଯୋଗ ସୁପ୍ରିମକୋର୍ଟଙ୍କ ନିକଟରେ କରାଯାଇଛି । ସଂଘୀୟ ବ୍ୟବସ୍ଥାରେ ଯେଉଁ କ୍ଷମତା ରାଜ୍ୟ ସରକାରଙ୍କ ହାତରେ ରହିଛି ସେହି ବ୍ୟାପାରରେ ହୋଇଥିବା ଅପରାଧରେ ମନି ଲଣ୍ଡରିଂର ଅଭିଯୋଗ ଅଣାଯାଇ ଇଡି ସେଗୁଡ଼ିକ ଭିତରେ ପ୍ରବେଶ କରୁଛି । ଗତ ମଙ୍ଗଳବାର ଦିନ ଖୋଦ୍ ଛତିଶଗଡ଼ ସରକାର ସୁପ୍ରିମକୋର୍ଟରେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ୨ହଜାର କୋଟି ଟଙ୍କାର ମଦ କାରବାର ଦୁର୍ନୀତିରେ ଏକ ମନି ଲଣ୍ଡରିଂ କେଶ୍ ନିମନ୍ତେ ଇଡି ପକ୍ଷରୁ ସରକାରୀ ଅଧିକାରୀମାନଙ୍କୁ ଭୟଭୀତ କରାଯାଉଛି ।

ଜଷ୍ଟିସ୍ ସଂଜୟ କିଶାନ୍ କାଉଲ୍ ଓ ଆସାଉଦ୍ଦିନ୍ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଅଭିଯୋଗକୁ ଶୁଣି କେନ୍ଦ୍ରୀୟ ଏଜେନ୍ସି ଏକ ଭୟର ବାତାବରଣ ସୃଷ୍ଟି ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ଛତିଶଗଡ଼ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା କପିଲ ସିବଲ୍ ଦର୍ଶାଇଛନ୍ତି ଯେ ରାଜ୍ୟର ପ୍ରାୟ ୫୦ଜଣ ଅବକାରୀ ଅଧିକାରୀ ଇଡି ପକ୍ଷରୁ ସେମାନଙ୍କୁ ଭୟଭୀତ କରାଯାଉଥିବାର ଅଭିଯୋଗ କରିଛନ୍ତି । ଯଦିଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ଇଡି କେବଳ ଏକ ଦୁର୍ନୀତିର ତଦନ୍ତ କରୁଛି । କିନ୍ତୁ ଇଡି ଏହି ମାମଲାର ତଦନ୍ତ ସମୟରେ ଅବକାରୀ ବିଭାଗର ଅଧିକାରୀମାନଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଥିବାର ଅଭିଯୋଗ ୫୨ଜଣ ଅବକାରୀ ବିଭାଗ ଅଧିକାରୀ ଲିଖିତ ଭାବରେ ଜଣାଇଛନ୍ତି । କିନ୍ତୁ ଏହି ଅଭିଯୋଗ ଉପରେ ଯଦି ରାଜ୍ୟ ସରକାରଙ୍କ ଏଜେନ୍ସି କାର୍ଯ୍ୟାନୁଷ୍ଠାନ କରେ, ତେବେ ସେଠାରେ କେନ୍ଦ୍ର-ରାଜ୍ୟ ମଧ୍ୟରେ ଏକ ବଡ଼ଧରଣର ମୁକାବିଲା ସୃଷ୍ଟି ହେବ । ଏହିକଥା ଯେ କେବଳ ଛତିଶଗଡ଼ ପକ୍ଷରୁ କୁହାଯାଇଛି ତାହା ନୁହେଁ, ଦିଲ୍ଲୀରେ ଅବକାରୀ ମାମଲାରେ ତଦନ୍ତ ଚଳାଇ ସାକ୍ଷୀ ଭାବରେ ଯେଉଁମାନଙ୍କୁ ନିଆଯାଇଛି ସେମାନେ ମଧ୍ୟ ଏଜେନ୍ସି ପକ୍ଷରୁ ସେମାନଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ସହିତ ପରିବାର ଲୋକମାନଙ୍କ ଜୀବନ ପ୍ରତି ଭୟର ବାତାବରଣ ସୃଷ୍ଟି କରାଯାଇଛି । ଛତିଶଗଡ଼ର ଅଧିକାରୀମାନେ ମଧ୍ୟ ସେମାନଙ୍କ ପରିବାର ପ୍ରତି ଏଜେନ୍ସି ପକ୍ଷରୁ ଧମକ ଦିଆଯାଇ ପୂର୍ବରୁ ପ୍ରସ୍ତୁତ ଲିପିବଦ୍ଧ କାଗଜରେ ଦସ୍ତଖତ କରିବା ପାଇଁ ବାଧ୍ୟ କରାଯାଉଛି । ଏପରିକି ଜଣେ ଅଧିକାରୀ ପିଏମ୍‌ଏଲ୍‌ଏ (ପ୍ରିଭେନ୍‌ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ)ର ସ୍ୱତନ୍ତ୍ର ଅଦାଲତରେ ଦର୍ଶାଇଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନାଁ କହିବା ପାଇଁ ତାଙ୍କୁ ମାଡ଼ ଦିଆଯାଇଛି । ବାସ୍ତବରେ ଇଡିର କାର୍ଯ୍ୟକଳାପ ଯୋଗୁ ଛତିଶଗଡ଼ରେ ଶାସନ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।


