ରାଜନୈତିକ ଦଳଙ୍କୁ ଚାନ୍ଦା : ଦାନ ଏଠି ପାପ ନା ପୁଣ୍ୟ ?

ରାଜନୈତିକ ଦଳଙ୍କୁ ଚାନ୍ଦା : ଦାନ ଏଠି ପାପ ନା ପୁଣ୍ୟ ?

ନିର୍ବାଚନ ପାଖେଇ ଆସିଲେ ରାଜନୈତିକ ଦଳ ଗୁଡିକ ଦ୍ଵାରା ପ୍ରଚାର ଜୋର୍ ଧରେ। ସଭା, ସମିତି, ରାଲି, ପ୍ରଦର୍ଶନୀ, ଶୋଭାଯାତ୍ରାଠୁ ଆରମ୍ଭ କରି ଲୋକଙ୍କୁ ଖାଇବା-ପିଇବାକୁ ଦେବା ପର୍ଯ୍ୟନ୍ତ ସବୁ ଚାଲେ। ଦଳୀୟ କର୍ମୀ ମାନେ ବିଭିନ୍ନ ଆଡେ ଡେରା ପକାନ୍ତି, ପୋଷ୍ଟର, ଫ୍ଲେକ୍ସ, ହୋର୍ଡି, ଲିଫଲେଟ୍ ଠୁ ଆରମ୍ଭ କରି ମାଇକରେ ଗୀତ ବଜାଇ ପ୍ରଚାର। ଆଉ କିଛି କିଛି ଜାଗାରେ ଭୋଟରଙ୍କୁ କିଣିବାକୁ ବି ପଇସା ଖର୍ଚ୍ଚ କରାଯାଏ। ଶୁଣିଥିବେ, ନିର୍ବାଚନ ବେଳେ ପାଣି ଭଳିଆ ପଇସା ବୁହେ ଆଉ ଖର୍ଚ୍ଚ କରାହୁଏ। ଏବଂ ଏସବୁ ଖର୍ଚ୍ଚ ପାଇଁ ପ୍ରତ୍ୟେକ ରାଜନୈତିକ ଦଳର ପାଣ୍ଠିକୁ ବିଭିନ୍ନ ବ୍ୟକ୍ତି ବିଶେଷ ତଥା ସ୍ରୋତରୁ ଦାନ ମିଳିଥାଏ। ଉକ୍ତ ଆୟ ଏବଂ ତାର ସ୍ରୋତକୁ ନେଇ ପ୍ରତି ଆର୍ଥିକ ବର୍ଷରେ ରାଜନୈତିକ ଦଳମାନେ ଆୟକର ବିଭାଗ ଏବଂ ନିର୍ବାଚନ କମିସନଙ୍କ ପାଖରେ ଆନୁଆଲ୍ ଅଡିଟ୍ ରିପୋର୍ଟ ଏବଂ କଣ୍ଟ୍ରିବ୍ୟୁସନ୍ (ଦାନ) ରିପୋର୍ଟ ଭାବରେ ତଥ୍ୟ ବା ସୂଚନା ଦାଖଲ କରିଥାନ୍ତି। ବିଭିନ୍ନ ରାଜନୈତିକ ଦଳ ଏବଂ ସେମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ରିପୋର୍ଟ ବା ଘୋଷଣାପତ୍ର ଆଧାରରେ 'ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ (ADR)' ୨୦୨୧ - ୨୦୨୨ ପାଇଁ ଗୋଟିଏ ରିପୋର୍ଟ ପ୍ରସ୍ତୁତ କରିଛି । ADR ର ରିପୋର୍ଟ ଅନୁସାରେ ଦେଶର ମୁଖ୍ୟତଃ ୭ଟି ବଡ଼ ଦଳ ବା ନ୍ୟାସନାଲ ପାର୍ଟିର ସମୁଦାୟ ଆୟ ୩୨୮୯ କୋଟି ୩୪ ଲକ୍ଷ ଟଙ୍କା ରହିଛି।

         ଏହି ୭ଟି ଦଳ ମଧ୍ୟରୁ ଭାରତୀୟ ଜନତା ପାର୍ଟିର ମୋଟ୍ ଆୟ ୧୯୧୭କୋଟି ୧୨ଲକ୍ଷ ରହିଛି ଯାହା କି ଦଳର ପୂର୍ବ ବର୍ଷର ଆୟ ଅପେକ୍ଷା ୧୫୪% ଅଧିକ ରହିଛି। ସେହିପରି ୫୪୫କୋଟି ୭୫ଲକ୍ଷ ଆୟ ସହ ତୃଣମୂଳ କ°ଗ୍ରେସ ତାଲିକାରେ ଦ୍ବିତୀୟ ସର୍ବାଧିକ ଆୟ କରିଥିବା ଦଳ ହିସାବରେ ରହିଛି। ପୂର୍ବ ବର୍ଷ ଅପେକ୍ଷା ଦଳର ଆୟରେ ୬୭୩.