ବିଜୁଙ୍କ ଆଦର୍ଶ ବିରୋଧରେ ବିଜେଡି

ବିଜୁଙ୍କ ଆଦର୍ଶ ବିରୋଧରେ ବିଜେଡି

ଲୋକସଭାରେ ଅନାସ୍ଥା ଭୋଟ ଉପରେ ଆଲୋଚନା ଚାଲିଥିବା ବେଳେ,  ସେଥିରେ ବିଜେଡି ତରଫରୁ ଭାଗ ନେଇ  ସାଂସଦ ପିନାକୀ ମିଶ୍ର  ଯେଉଁ ଯୁକ୍ତି  ରଖିଛନ୍ତି ତାହା  ବିଚିତ୍ର ମନେ ହୁଏ ।‌ ସେ କହିଛନ୍ତି ଯେ ତାଙ୍କ ଦଳ ବିଜୁ ଜନତା ଦଳ କଂଗ୍ରେସ ବିରୁଦ୍ଧରେ ଆନ୍ଦୋଳନ କରି ଜନ୍ମ ହୋଇ ଥିବାରୁ  କଂଗ୍ରେସ ଦ୍ବାରା ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରି ପାରିବ ନାହିଁ। ଆମ ମତରେ ବିଜୁ ଜନତା ଦଳ ଅତି କମରେ ସାଂସଦ ପିନାକୀ ମିଶ୍ରଙ୍କ ମୁହଁରେ ଏକଥା କୁହାଇବାର‌ ନଥିଲା । ତାହା ବିଜେଡ଼ିର ଅନ୍ୟ ବକ୍ତା କହିଥିଲେ ଚଳିଥାନ୍ତା । କାରଣ ବିଜୁ ଜନତା ଦଳ ଗଠନ ସମୟରେ ସାଂସଦ ମହାଶୟ କଂଗ୍ରେସରେ ଥିଲେ । ସାଂସଦ ମହାଶୟ, ଏକଥା କହୁଥିବା ବେଳେ ପାର୍ଲିଆମେଣ୍ଟରେ  ତାଙ୍କର କେତେକ ସହଯୋଗୀଙ୍କ କଥା ମନେ ରଖିବା ଉଚିତ୍ ଥିଲା ଯେଉଁମାନେ ତଥାକଥିତ ଆନ୍ଦୋଳନ ସମୟରେ କଂଗ୍ରେସରେ ଥିଲେ ଓ ପରେ ବିଜେଡିରେ ଯୋଗ ଦେଇଛନ୍ତି । ପୁଣି ଆମେ ଜାଣିନୁ ବିଜୁ ଜନତା ଦଳ କେଉଁ ଆନ୍ଦୋଳନରୁ କିମ୍ବା କଂଗ୍ରେସର କେଉଁ କଥାକୁ ବିରୋଧ କରି ଜନ୍ମ ନେଇଥିଲା । ଆମେ ଜାଣିବାରେ ବିଜୁ ଜନତା ଦଳ କୈାଣସି ଆନ୍ଦୋଳନରୁ ଜନ୍ମ ନେଇ ନାହିଁ । ନବେ ଦଶକର ଶେଷ ଭାଗରେ କଂଗ୍ରେସର ଓଡ଼ିଶାର ରାଜନୀତିରେ ଆଧିପତ୍ୟକୁ ଆହ୍ବାନ ଦେବା ପାଇଁ ଏହା ଜନ୍ମ ନେଇଥିଲା । ଏହି କଂଗ୍ରେସ ବିରୋଧୀ ଉପକ୍ରମ ସେତେବେଳେ ତୁରନ୍ତ ବିଜୁବାବୁଙ୍କ ଦେହାନ୍ତ ଜନିତ ସମବେଦନାରୁ ଲାଭ ଉଠାଇବା ପାଇଁ ବିଜେପି ସହିତ ହାତ ମିଳାଇ ବିଜୁ ଜନତା ଦଳ ଗଢ଼ିଥିଲା । ଏହା ପରେ ଓଡିଶାକୁ ଏକ ଚତୁର୍ଥାଂଶ ଶତାବ୍ଦୀ କାଳ ଏକ ନିରବଚ୍ଛିନ୍ନ ଅଣ-କଂଗ୍ରେସ ସରକାର ଦେଇ ବିଜେଡି ଏଥିରେ ଅଦ୍ଭୁତ ପୂର୍ବ ସଫଳତା ପାଇଛି । ପଚାଶ ଦଶକରୁ ବା ଲୋହିଆଙ୍କ ସମୟରୁ ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ପ୍ରୟାସ ପରେ ଯଦି ସେହି ଧାରାର କୈାଣସି ଅଣ-କଂଗ୍ରେସ ଦଳ ଦୀର୍ଘ ସମୟ ଧରି  ମଜଭୁତ ସ୍ଥିତିରେ ଅଛି ତାହା ବିଜୁ ଜନତା ଦଳ କ୍ଷେତ୍ରରେ ହୋଇଛି । କିନ୍ତୁ ଏଥିପାଇଁ ବିଜେପିର ସହଯୋଗ ନେଇ ବିଜୁ ଜନତା ଦଳ ଲୋହିଆଙ୍କ ମାର୍ଗରୁ ଯେ ବିଚ୍ୟୁତ ହୋଇଛି ଏଥିରେ ସନ୍ଦେହ ନାହିଁ । ବିଜୁ ଜନତା ଦଳ ଗଠନ ସମୟରେ ଯେଉଁମାନେ ଏହାର ଗଠନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ଆଦର୍ଶ ଇତିହାସର ପଥ ଲୋହିଆଙ୍କ ପର୍ଯ୍ୟନ୍ତ ଲମ୍ବିଛି । ଏହି ପଥର ପଥିକମାନେ ବିଭିନ୍ନ ସମୟରେ କଂଗ୍ରେସର ବିକଳ୍ପ ସୃଷ୍ଟି କରିବା ପାଇଁ ଚେଷ୍ଟା କରି କେତେବେଳେ ସଫଳ ହୋଇଛନ୍ତି ତ କେତେବେଳେ ବିଫଳ ହୋଇଛନ୍ତି । ଏଥିପାଇଁ ସେମାନଙ୍କୁ ଅନେକ ଥର ନାଁ, ନିର୍ବାଚନ ଚିହ୍ନ ଓ ପତାକା ବଦଳାଇବାକୁ ପଡ଼ିଛି । କିନ୍ତୁ କେବେ ବି ସେମାନେ ଲୋହିଆପନ୍ଥୀ ବିଚାରଧାରାରୁ ବିଚ୍ୟୁତ ହୋଇ ନଥିଲେ । ହୁଏତ ଲୋହିଆ ସମୟର ଅର୍ଥନୈତିକ ପରିପ୍ରେକ୍ଷି ବଦଳିଛି । କିନ୍ତୁ ସମ୍ବିଧାନ ଓ ଧର୍ମନିରପେକ୍ଷତା ପ୍ରତି ଅଙ୍ଗୀକାରବଦ୍ଧତାର ଆବଶ୍ୟକତା ସେବେଠାରୁ ବର୍ତ୍ତମାନ ଆହୁରି ଅଧିକ ଜରୁରୀ ହୋଇ ଯାଇଛି । 

ଓଡ଼ିଶାର ଅଗଣିତ ବିଜୁପ୍ରେମୀ କ'ଣ ଏହି ଭଳି ଏକ ଅଣ-କଂଗ୍ରେସ ଦଳ ଚାହିଁଥିଲେ, ଯିଏ ସଂଘ ବିଚାରରେ ପ୍ରତିଷ୍ଠିତ ବିଜେପି ଲୋହିଆଙ୍କ ସମୟ ଅପେକ୍ଷା ଅଧିକ ପରାକ୍ରମୀ ହେଉଥିବା ବେଳେ ତାକୁ ପ୍ରତ୍ୟେକ ବିଷୟରେ ଅକୁଣ୍ଠ ସମର୍ଥନ ଦେଇ ଚାଲିଥିବ ? ଯେତେବେଳେ ସାମାଜିକ ଗଣମାଧ୍ୟମରେ ଦଳିତ ଓ ଅଳ୍ପସଂଖ୍ୟକଙ୍କ ଉପରେ ନିର୍ମମ ଆକ୍ରମଣର ଲୋମହର୍ଷଣକାରୀ ଦୃଶ୍ୟ ଆସୁଛି ଏବଂ ଆକ୍ରମଣକାରୀମାନେ  ନିର୍ଭୟରେ ସେହିସବୁ ଭିଡିଓକୁ ଅପଲୋଡ଼ କରି ସମ୍ବିଧାନକୁ ବୃଦ୍ଧାଙ୍ଗୁଷ୍ଠି ଦେଖାଉଛନ୍ତି , ସେତେବେଳେ ବିଜୁ ଜନତା ଦଳ ନବେ ଦଶକର ଓଡ଼ିଶା କଂଗ୍ରେସ ସମୟର ଭୟ ଦେଖାଇ ବିଜେପି ସହିତ ଠିଆ ହୋଇଛି । 