ଛତିଶଗଡ଼ରେ କେନ୍ଦ୍ରୀୟ ଏଜେନ୍ସି ଇଡି ଯେପରି କ୍ଷମତା ବାହାରେ ଓ ବେଆଇନ୍ ଭାବରେ କାର୍ଯ୍ୟକଳାପ ଚଳାଇଛନ୍ତି ଓ ସେଥିଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛତିଶଗଡ଼ ପକ୍ଷରୁ ସମ୍ବିଧାନର ୧୩୧ ଧାରାରେ ଏକ ମାମଲା ଦାଏର କରାଯାଇଛି । ଏହି ମାମଲାରେ ପିଏମ୍‌ଏଲ୍‌ଏ-୨୦୦୨ର କେତେଗୁଡ଼ିଏ ଧାରାର ବୈଧତା ନେଇ ସିଧାସଳଖ ଚ୍ୟାଲେଞ୍ଜ କରାଯାଇଛି । ସମ୍ବିଧାନର ୧୩୧ ଧାରାରେ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ଓ କୌଣସି ରାଜ୍ୟ ଭିତରେ ବିବାଦ, କେନ୍ଦ୍ର ସରକାର ସହିତ ଗୋଟିଏ ରାଜ୍ୟ ବା ଏକାଧିକ ରାଜ୍ୟ ପ୍ରଭୃତିର ବିବାଦ ସହିତ ରାଜ୍ୟ-ରାଜ୍ୟମାନଙ୍କ ଭିତରେ ବିବାଦ ସମାଧାନ ପାଇଁ ନ୍ୟାୟିକ କ୍ଷମତା ଦିଆଯାଇଛି । କୌଣସି କେନ୍ଦ୍ରୀୟ ଆଇନର ବୈଧତାକୁ ମଧ୍ୟ ଏହି ଧାରାରେ ରାଜ୍ୟ ଚ୍ୟାଲେଞ୍ଜ କରିପାରିବ । ବାସ୍ତବରେ ଛତିଶଗଡ଼ ପକ୍ଷରୁ ଦର୍ଶାଯାଇଛି ଯେ କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟକଳାପଗୁଡ଼ିକ ସମ୍ବିଧାନର ମୌଳିକ ଢାଞ୍ଚାରେ ଥିବା ସଂଘୀୟ ବ୍ୟବସ୍ଥାକୁ କ୍ଷୁଣ୍ଣ କରୁଛି । ବାସ୍ତବିକ ସଂଘୀୟ ବ୍ୟବସ୍ଥା ଭାରତୀୟ ସମ୍ବିଧାନର ଅନ୍ୟତମ ମୂଳମନ୍ତ୍ର ହୋଇଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର କାର୍ଯ୍ୟକଳାପ ନେଇ ରାଜ୍ୟ ସରକାରଙ୍କ ଅଭିଯୋଗ ଉପରେ ସୁପ୍ରିମକୋର୍ଟ ବିଚାର କଲାବେଳେ ଅନ୍ୟ ରାଜ୍ୟ ସରକାରମାନଙ୍କ ମତାମତ ମଧ୍ୟ ଆହ୍ୱାନ କରିବେ ।

ସୁପ୍ରିମକୋର୍ଟର ଏକ ସାମ୍ବିଧାନିକ ବେଞ୍ଚରେ ଏହାର ଫଇସଲା ହେବ । କିନ୍ତୁ ଏହା ସମୟସାପେକ୍ଷ ହୋଇଥିଲେ ମଧ୍ୟ ଛତିଶଗଡ଼ ପକ୍ଷରୁ ଇଡିର କାର୍ଯ୍ୟକଳାପ ନେଇ ନିର୍ଦ୍ଦିଷ୍ଟ ଭାବରେ ଯେଉଁ ପ୍ରସଂଗ ଆସିଛି ତାହା ଉପରେ ସୁପ୍ରିମକୋର୍ଟଙ୍କୁ ଏବେ ବିଚାର କରିବାକୁ ପଡ଼ିବ । କାରଣ ଇଡିର କେତେଗୁଡ଼ିଏ କାର୍ଯ୍ୟକଳାପ ସଂଘୀୟ ବ୍ୟବସ୍ଥାର ମୂଳ ତତ୍ତ୍ୱକୁ ନଷ୍ଟ କରିଦେଉଛି । ବାସ୍ତବିକ ପିଏମ୍‌ଏଲ୍‌ଏର କେତେଗୁଡ଼ିଏ ଧାରାର ସୁଯୋଗ ନେଇ କେନ୍ଦ୍ରୀୟ ଏଜେନ୍ସି ଅଣ-ବିଜେପି ଶାସିତ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ଏପରି ଭାବରେ ହଇରାଣ ହରକତ କରୁଛନ୍ତି, ଯାହା ଉପରେ ରାଜ୍ୟ ସରକାର ନିରବଦ୍ରଷ୍ଟା ରହିଲେ ରାଜ୍ୟର ଶାସନ ଭୁଶୁଡ଼ି ପଡିବ ।