୩୬% ବୃଦ୍ଧି ଘଟିଛି। କ°ଗ୍ରେସ (Indian National Congress) ପାର୍ଟିର ଆୟ ୫୪୨କୋଟି ଥିବା ବେଳେ, ଏହା ପାର୍ଟିର ପୂର୍ବ ବର୍ଷର ଆୟ ଅପେକ୍ଷା ୯୦% ଅଧିକ ରହିଛି। ଗତ ଆର୍ଥିକ ବର୍ଷରେ ସି.ପି.ଆଇ. (ଏମ୍)ର ଆୟ ସମୁଦାୟ ୧୬୨କୋଟି ୨୪ଲକ୍ଷ ରହିଛି, ଯାହା ପାର୍ଟିର ପୂର୍ବ ବର୍ଷର ଆୟ ଅପେକ୍ଷା ୫.୧୫% କମ୍ ରହିଛି। ତାଲିକାରେ ତା' ପଛକୁ ଶରଦ ପାଓ୍ବାରଙ୍କ ନ୍ୟାସନାଲିଷ୍ଟ କ°ଗ୍ରେସ ପାର୍ଟି (ମହାରାଷ୍ଟ୍ର) ରହିଛି। ପାର୍ଟିର ସମୁଦାୟ ଆୟ ୭୫କୋଟି ୮୫ଲକ୍ଷ ରହିଛି, ଯାହା ପୂର୍ବ ବର୍ଷ ଅପେକ୍ଷା ୩୫% ଅଧିକ। ବହୁଜନ ସମାଜ ପାର୍ଟିକୁ ସମୁଦାୟ ୪୩କୋଟି ୭୦ଲକ୍ଷ ମିଳିଛି ଏବଂ ଏହା ପାର୍ଟିର ପୂର୍ବ ବର୍ଷର ଆୟ ଠାରୁ ୧୬.୫% କମ୍ ରହିଛି। ଦେଶର ସି ପି ଆଇ ଦଳର ଆୟ ୨କୋଟି ୮୭ଲକ୍ଷ ରହିଛି, ଯାହା ପୂର୍ବ ବର୍ଷ ତୁଳନାରେ ୧.୩୫% କମ୍ ରହିଛି। ସେମିତି ଉତ୍ତର-ପୂର୍ବାଞ୍ଚଳର ଦ ନ୍ୟାସନାଲ ପିପୁଲ୍ସ ପାର୍ଟିର ସମୁଦାୟ ୪୭ ଲକ୍ଷ ଆୟ ରହିଛି, ଯାହା ପୂର୍ବ ବର୍ଷ ତୁଳନାରେ ୩୨% କମ୍ ରହିଛି।

         ଯଦି ଖର୍ଚ୍ଚ ଦେଖିବା, ତା' ହେଲେ ଭାଜପା ତା'ର ସମୁଦାୟ ଆୟର ୪୫% ଅର୍ଥାତ୍ ୮୫୪କୋଟି ୪୭ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ସେଥିରୁ ଅଧିକ ଭାଗ ଦେଶରେ ବିଭିନ୍ନ ନିର୍ବାଚନ ଗୁଡିକରେ ହୋଇଥିବା ବେଳେ ଦଳୀୟ ଆଡମିନ୍ ଏବଂ କର୍ମକର୍ତ୍ତା ମାନଙ୍କର ଦରମା ବାବଦକୁ କମ୍ ଖର୍ଚ୍ଚ ହୋଇଛି। କ°ଗ୍ରେସ ତା'ର ମୋଟ ଆୟର ୭୪% ଅର୍ଥାତ ୪୦୦କୋଟି ୪୧ଲକ୍ଷ ଖର୍ଚ୍ଚ କରିଛି। ସମସ୍ତ ଖର୍ଚ୍ଚର ୭୫% ଦଳୀୟ ଆଡମିନ୍ ଏବଂ କର୍ମକର୍ତ୍ତା ମାନଙ୍କ ଦରମାରେ ଖର୍ଚ୍ଚ ହୋଇଥିବା ବେଳେ, ୧୯% ବିଭିନ୍ନ ନିର୍ବାଚନରେ ଖର୍ଚ୍ଚ କରାଯାଇଛି। ସେମିତି ତୃଣମୂଳ କ°ଗ୍ରେସ ୨୬୮କୋଟି ୩୪ଲକ୍ଷ (ମୋଟ ଆୟର ୫୦%), ସି ପି ଆଇ (ଏମ୍) ୮୩କୋଟି ୪୧ଲକ୍ଷ (ମୋଟ ଆୟର ୭୩%), ନ୍ୟାସନାଲିଷ୍ଟ କ°ଗ୍ରେସ ପାର୍ଟି (ମହାରାଷ୍ଟ୍ର) ୪୨କୋଟି ୪୯ଲକ୍ଷ (ମୋଟ ଆୟର ୩୨%), ବହୁଜନ ସମାଜ ପାର୍ଟି ୮୫ କୋଟି (ଆୟଠାରୁ ୪୯% ଅଧିକ ବ୍ୟୟ); ସି ପି ଆଇ ୮୫ ଲକ୍ଷ ଖର୍ଚ୍ଚ କରିଛନ୍ତି।

         କିନ୍ତୁ ରାଜନୈତିକ ଦଳ ଗୁଡିକର ଏ ସବୁ ଆୟ ଏବଂ ଖର୍ଚ୍ଚ ବିଷୟରେ ଆଲୋଚନା କଲା ବେଳେ, ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ, ଆୟ କରାଯାଇଥିବା ମୋଟ ୩୨୮୯ କୋଟି ୩୪ ଲକ୍ଷ ଟଙ୍କା ହୋଇଥିବା ବେଳେ ସେଥିରୁ ୨୧୭୨ କୋଟି ୨୩ ଲକ୍ଷ ଟଙ୍କାର ଆୟର ସ୍ରୋତ ବିଷୟରେ ରାଜନୈତିକ ଦଳ ଗୁଡିକ କୌଣସି ସୂଚନା ଦେଇ ନାହାନ୍ତି। ବର୍ତ୍ତମାନ ଦେଶର ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ଦଳ ବୋଲାଉ ଥିବା ଭାରତୀୟ ଜନତା ପାର୍ଟି ତାର ସମୁଦାୟ ଆୟରୁ ମାତ୍ର ୬୧୪କୋଟି ୬୨ଲକ୍ଷ ଟଙ୍କାର ସ୍ରୋତ ବିଷୟରେ ହିଁ ଘୋଷଣା ବା ଡିସକ୍ଲୋଜ୍ କରି ପାରିଛି। ଦଳର ଆନୁଆଲ୍ ଅଡିଟ୍ ରିପୋର୍ଟ ଏବଂ କଣ୍ଟ୍ରିବ୍ୟୁସନ୍ (ଦାନ) ରିପୋର୍ଟରେ ମାତ୍ର ୪୯୫୭ଜଣ ବ୍ୟକ୍ତିଙ୍କ ନାମ ତାଲିକାରେ ରହିଛି। କ°ଗ୍ରେସ  ପାର୍ଟି ମାତ୍ର ୯୫କୋଟି ୫୦ଲକ୍ଷ ଆୟର ହିସାବର ସ୍ରୋତ ବିଷୟରେ ଘୋଷଣା କରି ମୋଟ ୧୨୫୫ ଜଣ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସେହିପରି ନ୍ୟାସନାଲିଷ୍ଟ କ°ଗ୍ରେସ ପାର୍ଟି (ମହାରାଷ୍ଟ୍ର) ୫୮କୋଟିର ହିସାବ ଏବଂ ୨୪୭ ଜଣଙ୍କ ନାମ ହିଁ ଘୋଷଣା କରିଛି। ସି ପି ଆଇ (ଏମ୍)ର ଘୋଷଣାପତ୍ରରେ ୫୩୫ ଜଣଙ୍କ ନାମ ଥିବା ବେଳେ, ସି ପି ଆଇ ୧୨୪ଜଣଙ୍କ ନାମ ଘୋଷଣା କରିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଦେଶର ରାଜନୈତିକ ଦଳମାନଙ୍କ ମଧ୍ୟରୁ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଦଳ ତୃଣମୂଳ କ°ଗ୍ରେସ ତା'ର ସମୁଦାୟ ଆୟରୁ ମାତ୍ର ୪୩ଲକ୍ଷ ଏବଂ ୭ଜଣଙ୍କ ନାମ ହିଁ ଘୋଷଣାପତ୍ରରେ ଡିସକ୍ଲୋଜ୍ କରିଛି। ସମୁଦାୟ ୨୧୭୨ କୋଟି ୨୩ ଲକ୍ଷ ଟଙ୍କାର