ବିଜେଡି ଯେଉଁ ବିଜୁବାବୁଙ୍କ ନାଁରେ‌ ତିଆରି ହୋଇଛି , ସେ ଦିନେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ବାଛିବାରେ ଅଗ୍ରଣୀ ଭୁମିକା ଗ୍ରହଣ କରୁଥିଲେ । କିନ୍ତୁ ଲଜ୍ଜା ଲାଗିଥିଲା ଦେଖିବାକୁ,  ଲକ୍ ଡାଉନ୍ ଘୋଷଣା ପରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଯେତେବେଳେ ରକ୍ତାକ୍ତ ପାଦରେ ଚାଲି ଚାଲି ସଡ଼କ ନାଲି କରୁଥିଲେ ସେତେବେଳେ ପିନାକୀ ବାବୁଙ୍କ ଅଣ-କଂଗ୍ରେସ ଦଳର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡାକରାରେ ବାଲକୋନୀରେ ଠିଆ ହୋଇ ଥାଳି ବଜାଉଥିଲେ । ଓଡ଼ିଶାରେ କିଏ ଚାହିଁଥିଲା ଏପରି ଏକ ଅଣ-କଂଗ୍ରେସ ବିକଳ୍ପ ? 

କିଷାନ୍ ଆନ୍ଦୋଳନ ସମୟରେ ବିଜେଡି ସେମାନଙ୍କ ସମର୍ଥନରେ ପଦୁଟିଏ କହି ନଥିଲା । ଏହା କଳ୍ପନା କରିବା ଅସମ୍ଭବ ଯେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପୁର୍ବରୁ ଆଉ କେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ ଏମିତି ହଜାର ହଜାର ଚାଷୀ ରାଜଧାନୀର ଉପକଣ୍ଠରେ ଶୀତ , ଗ୍ରୀଷ୍ମ ଓ ବର୍ଷା ସହି ବସିଥାନ୍ତେ , ପୋଲିସର ଉପସ୍ଥିତିରେ ସେମାନଙ୍କୁ ଶାସକ ଦଳର ସମର୍ଥକମାନେ ଟେକା ଫିଙ୍ଗିଥାନ୍ତେ ଓ ସେମାନଙ୍କୁ କେନ୍ଦ୍ରରେ ଥିବା ଶାସକ ଦଳର ନେତାମାନେ ଆତଙ୍କବାଦୀ ଓ ଆନ୍ଦୋଳନଜିବୀ କହି ଅପମାନିତ କରିଥାନ୍ତା । କିନ୍ତୁ ଦୁଃଖର କଥା ଯେ ଏପରି ସମୟରେ ଓଡ଼ିଆ ସ୍ୱାଭିମାନର କଥା କହୁଥିବା ବିଜୁ ଜନତା ଦଳ କେନ୍ଦ୍ରର ଶାସକ ଦଳ ସହିତ ମଜଭୁତ ହୋଇ ଛିଡା ହୋଇଥିଲା । ଏହା କେମିତି ଓଡ଼ିଶାର ସ୍ବାଭିମାନ ବଢ଼ାଇଥିଲା ବୁଝିବା କଷ୍ଟକର, ଯେତେବେଳେ ସବୁଠାରୁ ପୁରୁଖା ମୂଖ୍ୟମନ୍ତ୍ରୀ ଏତେ ବଡ଼ ଜାତୀୟ ଅଘଟଣରେ ପାଟି ଫିଟାଇବାରେ‌ ଅସହାୟ ଥିଲେ । କ'ଣ ଏଇଟା ବି ଗୋଟିଏ ମାଷ୍ଟରଷ୍ଟ୍ରୋକ ଥିଲା ? କ'ଣ ଜାତୀୟ ରାଜନୈତିକ  ଦୃଶ୍ୟପଟ୍ଟରେ ଓଡ଼ିଶାର ରାଜନୈତିକ ନେତାଙ୍କ ସ୍ବର କମିବା କିମ୍ବା ଅଧିକରୁ ଅଧିକ ପ୍ରତ୍ୟାଶିତ ଓ  କ୍ଷୀଣ ହେବା ହେଉଛି ଓଡ଼ିଶାର ସ୍ବାଭିମାନ? ଯଦି ସେତେବେଳେ ଓଡ଼ିଶାରୁ ମୂଖ୍ୟମନ୍ତ୍ରଙ୍କର ଗୋଟିଏ ମନ୍ତବ୍ୟ ଯାଇଥାନ୍ତା ଯେ କିଷାନମାନଙ୍କୁ ଯେପରି ଦୁର୍ବ୍ୟବହାର କରାଯାଉଛି ତାହା ବନ୍ଦ ହେଉ ଓ ତୁରନ୍ତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାହାର କରାଯାଉ,  ତାହେଲେ ତାହା ସେ ସମୟରେ ଜାତୀୟ ସ୍ତରରେ ଏକ ଆଲୋଡନକାରୀ ଖବର ହୋଇ ନଥାନ୍ତା କି ? ଯଦି ସମ୍ବେଦନହୀନ ହୋଇ ରହିବା ହିଁ ଗୋଟିଏ ମାଷ୍ଟରଷ୍ଟ୍ରୋକ, ତେବେ ଏ ମାଷ୍ଟରଷ୍ଟ୍ରୋକ କେବଳ ଦୀର୍ଘ ଦିନ ଧରି ଗାଦିରେ ରହିବା ପାଇଁ ସିନା ସହାୟକ ହୋଇପାରେ,  କିନ୍ତୁ ଦଶକ ଦଶକ ଧରି ଯେଉଁ ଅଣ-କଂଗ୍ରେସ ବିକଳ୍ପର ଓଡ଼ିଶାରେ ଅଭାବ ଥିଲା, ବିଜୁ ଜନତା ଦଳ ସେ ବିକଳ୍ପ ନୁହେଁ ବୋଲି ଏହା ପ୍ରମାଣିତ କରେ  । ଓଡ଼ିଶାର ଅଣ-କଂଗ୍ରେସ ନେତାମାନେ, କେତେବେଳେ କ୍ଷମତାରେ ଥାଆନ୍ତୁ କି ନ ଥାନ୍ତୁ, କେବେ ବି ନିଜର ନିର୍ଭୀକ ବିଚାର ବ୍ୟକ୍ତ କରିବାରେ ଅସହାୟ ନଥିଲେ । 

ଏମିତି ସମୟରେ, ଯେତେବେଳେ ମଣିପୁରରେ ଖୋଦ୍ ପୋଲିସ ମହିଳାମାନଙ୍କୁ ନେଇ ଏପରି ଉପଦ୍ରବି ଭିଡ଼ ହାତରେ ଦେଉଛି , ଯେଉଁମାନେ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଉଛନ୍ତି ଏବଂ ସେଠିକାର ବିଜେପି ମୂଖ୍ୟମନ୍ତ୍ରୀ ଘଟଣାକୁ ଲଘୁ କରିବା ପାଇଁ କହୁଛନ୍ତି ଏମିତି ଶହ ଶହ ଘଟଣା ଘଟୁଛି , ସେତେବେଳେ ପିନାକୀ ମିଶ୍ର ସେଭଳି ଏକ ଦଳକୁ ସମର୍ଥନ କରି ଅନାସ୍ଥା ପ୍ରସ୍ତାବକୁ ବିରୋଧ କରୁଛନ୍ତି । ଏଥିପାଇଁ ସେ ନବେ ଦଶକର କଂଗ୍ରେସ ଭୟ ଦେଖାଉଛନ୍ତି ।  ଛବିରାଣୀ ହତ୍ୟାକାଣ୍ଡ ସମୟରେ ଅଣ-କଂଗ୍ରେସ ଦଳମାନେ ତ ଓଡ଼ିଶାର ରାଜନୀତିକୁ ଦୋହଲାଇ ଦେଇଥିଲେ । ସେହି ଅଣ-କଂଗ୍ରେସ ଧାରାର ସାମାନ୍ୟତମ ଚିହ୍ନ ବର୍ତମାନର ବିଜେଡିରେ ଦେଖିବାକୁ ମିଳୁନି । ଓଡ଼ିଶାର ଲୋକମାନେ କ'ଣ ସେତେବେଳେ ଏହିଭଳି ଏକ ଅଣ-କଂଗ୍ରେସ ବିକଳ୍ପ ଚାହିଁଥିଲେ ଯାହାର ନେତା ମଣିପୁରର ଲଜ୍ଜାଜନକ ଘଟଣାକୁ ନିନ୍ଦା କରି ଗୋଟିଏ ଟୁଇଟ୍ କରିବା ପାଇଁ ମଧ୍ୟ ନିଜକୁ ଅସହାୟ ମଣିବ ? 

ଭାରତ ଏକ ବହୁଦଳୀୟ ଗଣତନ୍ତ୍ର । ଏଠାରେ ବାରମ୍ବାର ରାଜନୈତିକ ସମୀକରଣ ବଦଳିବା ସ୍ବାଭାବିକ ଅଟେ ।  କୌଣସି ଦଳ ଗୋଟିଏ ଶୂନ୍ୟତା ମଧ୍ୟରେ ରାଜନୀତି କରି ପାରିବ ନାହିଁ । ସମୟର ପରିବର୍ତ୍ତନ ସହ ବିଭିନ୍ନ ଅନ୍ୟ ଦଳମାନଙ୍କ ଚରିତ୍ର ଓ କାର୍ଯ୍ୟକ୍ରମରେ ପରିଲକ୍ଷିତ କରାଯାଏ । ଏହି ପରିବର୍ତ୍ତନ ପ୍ରତି ପ୍ରତିକ୍ରିୟା ମଧ୍ୟ ଗୋଟିଏ ଦଳର କାର୍ଯ୍ୟକ୍ରମ ଓ ଭୁମିକାକୁ ନିର୍ଣ୍ଣୟ କରିବା ଉଚିତ୍ । ବାଜପେୟୀଙ୍କ  ସମୟରେ ବିଜେପି ସହ ଠିଆ ହୋଇଥିବା ଅନେକ ରାଜନୈତିକ ଦଳ ଆଜି ବିଜେପି ବିରୁଦ୍ଧରେ ଠିଆ ହୋଇଛନ୍ତି । କାରଣ ସମୟ ସହ ବିଜେପିର ଭୁମିକା ମଧ୍ୟ ବଦଳି ଯାଇଛି । ଏକଦା କଂଗ୍ରେସକୁ ବିରୋଧ କରି ସୃଷ୍ଟି ହୋଇଥିବା ଅନେକ ଦଳ ଆଜି କଂଗ୍ରେସ ସହ ଇଣ୍ଡିଆ ଗଠବନ୍ଧନରେ ଅଛନ୍ତି । କାରଣ ପରିବର୍ତ୍ତିତ ପରିସ୍ଥିତି ସହିତ ସମ୍ବେଦନଶୀଳ ହେବାରେ ସେମାନେ ସକ୍ଷମ ହୋଇ ପାରୁଛନ୍ତି ।  ଗଣତନ୍ତ୍ର କୈାଣସି ଦଳଠାରୁ ତାହାର ରାଜନୈତିକ ଅବସ୍ଥାନର ନିରନ୍ତରତା ଦାବି ‌କରେ‌ ନାହିଁ, ତାହାର ନୀତି ଓ ନୀତି ପ୍ରତି ଅଙ୍ଗୀକାରବଦ୍ଧତାରେ ନିରନ୍ତରତାର ଦାବି ରଖେ । 


ପିନାକୀ ମିଶ୍ରଙ୍କ ବିଜୁ ଜନତା ଦଳର ନୀତି ଯଦି କେବଳ ଅଣ-କଂଗ୍ରେସବାଦର ନିରନ୍ତରତାରେ ସିମୀତ ରହୁଛି, ତେବେ ଏକଥା କହିବାକୁ ପଡିବ ଯେ ୨୫ ବର୍ଷର ନିରବଚ୍ଛିନ୍ନ ଶାସନକୁ ଲମ୍ବାଇବାର ମୋହ  ବିଜେଡିକୁ ଆଦର୍ଶଗତ ଭାବେ ଫସିଲ୍ ବନେଇ ଦେଇଛି । 

ପିନାକୀ ମିଶ୍ର ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ଲୋକସଭାରେ କହିଛନ୍ତି ଯେ ମନମୋହନ ସିଂଙ୍କ ନେତୃତ୍ବାଧୀନ ୟୁପିଏ ସମୟ ଅପେକ୍ଷା ମୋଦୀଙ୍କ ସମୟରେ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ଅଧିକ ଅର୍ଥ ମିଳୁଛି । ଅମିତ ଶାହାଂକ ଓଡ଼ିଶା ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କହିଛନ୍ତି ଯେ ୟୁପିଏର ୧୦ ବର୍ଷ ସମୟରେ କେନ୍ଦ୍ର ସରକାର ଓଡିଶାକୁ ୨ ଲକ୍ଷ ୯୩ ହଜାର