undisclosed income ବା ସ୍ରୋତ ଅଘୋଷିତ ଆୟ ଭିତରୁ ୧୮୧୧ କୋଟି ୯୪ ଲକ୍ଷ ବା ୮୩%  ଆୟ କେବଳ ଇଲେକ୍ଟୋରାଲ୍ ବଣ୍ଡ୍ (electoral bonds) ଦ୍ବାରା ପ୍ରାପ୍ତ ହୋଇଛି। Electoral bond ଗୁଡିକ ହେଉଛନ୍ତି ପ୍ରତିଶ୍ରୁତି ପତ୍ର ବା ଅନ୍ୟ ପ୍ରକାରେ କହିଲେ ଟୋକନ୍ ବା କୁପନ୍ ପରି। ଏହାକୁ ଯେକୌଣସି ଭାରତୀୟ ନାଗରିକ କିମ୍ବା ଭାରତୀୟ କମ୍ପାନୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI)ର ଚିହ୍ନଟ (ଭାରତୀୟ ସରକାରଙ୍କ ଦ୍ବାରା) କରାଯାଇଥିବା ଶାଖାରୁ କିଣିପାରିବେ। କିଣିସାରିଲା ପରେ ବ୍ୟକ୍ତି କିମ୍ବା କମ୍ପାନୀ ନିଜ ପସନ୍ଦର ରାଜନୈତିକ ଦଳକୁ ଏହା ପ୍ରଦାନ କରି ପାରିବେ, ଯାହାକୁ ଦଳ ଗୁଡିକ ୧୫ ଦିନ ଭିତରେ ରିଡିମ୍ ବା ଏନକ୍ୟାସ୍ କରି ପାରିବେ। କିନ୍ତୁ ଉକ୍ତ ରାଜନୈତିକ ଦଳଟି Representation of People Act, ୧୯୫୧ର ଧାରା 29A ଦ୍ଵାରା ପଞ୍ଜିକୃତ ହୋଇଥିବା ଦରକାର ଏବଂ ତା' ସହ ପୂର୍ବ ସାଧାରଣ ନିର୍ବାଚନରେ ପଡିଥିବା ସମୁଦାୟ ଭୋଟର ଅତିକମରେ ୧% ଭୋଟ୍ ହାସଲ କରିଥିବା ଦରକାର। କୌଣସି ରାଜନୈତିକ ଦଳ ୨୦,୦୦୦ଟଙ୍କାରୁ କମ୍ ରାଶି ଦାନ କରିଥିବା ଏବଂ ଇଲେକ୍ଟୋରାଲ୍ ବଣ୍ଡ୍ ଦ୍ଵାରା ଦାନ ଦେଉଥିବା ବ୍ୟକ୍ତିର ନାମ ଘୋଷଣା ବା disclose ପାଇଁ କୌଣସି ରାଜନୈତିକ ଦଳ ବାଧ୍ୟ ନୁହନ୍ତି। ଏହାଛଡା ଆୟକର ବା Incom Tax ର ଧାରା (section) 13A, ୧୯୬୧ର ନିୟମ ଅନୁସାରେ ଭାରତୀୟ ନିର୍ବାଚନ ଆୟୋଗ ବା Election Commissionଙ୍କ ପାଖରେ ପଞ୍ଜିକୃତ ରାଜନୈତିକ ଦଳକୁ ପାର୍ଟିର ଆୟ ଉପରେ କର ବା ଟ୍ୟାକ୍ସ ଦେବାରୁ ଛୁଟ୍ ରହିଛି। ଯଦିଓ ପ୍ରତ୍ୟେକ ପାର୍ଟି ପ୍ରତିବର୍ଷ  ନିଜର ଅଡିଟ୍ ଆକାଉଣ୍ଟ, ଆୟ-ବ୍ୟୟର ହିସାବ ଏବଂ ବାଲାନ୍ସ ସିଟ୍ ସହ କେବଳ IT Return ଭରିଥା'ନ୍ତି। ସେମିତି Income Tax ର Section 80GGC ମାଧ୍ୟମରେ ଜଣେ ବ୍ୟକ୍ତି କୌଣସି ରାଜନୈତିକ ଦଳକୁ ଦେଇଥିବା ଦାନ ଉପରେ କର ରିହାତି ବା tax deduction ମଧ୍ୟ ପାଇଥାନ୍ତି।