କୋଟି ଦେଇଥିବା ବେଳେ ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ତ୍ବ ସମୟରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କାର ଦାୟିତ୍ଵ ନେଇଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଯେ ତାଙ୍କର ଏ ବୟାନ ଓଡ଼ିଶାରେ କେମିତି ଏକ ବିତର୍କ ସୃଷ୍ଟି କଲା ନାହିଁ ? ଏ‌ହି ଦୁଇଟି ସଂଖ୍ୟା ମଧ୍ୟରେ ଥିବା ଏତେ ବଡ଼ ପାର୍ଥକ୍ୟ ତ ନିଶ୍ଚୟ ଏକ ସନ୍ଦେହ ସୃଷ୍ଟି କରିବା କଥା । ଆମେ ଜାଣିବାରେ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ଚରିତ୍ର ହେଉଛି ସରକାରଙ୍କର ପ୍ରତ୍ୟେକ ଦାବୀକୁ ସନ୍ଦେହ କରିବା । କିନ୍ତୁ ଆଜିକାଲି ତାହା ଆଉ ହେଉନାହିଁ । ଅର୍ଥନୀତି ସମ୍ବନ୍ଧୀୟ ପ୍ରତ୍ୟେକ ତଥ୍ୟକୁ ତାହାର ପରିପ୍ରେକ୍ଷୀଠାରୁ ଭିନ୍ନ କରି ଓ ଏକ ସଙ୍କୁଚିତ ଅର୍ଥରେ ଏମିତି ପ୍ରଚାର କରା ଯାଉଛି ଯାହାକୁ କ୍ରିକେଟ ସ୍କୋର ଠାରୁ ମଧ୍ୟ ଆହୁରି ସହଜରେ ବୁଝିହେବ । 

ପ୍ରିୟ ପାଠକେ, ଧରାଯାଉ ମୋଦୀଙ୍କ ସମୟରେ ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କା ମିଳିଛି । ତେବେ ବର୍ଷକୁ ପଡ଼ିଲା ୨ ଲକ୍ଷ କୋଟି ଟଙ୍କା । ଓଡ଼ିଶାର ବଜେଟ ଆଜି ପର୍ଯ୍ୟନ୍ତ ୨ ଲକ୍ଷ କୋଟି ଟଙ୍କା ହୋଇ ନାହିଁ । ତାହେଲେ ପ୍ରତି ବର୍ଷ ଓଡ଼ିଶା କେନ୍ଦ୍ର ଠାରୁ ପାଇଥିବା ୨ ଲକ୍ଷ କୋଟି ଟଙ୍କାର କେଉଁଠି ଉଲ୍ଲେଖ ହେଉଛି ? ଗତ ବର୍ଷ ଓଡ଼ିଶା ବଜେଟରେ ଉଲ୍ଲେଖ ହୋଇଥିବା ମୁତାବକ କେନ୍ଦ୍ର ଓଡ଼ିଶାକୁ ଉଭୟ କେନ୍ଦ୍ରୀୟ ଟିକସ ଓ ଗ୍ରାଣ୍ଟ ମିଶାଇ ମୋଟ ୭୦ ହଜାର କୋଟି ଟଙ୍କା ଦେଇଛି । ତାହେଲେ ବାକି ପ୍ରାୟ ୧.୩ ଲକ୍ଷ କୋଟି ଟଙ୍କା କୁଆଡେ ଗଲା ? ଅବଶ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କ ଚାଲାକିକୁ ପ୍ରଶଂସା କରି ଏତିକି କହି ହେବ ଯେ ସେ ତାଙ୍କ ସରକାର ଦେଇଛି ବୋଲି କହି ନାହାନ୍ତି । ତାଙ୍କ ସରକାର ଦାୟିତ୍ଵ ନେଇଛି ବୋଲି କହିଛନ୍ତି । ତଥାପି ସେ ଯାହା ହେଉ, ଆମ ରାଜ୍ୟରେ ଗତ ୯ ବର୍ଷରେ ୧୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଗଲା, ଅଥଚ ଆମେ ଦେଖି ପାରୁ ନାହୁଁ ? ଅର୍ଥନୀତିରେ ଏହି ଦାୟିତ୍ବ ନେବା କଥାଟା କେଉଁ ପ୍ରକାରର ପରିଭାଷା ଏହା ଆମ ପକ୍ଷରେ ବୁଝିବା ଅସମ୍ଭବ ହୋଇ ପଡ଼ିଛି । ଆମେ ମଧ୍ୟ ବୁଝିବାରେ‌ ଅସମର୍ଥ ଯେ ଧର୍ମେନ୍ଦ୍ର ପ୍ରଧାନ ମୂଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ଏକଥା କହିଥିବା ବେଳେ ମୂଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଏହି ବଦାନ୍ୟତାକୁ କେମିତି ସ୍ବୀକାର କରି ଧନ୍ୟବାଦ ଦେଇଛନ୍ତି । ଏହି ବୟାନକୁ ୪/୫ ଦିନ ବିତି ଯାଇଥିଲେ ମଧ୍ୟ ବିଜେଡି ଏ ବିଷୟରେ ଚୁପ୍ ରହିଛି । ଓଡ଼ିଆ ଗଣମାଧ୍ୟମ ପ୍ରଶ୍ନ କରୁ ନାହଁ ଯେ ଏହି ୧୮ ଲକ୍ଷ କୋଟି ଟଙ୍କାର ହିସାବ କ'ଣ ? 

କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଦାବି ନୁହେଁ,  ଗତ କିଛି ବର୍ଷଧରି କିପରି ବିଭିନ୍ନ ସଙ୍କୁଚିତ ଆର୍ଥିକ ପରିଭାଷାରେ ବିଜେପି ନେତାମାନେ  ଅର୍ଥନୀତିର ଏକ ଗୋଲାପୀ ଚିତ୍ର ଦେଖାଇ ଚାଲିଛନ୍ତି ତାହା ଆଉ ଏକ ଲେଖାର ଅପେକ୍ଷା ରଖୁ । କିନ୍ତୁ ବର୍ତ୍ତମାନ ଯେଭଳି ଭାବେ ଧର୍ମେନ୍ଦ୍ରବାବୁଙ୍କ ଏହି ଦାବିକୁ   ବିଜେଡ଼ି ଚାଲେଞ୍ଜ ନକରି ସ୍ବୀକାର କରିଗଲା ତାହା ଚିନ୍ତାର ବିଷୟ । ଏହା କ'ଣ ସେହି ଆଞ୍ଚଳିକ ସ୍ବାଭିମାନ ଯାହାକୁ ଏକ ବଡ଼ ପ୍ରସଙ୍ଗ କରି ବିଜୁ ଜନତା ଦଳ ଗଠନ ହୋଇଥିଲା ? ନା ଏହା ଏକ କରଦରାଜାତୁଲ୍ୟ ଆନୁଗତ୍ୟ ? ଏ ତ କଦାପି ସେହି ଅଣ-କଂଗ୍ରେସ ଦଳ ନୁହେଁ ଯାହାର ନେତାମାନଙ୍କ ଉଦ୍ଦାମତା ବେଳେ ବେଳେ ଦଳୀୟ ଶୃଙ୍ଖଳାର ଦଉଡ଼ି ଛିଣ୍ଡାଇ ଦେଉଥିଲା । ନିଜକୁ ଏକ ଅଣ-କଂଗ୍ରେସ ଦଳ ବୋଲି ଦାବି କରୁଥିବା ବିଜେଡିର ବର୍ତ୍ତମାନର ସ୍ଥିତିକୁ ଲକ୍ଷ କଲେ ମନେ ହେଉଛି, ଯେପରି ଏହାର ପିନାକୀ ମିଶ୍ରଙ୍କ ଭଳି ନେତାଙ୍କ ଉପରେ ବିଜେପିର ଶୃଙ୍ଖଳାଗତ ବିଧି ବିଧାନ ମଧ୍ୟ ଲାଗୁ ରହିଛି।