         ଏବେ ରାଜନୈତିକ ଦଳ ଗୁଡିକର ହଜାର ହଜାର କୋଟିର ଆୟ ବିଷୟରେ ପଢି ସାରିଲା ପରେ ମନେ ପକାଇଲେ, ବେତନଧାରୀ ହୋଇ ମଧ୍ୟ କେତେଥର ଆପଣ IT Return ଭରିଥିବେ ଆଉ ସେଥିରେ ଆପଣ ପୂରା ବର୍ଷରେ କେଉଁ ଗୋଟିଏ fix deposit ଉପରେ ୫-୬ ହଜାର ଟଙ୍କାର ସୁଧର ହିସାବ ଲେଖିବାକୁ ଭୁଲି ଯାଇଥିବେ ଆଉ ଆପଣଙ୍କୁ ଆୟକର ବିଭାଗ ତରଫରୁ ମେଲ୍ ଆସିନଥିବ? ଥରେ ମନେପକାଇଲେ, ଆପଣ ବ୍ୟାଙ୍କରେ ୫୦,୦୦୦ ଟଙ୍କା ବି ଯଦି ନିଜ ଆକାଉଣ୍ଟରେ ଜମା କରିବାକୁ ଯାଇଥିବେ ଆଉ ବିନା ପାନ୍ ନମ୍ବରରେ କାମ ହୋଇଯାଇଥିବ? ରାଜନୈତିକ ଦଳ ଗୁଡିକ ଦ୍ବାରା ଏପରି ଅଘୋଷିତ ଆୟ ବା undisclosed/ unknown income ନେଇ ହେଉଥିବା ହେରଫେରକୁ ନିୟନ୍ତ୍ରଣ ନକଲେ ଏହା ଯେ ଗଣତନ୍ତ୍ର ପାଇଁ ବିଷ ସଦୃଶ୍ୟ କାମ କରିବ, ଏହାକୁ ନେଇ ADR ବାରମ୍ବାର ଚେତାଇ ଦେଇଛି। ADRର ପ୍ରସ୍ତାବ ଅନୁସାରେ ଭୁଟାନ, ନେପାଳ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ବ୍ରାଜିଲ, ବୁଲଗେରିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରି ଭାରତରେ ମଧ୍ୟ ରାଜନୈତିକ ଦଳଗୁଡିକୁ ଦାନ କରୁଥିବା ବ୍ୟକ୍ତି ବିଶେଷଙ୍କ ନାମ ଏବଂ ସମ୍ପୂର୍ଣ୍ଣ ପରିଚୟ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବା ଦରକାର (ଉକ୍ତ ଦେଶ ଗୁଡିକରେ ରାଜନୈତିକ ଦଳ ୬୫% ଅଧିକ ଆୟର ସ୍ରୋତକୁ ଗୋପନ ରଖିପାରିବେ ନାହିଁ)। ସେହିପରି ୨୦୦୦ଟଙ୍କାରୁ ଅଧିକ ଦାନ ଦେଉଥିବା ପ୍ରତ୍ୟେକ ବ୍ୟକ୍ତିର ପରିଚୟ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଇବା ସହ କେବଳ ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ଭୋଟ୍ ପାଇ ଜିତିଥିବା ଦଳ ଗୁଡିକୁ ଆୟକରରେ ରିହାତି ମିଳିବା ପାଇଁ ନିର୍ବାଚନ ଆୟୋଗ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଇସିଙ୍କ ପ୍ରସ୍ତାବକୁ ସମର୍ଥନ କରି ADR କହିଛି ଯେ ପ୍ରତ୍ୟେକ ରାଜନୈତିକ ଦଳ (ଉଭୟ ରାଷ୍ଟ୍ରୀୟ ଏବଂ କ୍ଷତ୍ରୀୟ) ନିଜ ଆୟ-ବ୍ୟୟର ସଠିକ୍ ହିସାବ ସହ ଆୟର ସ୍ରୋତ ତଥା ଦାନକାରୀଙ୍କ ପରିଚୟରେ ସ୍ବଚ୍ଛତା ରଖିବାକୁ ନିଜର ଦାୟିତ୍ୱ ତଥା ଧର୍ମ ହିସାବରେ ଗ୍ରହଣ କଲେ ହିଁ ଦେଶରେ ଗଣତନ୍ତ୍ର ମଜବୁତ ହୋଇ ପାରିବ। ଏ ସବୁ ତଥ୍ୟ ଆଙ ପ୍ରସ୍ତାବ ଲେଖି ସାରିଲା ବେଳକୁ ମୁଁ ସତରେ କନ୍ଫ୍ୟୁଜ୍ଡ…..ଦାନଟା ପାପରେ ଗଣା ନା ପୂଣ୍ୟରେ?

 

[ବି.ଦ୍ର.: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ (ADR)- ୧୯୯୯ ମସିହାରେ Indian Institute Of Managementର କିଛି ପ୍ରଫେସରଙ୍କ ଦ୍ବାରା ADR ସ°ସ୍ଥା ପ୍ରତିଷ୍ଠା ହୋଇଥିଲା। ୧୯୯୯ ମସିହାରେ ADR ଦ୍ବାରା  ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକ ପି ଆଇ ଏଲ୍ ଦାଖଲ ହୋଇଥିଲା, ଯେଉଁଥିରେ ଦାବି କରା ଯାଇଥିଲା ଯେ ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ କରୁଥିବା ପ୍ରତ୍ୟେକ ବ୍ୟକ୍ତି ନିଜର ଶିକ୍ଷାଗତ, ଅପରାଧିକ ଏବଂ ଆର୍ଥିକ ପୃଷ୍ଠଭୂମିକୁ ନେଇ election commissionଙ୍କ ପାଖରେ ସତ୍ୟପାଠ ଦାଖଲ କରିବେ। ଏହି ପି ଆଇ ଏଲ୍ ଉପରେ ଶୁଣାଣି ଦେଇ ୨୦୦୨-୨୦୦୩ ମସିହାରେ ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ, ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ପ୍ରତ୍ୟେକ ରାଜନୈତିକ ଦଳର ପ୍ରାର୍ଥୀ ନିଶ୍ଚିତ ଭାବରେ ନିର୍ବାଚନ କମିଶନଙ୍କ ପାଖରେ ନିଜର ଶିକ୍ଷାଗତ, ଅପରାଧିକ ଏବଂ ଆର୍ଥିକ ପୃଷ୍ଠଭୂମିକୁ ନେଇ ସତ୍ୟପାଠ ଦାଖଲ କରିବେ। ସେବେଠାରୁ ଲଗାତାର ADR ରାଜନୈତିକ ଦଳ ଗୁଡିକୁ ନେଇ ବିଭିନ୍ନ ରିପୋର୍ଟ ବନେଇ ଆସୁଛି। ଉପରକ୍ତ ସମସ୍ତ ତଥ୍ୟ ସହ ଆହୁରି ଅନେକ ରିପୋର୍ଟ ଆପଣ ADRର websiteରୁ ପାଇ ପାରିବେ। ଏହା ଛଡା ନିର୍ବାଚନ ଆୟୋଗର ସର୍ବସାଧାରଣ ପାଇଁ ଉଦ୍ଦିଷ୍ଟ ରିପୋର୍ଟ ଏବଂ ଡାଟାର ଲିଙ୍କ ମଧ୍ୟ ADRରୁ ମିଳିଯାଏ।]